30.1 C
Bhubaneswar
Friday, April 26, 2024
Homeଓଡିଶାଦାରିଙ୍ଗବାଡ଼ିରେ ପାରଦ ୨ଡିଗ୍ରୀ ହ୍ରାସ

ଦାରିଙ୍ଗବାଡ଼ିରେ ପାରଦ ୨ଡିଗ୍ରୀ ହ୍ରାସ

ଦାରିଙ୍ଗବାଡ଼ି : ଅସହ୍ୟ ଶୀତରେ ଥରୁଛି ସାରା ଦାରିଙ୍ଗବାଡ଼ି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅଂଚଳରେ ମେଘୁଆ ପାଗ ଛାଡ଼ିଯିବା ପରେ ଗତ ବୁଧବାର ରାତି ଠାରୁ ଶୀତର ପ୍ରକୋପ ବୃଦ୍ଧି ପାଇ ପ୍ରବଳ ଅନୁୁଭୁତ ହୋଇଛି । ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ି ବ୍ଲକର କିଲାବାଡ଼ି ,ଲଦପଙ୍କା ,ପ୍ଲିହେରୀ ଓ ମୁକଚେରୀ ସିମନବାଡ଼ି,କିରିକୁଟୀ ଗଦାପୁର , ସିର୍କାବର୍ଗ ଆଦି ବିଭିନ୍ନ ଅଂଚଳରେ ପ୍ରବଳ ଶୀତ ଅନୁଭୁତ ହୋଇଛି । ଏଥି ସହିତ ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ଆଭ୍ୟନ୍ତରୀଣ ଅଂଚଳରେ ମଧ୍ୟ ପ୍ରବଳ ଶୀତ ହୋଇଥିବା ଜଣାପଡିଛି଼ । ୨ଦିନ ହେଲା ଆକାଶ ମେଘମୁକ୍ତ ହେବାପରେ ଅଂଚଳକୁ ଶୀତ ଫେରିଛି । ବୁଧବାର ଦିନ ଦାରିଙ୍ଗବାଡ଼ିର ତାପମାତ୍ରା ୯.୫ ଡିଗ୍ରୀ ରହିଥିବା ବେଳେ ତାହା ଗୁରୁବାର୯ ଡିଗ୍ରୀ ରହିଥିଲା । ତେବେ ଗୁରବାର ସନ୍ଧ୍ୟାରୁ ଅଂଚଳରେ ପ୍ରବଳ ଶୀତ ଅନୁଭୁତ ହୋଇଥିବା ବେଳେ ଗୋଟିଏ ଦିନରେ ପାରଦ ୨ଡିଗ୍ରୀ ତଳକୁ ଖସି ଆସି ୭ ଡିଗ୍ରୀ ରେ ପହଂଚିଛି । ଯାହାକି ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ବୋଲି ଦାରିଙ୍ଗବାଡ଼ି ବ୍ଲକର ପାଣିପାଗ ବିଭାଗ କର୍ମକର୍ତା ପୁରୁଷୋତମ ସାହୁ ସୁଚନା ପ୍ରକାଶ କରିଛନ୍ତି । ତେବେ ସ୍ଥାନୀୟ ପାଣିପାଗ ତରଫରୁ ସୁଚନା ପ୍ରକାରେ ଦାରିଙ୍ଗବାଡ଼ିର ତାପମାତ୍ରା ୭ ଡିଗ୍ରୀ ରହିଥିବା କୁହାଯାଉଥିବା ବେଳେ ବେସରକାରୀ ତରଫରୁ ମିଳିଥିବା ସୁଚନା ଅନୁୁଯାୟୀ ଦାରିଙ୍ଗବାଡ଼ି ଓ ସିମନବାଡ଼ି ଅଂଚଳର ତାପମାତ୍ରା ୬ ଡିଗ୍ରୀ ଥିବା ସ୍ଥାନୀୟ ଲୋକେ କହିଛ଼ନ୍ତି । ଅନ୍ୟ ପକ୍ଷରେ ଆଗାମୀ ଦିନରେ ଦାରିଙ୍ଗବାଡ଼ିରେ ଶୀତର ପ୍ରକୋପ ବୃଦ୍ଧି ପାଇବା ସହିତ ତୁଷାରପାତ ଏବଂ କିଛି ଦିନ ମଧ୍ୟରେ ଅଂଚଳରେ ବରଫପାତ ହୋଇପାରେ ବୋଲି ପାଣିପାଗ ବିଭାଗ ପୁର୍ବାନୁମାନ କରିଛି । ତେବେ ହଠାତ୍ ଶୀତ ଅନୂଭୁତ ହେବାରୁ ବ୍ଲକର ଗରିବ ଲୋକଙ୍କ ଦୁଃଖ ବଢ଼ିଯାଇଛି । ଅପହଂଚ ଇଲାକା ଗୁଡ଼ିକର କଥା ନକହିଲେ ଭଲ । ପ୍ରବଳ ଶୀତ କାରଣରୁ ଲୋକେ ଦିନ ତମାମ୍ ଗରମ ପୋଷାକ ପିନ୍ଧିବା ସହ ନିଆଁ ଜାଳି ବସୁଛନ୍ତି । ଏପରିକି ଚାଷୀ ଆଜି ଦିନ ତମାମ ଚାଷକ୍ଷେତକୁ ମଧ୍ୟ ଯାଇପାରିନାହିଁ । ସଂଜ ନଇଁବା କ୍ଷଣି ଦାରିଙ୍ଗବାଡ଼ି ବଜାରରେ ଗହଳଚହଳ ହ୍ରାସ ପାଇବା ସହ ରାସ୍ତା ଖାଁ ଖାଁ ହୋଇପଡିଛି । ପ୍ରବଳ ଶୀତ ଲହରୀ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking