32.1 C
Bhubaneswar
Saturday, May 4, 2024
Homeଓଡିଶାଜୀବନ ଓ ଜୀବିକା ଦୋ ଛକିରେ ପ୍ରବାସୀ

ଜୀବନ ଓ ଜୀବିକା ଦୋ ଛକିରେ ପ୍ରବାସୀ

ଫୁଲବାଣୀ : ଜୀବନ ଓ ଜୀବିକା ଦୋ ଛକିରେ ଏବେ କନ୍ଧମାଳ ଜିଲ୍ଲାର ପ୍ରବାସୀ । କରୋନା ସମସ୍ତଙ୍କ ଜୀବିକାକୁ ବିଗାଡି ଦେଇଛି । ରୋଜଗାର ଆଶାରେ କାହିଁ କିଏ କେତେ ମାଇଲ୍ ମାଇଲ୍ ଦୂରକୁ ଯାଇଥିଲେ ମଧ୍ୟ କରୋନା ବାଧ୍ୟ କରିଥିଲା ସେମାନଙ୍କୁ ନିଜ ଜନ୍ମମାଟିକୁ ଫେରି ଆସିବା ପାଇଁ । ତେବେ ଫେରିବା ମଧ୍ୟ ଅନେକଙ୍କ ପାଇଁ ଏତେ ସହଜ ନଥିଲା । କିଏ ଦ୍ୱିଗୁଣରୁ ତିନିଗୁଣ ଦେଇ ଗାଡ଼ିରେ ଫେରିଥିବା ବେଳେ ଆଉ କିଏ ଟ୍ରକ୍ , ଚାଲି ଚାଲି , ସାଇକଲ ଭଳି ବିିିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ନିଜ ଭିଟାମାଟିକୁ ଫେରିଥିଲେ। ନିଜ ଜନ୍ମାଟିରେ କର୍ମକ୍ଷେତ୍ରର ଅଭାବ ଯୋଗୁଁ ବର୍ଷ ବର୍ଷ ଧରି ଜିଲ୍ଲାର ହଜାର ହଜାର ପ୍ରବାସୀମାନେ ରାଜ୍ୟ ବାହାର ଓ ଦେଶ ବାହାରେ ରହି କାର୍ଯ୍ୟକରୁଥିଲେ । ସେଥିରେ ଯାହା କିଛି ରୋଜଗାର କରୁଥିଲେ ସେଥିରେ ନିଜେ ଚଳିବା ସହିତ ପରିବାର ଚଳାଇବାରେ ମଧ୍ୟ ସହାୟକ ହେଉଥିଲା । ତେବେ କରୋନା ସମୟରେ କନ୍ଧମାଳ ଜିଲାର ବିିଭନ୍ନ ବ୍ଲକରୁ ବାହାରେ କାମ କରୁଥିବା ୧୦ ହଜାର ୯୩୪ ପ୍ରବାସୀ ନିଜ ଭିଟାମାଟିକୁ ଫେରିଥିଲେ ।

ସେମାନଙ୍କ ମଧ୍ୟରେ ବାଲିଗୁଡ଼ା ବ୍ଲକର ୬୪୪ ପ୍ରବାସୀ ଫେରିଥିବା ବେଳେ ଚକାପାଦ ବ୍ଲକର ୭୪୧ ଜଣ , ଦାରିଙ୍ଗବାଡ଼ି ବ୍ଲକର ୧୮୨୧, ଜି.ଉଦୟଗିରି ବ୍ଲକର ୧୧୨୧ ଜଣ , କ.ନୂଆଗାଁ ବ୍ଲକର ୮୯୩, ଖଜୁରିପଡ଼ା ବ୍ଲକର ୫୮୫ , କୋଟଗଡ଼ ବ୍ଲକର ୮୫୦ , ଫିରିଙ୍ଗିଆ ବ୍ଳକର ୧୦୦୨, ଫୁଲବାଣୀ ବ୍ଲକର ୫୪୦, ରାଇକିଆ ବ୍ଲକର ୧୧୧୨ ଜଣ ଓ ଟିକାବାଲି ବ୍ଲକର ୯୫୧ ଏବଂ ତୁମୁଡ଼ିବନ୍ଧ ବ୍ଲକର ୬୭୪ ପ୍ରବାସୀ ଫେରିଥିଲେ ନିଜ ଭିଟାମାଟିକୁ । ପ୍ରାୟ ୧ ବର୍ଷ ଧରି କରୋନା କଟକଣା ଯୋଗୁଁ ନିଜ ଭିଟାମାଟିରେ ରହିଥିଲେ ମଧ୍ୟ ଅନେକ ଆର୍ଥିକ ସଙ୍କଟ ଦେଇ ଗତି କରିଥିଲେ । ରାଜ୍ୟ ସରକାରଙ୍କ ଘୋଷଣା ପ୍ରକାରେ ଗାଁ ଗାଁରେ କାମ ଯୋଗାଇ ଦେବାର ପ୍ରତିଶ୍ରୁତି ଦିଆଯାଇଥିଲା। ମନରେଗାରେ କର୍ମ ଯୋଗାଇ ଦିଆଯାଇଥିଲା । କିନ୍ତୁ ଯେଉଁ କୁଶଳୀ ଶ୍ରମିକ ରାଜ୍ୟ ବାହାରେ କାମ କରୁଥିଲେ ସେହିମାନଙ୍କ ପାଇଁ କିନ୍ତୁ ନଥିଲା କୌଣସି ପ୍ରକାର କାମ । ଫଳରେ ମାସ ମାସ ଧରି ବିନା ରୋଜଗାରରେ ନିଜ ଭିଟାମାଟିରେ ରହିଥିଲେ ମଧ୍ୟ ମନରେ ନଥିଲା ହସ କିମ୍ବା ଖୁସି । ସେପଟେ କରୋନା କଟକଣା ଯୋଗୁଁ ଯେଉଁ ସବୁ କମ୍ପାନିରେ କାମ କରୁଥିଲେ ସେଗୁଡ଼ିକ ମଧ୍ୟ ବନ୍ଦ ଥିବା ଯୋଗୁଁ ନିଜ କର୍ମ କ୍ଷେତ୍ରକୁ ଫେରିବା ମଧ୍ୟ ସେମାନଙ୍କ ପାଇଁ କଷ୍ଟକର ହୋଇ ପଡିଥିଲା । ପ୍ରାୟ ଏକମାସ ପରେ କରୋନାରେ ସ୍ଥିତିରେ ପରବର୍ତ୍ତନ ପରେ ଅନେକ କୁଶଳି ନିଜ ନିଜ କର୍ମ କ୍ଷେତ୍ରକୁ ଚାଲି ଚାଲି ଯାଇନଥିଲେ ମଧ୍ୟ ଆବଶ୍ୟକତା ଠାରୁ ଅଧିକ ଭଡ଼ା ଦେଇ ଫେରିଛନ୍ତି । କେତେ ଫେରିଲେଣି ତାହାର ହିସାବ ଜିଲ୍ଲା ପ୍ରଶାସନ ପାଖରେ ନାହିଁ ।

ପ୍ରଶାସନକୁ ଅବଗତ କରୁନଥିବା ଯୋଗୁଁ ତାହାର ସଠିକ୍ ତଥ୍ୟ ନାହିଁ ବୋଲି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ କରୋନା ସମୟରେ ଜିଲ୍ଲାକୁ ପ୍ରାୟ ୧୧ ହଜାର ଫେରିଥିଲେ ମଧ୍ୟ ବର୍ତ୍ତମାନ ତାହାଠାରୁ ଅଧିକ ସଂଖ୍ୟାରେ ପୁଣିଥରେ ନିଜ କର୍ମକ୍ଷେତ୍ରକୁ ଯାଇଛନ୍ତି । ଆହୁରି ଅନେକ ନୂଆ ନୂଆ ଯୁବକ ଓ ଯୁବତୀ ମଧ୍ୟ ରୋଜଗାର ଆଶାରେ ଜିଲ୍ଲା ଛାଡ଼ିଥିବାର ଖବର ହସ୍ତଗତ ହୋଇଛି । ତେବେ ପୁଣିଥରେ ନିଜ କର୍ମକ୍ଷେତ୍ରକୁ ନଯାଇ ନିଜ ଜିଲ୍ଲାରେ କିଛି କରିବାର ଆଶା ନେଇ ଅନେକ ଆଜି ପର୍ଯ୍ୟନ୍ତ ରୋଜଗାର ଆଶାରେ ଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ । ପଂଚାୟତ ସ୍ତରରେ ହେଉ କିମ୍ବା ଗ୍ରାମ ସ୍ତରରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଛଡ଼ା ଅନ୍ୟ କୌଣସି ଯୋଜନାରେ ରୋଜଗାର କରିବାର ଆଶା ନଥିବାରୁ ଏବେ ପୁଣିଥରେ ଜିଲ୍ଲାରୁ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ପ୍ରବାସୀ ନିଜ ନିଜ କର୍ମ କ୍ଷେତ୍ରକୁ ଫେରିବାକୁ ବାଧ୍ୟ ହେଉଛନ୍ତି । ତେବେ ଯାହା କିଛି ରୋଜଗାର କରି ରଖିଥିଲେ ତାହା ଏକ ବର୍ଷ କାମଧନ୍ଦା ବନ୍ଦ ହୋଇଯିବା ଫଳରେ ଆଉ ପାଖରେ ସେଭଳି ଟଙ୍କା ପଇସା ନଥିବା ଯୋଗୁଁ ଅନେକ ବାକି ଓ ଉଦ୍ଧାର କରି ପୁଣିଥରେ ଫେରିଥିବା ପ୍ରକାଶ କରିଛନ୍ତି ।

ତେବେ ଅନେକ ଫେରିଥିବା ବେଳେ ଆଉ କେତେକ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏଭଳି ସ୍ଥଳେ ପୁଣିଥରେ କରୋନାର ଦ୍ୱିତୀୟ ଲହରି ଏବେ ଚିନ୍ତାରେ ପକାଇ ଦେଇଛି ପ୍ରବାସୀମାନଙ୍କୁ । ଯେଉଁମାନେ ଫେରିଛନ୍ତି ଓ ଯେଉଁମାନେ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କ ପାଇଁ ଏବେ ଜୀବନ ଓ ଜୀବିକା ଦୋ ଛକିରେ ପଡିଥିବାର ପ୍ରକାଶ କରିଛନ୍ତି । ଯାଇଥିବା ପ୍ରବାସୀମାନେ ପୁଣିଥରେ ପୂର୍ବ ପରିସ୍ଥିତି ଉପୁଜିଥିଲେ ସେମାନଙ୍କ ସଂସାର ଭାସିଯିବ ବୋଲି ପ୍ରକାଶ କରିଛନ୍ତି । ଯେଉଁମାନେ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ସେହିମାନଙ୍କର ମଧ୍ୟ ଏହି ଏକା କଥା ପ୍ରକାଶ କରିଛନ୍ତି । ଦୋଛକିରେ ଥିବା ପ୍ରବାସୀମାନଙ୍କର ଭବିଷ୍ୟତ କ’ଣ ହେବ ତାହାକୁ ନେଇ ଅନେକ ଚିନ୍ତା ପ୍ରକଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking