ଭୁବନେଶ୍ବର : ଚାଲିଛି ପାର୍ବଣର ଋତୁ । ଆଉ ଦିନ କେଇଟା ପରେ ଧରାବତରଣ କରିବେ ଜଗତଜନନୀ ମା’ ଦୁର୍ଗା । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁ ରୁ ସହର । ଦୁର୍ଗାପୂଜା ପାଇଁ ବେଶ ଚଳଚଞ୍ଚଳ ହୋଇ ଉଠିଛି ରାଜଧାନୀ । ଚଳିତ ବର୍ଷ ବମିଖାଲ ଦୁର୍ଗା ପୂଜା ମଣ୍ଡପରେ ହସ୍ତିନାପୁର ରାଜପ୍ରସାଦରେ ପୂଜା ପାଇବେ ମା’ ଦୁର୍ଗତିନାଶିନୀ । କୁରୁପତିଙ୍କ ହସ୍ତିନାପୁର ପ୍ରାସାଦର କାରୁକାର୍ଯ୍ୟ ଯେମିତି ବେଶି ଝଲମଲ କରିବ, ସେଥ୍ୟପାଇଁ ପ୍ଳାଏ ଉପରେ ହୀରା ଭଳି ଚକ୍ରଚକ୍ କରୁଥୁବା କାଚ ଷ୍ଟୋନ୍ ଖଞ୍ଜାଯିବ । ଏହି ତୋରଣର ଉଚ୍ଚତା ପ୍ରାୟ ୧୨୦ ଫୁଟ୍ ଏବଂ ପ୍ରସ୍ତୁ ପ୍ରାୟ ୭୦ ଫୁଟର ରହିବ ।ଚଳିତ ବର୍ଷ ୬୦ ବର୍ଷରେ ପଦାର୍ପଣ କରୁଥିବା ବମିଖାଲ ଦୁର୍ଗାପୂଜା କମିଟି ଏଥର ସ୍ବତନ୍ତ୍ର ସାଜସଜ୍ଜା ଉପରେ ଧ୍ୟାନ ଦେଇଛି । ଚଳିତ ଥର ମା’ଙ୍କ ପୂଜା ମଣ୍ଡପ ହସ୍ତିନାପୁର ପ୍ରାସାଦ ଭିତରେ ଝଲସି ଉଠିବ । ‘ବମିଖାଲ ଦୁର୍ଗା ପୂଜା ସମିତି’ ଏଥିପାଇଁ ବଙ୍ଗୀୟ କାରିଗରଙ୍କୁ ଏହି ଦାୟିତ୍ୱ ଦେଇଛି । କୋଲକାତାରୁ ଆସିଥିବା ୫୦ରୁ ଊର୍ଦ୍ଧ୍ଵ କାରିଗର ଏହି ତୋରଣ ନିର୍ମାଣରେ ଲାଗିଛନ୍ତି । ତୋରଣର କାରିଗରୀ ସହ ତାଳ ଦେଇ ସେଥିରେ ରଙ୍ଗିନ୍ ଆଲୋକମାଳା ସଜାଯିବ । ତେଣୁ ଏଥରେ ଆଲୋକ ସଜ୍ଜା ପାଇଁ ମଧ୍ୟ କୋଲକାତାରୁ ଲାଇଟ୍ ମିସ୍ତ୍ରୀମାନେ ଆସିଛନ୍ତି । ସେମାନେ କିଛି ନୂଆ ଡିଜାଇନ୍ର ଲାଇଟ୍ରେ ତୋରଣକୁ ଅଧିକ ଆକର୍ଷଣୀୟ କରିବେ । ଏନେଇ କମିଟି ସଭାପତି କହିଛନ୍ତି, “ଚଳିତ ବର୍ଷ କମିଟି ପକ୍ଷରୁ ତୋରଣକୁ ଗୁରୁତ୍ଵ ଦିଆଯାଇଥିବାବେଳେ ପୂଜାର ମୁଖ୍ୟ ଆକର୍ଷଣ ମା’ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ ଉପରେ ମଧ୍ଯ ପ୍ରାଧାନ୍ୟ ଦିଆଯାଇଛି । ଓଡ଼ିଆ ମୂର୍ତ୍ତିକାର କଟକର ସିତନ ବେହେରା ଓ ତାଙ୍କ ସାଥୀମାନେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଗଢୁଛନ୍ତି । ଏଥର ମା’ଙ୍କ ମୂର୍ତ୍ତିର ଉଚ୍ଚତା ୧୦ ଫୁଟ୍ ଏବଂ ମେଢ଼ର ଉଚ୍ଚତା ରହିଛି ୧୮ ଫୁଟ୍ । ସବୁଥର ଭଳି ଏଥର ବି ମା’ଙ୍କ ମସ୍ତକରେ ଝଟିକିବ ୭ କିଲୋ ବିଶିଷ୍ଟ ତାରକସି କାମର ଚାନ୍ଦି ମୁକୁଟ । ବିଧୂ ଅନୁସାରେ ଜନ୍ମାଷ୍ଟମୀରେ ମାଟି ଅନୁକୂଳ ସରିଛି । ଦଶହରା ପୂଜାର ଷଷ୍ଠୀଠାରୁ ଏଠାରେ ପୂଜାର୍ଚ୍ଚନା ଆରମ୍ଭ ହେବ । ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟାରେ ଖେଚୁଡ଼ି ଭୋଗ ଲାଗି କରାଯାଇ ବଣ୍ଟନ କରାଯିବ । ପରମ୍ପରା ଅନୁସାରେ ଅଷ୍ଟମୀ ଦିନ ମହିଳାମାନେ ଶାଢ଼ି ପୂଜା କରିବେ । ସେଦିନ ୨ ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଉଛି ।”