27.1 C
Bhubaneswar
Tuesday, May 7, 2024
Homeଖେଳକୋଲ୍‌କାତାକୁ ୮ ୱିକେଟ୍‌ରେ ହରାଇଲା ପଞ୍ଜାବ

କୋଲ୍‌କାତାକୁ ୮ ୱିକେଟ୍‌ରେ ହରାଇଲା ପଞ୍ଜାବ

କୋଲ୍‌କାତା:  ଶୁକ୍ରବାର ଏକ ରୋମାଞ୍ଚକର ମୁକାବିଲାରେ କୋଲ୍‌କାତା ନାଇଟ୍ ରାଇଡର୍ସକୁ ୮ ୱିକେଟ୍‌ରେ ହରାଇ ପଞ୍ଜାବ କିଙ୍ଗ୍‌ସ ଚଳିତ ଆଇପିଏଲ୍ ସିଜନ୍ ତୃତୀୟ ବିଜୟ ହାସଲ କରିଛି । ସ୍ଥାନୀୟ ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ସିଜନ୍‌ର ୪୨ ତମ ମ୍ୟାଚ୍‌ରେ ଟସ୍ ହାରି ପ୍ରଥମେ କୋଲ୍‌କାତା ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ୍ ହରାଇ ୨୬୧ ରନ୍ କରିଥିଲା । ଜବାବରେ ପଞ୍ଜାବ ଜନ୍ନି ବେୟାର୍‌ଙ୍କ ଶତକ, ପ୍ରଭଶିମରନ୍ ସିଂହ ଓ ଶଶାଙ୍କ ସିଂହଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ୧୮.୨ ଓଭର୍‌ରେ ୨ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଏହା ସିଜନ୍‌ରେ ୯ ମ୍ୟାଚ୍‌ରୁ ପଞ୍ଜାବର ତୃତୀୟ ବିଜୟ ହୋଇଥିବା ବେଳେ ଟିମ୍ ମୁମ୍ବାଇକୁ ପଛରେ ପକାଇ ପଏଣ୍ଟ୍ ଟେବଲ୍‌ର ୮ମ ସ୍ଥାନକୁ ଉଠିଛି । ଅନ୍ୟପକ୍ଷରେ ୮ଟି ମ୍ୟାଚ୍‌ରୁ ଏହା କୋଲ୍‌କାତାର ତୃତୀୟ ପରାଜୟ । ଏହା ସତ୍ତ୍ୱେ ଟିମ୍ ଟେବଲ୍‌ର ଦ୍ୱିତୀୟ ସ୍ଥାନରେ ପୂର୍ବପରି ବଳବତ୍ତର ରହିଛି । ୨୬୨ ରନ୍‌ର ବିରାଟ ଲକ୍ଷ୍ୟକୁ ପିଛା କରୁଥିବା ପଞ୍ଜାବ କିଙ୍ଗ୍‌ସ ଜୋର୍‌ଦାର ଆରମ୍ଭ କରିଥିଲା । ପ୍ରଭଶିମ୍‌ରନ୍ ସିଂହ ଓ ଜନ୍ନି ବେୟାର୍‌ଷ୍ଟୋ ପ୍ରଥମ ୱିକେଟ୍ ପାଇଁ ୩୬ ବଲ୍‌ରେ ୯୩ ରନ୍‌ର ଭାଗୀଦାରି କରିଥିଲେ ।

ଛକା ମାରି ୧୮ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିବା ପ୍ରଭଶିମରନ୍ ୨୦ ବଲ୍‌ରେ ୪ ଚୌକା ଓ ୫ ଛକା ସହାୟତାରେ ୫୪ ରନ୍ କରିଥିବା ବେଳେ ନାରିନ୍‌ଙ୍କ ଦ୍ୱାରା ରନ୍ ଆଉଟ୍ ହୋଇଥିଲେ । ଏହାପରେ ବେୟାର୍‌ଷ୍ଟୋଙ୍କ ସହ ଯୋଗ ଦେଇଥିବା ରିଲି ରୁସୋ ମଧ୍ୟ ଦ୍ରୁତ ରନ୍ ସଂଗ୍ରହ କରିଥିଲେ । ଉଭୟଙ୍କ ମଧ୍ୟରେ ୩୯ ବଲ୍‌ରେ ଦ୍ୱିତୀୟ ୱିକେଟ୍ ପାଇଁ ୮୫ ରନ୍‌ର ଭାଗୀଦାରି ହୋଇଥିଲା । ରୁସୋ ୧୬ ବଲ୍‌ରୁ ୨୬ ରନ୍ କରିଥିବା ବେଳେ ସୁନୀଲ୍ ନାରିନ୍ ତାଙ୍କୁ ଶ୍ରେୟସ୍ ଆୟର୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ । ରୁସୋଙ୍କ ଆଉଟ୍ ପରେ କ୍ରିଜ୍‌କୁ ଆସିଥିବା ଶଶାଙ୍କ ଶର୍ମା ଆଉ କୌଣସି ୱିକେଟ୍‌ର ପତନ ନଘଟାଇ ଟିମ୍‌କୁ ବିଜୟ ଦେଇଥିଲେ । ବେୟାର୍‌ଷ୍ଟୋ ଓ ଶଶାଙ୍କ ମଧ୍ୟରେ ଅବିଭାଜିତ ତୃତୀୟ ୱିକେଟ୍ ପାଇଁ ୮୪ ରନ୍‌ର ଭାଗୀଦାରି ହୋଇଥିଲା । ଶଶାଙ୍କ ଧୂଆଁଧାର ବ୍ୟାଟିଂ କରି ୨୮ ବଲ୍‌ରେ ୨ଟି ଚୌକା ଓ ୮ଟି ଛକା ସହାୟତାରେ ୬୮ ରନ୍ କରି ଅପରାଜିତ ରହିଥିଲେ ।

ସେହିପରି ୨୩ ବଲ୍‌ରୁ ଆଇପିଏଲ୍‌ର ୧୦ମ ଅର୍ଦ୍ଧଶତକ ପୂରଣ କରିଥିବା ବେୟାର୍‌ଷ୍ଟୋ ୪୮ ବଲ୍‌ରେ ୮ ଚୌକା ଓ ୯ ଛକା ସହାୟତାରେ ୧୦୮ ରନ୍ କରି ଅପରାଜିତ ରହିଥିଲେ । ଏହା ଟୁର୍ଣ୍ଣାମେଣ୍ଟ୍‌ରେ ବେୟାରଷ୍ଟୋଙ୍କ ଦ୍ୱିତୀୟ ଶତକ ଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା କୋଲ୍‌କାତା ନାଇଟ୍ ରାଇଡର୍ସ ଦୁଇ ଓପ୍ନର୍ ଫିଲ୍ ସଲ୍ଟ ଓ ସୁନୀଲ୍ ନାରିନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପ୍ରଥମ ୱିକେଟ୍ ପାଇଁ୧୩୮ ରନ୍‌ର ଭାଗୀଦାରୀ କରିଥିଲେ । ଏକାଦଶ ଓଭର୍‌ର ଦ୍ୱିତୀୟ ବଲ୍‌ରେ ନାରିନ୍‌ଙ୍କୁ ଜନ୍ନି ବେୟାରଷ୍ଟୋଙ୍କ ହାତରେ କ୍ୟାଚ୍ କରାଇ ରହୁଲ ଚହର୍ ଏହି ଭାଗୀଦାରିରେ ବ୍ରେକ୍ ଲଗାଇଥିଲେ । ନାରିନ୍ ୩୨ ବଲ୍‌ରେ ୯ ଚୌକା ୪ ଛକା ସହାୟତାରେ ୭୧ ରନ୍ କରିଥିଲେ । ପଞ୍ଜାବ କ୍ୟାପ୍‌ଟେନ୍ ସାମ୍ କରନ୍ ୧୩ଶ ଓଭର୍‌ରେ ସଲ୍ଟଙ୍କ କ୍ଲିନ୍ ବୋଲ୍ଡ କରିଥିଲେ ।

ସଲ୍ଟ ୩୭ ବଲ୍‌ରେ ୬ଟି ଲେଖାଏଁ ଚୌକା ଓ ଛକା ସହାୟତାରେ ସର୍ବାଧିକ ୭୫ ରନ୍ କରିଥିଲେ । ଏହାପରେ ଅର୍ଶଦୀପ ସିଂହ ଧୂଆଁଧାର ବ୍ୟାଟିଂ କରୁଥିବା ଆନ୍ଦ୍ରେ ରସେଲ୍‌ଙ୍କୁ ହର୍ଷଲ୍ ପଟେଲ୍‌ଙ୍କ ଦ୍ୱାରା କ୍ୟାଚ୍ କରାଇ ପ୍ୟାଭିଲିୟନ୍ ଫେରାଇଥିଲେ । ରସେଲ୍ ୧୨ ବଲ୍‌ରେ ୨ଟି ଲେଖାଏଁ ଛକା ଓ ଚୌକା ସହାୟତାରେ ୨୪ ରନ୍ କରିଥିଲେ । ଭେଙ୍କଟେଶ ଆୟର୍ ଓ କ୍ୟାପ୍‌ଟେନ୍ ଶ୍ରେୟସ୍ ଆୟର୍ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଭେଙ୍କଟେଶ ୨୩ ବଲ୍‌ରେ ୩ ଚୌକା ଓ ୨ ଛକା ବଳରେ ୩୯ ରନ୍ କରିଥିବା ବେଳେ ଜିତେଶ ଶର୍ମାଙ୍କ ଦ୍ୱାରା ରନ୍ ଆଉଟ୍ ହୋଇଥିଲେ । ୧୦ ବଲ୍‌ରେ ଗୋଟିଏ ଚୌକା ଓ ୩ଟି ଛକା ବଳରେ ୨୮ ରନ୍ କରିଥିବା ଶ୍ରେୟସ୍‌ଙ୍କୁ ରବାଡାଙ୍କ ଦ୍ୱାରା କ୍ୟାଚ୍ କରାଇ ଅର୍ଶଦୀପ୍ ପ୍ୟାଭିଲିୟନ୍ ପଠାଇଥିଲେ । ରିଙ୍କୁ ସିଂହ ୫ ରନ୍ କରି ଆଉଟ୍ ହୋଇଥିବା ବେଳେ ରମଣଦୀପ ସିଂହ ୬ ରନ୍‌ରେ ଅପରାଜିତ ରହିଥିଲେ । ପଞ୍ଜାବ ପକ୍ଷରୁ ଅର୍ଶଦୀପ୍ ସର୍ବାଧିକ ୨ଟି ୱିକେଟ୍ ନେଇଥିବା ବେଳେ ସାମ୍ କରନ୍‌, ଅର୍ଶଦୀପ ଓ ରାହୁଲ ଚହର୍‌ଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking