23.1 C
Bhubaneswar
Tuesday, March 19, 2024
Homeଓଡିଶାଅବାଟରେ ଯାଜପୁର ଜିଲ୍ଲା ବିଜେପିର

ଅବାଟରେ ଯାଜପୁର ଜିଲ୍ଲା ବିଜେପିର

ଯାଜପୁର (ଅଭିମନ୍ୟୁ ମିଶ୍ର) : ବିଗତ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଯାଜପୁର ଜିଲ୍ଲାରେ କଂଗ୍ରେସକୁ ପଛକୁ ଠେଲି ଦେଇ ବିଜେପି ପ୍ରଥମ ଥର ପାଇଁ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଥିଲା ! ଜିଲ୍ଲାର ମୋଟ ୩୭ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ୬ଟି ଯୋନକୁ ଅକ୍ତିଆର କରିବା ସହ ୧୧ଟି ଜୋନରେ ଦଳର ପ୍ରାର୍ଥୀମାନେ ଦ୍ବିତୀୟ ସ୍ଥାନରେ ରହି ସ୍ୱଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ ! ଏହି ନିର୍ବାଚନରେ ସମଗ୍ର ଜିଲ୍ଲାରୁ ବିଜେପି ସପକ୍ଷରେ ପ୍ରାୟ ୩ଲକ୍ଷରୁ ଉର୍ଦ୍ଧ୍ଵ ଭୋଟ ଆସିଥିଲା ! ବିଜେପି ସପକ୍ଷରେ ଜନମତ ବୃଦ୍ଧି ପାଇବା ଦୃଷ୍ଟିରୁ ଜିଲ୍ଲା ରାଜନୀତି ଏହାପରେ କଡ଼ ଲେଉଟାଇବାକୁ ଆରମ୍ଭ କଲା ! ୨୦୦୯ ମସିହା ନିର୍ବାଚନରେ ଯାଜପୁର ବିଧାନସଭା ଆସନରୁ ବିଜେପିର ପ୍ରାର୍ଥୀ ଭାବେ ପ୍ରତଦ୍ବନ୍ଦ୍ବିତା କରି ପରାଜିତ ହେବା ପରଠାରୁ ନିଜକୁ ବିଜେପି ସଙ୍ଗଠନ ଠାରୁ ଦୂରେଇ ରଖି ବିଜେଡ଼ିକୁ ପ୍ରତ୍ୟାବର୍ତ୍ତନ ପାଇଁ ମନ ବଳାଉଥିବା ଗୌତମ ରାୟ ସେହି ପଞ୍ଚାୟତ ନିର୍ବାଚନ ପୁର୍ବରୁ ବିଜେପି ସପକ୍ଷରେ ବୃଦ୍ଧି ପାଉଥିବା ଜନମତକୁ ଲକ୍ଷ୍ୟ କରି ଦଳରେ ପୁନଃ ସକ୍ରୀୟ ହେବା ପାଇଁ ଆଗ୍ରହ ପ୍ରକାଶ କଲେ ! ମାତ୍ର ଜିଲ୍ଲା ସଙ୍ଗଠନ ଦାୟିତ୍ୱରେ ଥିବା ନେତା ମାନଙ୍କ ସହ ଆଦୌ ଯୋଗାଯୋଗ କରିବାକୁ ସେ ଆଗ୍ରହ ନ ଦେଖାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାଟ ଦେଇ ଜିଲ୍ଲା ରାଜନୀତିକୁ ଫେରିବାର ବାଟ ତିଆରି କଲେ ! ଏମିତିକି ସେତେବେଳର ଜିଲ୍ଲା ସଭାପତିଙ୍କ ଅଗୋଚରରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫ଟି ଜିଲ୍ଲା ପରିଷଦ ଜୋନରେ ନିଜ ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ଦଳୀୟ ଟିକେଟ ହାତେଇ ନେବାରେ ଗୌତମ ସକ୍ଷମ ହୋଇଥିଲେ ! କିନ୍ତୁ ସେହି ପାଞ୍ଚଟି ଯାକ ଜୋନର ପ୍ରାର୍ଥୀ ମାନଙ୍କ ପ୍ରଦର୍ଶନ ଜିଲ୍ଲାର ଅନ୍ୟସବୁ ଜୋନର ପ୍ରାର୍ଥୀ ମାନଙ୍କ ତୁଳନାରେ ସେତେ ଭଲ ହୋଇ ପାରି ନ ଥିଲା ! ତେବେ ଜିଲ୍ଲା ସଙ୍ଗଠନରେ କେନ୍ଦ୍ରମନ୍ତ୍ରୀ ଏଭଳି ଭାବେ ମୁଣ୍ଡ ପୁରାଇ ଗୌତମଙ୍କୁ ପ୍ରାଧାନ୍ୟ ଦେବା ଘଟଣା ସେତେବେଳର ଜିଲ୍ଲା ପଦାଧିକାରୀ ମାନଙ୍କୁ ବେଶ୍ ଅସୁଖି କରିଥିଲା ! ଅନ୍ୟପକ୍ଷରେ ଏହି ନିର୍ବାଚନରେ ଦଳର ଏଭଳି ଏକ ସାମଗ୍ରିକ ଆଖିଦୃଶିଆ ପ୍ରଦର୍ଶନ ଶାସକ ବିଜେଡ଼ି ଓ କଂଗ୍ରେସ ଦଳର କିଛି ଅସନ୍ତୁଷ୍ଟ ଓ ବିଦ୍ରୋହୀ ନେତା ଓ କର୍ମୀମାନଙ୍କୁ କିନ୍ତୁ ବିଜେପି ପ୍ରତି ଆକୃଷ୍ଟ କଲା ! ପରବର୍ତ୍ତୀ ସମୟରେ ସ୍ଥାନୀୟ ସଙ୍ଗଠକ ମାନଙ୍କୁ ଉପେକ୍ଷା କରି ଏବଂ ସେମାନଙ୍କ ସହିତ ବିନା କୌଣସି ପରାମର୍ଶରେ ଗୌତମ ବିଭିନ୍ନ ନିର୍ବାଚନମଣ୍ଡଳୀରୁ ବିଶ୍ବରଂଜନ ମଲ୍ଲିକ,ବିଶ୍ୱଜିତ୍ ନାୟକ, ପ୍ରଦୀପ ବଳ ସାମନ୍ତ,ଅମର ନାୟକ ଓ ବବିତା ମଲ୍ଲିକଙ୍କ ପରି ନେତାମାନଙ୍କୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ମାଧ୍ୟମରେ ଦଳରେ ସାମିଲ କରାଇଥିଲେ ! ସ୍ଥଳ ବିଶେଷରେ କେନ୍ଦ୍ରମନ୍ତ୍ରୀ ଏହି ନେତାମାନଙ୍କୁ ବିଭିନ୍ନ ନିର୍ବାଚନମଣ୍ଡଳୀରେ ୨୦୧୯ ବିଧାନସଭା ନିର୍ବାଚନରେ ଦଳୀୟ ଟିକେଟ ପ୍ରଦାନ କରାଯିବ ବୋଲି ମଧ୍ୟ ଆଗୁଆ ଘୋଷଣା କରିବାକୁ ପଛାଇ ନ ଥିଲେ ! ଏହାଦ୍ବାରା ଗୌତମଙ୍କ ପତିଆରା କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ନେତୃତ୍ୱଙ୍କ ନିକଟରେ ଅବଶ୍ୟ ବୃଦ୍ଧି ପାଇଥିଲେ ମଧ୍ୟ ଗୌତମ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଦ୍ବାରା ଜିଲ୍ଲାରେ ବାରମ୍ବାର ଏଭଳି ଏକଚାଟିଆ କାର୍ଯ୍ୟ ଜିଲ୍ଲା ସଙ୍ଗଠନ ଦାୟିତ୍ୱରେ ଥିବା ନେତାମାନଙ୍କୁ କିନ୍ତୁ ବେଶ୍ ଅସନ୍ତୁଷ୍ଟ କରିଥିଲା ! କେବଳ ସେତିକି ନୁହେଁ ନବାଗତ ନେତାମାନେ କେନ୍ଦ୍ରମନ୍ତ୍ରୀଙ୍କ ନିକଟତର ହୋଇ ରହିବା ଏବଂ ବିଧାନସଭା ନିର୍ବାଚନରେ ସେମାନଙ୍କର ଦଳୀୟ ଟିକେଟ ସୁନିଶ୍ଚିତ ଥିବା ଜାଣି ସେମାନେ ଆଉ ସ୍ଥାନୀୟ ସଙ୍ଗଠକ ଓ ପଦପଦବୀରେ ରହିଥିବା ନେତାମାନଙ୍କୁ ହେୟଜ୍ଞାନ କରି ନିଜ ନିଜର ସଙ୍ଗଠନ କରିବାକୁ ଲାଗିଲେ ! ଯାହାଦ୍ବାରା କିଛି ଦିନ ଧରି ଜିଲ୍ଲା ସାରା ଏକ ପ୍ରକାର ସମାନ୍ତରାଳ ସାଙ୍ଗଠନିକ କାର୍ଯ୍ୟ ଚାଲିବାକୁ ଲାଗିଲା ! ଫଳରେ ଏହାକୁ ନେଇ ବିଭିନ୍ନ ଅଞ୍ଚଳରେ ଅସନ୍ତୋଷର ସ୍ବର ଉଠିଲା ! ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀଙ୍କ ଇଙ୍ଗିତରେ ନିର୍ବାଚିତ ଜିଲ୍ଲା ସଭାପତି ଥିବା ଆଶୁତୋଷ ପରିଡାଙ୍କୁ ଅପ୍ରତ୍ୟାଶିତ ଭାବେ କାଢି ଦେଇ ତାଙ୍କ ସ୍ଥାନରେ ଗୌତମ ରାୟଙ୍କୁ ଅବସ୍ଥାପିତ କରି ଦିଆଗଲା ! ଏହି ଘଟଣା ପରଠାରୁ ହିଁ ଦଳୀୟ ନେତା ମାନଙ୍କ ମଧ୍ୟରେ ନୂଆ ଓ ପୁରୁଣା ନାମରେ ଏକପ୍ରକାର ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇ ପାରସ୍ପରିକ ବିଦ୍ୱେଷ ବୃଦ୍ଧି ପାଇବାକୁ ଲାଗିଲା ଏବଂ ଏଥଯୋଗୁଁ ଜିଲ୍ଲାବ୍ୟାପୀ ସାଙ୍ଗଠନିକ ଦାୟିତ୍ବରେ ଥିବା ନେତାମାନଙ୍କ ମଧ୍ୟରେ ରାଜ୍ୟ ନେତୃତ୍ଵ ଓ କେନ୍ଦ୍ରମନ୍ତ୍ରୀଙ୍କ ବିରୁଦ୍ଧରେ ତୀବ୍ର ଅସନ୍ତୋଷ ବି ପ୍ରକାଶ ପାଇବାକୁ ଲାଗିଲା ! କେନ୍ଦ୍ରମନ୍ତ୍ରୀ ମଧ୍ୟ ଏହି ଗୋଷ୍ଠୀ ବିବାଦକୁ ସମାଧାନ କରିବା ପାଇଁଁ ଥରେ ଦୁଇଥର ଉଦ୍ୟମ କରିଥିଲେ ମଧ୍ୟ ତାହା ସଫଳ ହୋଇ ପାରି ନ ଥିଲା ! ଯାହାକୁ ନେଇ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନିର୍ବାଚିତ ୬ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କ ମଧ୍ୟରୁ ଦୁଇ ଜଣ ସଦସ୍ୟଙ୍କ ସମେତ ବିଭିନ୍ନ ନିର୍ବାଚନମଣ୍ଡଳୀରୁ ବହୁ ଛାମୁଆ ନେତା ଓ ସଙ୍ଗଠକ ପରସ୍ତ ପରସ୍ତ କରି ଦଳ ତ୍ୟାଗ କରି ବିରୋଧୀ ବିଜେଡ଼ିରେ ଯୋଗଦାନ କରିବାକୁ ପଛାଇଲେ ନାହିଁ ! ଯାହାର ପ୍ରତିଫଳନ ପରବର୍ତ୍ତୀ ସମୟରେ ହିଁ ଦେଖିବାକୁ ମିଳିଥିଲା ! କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁସାରେ ୨୦୧୯ ନିର୍ବାଚନରେ ଅନ୍ୟଦଳର ସେହି ନବାଗତମାନଙ୍କୁ ଦଳୀୟ ଟିକେଟ ପ୍ରଦାନ କରାଯାଇଥିଲେ ବି ମୋଦୀ ହାୱା ଯୋଗୁଁ ସମସ୍ତ ସମ୍ଭାବନା ସତ୍ତ୍ୱେ ୭ଟି ଯାକ ବିଧାନସଭା ଆସନ ସହ ଲୋକସଭା ଆସନର କେହି ଜଣେ ବି ପ୍ରାର୍ଥୀ ନିର୍ବାଚନ ଜିତି ପାରିଲେ ନାହିଁ ! ବଡ଼ଚଣା ଓ ବରୀ ବିଧାନସଭା ଆସନରେ ତ କେବଳ ସେହି ନୂଆ ଓ ପୁରୁଣା ବିବାଦର ପରିଣାମ ସ୍ୱରୂପ ଦଳୀୟ ପ୍ରାର୍ଥୀ ମାନେ ସ୍ୱଳ୍ପ ସ୍ୱଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦିଅନ୍ତି ! ପଞ୍ଚାୟତ ନିର୍ବାଚନରେ ସମଗ୍ର ଜିଲ୍ଲାରେ ଦଳ ପକ୍ଷରୁ ମାତ୍ର ଏକ କୋଟି ଟଙ୍କା ଖର୍ଚ୍ଚ କରାଯାଇ ୩ଲକ୍ଷରୁ ଉର୍ଦ୍ଧ୍ଵ ଭୋଟ ହାସଲ କରାଯାଇ ପାରିଥିଲା ! କିନ୍ତୁ ବିଭିନ୍ନ ଦଳରୁ ଏତେ ସଂଖ୍ୟାରେ ନେତା ଓ କର୍ମୀଙ୍କୁ ଆମଦାନୀ କରି ପୁଣି ସେହି ନେତାମାନଙ୍କୁ ଗୁରୁତ୍ଵ ଦେଇ ସଙ୍ଗଠନ କରିବା ଠାରୁ ନେଇ ନିର୍ବାଚନ ଲଢ଼ିବା ବାବଦରେ ଦଳ ପକ୍ଷରୁ ଇତିମଧ୍ୟରେ ହାରାହାରି ୪୦କୋଟି ଟଙ୍କା ଖର୍ଚ୍ଚ କରାଯାଇ ଥିଲେ ସୁଦ୍ଧା ସେହି ପଞ୍ଚାୟତ ନିର୍ବାଚନର ଦୁଇ ବର୍ଷ ପରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ପ୍ରବଳ ମୋଦୀ ହାୱା ସତ୍ତ୍ଵେ ଜଣେ ବି ପ୍ରାର୍ଥୀ ତ ଜିତି ପାରିଲେ ନାହିଁ, ଅନ୍ୟପକ୍ଷରେ ଜିଲ୍ଲାରେ ଭୋଟ ମାତ୍ର ଏକ ଲକ୍ଷ ବୃଦ୍ଧି ପାଇ ୪ଲକ୍ଷ ଯାଏଁ ପହଞ୍ଚିବାକୁ କେବଳ ସମ୍ଭବ ହୋଇ ପାରିଥିଲା ବୋଲି ଜିଲ୍ଲାର ଜନୈକ ବରିଷ୍ଠ ନେତା ପ୍ରକାଶ କରିଛନ୍ତି ! ଏହି ଫଳାଫଳ ଦଳର ରାଜ୍ୟ ନେତୃତ୍ଵ ଓ କେନ୍ଦ୍ରମନ୍ତ୍ରୀଙ୍କୁ କେତେ ପରିମାଣରେ ସନ୍ତୁଷ୍ଟ କରିଥିଲା ତାହା ତ ଭିନ୍ନ କଥା ମାତ୍ର ଯେଉଁ ପୁରୁଣା ସଙ୍ଗଠକ ଓ ନେତାମାନଙ୍କୁ ରାଜ୍ୟ ନେତୃତ୍ଵ ଅପାରଗ ବିବେଚନା କରି ହତାଦର କରି ଆସିଥିଲେ ସେମାନଙ୍କୁ ଏହି ଫଳାଫଳ କିନ୍ତୁ ଘର ପଛେ ପୋଡ଼ି ଯାଉ ମୂଷା ପାନେ ପାଉ ନ୍ୟାୟରେ ବେଶ୍ ଆତ୍ମସନ୍ତୋଷ ଦେଇଥିଲା ! ଏହାପରେ ଅଧିକାଂଶ ବିଧାୟକ ପ୍ରାର୍ଥୀ ନୈରାଶ୍ୟଜନକ ନିର୍ବାଚନ ଫଳାଫଳକୁ ନିଜ ମୁଣ୍ଡକୁ ନ ନେଇ ପୁରୁଣା ନେତାମାନଙ୍କ ଦଳ ବିରୋଧୀ ଓ ଆନ୍ତର୍ଘାତି କାର୍ଯ୍ୟ ପାଇଁ ଦଳକୁ ସଫଳତା ମିଳି ପାରିଲା ନାହିଁ ବୋଲି ସଫେଇ ଦେଇଥିଲେ ! ଏହି ସଫେ଼ଇରେ ସତ୍ୟତା ଥାଇ ପାରେ କିନ୍ତୁ ସେହି ପ୍ରାର୍ଥୀମାନେ ଯଦି ଦଳରେ ଯୋଗ ଦେବାଠାରୁ ନିର୍ବାଚନ ପର୍ଯ୍ୟନ୍ତ ପୁରୁଣା ନେତା ଓ କର୍ମୀମାନଙ୍କ ସହିତ ବିବାଦ ନ କରି କାନ୍ଧରେ କାନ୍ଧ ମିଳାଇ ଚାଲିଥାନ୍ତେ ତେବେ ନିର୍ବାଚନରେ ତ ଏଭଳି ସମ୍ଭାବନା ସୃଷ୍ଟି ହୋଇ ନ ଥାନ୍ତା ! ହେଲେ ରାଜ୍ୟ ନେତୃତ୍ଵ ଏବଂ ସେହି ପ୍ରାର୍ଥୀମାନେ କେବେ ବି ସେମିତି କିଛି ଉଦ୍ୟମ ନ କରିବା କାରଣରୁ ତାହା ହୁଏତ ବୁମେରାଂ ସାବ୍ୟସ୍ତ ହେଲା ! ସେହି ନିର୍ବାଚନ ପରେ ନୂଆ ଓ ପୁରୁଣା ନେତାଙ୍କ ମଧ୍ୟରେ ବିଦ୍ୱେଷ ଭାବ ଓ ଦୂରତା ଆହୁରି ବଢ଼ି ଆସିଥିବା ପରିଲକ୍ଷିତ ହେଉଛି ! ଏତେ ପରେ ବି ପ୍ରାର୍ଥୀ ହୋଇଥିବା ନେତାମାନଙ୍କୁ ରାଜ୍ୟ ନେତୃତ୍ଵ ତାହା ଉପରେ ସମୀକ୍ଷା କରି ସାଙ୍ଗଠନିକ ଅଭିବୃଦ୍ଧି ପାଇଁ କୌଣସି ନୂତନ ରଣକୌଶଳ ପ୍ରସ୍ତୁତ କରିବା ପରିବର୍ତ୍ତେ ଦଳର ବିଚାରଧାରାରେ ରହି ବର୍ଷ ବର୍ଷ ଧରି ସଙ୍ଗଠନ କରି ଆସିଥିବା ପୁରୁଣା ନେତା ଓ ସଙ୍ଗଠକ ମାନଙ୍କୁ ସତେ ଯେମିତି ସାବତ ପୁଅ ପରି ଅଣଦେଖା କରି ସେମାନଙ୍କୁ ଆଉ ଖୋଜାଲୋଡା ନ କରି କେବଳ ସେହି ନବାଗତ ନେତା ତଥା ପ୍ରାର୍ଥୀମାନଙ୍କୁ ଗୁରୁତ୍ଵ ପ୍ରଦାନ କରି ଆସୁଛନ୍ତି ! ସେମାନଙ୍କୁ ଦଳୀୟ ପଦପଦବୀରେ ମଣ୍ଡନ କରିବା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ମନ୍ତ୍ରଣାଳୟ ଅନ୍ତର୍ଗତ ବ୍ୟବସାୟିକ ଫାଇଦା ଦେଇ ଆସିଥିବା ନେଇ ଦଳ ମଧ୍ୟରେ ଗୁଞ୍ଜରଣ ହେଉଛି ! ତେବେ ସେହି ପ୍ରାର୍ଥୀମାନେ ଯେ ନିଜ ନିଜ ବିଧାନସଭା ଆସନରେ ସରକାରୀ ଦଳ ଦ୍ଵାରା ହେଉଥିବା ନାନା ପ୍ରକାର ଦୁର୍ନୀତି ଓ ଅନିୟମିତତା ବିରୋଧରେ ସେଭଳି କୌଣସି ଆନ୍ଦୋଳନ କିମ୍ୱା ସାଙ୍ଗଠନିକ ଅଭିବୃଦ୍ଧି କରିବା ଦିଗରେ ମଧ୍ୟ କୌଣସି କାର୍ଯ୍ୟ ଯେ କରୁ ନାହାନ୍ତି ତାହାକୁ ରାଜ୍ୟ ନେତୃତ୍ଵ କିମ୍ୱା କେନ୍ଦ୍ରମନ୍ତ୍ରୀ ସମୀକ୍ଷା କରିବାକୁ ଇତିମଧ୍ୟରେ କେବେ ବି ଆଗ୍ରହ ଦେଖାଇ ନାହାଁନ୍ତି ! ଯାହା ଫଳରେ ବିଭିନ୍ନ ଦଳରୁ ଆସି ବିଜେପିରେ ସାମିଲ ହୋଇଥିବା ବହୁ ଛାମୁଆ ସଙ୍ଗଠକ ଓ ନିର୍ବାଚିତ ପ୍ରତିନିଧି ବିଗତ ବିଧାନସଭା ନିର୍ବାଚନରେ ସକ୍ରିୟ ଭାବେ କାର୍ଯ୍ୟ କରିଥିଲେ ମଧ୍ୟ ଇତିମଧ୍ୟରେ ତନ୍ମଧ୍ୟରୁ ଅନେକ ଦଳ ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିବା ବେଳେ କେତେକ ପ୍ରାର୍ଥୀ ମାନଙ୍କ କାର୍ଯ୍ୟ ଉପରେ ଭରଷା ତୁଟାଇ ମନ ମାରି ଘରେ ବସି ଗଲେଣି ତ ଆଉ କେତେକ ପ୍ରାର୍ଥୀ ମାନଙ୍କୁ ଅସହଯୋଗ କରିବାକୁ ବି ଲାଗିଲେଣି ! ବଡ଼ଚଣାରେ ତ ବିଧାନସଭା ପ୍ରାର୍ଥୀ ଅମର ନାୟକଙ୍କୁ ତାଙ୍କ ସହଯୋଗୀ ମାନେ ଏବେ ସିଧାସଳଖ ବିରୋଧ କରିବାକୁ ପଛାଉ ନାହାନ୍ତି ! ଏମିତି କି ପୂର୍ବତନ ସାଂସଦଙ୍କ ସହ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ସେଭଳି ନେତା କଟକଠାରେ ଏକାଠି ହୋଇ ଖୁବ୍ ଶୀଘ୍ର ରାଜ୍ୟ ନେତୃତ୍ଵ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଅମରଙ୍କ କାର୍ଯ୍ୟକଳାପ ବିରୋଧରେ ଫେରାଦ ହେବାକୁ ସେମାନେ ନିଷ୍ପତ୍ତି ନେଇଥିବା ଜଣାପଡିଛି ! ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଉ ମାତ୍ର ୧୦ ମାସ ବାକି ଥିବାବେଳେ ଏବଂ ମ୍ୟୁନିସିପାଲିଟି ନିର୍ବାଚନ କୌଣସି ମୁହୂର୍ତ୍ତରେ ହେବାର ସମ୍ଭାବନା ରହିଥିବା ବେଳେ ଜିଲ୍ଲା ବିଜେପି ନେତୃତ୍ଵ ଏଯାଏଁ ସେଭଳି କୌଣସି ପ୍ରସ୍ତୁତି ଆରମ୍ଭ କରି ନ ଥିବା ବେଳେ ଦଳର ସାଙ୍ଗଠନିକ ସ୍ଥିତି ମଧ୍ୟ ଦିନକୁ ଦିନ ତଳକୁ ତଳକୁ ଯାଉଥିବା ପରିଲକ୍ଷିତ ହେଉଛି ! ଏହି ଚାରି ବର୍ଷ ମଧ୍ୟରେ ଯେତେ ଉପ ନିର୍ବାଚନ ହୋଇଛି ସବୁଥିରେ ବିଜେପି ନିଜର ପ୍ରାର୍ଥୀ ଦେଇ ଥିଲେ ବି କୌଣସି ଗୋଟିଏରେ ଦଳକୁ ସଫଳତା ମିଳି ପାରି ନାହିଁ ! ଅନ୍ୟପକ୍ଷରେ ଗୌତମ ରାୟ ପ୍ରାୟ ଦେଢ଼ ବର୍ଷ ତଳେ ଜିଲ୍ଲା ସଭାପତି ଭାବେ ନିଯୁକ୍ତି ପାଇଥିଲେ ମଧ୍ୟ ଇତିମଧ୍ୟରେ ସେ ତାଙ୍କର ଟିମ୍ ଗଠନ କରି ନ ପାରିବା ମଧ୍ୟ ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି ! ରାଜ୍ୟ ନେତୃତ୍ଵଙ୍କ ଆଗ୍ରହ କ୍ରମେ ଏଇ କିଛି ଦିନ ତଳେ ସେ ଜିଲ୍ଲାର ଯେଉଁ ଏକ ଟିମ୍ ଗଠନ କରି ତାହାକୁ ରାଜ୍ୟ ସଭାପତିଙ୍କ ଅନୁମୋଦନ ନିମନ୍ତେ ପଠାଇଛନ୍ତି ତାହା ଅନୁମୋଦନ ପୂର୍ବରୁ କୌଣସି ମତେ ଦଳୀୟ ନେତା ମାନଙ୍କ ମଧ୍ୟରେ ପ୍ରଘଟ ହୋଇଯିବା ପରେ ତାହାକୁ ନେଇ ମଧ୍ୟ ଆହୁରି ଅସନ୍ତୋଷ ଦେଖାଦେଇଛି ! କାରଣ ଯେଉଁ ନେତା ଓ ସଂଗଠକ ମାନେ ଜିଲ୍ଲାରେ ଶାସକ ବିଜୁ ଜନତା ଦଳର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଲଢ଼େଇ କରୁଛନ୍ତି ସେଭଳି ନେତା ମାନଙ୍କ ନାମ ଏହି ଟିମରେ ନାହିଁ ! ଫଳରେ ଏହାକୁ କେହି କେହି ବିଜେଡ଼ିର ବି-ଟିମ୍ ବୋଲି ମଧ୍ୟ କହିବାକୁ ଲାଗିଲେଣି ! ତେବେ ରାଜ୍ୟ ନେତୃତ୍ଵ ଏବେ ଜିଲ୍ଲାର ସାଙ୍ଗଠନିକ କାର୍ଯ୍ୟ ଉପରେ ହସ୍ତକ୍ଷେପ ନ କଲେ ଏଭଳି ସ୍ଥିତିରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ ବିଜେପିର ଭୋଟ ୨୦୧୭ ନିର୍ବାଚନରେ ଦଳକୁ ମିଳିଥିବା ଭୋଟ ଠାରୁ ହ୍ରାସ ପାଇଗଲେ କେହି ବି ଆଶ୍ଚର୍ଯ୍ୟ ହେବେ ନାହିଁ !

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking