28.1 C
Bhubaneswar
Saturday, April 27, 2024
Homeଖେଳସାଉଥ୍ ଆଫ୍ରିକାର ଭାରତ : ଟିମ୍‌କୁ ଫେରିଲେ ନୋର୍ଜେ ଓ ପାର୍ନେଲ୍‌; ଷ୍ଟବ୍ସ ନୂଆମୁହଁ

ସାଉଥ୍ ଆଫ୍ରିକାର ଭାରତ : ଟିମ୍‌କୁ ଫେରିଲେ ନୋର୍ଜେ ଓ ପାର୍ନେଲ୍‌; ଷ୍ଟବ୍ସ ନୂଆମୁହଁ

ଜୋହାନ୍ସବର୍ଗ : ଆଇପିଏଲ୍ ପରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବା ପାଇଁ ଭାରତ ଗସ୍ତ କରିବ ସାଉଥ୍ ଆଫ୍ରିକା । ଏଥିପାଇଁ ମଙ୍ଗଳବାର ସାଉଥ୍ ଆଫ୍ରିକା ଟିମ୍ ଘୋଷଣା କରାଯାଇଛି । ଟେମ୍ବା ବାଭୁମାଙ୍କ ନେତୃତ୍ୱରେ ଘୋଷିତ ୧୬ ଜଣିଆ ଟିମ୍‌ରେ ତିଷ୍ଟାନ୍ ଷ୍ଟବ୍ସ ନୂଆଁମୁହଁ ହୋଇଥିବା ବେଳେ ୫ ବର୍ଷ ପରେ ୱେନ୍ ପାର୍ନେଲ୍‌ଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି । ସେହିପରି ୨୦୨୧ ଟି-୨୦ ବିଶ୍ୱକପ୍ ପରେ ସାଉଥ୍ ଆଫ୍ରିକା ପ୍ରଥମ ଥର ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବ । କ୍ରିକେଟ୍ ସାଉଥ୍ ଆଫ୍ରିକା ଟି-୨୦ ଚାଲେଞ୍ଜ୍‌ରେ ୪୮.୮୩ ହାରରେ ମୋଟ ୨୯୩ ରନ୍ କରି ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଥିବା ଷ୍ଟବ୍ସ ଜିମ୍ବାୱେ ଗସ୍ତରେ ସାଉଥ୍ ଆଫ୍ରିକା ‘ଏ’ ଟିମ୍‌ର ସଦସ୍ୟ ମଧ୍ୟ ଥିଲେ । ଏବେ ସେ ଚଳିତ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ର ସଦସ୍ୟ ଅଛନ୍ତି । ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଥିବା ଅନ୍ୟ ପ୍ରମୁଖ ଖେଳାଳିଙ୍କ ମଧ୍ୟରେ ଅଛନ୍ତି ଫାଷ୍ଟ୍ ବୋଲର୍ ଆନ୍‌ରିକ୍ ନୋର୍ଜେ ଏବଂ ବ୍ୟାଟ୍ସମ୍ୟାନ୍ ରିଜା ହେଣ୍ଡ୍‌ରିକ୍ସ ଓ ହେନ୍‌ରିକ୍ କ୍ଲାସେନ୍ ।

ଗତବର୍ଷ ହିପ୍ ଇନ୍‌ଜୁରୀର ଶିକାର ହୋଇଥିବା ନୋର୍ଜେ ନିକଟରେ ପ୍ରତ୍ୟାବର୍ତ୍ତନ ପାଇଁ ମେଡିକାଲ୍ କ୍ଲିୟରାନ୍ସ ପାଇଥିଲେ ଓ ଏବେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଆଇପିଏଲ୍ ଖେଳୁଛନ୍ତି । ସେହିପରି ୨୦୧୭ରେ ସାଉଥ୍ ଆଫ୍ରିକାର ଇଂଲଣ୍ଡ ଗସ୍ତ ପରେ ପ୍ରଥମ ଥର ପାଇଁ ପାର୍ନେଲ୍ ଟି-୨୦ ଟିମ୍‌ରେ ସ୍ଥାନ ପାଇଛନ୍ତି । ତା’ଛଡ଼ା ଟିମ୍‌ରେ କେଶବ ମହାରାଜ, ତାବ୍‌ରେଜ୍ ଶମ୍ସୀ ଓ ଭାରତରେ ଆଇପିଏଲ୍ ଖେଳୁଥିବା କ୍ୱିଣ୍ଟନ୍ ଡି କକ୍‌, ଆଇଡେନ୍ ମାର୍କରାମ୍‌, ଡେଭିଡ୍ ମିଲର୍‌, ଲୁଙ୍ଗି ଏନ୍‌ଗିଡି, ଡ୍ୱେନ୍ ପ୍ରିଟୋରିୟସ୍‌, କାଗିସୋ ରବାଡା, ରାସି ଭାନ୍ ଡର୍ ଡୁସେନ୍ ଓ ମାର୍କୋ ଜାନ୍‌ସନ୍ ମଧ୍ୟ ସ୍ଥାନ ପାଇଛନ୍ତି ।

ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଦିଲ୍ଲୀରେ ଜୁନ୍ ୯ରୁ ଆରମ୍ଭ ହେବ । ପରେ ଜୁନ୍ ୧୨ରେ କଟକ, ଜୁନ୍ ୧୪ରେ ବିଶାଖାପାଟଣା, ଜୁନ୍ ୧୭ରେ ରାଜକୋଟ ଏବଂ ଜୁନ୍ ୧୯ରେ ବେଙ୍ଗାଲୁରୁରେ ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକ ଖେଳାଯିବ ।

ଘୋଷିତ ଟିମ୍‌: ଟେମ୍ବା ବାଭୁମା (ଅଧିନାୟକ), କ୍ୱିଣ୍ଟନ୍ ଡି କକ୍ (ୱିକେଟ୍‌କିପର୍‌), ରିଜା ହେଣ୍ଡ୍ରିକ୍ସ, ହେନ୍‌ରିକ୍ କ୍ଲାସେନ୍‌, କେଶବ ମହାରାଜ, ଆଇଡେନ୍ ମାର୍କରମ୍‌, ଡେଭିଡ୍ ମିଲର୍‌, ଲୁଙ୍ଗି ଏନ୍‌ଗିଡି, ଆନ୍‌ରିକ୍ ନୋର୍ଜେ, ୱେନ୍ ପାର୍ନେଲ୍‌, ଡ୍ୱେନ୍ ପ୍ରିଟୋରିୟସ୍‌, କାଗିସୋ ରବାଡା, ତାବ୍‌ରେଜ୍ ଶମ୍ସୀ, ଟ୍ରିଷ୍ଟାନ୍ ଷ୍ଟବ୍ସ, ରାସି ଭାନ୍ ଡର୍ ଡୁସେନ୍ ଓ ମାର୍କେ ଜାନ୍‌ସନ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking