ଶାସିତର ସାହିତ୍ୟ କ’ଣ ଆଧୁନିକ ସାହିତ୍ୟ ? : ମାୟାଧର ନାୟକ

mayadhar nayak

ଆମ ଓଡିଶାରେ ଯେଉଁ ଧରଣର ଧାରା ସାହିତ୍ୟ କ୍ଷେତ୍ରରେ ଦେଖାଦେଉଛି, ସେ ଧାରାକୁ ଆଧୁନିକ ଓ ଉତର-ଆଧୁନିକ ବୋଲି ଡିଣ୍ଡିମ ପିଟାଯାଉଛି । ଏ ଡିଣ୍ଡିମ ପିଟୁଛନ୍ତି କେଉଁମାନେ? ବୁଦ୍ଧିଜୀବୀ ଓ ସାହିତ୍ୟର ସମୀକ୍ଷକ ବୋଲାଉଥିବା ଦଳେ ଦାୟିତ୍ୱହୀନ ବ୍ୟକ୍ତି । ହୁଏତ ସେମାନଙ୍କ ମଧ୍ୟରୁ ଶତକଡା ୭୦ ଶିକ୍ଷା ବିଭାଗ କର୍ମଚାରୀ, ବାକି ୩୦ ଅନ୍ୟାନ୍ୟ ସରକାରୀ ଚାକିରିଆ । ଯେଉଁ ଧାରାର ସାହିତ୍ୟ ସଂପର୍କରେ ଓଡିଶାରେ ଏତେ ତୁମ୍ବିତୋଫାନ୍ ସୃଷ୍ଟି କରାଯାଇ ଆସୁଛି, ସେ ସାହିତ୍ୟ ବି ଲେଖନ୍ତି କେଉଁମାନେ ? ହଁ, ଏଇ ଧରଣର ପ୍ରଚାରିତ ସାହିତ୍ୟର ସୃଷ୍ଟିକର୍ତାମାନେ ମୁଖ୍ୟତଃ ସରକାରୀ କଳର ବିଭିନ୍ନ ପଦାଧିକାରୀ ବ୍ୟକ୍ତି । ଏଇ ପଦାଧିକାର ବଳରେ ସେମାନେ ନିଜ ସୃଷ୍ଟି ସପକ୍ଷରେ ଉପରୋକ୍ତ ବୁଦ୍ଧିଜୀବୀ ଓ ସମୀକ୍ଷକବର୍ଗଙ୍କ ନିକଟରୁ ଆଦାୟ କରି ନେଇଥାନ୍ତି ଅପରିମିତ ସ୍ୱୀକୃତି ଓ ସମର୍ଥନ । ଯେଉଁ ଅଳ୍ପ କେତେଜଣ ପ୍ରକୃତ ପ୍ରତିଭାସଂପନ୍ନ ସାହିତ୍ୟକାର ବିନା ସ୍ୱୀକୃତି ଓ ପୁରସ୍କାରରେ ଅମର ସାହିତ୍ୟ ସୃଷ୍ଟି କରିବାରେ ତପସ୍ୟାରତ, ସେମାନେ ଦୀର୍ଘକାଳ ରହିଯାନ୍ତି ଲୋକଲୋଚନର ଅଗୋଚରରେ । ଏଇ ଅଳ୍ପ କେତେଜଣ ସାହିତ୍ୟକାର ବିନା ଗୋଷ୍ଠୀ, ବିନା ଚର୍ଚ୍ଚା, ବିନା ଭାଟବନ୍ଦନା ମଧ୍ୟରେ ନିଜର ବିଶ୍ୱାସକୁ ନେଇ ବଂଚି ରହନ୍ତି କେବଳ । ସେମାନଙ୍କ ମୃତ୍ୟୁ ପରେ ଏ ସମାଜ କାନ୍ଦେ, ଏ ବ୍ୟବସ୍ଥା ଦାବି କରେ ଶହେ ତୋପର ସଲାମି ! ଏଇ ତ ଅବସ୍ଥା ।

 

ବର୍ତମାନର ସାହିତ୍ୟ କ’ଣ ସତରେ ଆଧୁନିକ ସାହିତ୍ୟ ? ଆଧୁନିକ ସାହିତ୍ୟ ନ କହି ଏ ସାହିତ୍ୟକୁ ବରଂ ଶାସିତର ସାହିତ୍ୟ କହିଲେ ଅଧିକ ଯଥାର୍ଥ ହେବ । ଶାସିତର ସାହିତ୍ୟ ଏଇଥିପାଇଁ ଯେ ସେଥିରେ ଆଧୁନିକତାର କୌଣସି ଚିହ୍ନବର୍ଣ୍ଣ ନାହିଁ । ଜୀବନ ଆଗେଇ ଚାଲିବ, ପୃଥିବୀ କେତେ ପରିବର୍ତନ ସାମ୍ନା କରୁଚି, ସମାଜରେ ନାନା ସଂଶୟ ଓ ସଂଘାତ ଉପୁଜୁଚି, ବ୍ୟକ୍ତିମାନଓ କେତେ ଜଟିଳତାରେ ଜର୍ଜରିତ ହେଉଚି, ମଣିଷ ଜାତିର ଭବିଷ୍ୟତକୁ ନେଇ କେତେ କ’ଣ ଖେଳ ଆରମ୍ଭ ହୋଇସାରିଚି – ସବୁଠି ଆଶଙ୍କା, ଆତଙ୍କ, ଆପଦର ଆବର୍ତ – ଅଥଚ ଚାରି କାନ୍ଥର ଚୌହଦି ମଧ୍ୟରେ ସାହିତ୍ୟ ନାମରେ ଚାଲିଚି ସୌଖିନ୍ ସର୍ଜନା ! ବୁଦ୍ଧି ଅଛି, ବିବେକ ନାହିଁ… ମସ୍ତିଷ୍କ ଅଛି, ହୃଦୟ ନାହିଁ… ପ୍ରଚାର ଅଛି, ପ୍ରାଣ ନାହିଁ – ଏମିତି ଏକ ଅନ୍ଧମୁହାଣିରେ ଓଡିଶାର ସାହିତ୍ୟ ଆଜି କେବଳ ଭୁଆଁ ବୁଲୁଛି । ସାହିତ୍ୟ ଲେଖୁଛନ୍ତି ବୋଲି ଧରାଯାଉଥିବା ବହୁ ଧୂରୀଣ ବ୍ୟକ୍ତି ନିଜ ନିଜକୁ ଲେଖକ ରୂପରେ ଚିହ୍ନଟ କରାଉଛନ୍ତି ସିନା, ମାତ୍ର ପ୍ରକୃତରେ ସେମାନେ କ’ଣ ଲେଖକ ପଦବାଚ୍ୟ ? ବଂର ଲେଖକ ନ କହି ସେମାନଙ୍କୁ ଲେଖାଳି କହିଲେ ଠିକ୍ ହେବ । ସେମାନେ ଲେଖାଳି – କାହିଁକିନା ସେମାନଙ୍କର ସାହିତ୍ୟ ଚିନ୍ତନ ମୌଳିକତାହୀନ, ସାହିତ୍ୟଦୃଷ୍ଟି ମନନଶୂନ୍ୟ । ନିଜ ମାଟି ପାଣି ପବନର ରୂପ-ରସ-ଗନ୍ଧ ସେମାନଙ୍କ ସାହିତ୍ୟରେ ନାସ୍ତି । ଏକ ପ୍ରକାର ଔପନିବେଶିକ ଅନୁଶାସନକୁ ଅକ୍ଷରେ ଅକ୍ଷରେ ମାନିନେଇ ସେମାନେ ଆଧୁନିକ ସାହିତ୍ୟ ଲେଖନ୍ତି ବୋଲି ପ୍ରଚାରିତ ହୋଇ ଆସୁଛନ୍ତି ମାତ୍ର । ନ ହେଲେ ମାଟି ଆଉ ମଣିଷର ମର୍ମକଥା, ସମକାଳୀନ ପ୍ରଜନ୍ମର ପ୍ରାଣପୀଡା, ନିଜ ସମୟର ଅନ୍ତଃସ୍ୱରରୁ ସେମାନଙ୍କ ସାହିତ୍ୟ ବଂଚିତ ।

 

ବର୍ତମାନର ସାହିତ୍ୟ କିତାବୀ ସାହିତ୍ୟ – ଓଡିଆ ଭାଷାରେ ଏଇ କୋଡିଏ ତିରିଶ ବର୍ଷ ଧରି ସାହିତ୍ୟ ଆଳରେ କେବଳ ଏକ ଅଭ୍ୟାସକୁ ଅକ୍ଷର ରୂପ ଦିଆଯାଇ ଆସୁଛି । ମହାଭାରତରେ କୋକୁଆ ମାତିବା ପରି ଏବର ସାହିତ୍ୟରେ ସେମିତି ଅବକ୍ଷୟର ଅଣଚାଶ ମାହି ଆସିଚି । ଯେଉଁଠି ଦେଖ କେବଳ ଶୂନ୍ୟତାର ସ୍ୱର, ହତାଶାର ହାହାକାର, ବିଚିତ୍ର ବିକଳପଣର ବିଜ୍ଞପ୍ତି । ସାହିତ୍ୟରେ ଦେଖାଦେଇଛି ବିଷୟବସ୍ତୁର ସଂକଟ । ଶୈଳୀସର୍ବସ୍ୱ ଆଭିମୁଖ୍ୟ ଆଜି ସାହିତ୍ୟର ଧ୍ୟେୟ ଓ ଶ୍ରେୟ । ଆମର ଅଧିକାଂଶ ଲେଖକ କେତେଦୂର ଗାଆଁ ଗହଳର ଗହନ ଚିତ୍ରକୁ ରଙ୍ଗାଇ ପାରନ୍ତି ? ସେମାନେ କ’ଣ ବଂଚିବାର ସଂଗ୍ରାମ ଓ ସଂଘାତରେ ପ୍ରତି ମୁହୂର୍ତରେ ଜୀବନ୍ତ ଶହୀଦ ପାଲଟୁଥିବା ସାଧାରଣ ମଣିଷର କଥା ଓ ବ୍ୟଥାକୁ ନିଜ ସାହିତ୍ୟର ସରହଦକୁ ପାଛୋଟି ଆଣିଛନ୍ତି ? ବର୍ତମାନର ସାହିତ୍ୟରେ ବର୍ତମାନର ଜୀବନ ନାହିଁ, ସ୍ପର୍ଶ ନାହିଁ, ସଂଘର୍ଷ ନାହିଁ – ପରିବର୍ତନ ଓ ବିବର୍ତନର ପ୍ରମାଣପତ୍ର ନାହିଁ । ସୁତରାଂ ସାଂପ୍ରତିକ ସାହିତ୍ୟ ସମାଜ ଜୀବନଠାରୁ ସୁଦୂରବର୍ତୀ ହୋଇ ଉଠିବା ଫଳରେ ହରାଇ ବସୁଛି ପାଠକୀୟତା । ହଁ, ଆଜି ଓଡିଆ ସାହିତ୍ୟରେ ଶହଶହ ଲେଖକଙ୍କ ଥାଟପଟାଳି, ମାତ୍ର ପାଠକ ଶହେରେ ସାତଜଣ ବାହାରିବେ କି ନାହିଁ ସନ୍ଦେହ ! ଏପରିକି ଯେଉଁମାନେ ତିରିଶ ଚାଳିଶବର୍ଷ ହେଲା ଲେଖାଲେଖି କରି ଆସୁଛନ୍ତି ସେମାନେ ନିଜ ଲେଖା ଛଡା ଅନ୍ୟ ଲେଖକମାନଙ୍କୁ ପଢିଥାନ୍ତି କି ଆନ୍ତିରିକତାର ସହିତ ? ବରଂ ଓଡିଆ ଭାଷାର ଲେଖକ ତା ନିଜ ଭାଷାର ବହି ନ କିଣି କିଣିଥାଏ ବିଦେଶୀ ଭାଷାର ବହି । ସେ ସାରଳାଦାସ, ବଳରାମ ଦାସ, ଜଗନ୍ନାଥ ଦାସ, ଅଭିମନ୍ୟୁ ସାମନ୍ତସିଂହାର, ଗୋପାଳକୃଷ୍ଣ, ବଳଦେବ ରଥ କି ଭୀମ ଭୋଇଙ୍କୁ ପଢି ନ ଥାଏ – କିନ୍ତୁ ସଦ୍ୟ ବିଦେଶୀ ଲେଖକମାନଙ୍କ ସବୁ ଖବର ତା’ ନଖଦର୍ପଣରେ ! ମୁଁ କହୁନାହିଁ ଯେ ବିଦେଶୀ ଲେଖକଙ୍କ ବହିକୁ ବର୍ଜନ କରାଯାଉ – କାହିଁକିନା ସାହିତ୍ୟରେ ଏ ପ୍ରକାର ସ୍ୱଦେଶୀ ଆନ୍ଦୋଳନର କୌଣସି ସ୍ଲୋଗାନ୍ ବେଶିଦିନ ଚାଲିପାରେନା । ମାତ୍ର ମୋର କହିବାର କଥା ହେଉଚି – ନିଜ ଭାଷା, ନିଜ ସାହିତ୍ୟ ପ୍ରତି ଆମ ତଥାକଥିତ ଲେଖକମାନଙ୍କର ଏ ଧାରାବାହିକ ହୀନମନ୍ୟତାକୁ ଆମେ ବରଦାସ୍ତ କରି ଚାଲିଥିବା ଆଉ କେତେଦିନ ?

 

ଏବେ ଆଉ ଏକ ଦୁଃଖଦାୟକ ଦିଗ ଉପରେ ଆଲୋକପାତ କରାଯାଉ । ଆଜି ଓଡିଆ ସାହିତ୍ୟ କ୍ଷେତ୍ରରେ ଲେଖକମାନଙ୍କ ଗହଳଚହଳ ଯେତେ ନଜରକୁ ଆସୁଛି, ସେ ଗହଳି ଭିତରେ ଆମେ କୌଣସି ବ୍ୟକ୍ତିତ୍ୱଗତ ବିଶାଳତା କି ବ୍ୟାପକତା ଲକ୍ଷ୍ୟ କରି ପାରୁଛୁ କି ? ଏଇ କିଛି ବର୍ଷ ତଳେ ଆମ ଆଖି ଆଗେ ଆଗେ ଆମେ ଦେଖୁଥିଲୁ ମହାନ୍ ସାହିତ୍ୟକର୍ମା ସେଇ ବିରଳ ବ୍ୟକ୍ତିତ୍ୱମାନଙ୍କୁ – ଯେଉଁଦିନ ପ୍ରତିଭାତ ହେଉଥିଲେ ଗୋଟିଏ ଗୋଟିଏ ଅନବଦ୍ୟ ନକ୍ଷତ୍ର ଭଳି । ମୁଁ ନିଜେ ଲକ୍ଷ୍ୟ କରିଚି, ସାହିତ୍ୟଦୃଷ୍ଟି ଓ ଦର୍ଶନକୁ ନେଇ ସେମାନେ ମଂଚରେ ବିତର୍କ ସୃଷ୍ଟି କରିଥାନ୍ତି ସିନା ହେଲେ ବ୍ୟକ୍ତିଗତ ସଂପର୍କରେ ସେମାନେ ବରାବର ବନ୍ଧା ଥିଲେ ପରମ ସୌହାର୍ଦ୍ଦ୍ୟର ସୂତ୍ରରେ । ଆଜିର ଓଡିଆ ସାହିତ୍ୟରେ ବ୍ୟକ୍ତିତ୍ୱର ସଂକଟ ଏକ ଦୁଃଖଦ ସତ୍ୟ । ସେଇଭଳି ବିଶାଳ ବ୍ୟକ୍ତିତ୍ୱ କ’ଣ ଆଜିକାଲି ଦେଖିବାକୁ ମିଳୁଛନ୍ତି ସତରେ ? ଇତିହାସରେ ଡାଇନୋସାର୍‌ମାନଙ୍କ ଯୁଗ ସରିଯାଇଥିବା ପରି ସାହିତ୍ୟରେ ମଧ୍ୟ ସଂପ୍ରତି ବ୍ୟକ୍ତିତ୍ୱର ସ୍ୱର ନିଶ୍ଚିହ୍ନ । ପୁରସ୍କାର ନପାଇଥିବା ବହୁ ବ୍ୟକ୍ତିତ୍ୱଶାଳୀ ସାହିତ୍ୟିକଙ୍କ ସିଂହାସନ ଥିଲା ସେତେବେଳେ ପାଠକର ହୃଦୟ ! ଏ ସୌଭାଗ୍ୟ କିନ୍ତୁ ଆଜିର ବହୁ ନାମୀଦାମୀ ପୁରସ୍କାରପ୍ରାପ୍ତ ଲେଖକଙ୍କ କପାଳରେ ଜୁଟିପାରିଛି କି ?

 

ଶାସିତର ସାହିତ୍ୟ ଏ ଆଜିର ସାହିତ୍ୟ । ସାଧାରଣ ମଣିଷର ଅନୁପ୍ରବେଶ ଏ ସାହିତ୍ୟରେ କାହିଁ? ଶାସନର ବରାଦୀ ବ୍ୟବସ୍ଥା ଭିତରେ, ପ୍ରଶାସନର ପ୍ରହେଳିକା ମଧ୍ୟରେ ସାହିତ୍ୟ ଦ୍ୱାହିରେ ସୃଷ୍ଟି ହେଉଛି ପ୍ରବଂଚନାର ପ୍ରସାରିତ ପରମ୍ପରା । ସତ୍ୟ ନୁହେଁ, ମିଥ୍ୟା ହିଁ ଆଜି ପାଲଟିଛି ସାହିତ୍ୟର ସୂଚିପତ୍ର । ବିବେକବୋଧ ନୁହେଁ, ବିଚାରବୋଧ ନୁହେଁ – ବିଶ୍ୱାସଘାତକତା ହିଁ ଆଜି ହୋଇପଡିଛି ଓଡିଆ ସାହିତ୍ୟର ମୁଖ୍ୟ ବିଷୟବସ୍ତୁ । ଆଜିର ସାହିତ୍ୟ ପ୍ରକୃତରେ ବିଶ୍ୱାସଘାତକତା କରିଚାଲିଚି ଚାରିପଟର ଛିନ୍ନବିଚ୍ଛିନ୍ନ ସମାଜଜୀବନ ପ୍ରତି ଏବଂ ଆଜିର ଲେଖକ ମଧ୍ୟ ନିଜ ପ୍ରତି ।

 

ଭାରତବର୍ଷର ଭାଗ୍ୟ ବିଡମ୍ବନା ହେଉଛି – ବିଗତର ବିପ୍ଳବଗୁଡିକୁ ଧର୍ମ ନାମରେ ଆଖ୍ୟାୟିତ କରି ଯେଉଁଭଳି ସାମାଜିକ ପ୍ରହସନ ସୃଷ୍ଟି କରାଗଲା ଏବଂ ମଠ ଓ ମହନ୍ତମାନଙ୍କ ମାଳିକାନା ମଧ୍ୟରେ ଧର୍ମକୁ କବଳିତ କରି ସେ ଧର୍ମପ୍ରଚାର ପାଇଁ ସାହିତ୍ୟକୁ ଅସ୍ତ୍ର କରାଗଲା, ତାହାଦ୍ୱାରା ଭବିଷ୍ୟଦୃଷ୍ଟି ପ୍ରତି ଯେ କି ଶୋଚନୀୟ ବିପନ୍ନତାକୁ ଡାକି ଅଣାଗଲା – କେଥା ଚିନ୍ତା କରିବାର ସମୟ ଆସି ପହଂଚିଯାଇଚି । ଧର୍ମର ନିଶାରେ ସାହିତ୍ୟର ଚେତନା ପ୍ରଭାବିତ ହେବା ଦ୍ୱାରା ସମାଜଜୀବନ ହୋଇଉଠିଲା ଦିଗ୍‌ଭ୍ରଷ୍ଟ ଓ ବିଭ୍ରଷ୍ଟ । ତାପରେ ବିଜ୍ଞାନ, ଶିଳ୍ପବିପ୍ଳବ ଓ ମହାଯୁଦ୍ଧର ଆବର୍ତରେ ସାହିତ୍ୟ ପ୍ରଳୟ ପୟୋଧି ମଧ୍ୟରେ ଯେଉଁ ବଟପତ୍ରକୁ ଆଶ୍ରୟ କଲା, ତା’ ହେଉଛି – ସମୟ ପ୍ରତି ଏକ ସଜାଗତା ଓ ବିଶ୍ୱାସବୋଧ ।

 

ଆଜି ଓଡିଆ ସାହିତ୍ୟ ଏଇ ବିଶ୍ୱାସକୁ ଫେରାଇ ଆଣିବା ଦରକାର – ଯାହା ଏ ଆଧୁନିକ ସାହିତ୍ୟର ସାମର୍ଥ୍ୟ ବାହାରେ । ଆଧୁନିକ ସାହିତ୍ୟର ମୁଖାପିନ୍ଧା ଏକ ବିଶ୍ୱାସଘାତକ ପରମ୍ପରାର ପୂର୍ଣ୍ଣଛେଦ ନପଡିଲେ, ପ୍ରକୃତ ସାହିତ୍ୟ ପାଇଁ ସମ୍ଭାବନା ସୃଷ୍ଟି ହେବ କିପରି ?

 

ନିଃଶ୍ୱାସରେ ନୁହେଁ, ବିଶ୍ୱାସରେ ହିଁ ବଂଚିବାର ବୀଜମନ୍ତ୍ର ଆମେ ସାହିତ୍ୟଠାରୁ ଆଶା କରୁଛୁ ।

 

ଯାଜପୁର ରୋଡ, ଯାଜପୁର

ମୋ : ୯୮୬୧୦୩୪୧୬୩

LEAVE A REPLY

Please enter your comment!
Please enter your name here