22.1 C
Bhubaneswar
Monday, February 10, 2025
Homeଓଡିଶାଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ହାର ୬୦.୦୨% : ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍

ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ହାର ୬୦.୦୨% : ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍

ଭୁବନେଶ୍ୱର: ଇଭିଏମ ତୃଟି, କାଁ ଭାଁ ଗଣ୍ଡଗୋଳ ଏବଂ କିଛି ସ୍ଥାନରେ ପ୍ରଚଣ୍ଡ ଖରା ଯୋଗୁଁ ପୁଲିଂ ଅଧିକାରୀଙ୍କ ଅଚେତ୍ ହେବା ସତ୍ତ୍ୱେ ଶାନ୍ତି ଓ ଶୃଙ୍ଖଳାର ସହ ଶେଷ ହୋଇଛି ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ସନ୍ଧ୍ୟା ୫ଟା ସୁଦ୍ଧା ମତଦାନ ହାର ୬୦.୦୨% ରହିଛି । ଚୂଡ଼ାନ୍ତ ତଥ୍ୟ ସଂଗ୍ରହ ପରେ ମତଦାନ ହାର ଆହୁରି ବଢ଼ିବ । ତେବେ ୫ ସଂସଦୀୟ କ୍ଷେତ୍ର ୩୫ ବିଧାନସଭା କ୍ଷେତ୍ରରେ ମୋଟ୍ ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୪୦ ସାଂସଦ ପ୍ରାର୍ଥୀ ଓ ୨୬୫ ବିଧାନସଭା ପ୍ରାର୍ଥୀ ଅନ୍ତର୍ଭୁକ୍ତ । ଅନ୍ୟକିଛି ହେଭିୱେଟ୍‌ଙ୍କ ମଧ୍ୟରେ ମନ୍ତ୍ରୀ ପ୍ରଦୀପ୍ କୁମାର ଅମାତ୍‌, ମନ୍ତ୍ରୀ ବିକ୍ରମ ଆରୁଖ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ, ଦିଲ୍ଲୀପ୍ ରାୟ, ପୂର୍ବତନ ହକି କ୍ୟାପଟେନ୍ ଦିଲ୍ଲୀପ୍ ତିର୍କୀ, ଟୁକୁନି ସାହୁ, ରୀତା ସାହୁ ଓ ସାରଦା ନାୟକ ପ୍ରମୁଖଙ୍କର ମଧ୍ୟ ଭାଗ୍ୟ ନିର୍ଣ୍ଣୟ ହେବ । କାହା ମୁଣ୍ଡରେ ଭୋଟର ସୂନାକଳସ ଢାଳିଛନ୍ତି ତାହା ଗଣତି ପରେ ସ୍ପଷ୍ଟ ହେବ ।

ସୋମବାର ଗଣମାଧ୍ୟମକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ କୁମାର ଧଳ ଏହି ସୂୁଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ମୋଟ୍ ୭୯ ଲକ୍ଷ ୬୯ ହଜାର ୮୮୭ ଜଣ ଭୋଟର୍‌ଙ୍କ ମଧ୍ୟରୁ ୬୦ ପ୍ରତିଶତ ନିଜର ମତାଧିକାର ମଧ୍ୟରେ ସାବ୍ୟସ୍ତ କରିଛନ୍ତି । ୫ ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୩୫ ବିଧାନସଭା କ୍ଷେତ୍ରରେ ଏହି ଭୋଟରମାନେ ଅପୂର୍ବ ଆନନ୍ଦ ଓ ଉତ୍ସାହର ସହ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ମତଦାନ କରି ଜାତୀୟ କର୍ତ୍ତବ୍ୟ ନିଭାଇଛନ୍ତି । ମତଦାନରେ ସମସ୍ତ ବର୍ଗର ଭୋଟର ଯଥା-ନୂଆ ଭୋଟର, ଯୁବ ଭୋଟର୍‌, ମହିଳା ଭୋଟର, ଭିନ୍ନକ୍ଷମ ଭୋଟର, ତୃତୀୟ ଲିଙ୍ଗୀ ଭୋଟର, ଆଦିମ ଜନଜାତି ଗୋଷ୍ଠୀ ସାମିଲ ହୋଇ ନିଜ ଅଧିକାର ସାବ୍ୟସ୍ତ କରି ଗଣତାନ୍ତ୍ରିକ ପରମ୍ପରାକୁ ସୁଦୃଢ଼ କରିଛନ୍ତି । ଏଥିସହ ଶାନ୍ତିଶୃଙ୍ଖଳାର ସହ ମତଦାନ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ସମସ୍ତ ପୋଲିଂ କର୍ମଚାରୀ, ସୁରକ୍ଷା ବଳଙ୍କ କାର୍ଯ୍ୟ ପ୍ରଶଂସନୀୟ । ସମସ୍ତ ମତଦାନ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ରଖାଯାଇଥିଲା । ୱେବ୍‌କାଷ୍ଟିଂ ଜରିଆରେ ନିର୍ଦ୍ଦିଷ୍ଟ ବୁଥ୍‌ଗୁଡ଼ିକ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଓ ରିଟର୍ଣ୍ଣିଂ ଅଫିସରମାନଙ୍କ ପକ୍ଷରୁ ତୀକ୍ଷ୍‌ଣ ନଜର ରଖାଯାଇଥିଲା । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ତିରୁମାଲା ନାୟକଙ୍କ ତତ୍ତ୍ୱାବଧାନରେ ନିର୍ବାଚନ ପରିଚାଳନା ସମ୍ବନ୍ଧୀୟ ଅଭିଜ୍ଞତା ଥିବା ବରିଷ୍ଠ ଅଧିକାରୀମାନେ ୱେବ୍‌କାଷ୍ଟିଂ ଜରିଆରେ ନିର୍ବାଚନ ପରିଚାଳନାର ବିଭିନ୍ନ ଦିଗ ଉପରେ କଡ଼ା ନଜର ରଖିଥିଲେ ।

ଶ୍ରୀ ଧଳ କହିଛନ୍ତି ଯେ, କେତେକ ବୁଥ୍‌ରେ ସନ୍ଧ୍ୟା ପର୍ଯ୍ୟନ୍ତ ମତଦାନ କରିବା ପାଇଁ ଭୋଟରମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ । ସକାଳୁ ମକ୍‌ପୋଲ୍ ସମୟରେ ଅଳ୍ପକିଛି ସ୍ଥାନରେ ଇଭିଏମ୍ ମେସିନ୍‌ରେ ତ୍ରୁଟି ଦେଖାଯାଇଥିବାରୁ ତୁରନ୍ତ ତାହା ବଦଳା ଯାଇଥିଲା ଏବଂ ମତଦାନ ସ୍ୱାଭାବିକ ଭାବେ ଚାଲିଥିଲା । ଭୋଟରମାନଙ୍କୁ ମତଦାନ ପ୍ରତି ଆକର୍ଷିତ କରିବା ପାଇଁ ଆଦର୍ଶ ମତଦାନ କେନ୍ଦ୍ରରେ ଗଣତନ୍ତ୍ରର ମହାପର୍ବର ଖୁବ୍ ସୁନ୍ଦର ଚିତ୍ର ଦେଖିବାକୁ ମିଳିଥିଲା । ଯୁବ କର୍ମଚାରୀ ପରିଚାଳିତ ବୁଥ୍‌, ମହିଳା କର୍ମଚାରୀ ପରିଚାଳିତ ବୁଥ୍‌, ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ବୁଥ୍ ଆଦି ସ୍ଥାପନ କରାଯାଇ ଭୋଟରମାନଙ୍କୁ ସ୍ୱାଗତ କରାଯାଇଥିଲା । ଅନେକ ବୁଥ୍‌ରେ ସ୍ଥାନୀୟ ଚିତ୍ରକଳା, ଜନଜାତି ଥିମ୍ ଦେଖିବାକୁ ମିଳିଥିଲା । ସମସ୍ତ ବୁଥ୍‌ରେ ମତଦାତାମାନଙ୍କୁ ମତଦାନର ସୁଖଦ ଅନୁଭୂତି ଦିଆଯିବା ପାଇଁ ପୋଲିଂ କର୍ମଚାରୀ ପ୍ରୟାସ କରିଥିଲେ । ସମସ୍ତ ବୁଥ୍‌ରେ ପାନୀୟ ଜଳ, ଛାଇ, ସେଲ୍‌ଫି ଷ୍ଟାଣ୍ଡ ଆଦିର ବ୍ୟବସ୍ଥା କରାଯାଇଥିଲା । ପ୍ରତି ବୁଥ୍‌ରେ ଭୋଟର ସହାୟତା କେନ୍ଦ୍ର ଖୋଲାଯାଇଥିଲା । ହ୍ୱିଲ୍ ଚେୟାର ମାଧ୍ୟମରେ ଭିନ୍ନକ୍ଷମ ଓ ବରିଷ୍ଠ ଭୋଟରମାନଙ୍କୁ ସ୍ୱେଚ୍ଛାସେବୀମାନେ ମତଦାନରେ ସାହାଯ୍ୟ କରିଥିଲେ । ସେମାନଙ୍କୁ ଘରୁ ମତଦାନ କେନ୍ଦ୍ର ଆସିବା ଓ ଯିବା ପାଇଁ ମାଗଣାରେ ଯାନ ବ୍ୟବସ୍ଥା କରାଯାଇଥିଲା ।

ଶ୍ରୀ ଧଳ କହିଛନ୍ତି ଯେ, ଦ୍ୱିତୀୟ ପର୍ଯ୍ୟାୟରେ ମୋଟ୍ ୯୧୪୮ଟି ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର ଥିଲାବେଳେ ୧,୫୪୧ ବୁଥ୍‌କୁ ମଡେଲ୍ ବୁଥ୍ କରାଯାଇଥିଲା । ୧,୦୪୧ ବୁଥ୍ କେବଳ ମହିଳାମାନଙ୍କ ଦ୍ୱାରା ଓ ୨ଟି ବୁଥ୍ ଭିନ୍ନକ୍ଷମଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ୯୧୪୮ମତଦାନ କେନ୍ଦ୍ର ମଧ୍ୟରୁ ୧୦୯୦ଟି ସହରାଞ୍ଚଳ ଓ ୮୦୫୮ଟି ଗ୍ରାମାଞ୍ଚଳରେ ଥିଲା । ୨୫ଟି ‘ସଂପୂର୍ଣ୍ଣ ରୂପେ ଥିଲା ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’ । ଏହି ପର୍ଯ୍ୟାୟରେ ପ୍ରାୟ ୬୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ ନିୟୋଜିତ ହୋଇଥିଲେ । ସମସ୍ତ ପୋଲିଂ ଷ୍ଟେସନ୍‌ରେ ଜଣେ କରି ସ୍ୱେଚ୍ଛାସେବୀ ଓ ଜଣେ କରି ଆଶା କର୍ମୀ ନିୟୋଜିତ ହୋଇଥିଲେ । ନିର୍ବାଚନ ପାଇଁ ସୁରକ୍ଷାକୁ କଡ଼କଡ଼ି କରାଯାଇଥିଲା । ମୋଟ୍ ୩୩ ହଜାର ପୁଲିସ ପୁଲିସ କର୍ମଚାରୀ ମୁତୟନ ହେବା ସହ ୧୦୨ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ସହ ୬୬ ପ୍ଲାଟୁନ୍ ଓଡ଼ିଶା ପୁଲିସ୍ ମୂତୟନ ହୋଇଥିଲେ । ଏଥିମଧ୍ୟରେ ୪୭ ଜଣ ଏଏସ୍‌ପି, ୮୮ ଡିଏସ୍‌ପି, ୨୩୬ ଜଣ ଇନସପେକ୍ଟର ମୁତୟନ ସହ ୬୫୫ ଜଣ ମୋବାଇଲ୍ ପାର୍ଟି ନିୟୋଜିତ କରାଯାଇଥିଲା । ମାଓ ପ୍ରବଣ ଅଞ୍ଚଳ ସମେତ ପ୍ରାୟ ୨୦% ବୁଥ୍‌କୁ ସମ୍ବେଦନଶୀଳ(କ୍ରିଟିକାଲ୍‌) କେନ୍ଦ୍ର ଭାବେ ଚିହ୍ନଟ କରାଯିବା ସହ ବ୍ୟାପକ ପୁଲିସ୍ ମୁୂତୟନ ହୋଇଥିଲେ । ତେବେ ଭୋଟ୍ ପରେ ବିଭିନ୍ନ ବୁଥ୍‌ରୁ ପୋଲିଂ ପାର୍ଟିମାନେ ରିସିଭିଂ ସେଣ୍ଟରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking