32.1 C
Bhubaneswar
Friday, April 26, 2024
Homeମହିଳା କ୍ରିକେଟ୍ ବିଶ୍ୱକପ୍ଆଇସିସି ମହିଳା ବିଶ୍ୱକପ୍‌: ଆଜି ଅଷ୍ଟ୍ରେଲିଆ-ଇଂଲଣ୍ଡ ଫାଇନାଲ୍

ଆଇସିସି ମହିଳା ବିଶ୍ୱକପ୍‌: ଆଜି ଅଷ୍ଟ୍ରେଲିଆ-ଇଂଲଣ୍ଡ ଫାଇନାଲ୍

କ୍ରାଏଷ୍ଟଚଚ୍ଚ: ଚଳିତ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ରବିବାର ଉଦ୍‌ଯାପିତ ହେବ । ଫାଇନାଲ୍‌ରେ ବିଶ୍ୱର ଦୁଇଟି ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଏଠାକାର ହାଗଲେ ଓଭାଲ୍‌ଠାରେ ଟାଇଟଲ୍ ହାସଲ ଲକ୍ଷ୍ୟ ନେଇ ଲଢ଼ିବେ । ଫାଇନାଲ୍‌ରେ ପହଞ୍ଚିଥିବା ଦୁଇ ଦଳର ଲିଗ୍ ପ୍ରଦର୍ଶନ ବିପରୀତ ଥିଲା । ଗୋଟିଏ ପଟେ ଅଷ୍ଟ୍ରେଲିଆ ୭ଟିଯାକ ମ୍ୟାଚ୍‌ରେ ଅପରାଜେୟ ରହି ସିଧାସଳଖ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲା । କିନ୍ତୁ ଲିଗ୍ ପ୍ରାରମ୍ଭରୁ ଇଂଲଣ୍ଡ କ୍ରମାଗତ ୩ଟି ପରାଜୟ ବରଣ କରିବା ଫଳରେ ଏହି ଡିଫେଣ୍ଡିଙ୍ଗ୍ ଚାମ୍ପିଅନ୍ ଲିଗ୍ ପର୍ଯ୍ୟାୟରୁ ହିଁ ବିଦା ନେବା ଅବସ୍ଥାରେ ପହଞ୍ଚିଯାଇଥିଲା । କିନ୍ତୁ ଦଳ ଶେଷ ୪ଟିଯାକ ମ୍ୟାଚ୍‌ରେ ବିଜୟୀ ହୋଇ ସେମିଫାଇନାଲ୍ ଟିକେଟ ପକ୍କା କରିଥିଲା । ସେହିପରି ଅଷ୍ଟ୍ରେଲିଆ ସେମିଫାଇନାଲ୍‌ରେ ୱେଷ୍ଟ୍‌ଇଣ୍ଡିଜ୍‌କୁ ବୃହତ୍ ବ୍ୟବଧାନରେ ପରାସ୍ତ କରିଥିବା ବେଳେ ଇଂଲଣ୍ଡ ସାଉଥ୍ ଆଫ୍ରିକାକୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଛି ।

ଫାଇନାଲ୍‌ରେ ଅଷ୍ଟ୍ରେଲିଆ ବିଜୟୀ ହୋଇ ରେକର୍ଡ ସପ୍ତମ ଟାଇଟଲ୍ ଜିତିବା ଲକ୍ଷ୍ୟରେ ଥିବା ବେଳେ ଇଂଲଣ୍ଡ ଟାଇଟଲ୍ ବଜାୟ ରଖିପାରିଲେ ପଞ୍ଚମ ଟାଇଟଲ୍ ଜିତିପାରିବ । ତେବେ ଅଷ୍ଟ୍ରେଲିଆ ଅଦ୍ୟାବଧି ଅପରାଜେୟ ଥିବାରୁ ଇଂଲଣ୍ଡ ପାଇଁ ଟାଇଟଲ୍ ବଜାୟ ରଖିବା ନିଶ୍ଚିତ ଭାବେ କାଠିକର ପାଠ ହେବ । ଅନ୍ୟପକ୍ଷରେ ଉଭୟ ଦଳ ଦୀର୍ଘ ୩୪ ବର୍ଷ ପରେ ଫାଇନାଲ୍‌ରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଉଭୟ ଦଳ ପାଖାପାଖି ମାସେ ତଳେ ହାମିଲଟନ୍‌ରୁ ସେମାନଙ୍କ ଅଭିଯାନ ଆରମ୍ଭ କରିଥିବା ବେଳେ ହାଗଲେ ଓଭାଲ୍‌ରେ ଶେଷ କରିବେ । ଫାଇନାଲ୍‌ରେ ଅଷ୍ଟ୍ରେଲିଆର ରେକର୍ଡ ମଧ୍ୟ ବେଶ୍ ଭଲ ରହିଛି ।

ଏହି ଦଳ ଥରୁଟିଏ ମାତ୍ର ଫାଇନାଲ୍‌ରେ ପରାସ୍ତ ହୋଇଛି । ଗତ ୨୦୦୦ ସଂସ୍କରଣରେ ଦଳ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ମାତ୍ର ୪ ରନ୍‌ରେ ପରାସ୍ତ ହୋଇଥିଲା । ଉକ୍ତ ବର୍ଷ ଇଂଲଣ୍ଡ ସବୁଠାରୁ ଖରାପ ପ୍ରଦର୍ଶନ କରିଥିଲା । ଦଳ ଉକ୍ତ ସଂସ୍କରଣରେ ପଞ୍ଚମ ସ୍ଥାନରେ ଥିଲେ ହେଁ ୨୦୦୯ ସଂସ୍କରଣରେ ଅଷ୍ଟ୍ରେଲିଆଠାରୁ ବିଶ୍ୱକପ୍ ଏକରକମ ଛଡ଼ାଇ ଆଣିବାରେ ସକ୍ଷମ ହୋଇଥିଲା । ଅନ୍ୟପକ୍ଷରେ ଇଂଲଣ୍ଡର ନେତୃତ୍ୱ ନେଉଥିବା ହିଦର୍ ନାଇଟ୍‌ଙ୍କ ପାଖରେ କ୍ରମାଗତ ଟାଇଟଲ୍ ଜିତିବାରେ ପ୍ରଥମ ଅଧିନାୟିକା ହେବାର ସୁଯୋଗ ରହିଛି । ତେବେ ଅଷ୍ଟ୍ରେଲିଆ ପାଇଁ ଖୁସିର ଖବର ଯେ ଦଳର ତାରକା ଅଲ୍‌ରାଉଣ୍ଡର୍ ଏଲିସ୍ ପେରୀ ଦୁଇଟି ମ୍ୟାଚ୍ ଖେଳିପାରି ନ ଥିଲେ ହେଁ ଫାଇନାଲ୍ ପାଇଁ ଫିଟ୍ ହୋଇସାରିଛନ୍ତି । ଏଠାରେ ସେ ଦୁଇଟି ଟ୍ରେନିଂ ସେସନ୍‌ରେ ଭରପୂର ଅଭ୍ୟାସ କରି ତାଙ୍କ ଫିଟ୍‌ନେସ୍‌ର ପ୍ରମାଣ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking