33.1 C
Bhubaneswar
Tuesday, April 30, 2024
Homeଅପରାଧଧରାପଡ଼ିଲେ ଲୁଟେରା ଗ୍ୟାଙ୍ଗ୍‌; ମିଳିଲା ୧ କେଜି ସୁନା, ୩ ଗିରଫ, ବଣିଆକୁ ବି ବାନ୍ଧିଲା...

ଧରାପଡ଼ିଲେ ଲୁଟେରା ଗ୍ୟାଙ୍ଗ୍‌; ମିଳିଲା ୧ କେଜି ସୁନା, ୩ ଗିରଫ, ବଣିଆକୁ ବି ବାନ୍ଧିଲା ପୁଲିସ୍‌

ଭୁବନେଶ୍ୱର: ଦିନ ତମାମ ବୁଲି ଘର ଦେଖୁଥିଲେ । ଡକାୟତି ଯୋଜନା ସହ ରେକି କରୁଥିଲେ । ଯୋଜନାକୁ ସଫଳ କରିବା ପାଇଁ ସନ୍ଧ୍ୟାକୁ ଅପେକ୍ଷା କରୁଥିଲେ । ଘରେ ପଶି ଚୋରି କରିବା ବେଳେ ଯଦି କେହି ବାଧା ଦେଉଥିଲା ମାରଣାସ୍ତ୍ରରେ ହାଣୁଥିଲେ । ଏଭଳି ଏକ କୁଖ୍ୟାତ ଡକାୟତି ଗ୍ୟାଙ୍ଗ୍‌ର ୪ ଜଣକୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୁଲିସ୍ । ଗିରଫ ପରେ ଲୁଟେରାଙ୍କୁ ଧରି ସିନ୍ ରିକ୍ରିଏସନ କରିଛନ୍ତି ପୁଲିସ୍ ଅଧିକାରୀ । ଅଭିଯୁକ୍ତଙ୍କଠାରୁ ଜବତ ହୋଇଛି ୧ କେଜି ସୁନାଗହଣା, ୧ କେଜି ୩୦୦ ଗ୍ରାମ ରୁପା ଅଳଙ୍କାର ଓ ୩ ଲକ୍ଷ ୨୫ ହାଜର ଟଙ୍କା । ରାଜ୍ୟର ଭିନ୍ନ ଭିନ୍ନ ଜିଲ୍ଲା ବୁଲି ଏମାନେ କରୁଥିଲେ ଚୋରି, ଡକାୟତି ଓ ଲୁଟ୍ । ଗିରଫ ଅଭିଯୁକ୍ତମାନେ ହେଲେ ଜଗତସିଂହପୁର ଜିଲ୍ଲା ପାରଦୀପ ଥାନା ଅଞ୍ଚଳର ଶୁଭ୍ରକାନ୍ତ ବେହେରା ଓରଫ କାଜଲ(୩୩), ମଧୁସୂଦନ ମହାନ୍ତି ଓରଫ ମଧୁ(୩୪) ଏବଂ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଞ୍ଚଳର ବିଶ୍ୱଜିତ୍ ଦାସ ଓରଫ ବିଟୁ । ଏମାନଙ୍କ ନାମରେ ପୂର୍ବରୁ ରାଜ୍ୟର ବିଭିନ୍ନ ଥାନାରେ ରହିଛି ଚୋରି, ଡକାୟତି, ଲୁଟ୍ ଓ ହତ୍ୟା ଭଳି ମାଳ ମାଳ ସଙ୍ଗିନ୍ ମାମଲା ।

ସୂଚନା ମୁତାବକ ଗତ ମାସ ୩୦ ତାରିଖରେ ଅଭିଯୋଗକାରୀ ଉମାକାନ୍ତ ନାୟକଙ୍କ କାନନ ବିହାର ଫେଜ୍‌-୧ରେ ଥିବା ବନ୍ଧୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ । ସେହିଭଳି ନନ୍ଦନକାନନ ଏବଂ ଇନ୍‌ଫୋସିଟି ଥାନାରେ ମଧ୍ୟ ଏମାନଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ସେହି ଅଭିଯୋଗ ଆଧାରରେ କମିଶନରେଟ୍ ପୁଲିସ ତଦନ୍ତ ଆରମ୍ଭ କରି ଶେଷରେ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଛି । ପୁଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ କହିବା ମୁତାବକ ଗତ ୨ମାସ ହେଲା ସେମାନେ ଢେର ସକ୍ରିୟ ଥିଲେ । ଏହି ସମୟ ଭିତରେ ସେମାନେ ଭୁବନେଶ୍ୱର, ପୁରୀ, ଭଦ୍ରକ, ନୟାଗଡ଼ ଓ ଯାଜପୁର ଅଞ୍ଚଳରେ ଚୋରି ଓ ଡକାୟତି ଘଟାଇଛନ୍ତି । ପୁରୀ ବଳଙ୍ଗାରେ ଏକ ଡାକ୍ତର ଦମ୍ପତିଙ୍କୁ ବାନ୍ଧି ଏହି ଗ୍ୟାଙ୍ଗ୍ ଡକାୟତି କରିଥିଲେ । ସେହିଭଳି ଗତ ୩୦ ତାରିଖରେ ଭୁବନେଶ୍ୱରର କାନନବିହାରରେ ଥିବା ଏକ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ଟଙ୍କା ଲୁଟି ନେଇଥିଲେ । ଭୁବନେଶ୍ୱରର ଚନ୍ଦ୍ରଶେଖରପୁର, ପଟିଆ, ଇନ୍‌ଫୋସିଟି ଓ ନନ୍ଦନକାନନ ଥାନାରେ ଏମାନେ ୫ଟି ଚୋରି ମାମଲାରେ ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା ।

ଏହା ବ୍ୟତୀତ ଗତ ଦୁଇମାସ ଭିତରେ ସେମାନେ ପୁରୀରେ ୩ଟି ଓ ଭଦ୍ରକରେ ୨ଟି ଡକାୟତି ମାମଲାରେ ଜଡ଼ିତ । ୨୦୨୩ ଜୁନ୍‌ରେ ଭୁବନେଶ୍ୱର କମିଶନରେଟ୍ ପୁଲିସ୍ ସେମାନଙ୍କୁ ଗିରଫ କରି ଜେଲ୍ ପଠାଇଥିଲା । ଚଳିତ ବର୍ଷ ଫେବ୍ରୁଆରୀ ମାସରେ ସେମାନେ ଜେଲ୍‌ରୁ ବାହାରିବା ପରେ ପୁଣି ଏକାଠି ହୋଇ ଡକାୟତି ଓ ଚୋରି ଆରମ୍ଭ କରିଥିଲେ । ବିଶେଷ କରି ଯେଉଁ ଘରଗୁଡ଼ିକରେ ତାଲା ପଡୁଛି, ସେଗୁଡ଼ିକୁ ସେମାନେ ଟାର୍ଗେଟ୍ କରୁଥିଲେ । ଏହି ଗ୍ୟାଙ୍ଗ୍ ବିଭିନ୍ନ ଅଞ୍ଚଳରେ ତାଙ୍କର ଲୋକାଲ ଇନ୍‌ଫର୍ମର ରଖୁଥିଲେ । କେଉଁ ଘର ଖାଲି ପଡ଼ୁଛି, ତା’ର ଖବର ନେଉଥିଲେ । ଇନଫର୍ମରମାନେ ଫୋନ୍ ଯୋଗେ ସେମାନଙ୍କ ସହିତ ଯୋଗାଯୋଗ କରୁଥିଲେ । ଇନଫର୍ମରମାନଙ୍କ ଖବର ଆଧାରରେ ସେମାନେ ଲୁଟ୍‌ର ପ୍ଲାନ୍‌କରନ୍ତି ଏବଂ ସେଥିଲେ ସଫଳ ହୋଇଥାନ୍ତି । ଲୁଟ୍ କରି ସେମାନେ ବାଇକ୍‌ରେ ଚମ୍ପଟ ମାରୁଥିଲେ ।

ଲୁଟ୍ ସୁନା ଅଳଙ୍କାରକୁ ଜଗତସିଂହପୁର ତିର୍ତ୍ତୋଲ ବଣିଆସାହିର ସୁଦାମ ସାହୁଙ୍କୁ ଦେଉଥିଲେ । ଆଉ ତାଙ୍କଠାରୁ ଟଙ୍କା ଆଣି ପରସ୍ପର ମଧ୍ୟରେ ସମାନ ଭାବେ ବାଣ୍ଟି ନେଉଥିଲେ । ଏହିକ୍ରମରେ କମିଶନରେଟ ପୁଲିସ୍ ୩ ଲୁଟେରାଙ୍କ ସହ ଚୋରି ସୁନା କିଣିବା ଅଭିଯୋଗରେ ସୁଦାମକୁ ବି ଗିରଫ କରିଛି । କମିଶନରେଟ ପୁଲିସ୍ ସେମାନଙ୍କଠାରୁ ୧ କେଜି ସୁନାଗହଣା, ୧ କେଜି ୩୦୦ ଗ୍ରାମ ରୁପା ଅଳଙ୍କାର, ନଗଦ ୩ ଲକ୍ଷ ୨୫ ହଜାର ଟଙ୍କା, ଗୋଟିଏ ବାଇକ୍ ଓ ୩ ମୋବାଇଲ ଫୋନ୍ ଜବତ କରିଛି । ଏମାନଙ୍କ ପୂର୍ବରଚିତ ଅପରାଧିକ ମାମଲା ଯାଞ୍ଚ ବେଳେ ଶୁଭ୍ରକାନ୍ତ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ୩୧ଟି ମାମଲା, ବିଶ୍ୱଜିତ ନାଁରେ ୩୮ଟି ଓ ମଧୁସୂଦନ ନାଁରେ ୧୨ଟି ମାମଲା ରହିଛି । ସେମାନଙ୍କୁ କାବୁ କରିବା ପରେ, କିଭଳି ସେମାନେ ଚୋରି କରିଥିଲେ ଚନ୍ଦ୍ରଶେଖରପୁର ଥାନାଧିକାରୀ ପ୍ରକାଶ ଚନ୍ଦ୍ର ମାଝିଙ୍କ ନେତୃତ୍ୱରେ ତା’ର ସିନ ରିକ୍ରିଏସନ୍ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking