28.1 C
Bhubaneswar
Tuesday, May 21, 2024
Homeଖେଳଇଡେନ୍‌ଗାର୍ଡେନ୍ ଲଢ଼େଇ; ଜିତିଲା କେକେଆର୍, ହାରିଲା ଦିଲ୍ଲୀ

ଇଡେନ୍‌ଗାର୍ଡେନ୍ ଲଢ଼େଇ; ଜିତିଲା କେକେଆର୍, ହାରିଲା ଦିଲ୍ଲୀ

କୋଲକାତା : ପୁଣିଥରେ ଇଡେନ୍‌ଗାର୍ଡେନ୍ ଲଢ଼େଇ ଜିତିଲା କୋଲକାତା ନାଇଟ୍ ରାଇଡର୍ସ । ଉନ୍ନତ ଫିଲ୍ଡିଂ ସାଙ୍ଗକୁ ଉଭୟ ଆକ୍ରମଣାତ୍ମକ ବୋଲିଂ ଏବଂ ବ୍ୟାଟିଂ ଯୋଗୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ଆଜି, ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ୭ ୱିକେଟ୍‌ରେ ପରାସ୍ତ କରିବାରେ ସଫଳ ହୋଇଛି । ଏହି ବିଜୟ ସହ କୋଲକାତା ୯ମ ମ୍ୟାଚ୍‌ରୁ ୬ଷ୍ଠ ବିଜୟ ସହ ପଏଣ୍ଟ ଟେବୁଲ୍‌ରେ ୧୨ ପଏଣ୍ଟ ସହ ୨ୟ ସ୍ଥାନରେ ଅପରିବର୍ତ୍ତିତ ରହିଛି । ଅନ୍ୟପକ୍ଷେ ଦିଲ୍ଲୀ ଏହି ପରାଜୟ ସହ ୧୧ ମ୍ୟାଚ୍‌ରୁ ୬ଷ୍ଠ ପରାଜୟ ବରଣ କରିଛି । ସମ୍ପ୍ରତି ଦିଲ୍ଲୀ ପଏଣ୍ଟ ଟେବୁଲରେ ୬ଷ୍ଠ ଦଳ ଭାବେ (୫ ବିଜୟ ଓ ୬ ପରାଜୟ) ନିଜ ସ୍ଥାନ ସୁରକ୍ଷିତ ରଖିପାରିଛି ।

ଚଳିତ ଆଇପିଏଲ୍ ସିଜିନ୍‌ର ୪୭ତମ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଇଛି । ଐତିହାସିକ ଇଡେନ୍ ଗାର୍ଡେନ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଆଜିର ଏହି ମ୍ୟାଚ୍‌ରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ନିର୍ଦ୍ଧାରିତ ୨୦ ଓଭର ସୁଦ୍ଧା ୯ ୱିକେଟ୍ ହରାଇ ୧୫୩ ରନ୍ ସଂଗ୍ରହ କରିଥିଲା । ଜବାବରେ କୋଲକାତା ୧୫୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ବେଳେ ଦଳର ଓପନିଂ ଯୋଡି ଧୁଆଁଧାର ବ୍ୟାଟିଂ କରିବା ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ଦିଲ୍ଲୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦଳ ଆରମ୍ଭରୁ ହିଁ ନିୟମିତ ବ୍ୟବଧାନରେ ୱିକେଟ ହରାଇ ଚାଲିଥିଲା । ସ୍କୋର ମାତ୍ର ୧୭ ରନ ହୋଇଥିବାବେଳେ ପୃଥ୍ୱୀ ଶାହା ମାତ୍ର ୧୩ ରନ୍ (୩ ଚୌକା) କରି ପ୍ରଥମ ୱିକେଟ୍ ଭାବେ ଆଉଟ୍ ହୋଇଥିଲେ । ତାଙ୍କ ପଛେ ପଛେ ଜେକ୍ ଫ୍ରେଜର୍ ମାକଗର୍କ ୭ ବଲ୍ ଖେଳି ୧୨ରନ୍ (୧ ଚୌକା, ୧ ଛକା) କରି ଆଉଟ ହୋଇଥିଲେ । ତାପରେ ଦଳ ନିୟମିତ ଭାବେ ୱିକେଟ ହରାଇଚାଲିଥିଲା ।

ଅଭିଷେକ ପୋରେଲ୍ ୧୮ ରନ୍ (୨ଚୌକା, ୧ ଛକା), ସାଇ ହୋପ୍ ୬ ରନ୍ (୧ ଛକା) କରିଥିଲେ । ଦଳର ଏପ୍ରକାର ଭୁଶୁଡିପଡୁଥିବା ବ୍ୟାଟିଂକ୍ରମକୁ ସମ୍ଭାଳିବାର ଦାୟିତ୍ୱ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଧିନାୟକ ଋଷଭ ପନ୍ତ ୨୭ରନ୍ (୨ ଚୌକା, ୧ ଛକା) ହିଁ ଯୋଗଦାନ ହିଁ ଦେଇପାରିଥିଲେ । ତେବେ ଅକ୍ଷର ପଟେଲ୍‌ଙ୍କ ୧୫ ରନ୍ (୨ ଚୌକା) ଏବଂ କୁଳଦୀପ ଯାଦବ ୩୫ ରନ୍ (୫ ଚୌକା, ୧ ଛକା) ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲା । ଦଳ ପକ୍ଷରୁ ସର୍ବାଧିକ ରନ୍ କୁଳଦୀପ ଯାଦବ ହିଁ କରିଥିଲେ । ତେବେ ଅତିରିକ୍ତ ୧୩ ରନ୍ ସହାୟତାରେ ଦଳ ୨୦ ଓଭରରେ ୯ ୱିକେଟ ହରାଇ ୧୫୩ ରନ କରିଥିଲା । କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୩ଟି ୱିକେଟ ନେଇଥିବାବେଳେ ବୈଭବ ଆରୋରା ଓ ହର୍ଷିତ ରାଣା ୨ଟି ୱିକେଟ ନେଇଥିଲେ । ସେହିପରି ମିଚେଲ ଷ୍ଟାର୍କ ଓ ସୁନୀଲ ନାରିନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ଅନ୍ୟପକ୍ଷେ କୋଲକାତାର ଓପନିଂ ଯେ।।ଡି ଭାବେ ପଡ଼ିଆକୁ ଓହ୍ଲାଇଥିବା ସୁନୀଲ ନାରିନ୍ ଏବଂ ଫିଲ୍ ସଲ୍ଟ ପ୍ରଥମରୁ ହିଁ ଦିଲ୍ଲୀ ବୋଲରଙ୍କ ଉପରେ ଆକ୍ରମଣ ଆରମ୍ଭ କରିଥିଲେ । ସୁନୀଲ ନାରିନ୍ ଗୋଟିଏ ପଟେ ମଙ୍ଗ ସମ୍ଭାଳୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଅନ୍ୟପଟୁ ଫିଲ୍ ସଲ୍ଟ ଜବରଦସ୍ତ ବ୍ୟାଟିଂ କରିବା ଜାରି ରଖିଥିଲେ । ମାତ୍ର ୩୩ ବଲ୍‌ରେ ୬୮ରନ୍ (୫ ଛକା, ୭ ଚୌକା)ର ସେ ବିସ୍ଫୋରକ ଇନିଂସ ଖେଳିଥିଲେ । ସୁନୀଲ ନାରିନ୍ ପ୍ରଥମ ୱିକେଟ୍ ଭାବେ ଆଉଟ୍ ହେବା ବେଳକୁ କୋଲକାତାର ସ୍କୋର ୬.୧ ଓଭର ସୁଦ୍ଧା ୭୯ ରନ୍ ଥିଲା । ସେହିପରି ଦ୍ୱିତୀୟ ୱିକେଟ୍ ଭାବେ ଫିଲ୍ ସଲ୍ଟ କ୍ୟାଚ୍ ଆଉଟ୍ ହୋଇ ପାଭିଲିୟନ୍ ଫେରିବା ବେଳକୁ ଦଳୀୟ ସ୍କୋର ୮.୧ ଓଭର ସୁଦ୍ଧା ୯୬ରନ୍ ଛୁଇଁସାରିଥିଲା ।

କୋଲକାତାର ଓପନିଂ ଯୋଡି ଦିଲ୍ଲୀ ବୋଲ୍‌ର ଅକ୍ଷର ପଟେଲ୍‌ଙ୍କ ଶିକାର ହୋଇଥିଲେ । ତେବେ ଯୁବ ଷ୍ଟାର କ୍ରିକେଟର ରିଙ୍କୁ ସିଂହ ଆଜି ନିଜ ପ୍ରଶଂସକଙ୍କୁ ନିରାଶ କରିଥିଲେ । ସେ ମାତ୍ର ୧୧ ରନ୍ କରି ୩ୟ ୱିକେଟ୍ ଭାବେ ଆଉଟ୍ ହୋଇଥିଲେ । ତେବେ ୩ୟ ୱିକେଟର ପତନ ଏବଂ ୧୧ ଓଭର ଶେଷ ସୁଦ୍ଧା କୋଲକାତା ୧୧୩ ରନ୍‌ରେ ପହଞ୍ôଚସାରିଥିଲା । ସେହିପରି ୧୩ତମ ଓଭର ସୁଦ୍ଧା ଦଳ ୧୩୦ ରନ୍ ଏବଂ ୧୫.୨ତମ ଓଭର ସୁଦ୍ଧା ୧୪୫ ରନ୍ ସଂଗ୍ରହ କରିନେଇଥିଲା । ଅଧିନାୟକ ଶ୍ରେୟସ ଆୟର ଏବଂ ଯୁବ ବ୍ୟାଟ୍ସମ୍ୟାନ୍ ଭେଙ୍କଟେଶ ଆୟରଙ୍କ ଭାଗିଦାରୀ ଦଳର ସ୍କୋରକୁ ଆଗକୁ ବଢ଼ାଇବାରେ ସହାୟକ ହୋଇଥିଲା । ଶ୍ରେୟଶସ୍‌ଙ୍କ ଅପରାଜିତ ୩୩ ରନ୍ (୨୩ ବଲ୍‌, ୩ ଚୌକା, ୧ ଛକା) ଏବଂ ଭେଙ୍କଟେଶଙ୍କ ଅପରାଜିତ ୨୬ରନ୍ (୨୩ ବଲ୍‌, ୨ ଚୌକା, ୧ ଛକା) ଦଳକୁ ବିଜୟ ଟିକା ପିନ୍ଧାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking