28.1 C
Bhubaneswar
Saturday, April 27, 2024
Homeଓଡିଶାଅବ୍ୟବସ୍ଥାରେ କଟଙ୍ଗପାଣି ସେବାଶ୍ରମ

ଅବ୍ୟବସ୍ଥାରେ କଟଙ୍ଗପାଣି ସେବାଶ୍ରମ

ଜମନକିରା : ଅବ୍ୟବସ୍ଥାରେ ଚାଲିଛି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ କଟଙ୍ଗପାଣି ସେବାଶ୍ରମ ସ୍କୁଲ୍ । ସେଠାରେ ଛାତ୍ରଛାତ୍ରୀଙ୍କୁ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନଥିବା ଅଞ୍ଚଳବାସୀ ଅଭିଯୋଗ କରିିଛନ୍ତି ।
ସୂଚନାଯୋଗ୍ୟ ଯେ, କଟଙ୍ଗପାଣି ସେବାଶ୍ରମ ସ୍କୁଲରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ମୋଟ ଛାତ୍ରଛାତ୍ରୀ ୨୨୦ଜଣ ରହିଛନ୍ତି । ତେବେ ଶ୍ରେଣୀ ଗୃହର ଅଭାବ ଯୋଗୁଁ ଗୋଟିଏ କୋଠରୀରେ ୩ ଟି ଶ୍ରେଣୀର ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ଅନ୍ୟ ଏକ କୋଠରୀରେ ଦ୍ୱିତୀୟ ଓ ପଞ୍ଚମ ଶ୍ରେଣୀରେ ଏକାଠି ବସି ପାଠ ପଢ଼ୁଛନ୍ତି । ଯଦ୍ୱାରା ଜଣେ ଶିକ୍ଷକ ଗୋଟିଏ ଶ୍ରେଣୀର ପାଠ ପଢ଼ାଇବା ବେଳେ ଅନ୍ୟ ଛାତ୍ରୀଛାତ୍ରମାନେ ଅସୁବିଧାରେ ପଢ଼ିବାକୁ ବାଧ୍ୟ ହେଉଛନ୍ତି । ଗତ ଦେଢ଼ ବର୍ଷ ତଳେ ସ୍କୁଲ ପରିସରରେ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ପାନୀୟ ଜଳ ପିଇବା ପାଇଁ ୨ ଲକ୍ଷ ଟଙ୍କାରେ ଏକ ବଡ଼ (ଆର୍‌ଓ)ମେସିନ ବସା ଯାଇଥିବା ବେଳେ ଅଦ୍ୟାବଧି ତାହା କାର୍ଯ୍ୟକ୍ଷମ ହୋଇପାରିନାହିଁ । ଦାୟିତ୍ୱରେ ଥିବା ତତ୍କାଳୀନ ଜଣେ ପ୍ରଧାନ ଶିକ୍ଷକ ଉକ୍ତ ପାନୀୟ ପ୍ରକଳ୍ପକୁ ଅନୁମୋଦନ କରିଥିବା ବେଳେ ତାହା କାର୍ଯ୍ୟକାରୀ ହେଉନଥିବା କଥା ଅଭିଭାବକ ମହଲରେ ଏପରି କାର୍ଯ୍ୟକୁ ଦାୟିତ୍ୱ ହୀନତା ବୋଲି କହୁଛନ୍ତି । ଯଦ୍ୱାରା ପ୍ରକଳ୍ପଟି ବର୍ଷେ ହେଲା ଅକାମୀ ହୋଇ ରହିଛି । ଏମିତିକି ଜଳ ନିଷ୍କାସନ ମଧ୍ୟ ଠିକ୍‌ରେ ହୋଇ ପାରୁନଥିବା ଅଭିଯୋଗ ହେଉଛି । ସ୍କୁଲ କୋଠରୀ ଓ ବାରଣ୍ଡା ଗୁଡ଼ିକ ନିମ୍ନମାନର ହୋଇଥିବା ଯୋଗୁଁ ସମସ୍ତ ଚଟାଣର ସିମେଣ୍ଟ ଉଠି ବିପଦ ସଂକୁଳ ସମସ୍ୟା ସୃଷ୍ଟି କରୁଛି । ଛାତ୍ରଛାତ୍ରୀମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଅନ୍ୟ ପକ୍ଷରେ ଏଠାରେ ଉଭୟ ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରାବାସ ରହିଛି । ବାଳିକା ନିବାସରେ ୭୪ ଜଣ ରହି ଆସୁଥିବା ବେଳେ ବାଳକ ନିବାସରେ ୬୦ ଜଣ ଛାତ୍ର ରହି ଆସୁଛନ୍ତି । ତେବେ ଉଭୟ ଛାତ୍ରଛାତ୍ରୀଙ୍କ ଛାତ୍ରାବାସରେ ରହିଛି ଅନେକ ସମସ୍ୟା । ଡାଇନିଂ ହଲରେ ଏକ ବୋରୱେଲ ଖରାପ ହୋଇ ପଡ଼ିଥିବା ବେଳେ ସେଥିରେ ଲାଗିଥିବା ମୋଟର ପାଇପ ଅଧାରେ ଛିଣ୍ଡି ରହିଛି । ଯଦ୍ୱାରା ଡାଇନିଂ ହଲଟି ଅବ୍ୟବହାର ହୋଇ ପଡ଼ିରହିଛି । ପିଲାମାନେ ଏପଟେ ସେପଟେ ଦୂଷିତ ପରିବେଶରେ ଯାଇ ଭୋଜନ ଖାଉଥିବା ଦେଖାଯାଇଛି । ଏଥିସହ ଶୌଚ ପାଇଁ ଗାଧୁଆ ଓ ପାଇଖାନା ଘର ରହିଥିବା ବେଳେ ତାହା ମଧ୍ୟ ଖରାପ ସ୍ଥିତିରେ ରହିଛି । ଛାତ୍ରଛାତ୍ରୀମାନେ ସ୍କୁଲ ପରିସରରେ ଯାଇ ଶୌଚ କରୁଛନ୍ତି । ତାହା ଅତ୍ୟନ୍ତ ପୁତି ଗନ୍ଧମୟ ଯୁକ୍ତ ପରିବେଶ ସୃଷ୍ଟି କରୁଛି । ଅନ୍ୟପଟେ ଛାତ୍ରାବାସ ଗୁଡ଼ିକ ଅନେକ ବର୍ଷ ହେବ ନିର୍ମାଣ କରାଯାଇଥିବା ବେଳେ କବାଟ ଝରକା ଗୁଡ଼ିକ କଳଙ୍କ ଲାଗି ଅଧାର ଅଧିକ ଭାଙ୍ଗି ନଷ୍ଟ ହୋଇଗଲାଣି । ସାପ, ବିଛା ଓ ଅନ୍ୟ ବିଷାକ୍ତ କୀଟ ପତଙ୍ଗଙ୍କ ଚରାଭୂଇଁ ପାଲିଟି ଯାଇଥିବା ଅଭିଯୋଗ ହେଉଛି । ଛାତ୍ରାବାସ ସମ୍ନାକୁ ଲାଗି ଅନେକ ବର୍ଷ ହେଲା ଏକ ପୁରୁଣା କୋଠା ରହିଥିବା ବେଳେ ସଦାବେଳେ ଛାତ୍ରମାନେ ଉକ୍ତ ସ୍ଥାନରେ ଖେଳା ବୁଲା କରୁଛନ୍ତି । ଯଦ୍ୱାରା ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ପିଲାମାନେ ଚଢ଼ିଲା ବେଳେ ଯଦି ସାବଧାନତା ଅବଲମ୍ବନ ନକରନ୍ତି, ତାହେଲେ ବିପଦାମୁଖୀ ହେବାର ସମ୍ଭାବନା ରହିଛି । ଏଭଳି ଅବବ୍ୟସ୍ଥା ଓ ବିପଦରେ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଶିକ୍ଷାଦାନ କରୁଛନ୍ତିି । ଏସମସ୍ୟା ବହୁ ଦିନରୁ ରହିଥିବା ବେଳେ ଅଭିଭାବକ ଓ ଗ୍ରାମବାସୀମାନେ ବିଭାଗ ଅଧିକାରୀଙ୍କ ବହୁବାର ଅଭିଯୋଗ କରିଆସୁଛନ୍ତି । ତେବେ ବିଭାଗ ପକ୍ଷରୁ ସ୍କୁଲକୁ ସମ୍ପୂର୍ଣ୍ଣଭାବେ ଅଣଦେଖା କରାଯାଉଛି । ପ୍ରତିକାର ବ୍ୟବସ୍ଥା କରାଯାଉନାହିଁ । ଆଗାମୀ ଦିନରେ ଏହାର ସ୍ଥାୟୀ ପ୍ରତିକାର କରାନଗଲେ ସ୍କୂୁଲରେ ତାଲା ପକାଯିବ ବୋଲି ଗାଁ କମିଟି ପକ୍ଷରୁ ଦାବି କରାଯାଉଛି ।
ଏ ସଂକ୍ରାନ୍ତରେ କୁଚିଣ୍ଡା ଆଟିଡିଏ ପ୍ରକଳ୍ପ ପ୍ରଶାସକ ବିଭାଗ ଅଧିକାରୀ ପବିତ୍ର ବେହେରାଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ଫୋନ ଉଠେଇନଥିଲେ । ପରେ ଉପଜିଲ୍ଲାପାଳ ବିଶ୍ୱରଞ୍ଜନ ନାଏକଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ଖୁବଶୀଘ୍ର ପ୍ରତିକାର ବ୍ୟବସ୍ଥା କରିବେ ବୋଲି ପ୍ରକାଶ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking