32.1 C
Bhubaneswar
Monday, May 27, 2024
Homeଓଡିଶାଆଜି ୮ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି

ଆଜି ୮ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର:  ରାଜ୍ୟରେ ଅଭାବୀ ବର୍ଷା ଭରଣା କରୁଛି ଲଘୁଚାପ । ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟରେ ଅଭାବୀ ବର୍ଷା ପରିମାଣ ୩୧% ଥିଲା ବେଳେ ଏବେ ତାହା ଖସି ୨୬%ରେ ପହଞ୍ôଚଛି । ସେପ୍ଟେମ୍ବର ପହିଲାରୁ ରାଜ୍ୟକୁ ବର୍ଷା ପରିମାଣ ବଢ଼ିଥିବାବେଳେ କ୍ରମାଗତ ଭାବେ ୨ଟି ଲଘୁଚାପର ପ୍ରଭାବ ସିଧାସଳଖ ଭାବେ ରାଜ୍ୟ ଉପରେ ପଡ଼ିଛି । ଏହି ସ୍ଥିତିରେ ପାଣିପାଗ ବିଶେଷଜ୍ଞ ତଥା ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ସଦୃଶ ପୂର୍ବକେନ୍ଦ୍ରୀୟ ତଥା ତତସଂଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗରରେ ଶନିବାର ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ହେବା ସହ ଏହା ଏବେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରୁଛି ।

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ୧୫ ତାରିଖ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କତା ଜାରି କରିଛି ।
୧୨ ତାରିଖରେ ଅତି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଜିଲ୍ଲାଗୁଡ଼ିକ ହେଲା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଯାଜପୁର ଓ ଭଦ୍ରକ । ସେହିଭଳି ଗଞ୍ଜାମ, ବାଲେଶ୍ୱର, ନୟାଗଡ଼, ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ସୋନପୁର, ବଲାଙ୍ଗିର ଓ ମୟୂରଭଞ୍ଜ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଆଗାମୀ୧୩ ତାରିଖରେ ଅତି ପ୍ରବଳ ବର୍ଷା ନେଇ ଅନୁଗୁଳ, ଦେବଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗିର ଓ ସୋନପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ତଳିଆ ଅଞ୍ଚଳର ଚାଷ ଜମି ଜଳମଗ୍ନ ହେବା ସହ ମାଟି ରାସ୍ତା କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି ।

କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୂଆପଡ଼ା, କଟକ, ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଦିଆଯାଇଛି । ସେହିପରି ୧୪ ତାରିଖରେ ପ୍ରବଳ ବର୍ଷା ନେଇ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଲଘୁଚାପ ପାଇଁ ୧୨ରୁ ୧୫ ତାରିଖ ଯାଏଁ ସମୁଦ୍ର ଅଶାନ୍ତ ରହିବ । ଗଭୀର ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀ ୧୧ ତାରିଖ ସନ୍ଧ୍ୟା ସୁଦ୍ଧା କୂଳକୁ ଫେରି ଆସିବାକୁ କୁହାଯାଇଛି । ଉତ୍ତର ଓ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ସହ ଉପକୂଳ ଓଡ଼ିଶାରେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି । ଝଟକା ପବନ ବେଗ ୬୦ରୁ ୬୫ କିମି ରହିବା ଯାଏଁ ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ସୂଚନାଥାଉ କି, ଗତ ୨୪ ଘଣ୍ଟାରେ ରାଜ୍ୟରେ ପ୍ରାୟ ୧୫.୪ ମିମି ବର୍ଷା ହୋଇଥିବାବେଳେ ରାଜ୍ୟରେ ଜୁନ୍ ୧ରୁ ଏବେ ସୁଦ୍ଧା ମୋଟ ୭୫୮.୭ ମିମି ବର୍ଷା ହୋଇଛି । ଏହି ସମୟରେ ସ୍ୱାଭାବିକ ବର୍ଷା ୧୦୨୫ ମିମି ହେବା କଥା ହେଲେ ବର୍ଷା ପରିମାଣ କମିଥିବାରୁ ୨୬% ଅଭାବୀ ରହିଛି । ରାଜ୍ୟର ୧୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବାବେଳେ ୧୯ ଜିଲ୍ଲାରେ ସ୍ଥିତି ଅଭାବୀ ରହିଛି । ୫ ଜିଲ୍ଳାରେ ୪୦%ରୁ ଅଧିକ ନିଅଣ୍ଟ ବର୍ଷା ରେକର୍ଡ ହୋଇଛି । ଜିଲ୍ଲାଗୁଡ଼ିକ ମଧ୍ୟରେ ଭଦ୍ରକ, ଯାଜପୁର, ବଲାଙ୍ଗୀର, ଝାରସୁଗୁଡ଼ା ଓ ସମ୍ବଲପୁର ରହିଛି । ବାକି ୧୪ ଜିଲ୍ଲାରେ ଅଭାବୀ ବର୍ଷା ପରିମାଣ ୨୦ରୁ ୪୦% ମଧ୍ୟରେ ରହିଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ତେବେ ରାଜ୍ୟରେ ମୌସୁମୀ ଜନିତ ବର୍ଷା କ୍ରମାଗତ ଭାବେ ନୈରାଶଜନକ ରହିଥିବାବେଳେ ଆଗକୁ ଭଲ ବର୍ଷା ହେବା ନେଇ ଆକଳନ କରାଯାଉଛି । ଅଭାବୀ ବର୍ଷା ସକାଶେ ରାଜ୍ୟରେ ଚାଷ କାର୍ଯ୍ୟ ବ୍ୟାପକ ଭାବେ ବାଧାପ୍ରାପ୍ତ ହୋଇଥିବାବେଳେ ଏବେ ବଢ଼ିଥିବା ବର୍ଷା ଚାଷ କାର୍ଯ୍ୟ ତ୍ୱରାନ୍ୱିତ କରିବା ଆଶଙ୍କା ଥିବା ପାଣିପାଗ ବିଶେଷଜ୍ଞମାନେ ମତ ରଖିଛନ୍ତି । ଆସନ୍ତା ୧୮ ତାରିଖରୁ ରାଜ୍ୟରେ ଆଉ ଏକ ଲଘୁଚାପ ହେବର ସମ୍ଭାବନା ସୃଷ୍ଟି ହୋଇଛି । ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଲଘୁଚାପରେ ପରିଣତ ହେବ । ଏହା ସେପ୍ଟେମ୍ବର ମାସର ତୃତୀୟ ଲଘୁଚାପ ହେବ ।

ଏହାଦ୍ୱାରା ସାରା ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ହେବା ଆଶଙ୍କା ରହିଛି । ସାଧାରଣ ଭାବେ ସେପ୍ଟେମ୍ବର ମାସରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥାଏ । କିନ୍ତୁ ଚଳିତବର୍ଷ ଉତ୍ତର ବଙ୍ଗୋପସାଗରରେ ସେପ୍ଟେମ୍ବରରେ ଲଘୁଚାପ ହେବ । ଏହା ସାଧାରଣ ଭାବେ ସ୍ୱାଭାବିକ ନୁହେଁ । କିନ୍ତୁ ଲଘୁଚାପ ଯୋଗୁ ବର୍ଷା ହେଲେ ବି ରାଜ୍ୟରେ ଅଗଷ୍ଟ ମାସ ଯାଏ ହୋଇଥିବା ନିଅଣ୍ଟିଆ ବର୍ଷାର ପରିମାଣ ଭରଣା ହୋଇପାରେ ବୋଲି ପାଣିପାଗ ବିଷାରଦମାନେ ପୂର୍ବାନୁମାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking