ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅଞ୍ଚଳରେ ଜଣେ ବେଆଇନ କାଠ ଚାଲାଣକାରୀଙ୍କୁ ପୁଲିସ ଧରିବା ପରେ ୨୦ ହଜାର ଟଙ୍କା ଲାଞ୍ଚ ନେବା ଭିଡିଓ ଭାଇରଲ ଘଟଣାରେ ରବିବାର ଲାଞ୍ଚ ନେଇଥିବା ୩ଜଣ ପୁଲିସ କର୍ମଚାରୀକୁ ସମ୍ବଲପୁର ଏସ୍ପି କନଓ୍ଵର ବିଶାଳ ସିଂ ନିଲମ୍ବନ କରିଥିଲେ । ଯୁଯୁମରା ଥାନାର ହାବିଲଦାର ବିରଞ୍ଚି ବେହେରା, ଡ୍ରାଇଭର ଜଗନ୍ନାଥ ଜେନା ଓ କନେଷ୍ଟବଳ ପ୍ରଶାନ୍ତ ପ୍ରଧାନଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଥାନା ଅଧିକାରୀ ଲୋକନାଥ ସାହୁଙ୍କୁ ପୁଲିସ ହେଡ କ୍ବାର୍ଟର୍ସକୁ ବଦଳି କରାଯାଇଛ।
ସୂଚନା ଅନୁଯାୟୀ, ଗତ ବୁଧବାର ଯୁଯୁମୁରା ଥାନା ବାଗଦଫା ଗ୍ରାମର ଶ୍ରୀ ଦୁତିଆଚାନ୍ଦ ଘର ଦୁଆର ବନ୍ଧ ପାଇଁ ନିକଟସ୍ଥ ଜଙ୍ଗଲରୁ ଏକ ବିଜା ଗଛ କାଟି ବାଇକ୍ ଯୋଗେ ଘରକୁ ଆଣୁଥିଲେ। ଏହି ସମୟରେ ବାଗଦଫା ଗ୍ରାମ ବନଦୁର୍ଗା ମନ୍ଦିର ସମ୍ମୁଖରେ ଯୁଯୁମୁରା ଥାନାର ଗାଡ଼ି ସହ ସେ ମୁହାଁମୁହିଁ ହୋଇଥିଲେ। ତେବେ ବେଆଇନ୍ କାଠ ଚାଲାଣ କରୁଥିବାରୁ ଉପସ୍ଥିତ ପୁଲିସ୍ ତାଙ୍କୁ ଉଠେଇନେବା ସହ କାଠ ଚାଲାଣ ହେଉଥିବା ଗାଡ଼ିକୁ ମଧ୍ୟ ଜବତ କରିଥିଲା। ମାତ୍ର କିଛି ବାଟ ଯିବା ପରେ ଦୁତିଆଚାନ୍ଦ ମାମଲା ରଫାଦଫା କରିବାକୁ ଅନୁରୋଧ କରିଥିଲେ। ତେବେ ଗାଡ଼ିର ଦାମ୍ ୫୦ ହଜାର ଟଙ୍କା ହୋଇଥିବାରୁ ୪୦ ହଜାର ଟଙ୍କା ଦେଲେ ମାମଲା ରଫାଦଫା କରିବା ସାଙ୍ଗକୁ ଗାଡ଼ି ମଧ୍ୟ ଫେରସ୍ତ କରିବାକୁ ପୁଲିସ୍ ପ୍ରତିଶ୍ରୁତି ଦେଇଥିଲା। ତେବେ ଆପୋଷ ଆଲୋଚନା ପରେ ୨୦ ହଜାର ଟଙ୍କାରେ କଥା ଛିଣ୍ଡିଥିଲା।