31.1 C
Bhubaneswar
Monday, June 17, 2024
Homeଓଡିଶାବିଜେଡି ଗାଡିରେ ୮୪କେଜି ଗଞ୍ଜେଇ ଆସିଲା କୁଆଡୁ? : ଅନିଲ ବିଶ୍ୱାଳ

ବିଜେଡି ଗାଡିରେ ୮୪କେଜି ଗଞ୍ଜେଇ ଆସିଲା କୁଆଡୁ? : ଅନିଲ ବିଶ୍ୱାଳ

– ବିଜେଡିର “ଘରେ ଘରେ ଶଙ୍ଖ”ର ଅର୍ଥ ହେଉଛି “ଘରେ ଘରେ ମଦ, ଗଞ୍ଜେଇ”
– “ଯୋଡି ଶଙ୍ଖ”ର ଅର୍ଥ “ଗଞ୍ଜେଇ ଓ ମଦ”
– ନବୀନ ବାବୁ ନିଜେ ଗଞ୍ଜେଇ ମାଫିଆ ଭାବରେ ଯାହାଙ୍କ ନାମ ଉଲ୍ଲେଖ କରିଥିଲେ ତାଙ୍କର ଧର୍ମପତ୍ନୀଙ୍କୁ ବିଜେଡି ଟିକେଟ୍ ଦେଲେ

ଭୁବନେଶ୍ୱର : ବ୍ରହ୍ମପୁରରେ ବିଜୁ ଜନତା ଦଳର ଦଳୀୟ ଗାଡିରୁ ୮୪କେଜି ଗଞ୍ଜେଇ ଜବତ ହୋଇଛି । ସେହି ଗାଡିରେ ଆଗ ଓ ପଛରେ ବିଜେଡିର ଶଙ୍ଖ ଚିହ୍ନ ଲଗାଯାଇଛି । ଏହା ପ୍ରମାଣିତ କରୁଛି ଯେ, ନିର୍ବାଚନ ସମୟରେ ବ୍ୟାପକ ପରିମାଣର ଗଞ୍ଜେଇ ବଂଟନ କରିବା ବିଜେଡି ଷଡଯନ୍ତ୍ର କରିଛି । ବିଜେଡିର ଚିହ୍ନ ଥିବା ଗାଡିରୁ ଏତେ ପରିମାଣରେ ଗଞ୍ଜେଇ ଜବତ ହେବା ପରେ ବି ବିଜେଡିର କୌଣସି ନେତା ମୁହଁ ନଖୋଲିବା ପ୍ରମାଣିତ କରୁଛି ଯେ, ନିଶ୍ଚିତଭାବେ ଏହି ଗଞ୍ଜେଇ ଚୋରା ଚାଲଣରେ ବିଜେଡିର ସଂପୃକ୍ତି ରହିଛି । ଆଗରୁ ବିଜେଡିର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ନିଜର ଇସ୍ତଫା ପତ୍ରରେ ବିଜେଡି ଖଣ୍ଡପଡାରୁ ଜଣେ ଗଞ୍ଜେଇ ମାଫିଆଙ୍କ ପତ୍ନୀଙ୍କୁ ଟିକେଟ୍ ଦେଇଛି ବୋଲି ଅଭିଯୋଗ କରିଥିଲେ । କେବଳ ସେତିକି ନୁହେଁ ବିଧାନସଭାରେ ନବୀନ ବାବୁ ଦିନେ ଗଞ୍ଜେଇ ମାଫିଆ ଭାବରେ ଯାହାଙ୍କ ନାମ ଉଲ୍ଲେଖ କରିଥିଲେ ତାଙ୍କର ଧର୍ମପତ୍ନୀଙ୍କୁ ସେ ବିଜେଡି ଟିକେଟ୍ ଦେଲେ, ଯାହା ପ୍ରମାଣିତ କରୁଛି ଯେ, ବିଜେଡି ଓ ଗଞ୍ଜେଇ ମାଫିଆଙ୍କ ସମ୍ପର୍କ ବେଶ୍ ଘନିଷ୍ଠ । ଆଗରୁ ବିଜେଡି ନିର୍ବାଚନ ଜିତିବା ପାଇଁ ହିଂସା ଓ ବ୍ୟାପକ କଳା ଟଙ୍କା ସହ ମଦର ସାହାରା ନେଉଥିଲା । ଏବେ ବିଜେଡି ପାଇଁ ନୂଆ ସାହାରା ଗଞ୍ଜେଇ ବୋଲି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି।

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଯାଜପୁର ଜିଲ୍ଲାରେ ଝୁମୁରୀ ପାତ୍ର ନାମକ ଜଣେ ମହିଳାଙ୍କୁ ବ୍ରାଉନ ସୁଗାର କାରବାରରେ ଗିରଫ କରାଯାଇଥିଲା । ବିଜେଡିର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କର ଘନିଷ୍ଠ ସହଯୋଗୀ ଝୁମୁରୀଙ୍କ ଉପରେ ବିଜେଡିର ସୁରକ୍ଷା କବଚ ଥିଲା । ସେହିଭଳି ଜଗତସିଂହପୁର ଜିଲ୍ଲାରେ ବ୍ରାଉନସୁଗାର ବ୍ୟବସାୟରେ ୫ଜଣ ଗିରଫ ହୋଇଥିଲେ । ସମସ୍ତେ ବିଜୁ ଛାତ୍ର ଜନତା ଦଳର ନେତା ଥିଲେ । ସେହିଭଳି ଜଳେଶ୍ୱର ଥାନାର ତତ୍‌କାଳୀନ ଆଇଆଇସି ମଧ୍ୟ ବ୍ରାଉନସୁଗାର ବେପାରୀଙ୍କୁ ସୁରକ୍ଷା ଦେଉଥିବାର ଏକ ଫୋନ ରେକର୍ଡିଂ ଗଣମାଧ୍ୟମେ ପ୍ରସାରିତ ହୋଇଥିଲା । ଏଥିରେ ବିଜେଡିର କିଛି ନେତାଙ୍କ ବିଷୟରେ ଉଲ୍ଲେଖ ଥିଲା । “ଆମ ଓଡ଼ିଶା ନବୀନ ଓଡିଶା”ର ଗତି କୁଆଡେ । ଓଡ଼ିଶାକୁ ଗଞ୍ଜେଇ, ବ୍ରାଉନସୁଗାରର ହବ୍ କରିବା ପାଇଁ ଚାହୁଁଛନ୍ତି କି ମୁଖ୍ୟମନ୍ତ୍ରୀ?

ଏବେ ନିର୍ବାଚନ ଚାଲିଛି । ମେ ୧ ରୁ ୨୩ତାରିଖ, ମାତ୍ର ୨୩ ଦିନ ଭିତରେ ଓଡ଼ିଶାରୁ ୨ ଲକ୍ଷ ୪୯ ହଜାର ୫୧୦ ଲିଟର ଚୋରା ବିଷାକ୍ତ ମଦ ଧରାପଡିଛି । ସେହିଭଳି ୪୧୦ କିଗ୍ରା ଭାଙ୍ଗ, ୨୯୫୧ କିଗ୍ରା ଗଞ୍ଜେଇ, ୨୫୫୮ ଗ୍ରାମର ହେରୋଇନ୍ ଜବତ ହୋଇଛି । ମାତ୍ର ୨୩ ଦିନ ଭିତରେ ଏତେ ବିପୁଳ ପରିମାଣର ନିଶା ଜବତ ହେବା ଘଟଣାରୁ ଅନୁମାନ କରାଯାଇ ପାରେ ଯେ, ଓଡ଼ିଶାର ସ୍ଥିତି କେତେ ସଙ୍ଗୀନ! ବିନା ଶାସକ ଦଳର ସମ୍ପୃକ୍ତିରେ ଏହା କଦାପି ସମ୍ଭବ ନୁହେଁ । ବିଜେଡିର “ଘରେ ଘରେ ଶଙ୍ଖ” ଶ୍ଳୋଗାନକୁ ସେମାନେ “ଘରେ ଘରେ ଗଞ୍ଜେଇ ଆଉ ମଦ” କରିବା ପାଇଁ ଚାହୁଁଛନ୍ତି । ଯୋଡି ଶଙ୍ଖକୁ ଭୋଟ ଦିଅ ବୋଲି ବିଜେଡିର ଗୁମାସ୍ତା ଭିକେ ପାଣ୍ଡିଆନ ବୁଲି ବୁଲି ପ୍ରଚାର କରୁଛନ୍ତି । ବାସ୍ତବରେ “ଯୋଡି ଶଙ୍ଖ”ର ଅର୍ଥ “ଗଞ୍ଜେଇ ଓ ମଦ” ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking