34.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶସସ୍‌ପେନ୍ସ ହଟିଲା: ରାଏବରେଲୀରୁ ଲଢ଼ିବେ ରାହୁଲ

ସସ୍‌ପେନ୍ସ ହଟିଲା: ରାଏବରେଲୀରୁ ଲଢ଼ିବେ ରାହୁଲ

ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରାଏବରେଲି ଲୋକସଭା ଆସନରୁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ରାହୁଲ ଗାନ୍ଧୀ । ଶୁୂକ୍ରବାର ରାଏବରେଲୀ ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଥିବା ବେଳେ ଆଜି ସକାଳୁ ରାହୁଲ, ନିଜ ମା’ ସୋନିଆ ଗାନ୍ଧୀ, ଭଉଣୀ ପ୍ରିୟଙ୍କା ଗାନ୍ଧୀ, ଭିଣୋଇ ରବର୍ଟ ଭଦ୍ରା ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ଓ କିଛି ଦଳୀୟ ନେତାମାନଙ୍କ ସହ ଆସି ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ରାହୁଲ ଗାନ୍ଧୀ ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଫିସରେ ପ୍ରାର୍ôଥପତ୍ର ଦାଖଲ କରିଛନ୍ତି । ସୂଚନାଯୋଗ୍ୟ, ରାୟବରେଲୀ ଲୋକସଭା ଆସନ ପାଇଁ ମେ’୨୦ ତାରିଖରେ ଭୋଟ ଗ୍ରହଣ ହେବ ।

କାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଏହି ଆସନରେ କାହାକୁ ପ୍ରାର୍ଥୀ କରାଯିବ ସେନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିଲା । ଏସମ୍ପର୍କରେ ନିଷ୍ପତ୍ତି ନେବାରେ ମଧ୍ୟ କଂଗ୍ରେସ ଅସମର୍ଥତା ପ୍ରକାଶ କରିଥିଲା । ତେବେ ଗୁରୁବାର ବିଳମ୍ବିତ ରାତିରେ ରାହୁଲ, ରାଏବରେଲୀ ଆସନରୁ ପ୍ରାର୍ଥିପତ୍ର ଦାଖଲ କରିବା ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଥିଲା । ତେବେ ରାହୁଲଙ୍କୁ ରାଏବରେଲୀ ଆସନ ଦିଆଯିବା ପରେ ପ୍ରିୟଙ୍କା ଦଳର ତଥା କଂଗ୍ରେସର ଅନ୍ୟତମ ଗଡ଼ ଭାବେ ବିବେଚିତ ହୋଇଆସୁଥିବା ଆସନ ଆମେଥୀରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଅନୁମାନ କରାଯାଉଥିଲା । କିନ୍ତୁ କଂଗ୍ରେସ ପକ୍ଷରୁ ଆଜି ଆଶ୍ଚର୍ଯ୍ୟଜନକ ଭାବେ ଆମେଥୀ ଆସନ ପାଇଁ କିଶୋରୀ ଲାଲ୍ ଶର୍ମାଙ୍କ ନାମ ଘୋଷଣା କରାଯାଇଛି । ପ୍ରକାଶ, ରାଏବରେଲୀ କଂଗ୍ରେସର ଗଡ଼ ହୋଇଥିବା ବେଳେ ରାହୁଲ ଗାନ୍ଧି ପ୍ରଥମଥର ପାଇଁ ଏଠାରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ୨୦୦୪ରୁ ଏଠାରେ ମା’ ସୋନିଆ ଗାନ୍ଧୀ ଜିତି ଆସୁଥିଲେ । ରାହୁଲ ନିୟମିତ ଭାବେ ଆମେଥୀରୁ ପ୍ରାର୍ଥୀ ହେଉଥିଲେ । କିନ୍ତୁ ୨୦୧୯ରେ ସେ ଆମେଥୀରୁ ହାରି ଯାଇଥିଲେ ।

୨୦୧୯ ଭଳି ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ କଂଗ୍ରେସ ନେତା କେରଳର ୱାୟନାଡ ଆସନରୁ ନିର୍ବାଚନ ଲଢ଼ୁଛନ୍ତି । ଗତ ୨୬ ତାରିଖରେ ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟାରେ ୱାୟନାଡ ଆସନରେ ଭୋଟ୍ ଗ୍ରହଣ ହୋଇସାରିଛି । ସୁତରାଂ ୱାୟନାଡରୁ ରାହୁଲଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍ ହୋଇସାରିଛି । ତେବେ ଚଳିତ ଲୋକସଭା ନିର୍ବାଚନରେ ୱାୟନାଡ ଆସନ ସହ ରାହୁଲ ଆଉ ଏକ ଆସନରୁ ମଧ୍ୟ ନିର୍ବାଚନ ଲଢ଼ିବା ନେଇ ଅନୁମାନ କରାଯାଉଥିଲା । କିନ୍ତୁ ସେ ଆମେଥୀ କିମ୍ବା ରାଏବରେଲୀରୁ ଲଢ଼ିବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିିଳିପାରୁନଥିଲା । କାରଣ ୨୦୧୯ ଲୋକସଭା ନିର୍ବାଚନ ସମୟରେ ମଧ୍ୟ ରାହୁଲ ଗାନ୍ଧୀ, ୱାୟନାଡ ସହ ଆମେଥୀ ଆସନରୁ ନିର୍ବାଚନ ଲଢ଼ିଥିଲେ ମାତ୍ର ସେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ଠାରୁ ପରାଜିତ ହୋଇଥିଲେ । ୨୦୨୪ ନିର୍ବାଚନରେ ମଧ୍ୟ ବିଜେପି ଆମେଥୀରୁ ପୁନର୍ବାର ସ୍ମୃତି ଇରାନୀଙ୍କୁ ହିଁ ପ୍ରାର୍ଥୀ କରିଛି ।

ହୁଏତ ଏହି କାରଣରୁ ରାହୁଲ ଏଥର ଆମେଥୀ ବଦଳରେ ରାଏବରେଲୀରୁ ନିର୍ବାଚନ ଲଢିବାକୁ ଉଚିତ୍ ମଣିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ସୂଚନାଯୋଗ୍ୟ ଏହି ଆସନରୁ ବିଜେପି ଦିନେଶ ପ୍ରତାପ ସିଂହଙ୍କୁ ପ୍ରାର୍ଥୀ କରିଛି । ଦିନେଶ ପ୍ରତାପ ୨୦୧୯ରେ ମଧ୍ୟ ଏହି ଆସନରୁ ନିର୍ବାଚନ ଲଢ଼ିଥିଲେ । ସୁତରାଂ ଦିନେଶଙ୍କ ସହ ରାହୁଲଙ୍କ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ । ଅନ୍ୟପକ୍ଷେ ସକ୍ରିୟ ରାଜନୀତିକୁ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ଏଣ୍ଟ୍ରି ହୋଇସାରିଥିବା ବେଳେ ପ୍ରିୟଙ୍କା ମଧ୍ୟ ଏହି ଦୁଇ ଆସନରୁ କୌଣସି ଏକ ଆସନରୁ ଏଥର ନିଜ ଭାଗ୍ୟ ପରୀକ୍ଷା କରିପାରନ୍ତି ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ସେପରି କିଛି ବି ହୋଇନି । ଆମେଥୀ ଆସନରେ ଅନ୍ୟ ନେତାଙ୍କୁ ସୁଯୋଗ ଦେଇଛି ଦଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking