34.1 C
Bhubaneswar
Saturday, May 18, 2024
Homeଓଡିଶାକ୍ଷମତାକୁ ଆସିଲେ ୫ ନ୍ୟାୟ ଓ ୨୪ ଗ୍ୟାରେଣ୍ଟି ପୂରଣ କରିବ କଂଗ୍ରେସ

କ୍ଷମତାକୁ ଆସିଲେ ୫ ନ୍ୟାୟ ଓ ୨୪ ଗ୍ୟାରେଣ୍ଟି ପୂରଣ କରିବ କଂଗ୍ରେସ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଦଳ କ୍ଷମତାକୁ ଆସିଲେ ୫ ନ୍ୟାୟ ଓ ୨୪ ଗ୍ୟାରେଣ୍ଟିି ପୂରଣ କରିବ ବୋଲି ସ୍ୱଷ୍ଟ କରାଯାଇଛି । ଜିଲ୍ଲା ସଭାପତି ତଥା ମହାକାଳପଡ଼ା ବିଧାୟକ ପ୍ରାର୍ଥୀ ଲୋକନାଥ ମହାରଥୀଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଆବାହକ ସୁଧାଂଶୁ ଶେଖର ଦେଓ ଯୋଗଦେଇ ଭାରତର ଜନନାୟକ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ୫ ନ୍ୟାୟ ଓ ୨୪ ଗ୍ୟାରେଣ୍ଟି ସମ୍ବନ୍ଧରେ ସାମ୍ବାଦିକଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ଯଥା ନାରୀ, ଚାଷୀ, ଯୁବବର୍ଗ, ଭାଗିଦାରୀ ଓ ଶ୍ରମିକଙ୍କୁ ନ୍ୟାୟ ପ୍ରଦାନ କରାଯିବ । ସାଂସଦ ପ୍ରାର୍ଥୀ ସିଦ୍ଧାର୍ଥ ସ୍ୱରୂପ ଦାଶ ଜିଲ୍ଲାର ଆଞ୍ଚଳିକ ସମସ୍ୟା ବିଷୟରେ ଆଲୋକପାତ କରିଥିଲେ ।

ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା, ସିଟି ହସ୍ପିଟାଲ ପ୍ରତିଷ୍ଠା, କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଓ କେନ୍ଦ୍ରାପଡ଼ା କୃଷିଭିତ୍ତିକ ଜିଲ୍ଲା ହୋଇଥିବାରୁ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପୂରଣ କରାଯିବାର ପ୍ରତିଶ୍ରୁତି ଦେଇଥିବା ବିଜେଡି ସରକାରକୁ ସାଧାରଣଜନତା ଆସନ୍ତା ନିର୍ବାଚନରେ ଉଚିତ୍ ଜବାବ ଦେବେ । କଂଗ୍ରେସ ସରକାରକୁ ଆସିଲେ ଉକ୍ତ ଆଞ୍ଚଳିକ ସମସ୍ୟାକୁ ପ୍ରାଥମିକତା ଦିଆଯିବ ବୋଲି ଶ୍ରୀ ଦାଶ ପ୍ରକାଶ କରିଛନ୍ତି ।

 ଉକ୍ତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ପ୍ରଚାର କମିଟି ଅଧ୍ୟକ୍ଷ ସେକ୍ ଜାହିର ମହମ୍ମଦ, ପାଟକୁରା ବିଧାୟକ ପ୍ରାର୍ଥୀ ରତିକାନ୍ତ କାନୁନଗୋ, କେନ୍ଦ୍ରାପଡ଼ା ବିଧାୟିକା ପ୍ରାର୍ଥୀ ସିପ୍ରା ମଲ୍ଲିକ, ରାଜନଗର ବିଧାୟକ ପ୍ରାର୍ଥୀ ଅଶୋକ ପ୍ରତିହାରୀ, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଓ ଚିନ୍ମୟ ପ୍ରସାଦ ବେଉରା ପ୍ରମୁଖ ରାଜ୍ୟରେ ଥିବା ବିଜେଡି ଏବଂ କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ସମାଲୋଚନା କରି ୨୪ ଗ୍ୟାରେଣ୍ଟି ଉପରେ ଆଲୋକପାତ କରିଥିଲେ । ଉପସ୍ଥିତ ଥିବା ନେତୃବୃନ୍ଦ ମହାଲକ୍ଷ୍ମୀ ଯୋଜନାରେ ଗରିବ ପରିବାରରେ ଜଣେ ମହିଳାକୁ ବର୍ଷରେ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

କେନ୍ଦ୍ର ସରକାରଙ୍କ ନୂଆ ନିଯୁକ୍ତି ଯୋଜନାରେ ୫୦ ପ୍ରତିଶତ ମହିଳା ସଂରକ୍ଷଣ । ଶକ୍ତିର ସମ୍ମାନ ଯୋଜନାରେ ଆଶା, ଅଙ୍ଗନବାଡ଼ି ଏବଂ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା ମହିଳାଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ୨ଗୁଣା ଦରମା ପ୍ରଦାନ ଓ ମହିଳାଙ୍କୁ ଆଇନଗତ ଅଧିକାର ସହ ସୁପରିଚିତ କରେଇବାକୁ ସବୁ ଗ୍ରାମପଞ୍ଚାୟତରେ ଜଣେ ଅଧିକାର ମୈତ୍ରୀ ନିଯୁକ୍ତ କରାଯିବ । ସାବିତ୍ରୀବାଈ ଫୁଲେ ହଷ୍ଟେଲ ଯୋଜନାରେ କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ସୁବିଧାକୁ ୨ ଗୁଣ କରାଯିବ । ଫସଲ ବୀମା ସିଧା ବ୍ୟାଙ୍କ୍ ଖାତାକୁ ଫସଲ କ୍ଷତିର ବୀମା ରାଶି ୩୦ ଦିନ ଭିତରେ ନିଶ୍ଚିତ କରାଯିବ । ଉଚିତ୍ ଆମଦାନୀ ରପ୍ତାନୀ ନୀତି ଚାଷୀଙ୍କ ଲାଭ ନୀତି ପ୍ରଣୟନ, ଜିଏସଟି ମୁକ୍ତ ଚାଷ ଚାଷରେ ଲାଗୁଥିବା ବିଭିନ୍ନ ସାମଗ୍ରୀ ଉପରେ ଜିଏସଟି ଲାଗୁ କରାଯିବ ନାହିଁ । ଚାକିରୀ ପାଇଁ ଭରସା ଯୋଜନାରେ କେନ୍ଦ୍ର ସରକାରଙ୍କ କ୍ୟାଲେଣ୍ଡର ଅନୁସାରେ ୩୦ ଲକ୍ଷ ନୂଆ ଚାକିରି ନିଶ୍ଚିନ୍ତ କରାଯିବ ବୋଲି ଉଲ୍ଲେଖ କରାଯାଇଥିଲା ।

ସେହିପରି ସୁରକ୍ଷିତ ରୋଜଗାର ପାଇଁ ବିଭିନ୍ନ ସରକାରୀ ଚାକିରିରେ ଠିକା ନିଯୁକ୍ତି ବନ୍ଦ କରାଯିବ ଏବଂ ବିଭିନ୍ନ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟବାସୀଙ୍କ ଆର୍ଶୀବାଦରୁ କଂଗ୍ରେସ କ୍ଷମତାସୀନ ହେଲେ ଗ୍ୟାରେଣ୍ଟିକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ । ରାଜ୍ୟବାସୀ କଂଗ୍ରେସର ୫ ନ୍ୟାୟ ଏବଂ ୨୪ ଗ୍ୟାରେଣ୍ଟିକୁ ଗୁରୁତ୍ୱ ଦେବେ, କଂଗ୍ରେସକୁ ବିଶ୍ୱାସକୁ ନେବେ ଓ କଂଗ୍ରେସକୁ ସମର୍ଥନ ଦେଇ ରାଜ୍ୟରେ ପରିବର୍ତ୍ତନ ଆଣିବେ ବୋଲି କୁହାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ପୂର୍ବତନ ପୌରାଧ୍ୟକ୍ଷ ଆକବର ଅଲ୍ଲୀ, ପିସିସି ପ୍ରଚାର କମିଟି ସଭ୍ୟ ବିଧୁ ଭୂଷଣ ମହାପାତ୍ର, ବରିଷ୍ଠ କଂଗ୍ରେସ ନେତା ଫକିର ଚରଣ ଖଟୁଆ, ପୂର୍ବତନ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର, ପିସିସି ସଭ୍ୟ ସଞ୍ଜୟ ରାଉତ, ହେମନ୍ତ ବିଶ୍ୱାଳ, ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ ଓ ସସ୍ମିତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking