40.1 C
Bhubaneswar
Friday, May 3, 2024
Homeଓଡିଶା୧୬ନଂ ଜାତୀୟ ରାଜପଥରେ ଦୁର୍ଘଟଣା, ୪ ମୃତ

୧୬ନଂ ଜାତୀୟ ରାଜପଥରେ ଦୁର୍ଘଟଣା, ୪ ମୃତ

ଭୁବନେଶ୍ୱର: ୧୬ ନମ୍ବର ଜାତୀୟ ରାଜପଥରେ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଘଟୁଛି । ଆଜି ଏହି ଜାତୀୟ ରାଜପଥରେ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଆଜି ଦିନକରେ ୨୦୦ ମିଟର ଦୂରତାରେ ଜାତୀୟ ରାଜପଥରେ ଯାଇଛି ୪ ମୂଲ୍ୟବାନ ଜୀବନ । ଯେଉଁଥିରେ ଜଣେ ମହିଳା ଓ ଜଣେ ନାବାଳକ ରହିଛନ୍ତି । ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଲେଶ୍ୱର ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥରେ ଘଟିଛି । ମଧ୍ୟାହ୍ନରେ ଛଣପୁର ଗାଁର ଗୀତାରାଣୀ ପତି ଓ ତାଙ୍କର ୧୧ ବର୍ଷର ପୁଅ ସୁଧାଂଶ ଶେଖର ପତି ସ୍କୁଟିରେ କୌଣସି କାମରେ ବାଲେଶ୍ୱର ଟାଉନ୍ ଆସୁଥିଲେ । ମଧ୍ୟାହ୍ନରେ ନୂଆଗାଁ ଛକଠାରେ ସେମାନଙ୍କ ସ୍କୁଟି ଚକା ସ୍ଲିପ୍ କରିଥିଲା । ଯାହାଫଳରେ ମାଆ ଓ ପୁଅ ରାସ୍ତାରେ ପଡ଼ି ଯାଇଥିଲେ । ଠିକ୍ ସେହି ସମୟରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ସେମାନଙ୍କ ଉପରେ ଚଢ଼ି ଯାଇଥିଲା । ଘଟଣା ସ୍ଥଳରେ ମାଆ ଓ ପୁଅଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ରୋକ କରିଥିଲେ । ଶିଳ୍ପାଞ୍ଚଳ ଥାନା ପୁଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି ।
ସେହିପରି ଆଉ ଏକ ଦୁର୍ଘଟଣା ଆଜି ସକାଳେ ଘଟିଛି । କାଠ ସଂଗଡା ଗାଁର ଜଣେ ବ୍ୟକ୍ତି ସାଇକେଲରେ ବାଲେଶ୍ୱର ଯାଉଥିଲେ । ସେହି ସମୟରେ ପଛରୁ ଆସୁଥିବା ଏକ କୁଇଲା ବୋଝେଇ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକ ପିଛା କରି ଟ୍ରକ୍‌ଟିକୁ ଅଟକାଇ ଥିଲେ । ଡ୍ରାଇଭରକୁ ଉତ୍ତମ ମଧ୍ୟମ ଦେଇ ପୁଲିସ୍ ଜିମା ଦେଇଥିଲେ । କ୍ଷତିପୂରଣ ଓ ରାସ୍ତା ମରାମତି ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ । ସଦର ଥାନା ପୁଲିସ୍ ବୁଝାସୁଝା କରିବା ପରେ ଜାତୀୟ ରାଜପଥ ସ୍ୱଭାବିକ ହୋଇଥିଲା ।
ଆଉ ଏକ ଦୁର୍ଘଟଣା ଆଜି ଭୋରୁ ଭୋରୁ ଘଟିଥିଲା । ଏହି ଦୁର୍ଘଟଣା ୧୬ ନମ୍ୱର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ୬୦ ନମ୍ୱର ଜାତୀୟ ରାଜପଥର ଫୁଲାଡିଠାରେ ଘଟିଥିଲା । ଜଣେ ପଥଚାରୀଙ୍କ ଉପରେ ଏକ ଗାଡ଼ି ମାଡ଼ି ଯାଇଥିଲା । ସ୍ଥାନୀୟ ଲୋକ ରାସ୍ତାରେ ମୃତଦେହ ପଡ଼ିଥିବା ଦେଖି ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking