33.1 C
Bhubaneswar
Friday, May 3, 2024
Homeଦେଶ ବିଦେଶପ୍ରଥମ ଥର ପାଇଁ ‘ବ୍ରହ୍ମୋସ୍‌’ ରପ୍ତାନୀ କଲା ଭାରତ; ଦକ୍ଷିଣ ଚୀନ୍ ସାଗରରେ ମୁତୟନ କରିବ...

ପ୍ରଥମ ଥର ପାଇଁ ‘ବ୍ରହ୍ମୋସ୍‌’ ରପ୍ତାନୀ କଲା ଭାରତ; ଦକ୍ଷିଣ ଚୀନ୍ ସାଗରରେ ମୁତୟନ କରିବ ଫିଲିପାଇନ୍ସ

ନୂଆଦିଲ୍ଲୀ: ଭାରତ ପ୍ରଥମ ଥର ପାଇଁ ନିଜ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରିଥିବା ବିଧ୍ୱଂସୀ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’ର ରପ୍ତାନୀ ଆରମ୍ଭ କରିଛି । ଭାରତ ନିଜର ପ୍ରଥମ ରପ୍ତାନୀ ଆସାଇନ୍‌ମେଣ୍ଟ ଭାବେ ଫିଲିପାଇନ୍ସକୁ ଏହି ବ୍ରହ୍ମୋସ୍ ମିସାଇଲ୍ ବିକ୍ରି କରିଛି । ଫିଲିପାଇନ୍ସ ପକ୍ଷରୁ ଭାରତ ସହ ହୋଇଥିବା ଚୁକ୍ତି ଅନ୍ତର୍ଗତ ଏସବୁ ବ୍ରହ୍ମୋସ ମିସାଇଲ୍‌କୁ ଫିଲିପାଇନ୍ସ ଦକ୍ଷିଣ ଚୀନ୍ ସାଗରରେ ନିୟୋଜିତ କରିବ । ଦକ୍ଷିଣ ଚୀନ୍ ସାଗରରେ ଚୀନ୍ ସହ ବଢ଼ୁୂଥିବା ତିକ୍ତତା ମଧ୍ୟରେ ଫିଲିପାଇନ୍ସ ଏସବୁ କ୍ଷେପଣାସ୍ତ୍ରକୁ ଏଠାରେ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି । ଚୀନ୍ ପଟୁ ରହିଥିବା ବିପଦକୁ ମୁକାବିଲା କରିବା ପାଇଁ ଫିଲିପାଇନ୍ସ ଉପକୂଳବର୍ତ୍ତୀ ଅଞ୍ଚଳରେ (ଦକ୍ଷିଣ ଚୀନ୍ ସାଗର) ୩ଟି ବ୍ରାହ୍ମୋସ୍ କ୍ଷେପଣାସ୍ତ୍ର ବ୍ୟବସ୍ଥା କରିବ ବୋଲି ସୂଚନା ମିଳିଛି । ପ୍ରକାଶ, ଫିଲିପାଇନ୍ସ, ୨୦୨୨ରେ ଭାରତ ସହ ବ୍ରହ୍ମୋସ ମିସାଇଲ୍ ପାଇଁ ୩୭୫ ନିୟୁତ ଡଲାର (୩୧୩୦ କୋଟି ଟଙ୍କା) ମୂଲ୍ୟର ଡିଲ୍ କରିଥିବା ବେଳେ ଭାରତ ପକ୍ଷରୁ ସି-୧୭ ଗ୍ଲୋବ୍‌ମାଷ୍ଟର ବିମାନ (ବୃହତ୍ ସାମରିକ ଉପକରଣ ବହନ କରିପାରୁଥିବା ବିମାନ) ମାଧ୍ୟମରେ ଫିଲିପାଇନ୍ସକୁ ପ୍ରଥମ ପର୍ଯ୍ୟାୟରେ ଏସବୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ରପ୍ତାନୀ କରାଯାଇଥିବା ଜଣାପଡିଛି । ଶୁକ୍ରବାର (ଏପ୍ରିଲ ୧୯) ଭାରତ, ଫିଲିପାଇନ୍ସ ମେରାଇନ୍ କର୍ପସକୁ ପ୍ରଥମ ପର୍ଯ୍ୟାୟ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ହସ୍ତାନ୍ତର କରିଛି । ଅନ୍ୟପକ୍ଷେ, ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ବ୍ରହ୍ମୋସ ମିସାଇଲ୍ ହାତେଇବାରେ ଫିଲିପାଇନ୍ସ ପ୍ରଥମ ବିଦେଶୀ ରାଷ୍ଟ୍ର ହେବାର ଏକ ମାନ୍ୟତା ମଧ୍ୟ ହାସଲ କରିଛି । ତେବେ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଭାରତ, ଫିଲିପାଇନ୍ସକୁ ଏସବୁ କ୍ଷେପଣାସ୍ତ୍ରଗୁଡ଼ିକୁ ଚଳାଇବା ନେଇ ମଧ୍ୟ ତାଲିମ ଦେବାକୁ ପ୍ରତିଶ୍ରୁତି ଦେଇଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ ଆର୍ଜେଣ୍ଟିନା-ଭିଏତନାମରେ ମଧ୍ୟ ଏହି ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ କିଣିବା ପାଇଁ ଭାରତ ସମ୍ମୁଖରେ ଆଗ୍ରହ ପ୍ରକାଶ କରିଛନ୍ତି । ବ୍ରାହ୍ମୋସ୍ ଏରୋସ୍ପେସର ମହାନିର୍ଦ୍ଦେଶକ ଅତୁଲ ଦିନାକର ରାଣେ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଜୁନ୍ ୨୦୨୩ରେ – ଆର୍ଜେଣ୍ଟିନା, ଭିଏତନାମ ସମେତ ୧୨ଟି ଦେଶ ବ୍ରହ୍ମୋସ କ୍ଷେପଣାସ୍ତ୍ର କ୍ରୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ବାହ୍ୟ ଦେଶ ପକ୍ଷରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ଏପ୍ରକାର ଚାହିଦା ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ଅତ୍ୟନ୍ତ ବିଶ୍ୱାସଯୋଗ୍ୟ ସାବ୍ୟସ୍ତ ହୋଇଥିବାର ଏକ ବଳିଷ୍ଠ ପ୍ରମାଣ ବୋଲି ସେ କହିଛନ୍ତି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫିଲିପାଇନ୍ସ ସହ ଭାରତର ଏହି ଚୁକ୍ତି ଦେଶକୁ ପ୍ରତିରକ୍ଷା କ୍ଷେତ୍ରରେ ରପ୍ତାନିକାରୀ ତଥା ‘ଆତ୍ମନିର୍ଭରଶୀଳ ଭାରତ’ ଯୋଜନାକୁ ପ୍ରୋତ୍ସାହିତ କରିବାରେ ସହାୟକ ହେବ । ଏତଦ୍‌ବ୍ୟତୀତ ଏହି ଚୁକ୍ତି ଭାରତରେ ସାମରିକ ଶିଳ୍ପର ମନୋବଳ ମଧ୍ୟ ବଢ଼ାଇବ ଏବଂ ଭାରତ ଦକ୍ଷିଣ-ପୂର୍ବ ଏସିଆରେ ଏକ ନିର୍ଭରଯୋଗ୍ୟ ରପ୍ତାନିକାରୀ ଦେଶ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ । ଏସବୁ ବ୍ୟତୀତ ଭାରତ-ଫିଲିପାଇନ୍ସ ସମ୍ପର୍କକୁ ମଜବୁତ୍ କରିବ ଏବଂ ଦୁଇ ଦେଶର ଏକତା ବିଷୟରେ ଚୀନ୍‌କୁ ଏକ ମଜବୁତ୍ ବାର୍ତ୍ତା ଦେବାରେ ମଧ୍ୟ ସହାୟକ ହେବ । ଦକ୍ଷିଣ ଚୀନ୍ ସାଗରରେ ଚୀନ୍‌ର ଦବ୍‌ଦବାକୁ ପ୍ରତିହତ କରିବା ଦିଗରେ ଭାରତର ଏହା ଏକ ବଳିଷ୍ଠ ରଣନୀତିକ ଭାଗିଦାରୀ ସାବ୍ୟସ୍ତ ହେବ । କାରଣ ଭାରତର ପ୍ରାୟ ୯୫% ବ୍ୟବସାୟିକ କାରବାର ସମୁଦ୍ରପଥ ମାଧ୍ୟମରେ ହିଁ ହୋଇଥାଏ । ଏଥିମଧ୍ୟରୁ ୫୫% କେବଳ ଦକ୍ଷିଣ ଚୀନ୍ ସାଗର ଦେଇ ହୋଇଥାଏ । ଚୀନ୍ ଜାପାନ୍‌, ଦକ୍ଷିଣ କୋରିଆ ଏବଂ ଏସିଆ ମହାଦେଶର ଦେଶଗୁଡ଼ିକଙ୍କ ସହ ଭାରତ କରୁଥିବା ବ୍ୟବସାୟିକ କାରବାର ପାଇଁ ଭାରତକୁ ମୁଖ୍ୟତଃ ଏହି ଦକ୍ଷିଣ ଚୀନ୍ ସାଗର ଉପରେ ନିର୍ଭର କରିବାକୁ ପଡିଥାଏ । ଝୋଟ, ଚା’ ପତି, ଷ୍ଟିଲ୍‌, ଲୁହା, ତମ୍ବା, ଚମଡା ଆଦି ସାମଗ୍ରୀ ମୁଖ୍ୟତଃ ଭାରତ ଅନ୍ୟ ଦେଶଗୁଡ଼ିକୁ ରପ୍ତାନୀ କରୁଥିବା ବେଳେ ନିଜ ଆବଶ୍ୟକତା ମୁତାବକ ସାମଗ୍ରୀଗୁଡ଼ିକୁ ଏହି ସମୁଦ୍ରପଥ ଦେଇ ଆମଦାନୀ ମଧ୍ୟ କରିଥାଏ । ଭାରତର ମୁଖ୍ୟ ବନ୍ଦର ଯଥା କେରଳର କୋଚି, କୋଲକାତା, ବିଶାଖାପଟନମ୍ ଏବଂ ଚେନ୍ନାଇ ବନ୍ଦର ଦ୍ୱାରା ହିଁ ଏସବୁ କାରବାର କରାଯାଇଆସୁଛି । ଅନ୍ୟପକ୍ଷେ ଦକ୍ଷିଣ ଚୀନ ସାଗରର ପ୍ରାୟ ୮୦% ସମୁଦ୍ରୀଭାଗ ଉପରେ ଚୀନ୍ ଏକଚାଟିଆ ଅଧିକାର ସାବ୍ୟସ୍ତ କରିବାରେ ଲାଗିଛି । ଚୀନ୍‌ର ଏପ୍ରକାର ମନୋଭାବକୁ ନେଇ ବିଶ୍ୱର ଅଧିକାଂଶ ଦେଶ ଏବେ ଚୀନ୍ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିବାରେ ଲାଗିଛନ୍ତି । ଭାରତ ମଧ୍ୟ ଚୀନ୍‌ର ଏହି ଆଭିମୁଖ୍ୟକୁ ସମାଲୋଚନା କରିଆସୁଛି । ତେବେ ଏବେ ଯେତେବେଳେ ଫିଲିପାଇନ୍ସ ନିଜ ପକ୍ଷରୁ ଏଠାରେ ସାମରିକ ଘାଟି ପ୍ରସ୍ତୁତ କରିବାକୁ ଯାଉଛି, ଭାରତ ପାଇଁ ଏହା ବେଶ୍ ଉପାଦେୟ ସାବ୍ୟସ୍ତ ହେବ ବୋଲି ଭାରତୀୟ ବିଶେଷଜ୍ଞଙ୍କ ମତ ।
ଭାରତ-ରୁଷ୍ ମିଳିତ ଭାବେ ଏହି ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ନିର୍ମାଣ କରିଛନ୍ତି । ୧୯୯୮ରେ ଦୁଇ ଦେଶ ମଧ୍ୟରେ ଏନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ୨୦୦୭ରେ ଭାରତୀୟ ସେନାରେ ପ୍ରଥମ ଥର ପାଇଁ ବ୍ରହ୍ମୋସ ମିସାଇଲ୍‌କୁ ସାମିଲ କରାଯାଇଥିଲା । ୨୦୧୧ରେ ଭାରତୀୟ ସ୍ଥଳସେନା ପକ୍ଷରୁ ୩୦୦୦ କୋଟି ଟଙ୍କାର ବ୍ରହ୍ମୋସ ମିସାଇଲ୍ କ୍ରୟ କରିବାକୁ ଅର୍ଡର ଦେଇଥିବା ବେଳେ ୨୦୧୩ ମାର୍ଚ୍ଚ ସୁଦ୍ଧା ଭାରତୀୟ ନୌସେନା ଏବଂ ଏୟାରଫୋର୍ସ ୬୮୦୦ କୋଟି ଟଙ୍କାର ବ୍ରହ୍ମୋସ ମିସାଇଲ୍ କିଣିବାକୁ ଅର୍ଡର ଦେଇଥିଲେ । ସବୁଠୁ ବଡ଼କଥା ହେଉଛି ବର୍ତ୍ତମାନ ସମୟରେ ବ୍ରହ୍ମୋସ୍‌କୁ ଅଧିକ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ବ୍ରହ୍ମୋସ-୨କୁ ନିର୍ମାଣ କରାଯାଉଛି । ଉଭୟ ସ୍ଥଳଭାଗ ଏବଂ ଜଳଭାଗ ସହ ଆକାଶପଥରୁ ଶତ୍ରୁପକ୍ଷର ଯେକୌଣସି ଭାଗକୁ ଟାର୍ଗେଟ୍ ହିଟିଂ ସାମର୍ଥ୍ୟ ରଖୁଥିବା ଏହି ସୁପରସୋନିକ୍ କ୍ରୁଜ୍ ମିସାଇଲ୍ (ବ୍ରହ୍ମୋସ-୨)ର ଟାର୍ଗେଟ୍ ରେଞ୍ଜ୍ ୧୫୦୦ କିମି ପର୍ଯ୍ୟନ୍ତ ହେବ ବୋଲି କୁହାଯାଉଛି । ତେବେ ବର୍ତ୍ତମାନ ସମୟରେ ଯେଉଁ ବ୍ରହ୍ମୋସ ମିସାଇଲ୍‌କୁ ଫିଲିପାଇନ୍ସକୁ ଦିଆଯାଇଛି ସେସବୁ ବ୍ରହ୍ମୋସ ମିସାଇଲ୍‌ର ଗତି ୨.୮ ମ୍ୟାଚ୍ (୧ ମ୍ୟାଚ୍‌=ଏକ ସେକେଣ୍ଡ୍‌ରେ ୩୩୨ ମିଟର ଶବ୍ଦର ଗତି) ଏବଂ ଟାର୍ଗେଟ୍ ରେଞ୍ଜ୍ ୨୯୦ କିଲୋମିଟର ପର୍ଯ୍ୟନ୍ତ ରହିଛି । ଫିଲିପାଇନ୍ସକୁ ଦିଆଯାଇଥିବା କ୍ଷେପଣାସ୍ତ୍ରର ଗତି ଶବ୍ଦର ବେଗଠାରୁ ୨.୮ ଗୁଣ ଅଧିକ ରହିଛି । ବ୍ରହ୍ମୋସର ପ୍ରତ୍ୟେକ ସିଷ୍ଟମରେ ଦୁଇଟି ମିସାଇଲ୍ ଲଞ୍ଚ୍‌ର, ରାଡାର୍ ଏବଂ ଏକ କମାଣ୍ଡ ଏବଂ କଣ୍ଟ୍ରୋଲ୍ ସେଣ୍ଟର ରହିଛି । ଏହା ମାଧ୍ୟମରେ, ଦୁଇଟି ବ୍ରାହ୍ମୋସ୍ କ୍ଷେପଣାସ୍ତ୍ରକୁ ବୁଡ଼ାଜାହାଜ, ଜାହାଜ, ବିମାନଠାରୁ ୧୦ ସେକେଣ୍ଡ ମଧ୍ୟରେ ଶତ୍ରୁ ଉପରେ ନିକ୍ଷେପ କରାଯାଇପାରିବ । ସୂଚନାଯୋଗ୍ୟ, ଭାରତ ୨୦୨୨-୨୩ରେ ସାମରିକ ଉପକରଣର ରପ୍ତାନୀ ହାର ୩୨.୫% ରହିଥିଲା । ବର୍ତ୍ତମାନ ସୁଦ୍ଧା ଭାରତ ବିଦେଶକୁ ଏସବୁ ସାମରିକ ଉପକରଣର ରପ୍ତାନୀ କରିବା ପୂର୍ବକ ୨୧ହଜାର କୋଟି ଟଙ୍କା ଆୟ କରିଛି । ବର୍ତ୍ତମାନ ସମୟରେ ବିଶ୍ୱର ପ୍ରାୟ ୮୫ ରାଷ୍ଟ୍ରଙ୍କୁ ଭାରତ ସାମରିକ ଉପକରଣ ରପ୍ତାନୀ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking