ଚେନ୍ନାଇ: କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍) ୧୦ ବର୍ଷ ପରେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ଟାଇଟଲ୍ ଜିତିଛି । ଶ୍ରେୟସ୍ ଆୟର୍ଙ୍କ ନେତୃତ୍ୱାଧୀନ କେକେଆର୍ ରବିବାର ଅନୁଷ୍ଠିତ ଚଳିତ ସିଜନ୍ର ଏକତରଫା ଫାଇନାଲ୍ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ (ଏସ୍ଆର୍ଏଚ୍)କୁ ୮ ୱିକେଟ୍ରେ ହରାଇ ଲିଗ୍ ଇତିହାସରେ ତୃତୀୟ ଥର ପାଇଁ ଚାମ୍ପିଅନ୍ ହୋଇଛି । ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ରବିବାର ଖେଳାଯାଇଥିବା ଫାଇନାଲ୍ରେ ପ୍ୟାଟ୍ କମିନ୍ସଙ୍କ ନେତୃତ୍ୱାଧୀନ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିଲା । ତେବେ କମିନ୍ସଙ୍କ ଏହି ନିଷ୍ପତ୍ତି ଭୁଲ୍ ସାବ୍ୟସ୍ତ ହୋଇଥିଲା ଏବଂ ଟିମ୍ ମାତ୍ର ୧୮.୩ ଓଭର୍ରେ ୧୧୩ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ଜବାବରେ କୋଲ୍କାତା ୧୦.୩ ଓଭର୍ରେ ଦୁଇଟି ୱିକେଟ୍ ବିନିମୟରେ ୧୧୪ ରନ୍ କରି ମ୍ୟାଚ୍ ସହିତ ଟାଇଟଲ୍ ନିଜ ନାମରେ କରିନେଇଛି । କୋଲ୍କାତା ପକ୍ଷରୁ ଭେଙ୍କଟେଶ ଆୟର୍ ୨୬ ବଲ୍ରେ ଧୂଆଁଧାର ୫୨ ରନ୍ର ଅପରାଜିତ ଇନିଂସ୍ ଖେଳିଥିଲେ । ତାଙ୍କର ଏହି ଇନିଂସ୍ରେ ୪ ଚୌକା ଓ ୩ ଛକା ସାମିଲ ଥିଲା । ସେହିପରି ଓପ୍ନର୍ ରହମତୁଲ୍ଲାହ ଗୁରବାଜ୍ ୩୨ ରନ୍ରେ ୫ ଚୌକା ଓ ଦୁଇଟି ଛକା ସହାୟତାରେ ୩୯ ରନ୍ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ପ୍ୟାଟ୍ କମିନ୍ସ ଓ ଶାହବାଜ ଅହମଦ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଏହା ଆଇପିଏଲ୍ ଇତିହାସର ପ୍ଲେଅଫ୍/ନକ୍ଆଉଟ୍ରେ ସର୍ବବୃହତ୍ ବିଜୟ । ସେହିପରି ଲିଗ୍ରେ କେକେଆର୍ର ଦ୍ୱିତୀୟ ବଡ଼ ବିଜୟ । ୧୦୦ରୁ ଊର୍ଦ୍ଧ୍ୱ ରନ୍ର ସ୍କୋର୍ ଚେଜ୍ କରିବାରେ ମଧ୍ୟ ଦ୍ୱିତୀୟ ବଡ଼ ବିଜୟ ।
ପୂର୍ବରୁ ଟସ୍ ଜିତି ବ୍ୟାଟିଂ ନେଇଥିବା ହାଇଦ୍ରାବାଦର ବ୍ୟାଟର୍ମାନେ ପ୍ରଥମରୁ ହିଁ ବିଫଳ ହୋଇଥିଲେ । ମିଚେଲ୍ ଷ୍ଟାର୍କ ପ୍ରଥମ ଓଭର୍ରେ ଓପ୍ନର୍ ଅଭିଷେକ ଶର୍ମା (୨)ଙ୍କୁ ଆଉଟ୍ କରିବା ପରେ ଦ୍ୱିତୀୟ ଓଭର୍ରେ ବୈଭବ ଆରୋରା ଅନ୍ୟତମ ଓପ୍ନର୍ ଟ୍ରାଭିସ୍ ହେଡ୍ଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରାଇଥିଲେ । ରାହୁଲ ତ୍ରିପାଠୀ (୯) ଷ୍ଟାର୍କଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ମଧ୍ୟକ୍ରମରେ ଆଇଦେନ୍ ମାର୍କରମ୍ ୨୦, ନୀତୀଶ ରେଡ୍ଡି ୧୩ ଏବଂ ମାଇକେଲ୍ କ୍ଲାସେନ୍ ୧୬ ରନ୍ କରିଥିଲେ । ପ୍ୟାଟ୍ କମିନ୍ସ ୨୪ ରନ୍ର ଇନିଂସ୍ ଖେଳି ଟିମ୍ର ସ୍କୋର୍ ୧୦୦ ରନ୍ ପାର କରାଇବା ପରେ ଶେଷ ୱିକେଟ୍ ଭାବେ ଆନ୍ଦ୍ରେ ରସେଲ୍ଙ୍କ ତୃତୀୟ ଶିକାର ହୋଇଥିଲେ । କୋଲ୍କାତା ପକ୍ଷରୁ ରସେଲ୍ ୩ଟି, ଷ୍ଟାର୍କ ଓ ହର୍ଷିତ ରାଣା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ବୈଭବ ଆରୋରା ଏବଂ ବରୁଣ ଚକ୍ରବର୍ତ୍ତୀଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।
ସୂଚନାଯୋଗ୍ୟ କୋଲ୍କାତା ନାଇଟ୍ ରାଇଡର୍ସ ଏହା ପୂର୍ବରୁ ଆଇପିଏଲ୍ ସିଜନ୍ର ୨୦୧୨ ଏବଂ ୨୦୧୪ ସିଜନ୍ର ଫାଇନାଲ୍ରେ ପ୍ରବେଶ କରିଥିଲା ଏବଂ ଉଭୟ ଥର ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ ଚାମ୍ପିଅନ୍ ହୋଇଥିଲା । ଏହାପରେ ଟିମ୍ ୨୦୨୧ରେ ଇଓନ୍ ମୋର୍ଗାନ୍ଙ୍କ ନେତୃତ୍ୱରେ ଫାଇନାଲ୍ରେ ପ୍ରବେଶ କରିଥିଲେ ମଧ୍ୟ ଚେନ୍ନାଇ ସୁପର୍ କିଙ୍ଗ୍ସ ହାତରୁ ପରାଜିତ ହୋଇଥିଲା । ଅନ୍ୟପକ୍ଷରେ ସନ୍ରାଇଜର୍ସ ହାଇଦ୍ରାବାଦ ୨୦୧୬ ସିଜନ୍ର ଫାଇନାଲ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)କୁ ହରାଇ ଚାମ୍ପିଅନ୍ ହୋଇଥିଲା । ଏହା ପୂର୍ବରୁ ହାଇଦ୍ରାବାଦ ୨୦୦୨ରେ ଟାଇଟଲ୍ ଜିତିଥିଲେ ମଧ୍ୟ ସେତେବେଳେ ଟିମ୍ର ନାମ ଡେକାନ୍ ଚାର୍ଜର୍ସ ଥିଲା ଏବଂ ଟିମ୍ର ମାଲିକ ମଧ୍ୟ ଅନ୍ୟ ଜଣେ ଥିଲେ ।