28.1 C
Bhubaneswar
Saturday, April 27, 2024
Homeଓଡିଶାଖୁବ୍‌ଶୀଘ୍ର ରାଜ୍ୟରେ ‘ରିଭର କ୍ରୁଜ୍‌’, ପ୍ରମୁଖ ନଦୀ ଏବଂ ହ୍ରଦର ବିକାଶ ସରକାରଙ୍କ ମୁଖ୍ୟଲକ୍ଷ୍ୟ: ସଚିବ

ଖୁବ୍‌ଶୀଘ୍ର ରାଜ୍ୟରେ ‘ରିଭର କ୍ରୁଜ୍‌’, ପ୍ରମୁଖ ନଦୀ ଏବଂ ହ୍ରଦର ବିକାଶ ସରକାରଙ୍କ ମୁଖ୍ୟଲକ୍ଷ୍ୟ: ସଚିବ

ଭୁବନେଶ୍ୱର: ପର୍ଯ୍ୟଟନ କ୍ଷେତ୍ରରେ ସର୍ବଭାରତୀୟସ୍ତରରେ ଓଡ଼ିଶା ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଓଡ଼ିଶାରେ ଥିବା ବିଭିନ୍ନ ଐତିହ୍ୟ କ୍ଷେତ୍ର ସାଙ୍ଗକୁ ସ୍ୱର୍ଣ୍ଣ ତ୍ରିଭୁଜ(ପୁରୀ-କୋଣାର୍କ-ଭୁବନେଶ୍ୱର) ଉପଭୋଗ କରିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । କରୋନା ଲାଗି ପର୍ଯ୍ୟଟନ କ୍ଷେତ୍ରରେ ସାମାନ୍ୟ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନ ପୁଣି ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରଗୁଡିକର ବିକାଶ ଲାଗି ସରକାର ବ୍ଲୁ-ପ୍ରିଣ୍ଟ୍‌ସ ପ୍ରସ୍ତୁତ କରିଛନ୍ତି । ରାଜ୍ୟରେ ଥିବା ବିଭିନ୍ନ ଏବଂ ହ୍ରଦଗୁଡ଼ିକ ଯେପରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ସେଥିଲାଗି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି । ଏସବୁର ଭିତ୍ତିଭୂମି ସାଙ୍ଗକୁ ବର୍ଷତମାମ ଜଳ ସଞ୍ଚୟ ବ୍ୟବସ୍ଥା କରି ନଦୀରେ ପର୍ଯ୍ୟଟକମାନେ ଯେପରି ବୁଲିପାରିବେ ସେଥିଲାଗି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ‘ରିଭର କ୍ରୁଜ୍‌’ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି ।

ରାଜ୍ୟରେ ଚିଲିକା ହ୍ରଦରେ ‘ଲକ୍‌ଜୁରୀ ହାଉସବୋଟ୍‌’ ବ୍ୟବସ୍ଥା କରାଯାଇଥିବା ବେଳେ କଟକରେ ‘ସିଲଭର ସିଟି ବୋଟ୍ କ୍ଲବ’, ହୀରାକୁଦ ବୋଟ୍ କ୍ଲବ ଏବଂ ଭିତରକନିକା ଜାତୀୟପାର୍କରେ କାଟାମାରନ୍ ବ୍ୟବସ୍ଥା ରହିଛି । ଚିଲିକାରେ ‘ଲକ୍‌ଜୁରୀ ହାଉସବୋର୍ଟ୍‌’ ବ୍ୟବସ୍ଥାରେ ୨ମହଲା ବିଶିଷ୍ଟ କ୍ରୁଜ୍‌ରେ ୨ଟି ସୁଟ୍ ରୁମ୍‌, ୪ଟି ପ୍ରିମିୟମ ରୁମ୍ ସହ ବାର୍ ଏବଂ ରେସ୍ତୋଁରା ରହିଛି । ଏନେଇ ସରକାର ପ୍ରାୟ ୩କୋଟି ଟଙ୍କା ବ୍ୟୟ କରିଥିବା ବେଳେ ଏଠାରେ ପର୍ଯ୍ୟଟକଙ୍କୁ ଯେପରି ସମସ୍ତ ସୁବିଧା ସୁଯୋଗ ମିଳିବ ସେଥିଲାଗି ବ୍ୟବସ୍ଥା କରାଯାଇଛି । ଏହାବ୍ୟତୀତ ବିଭାଗ ପକ୍ଷରୁ ୨ଟି କ୍ରୁଜ୍ ବୋଟ୍‌ରେ ୪୦ ଜଣଙ୍କ ଆମୋଦ ପାଇଁ ବ୍ୟବସ୍ଥା କରାଯିବ ।

ଏହାବ୍ୟତୀତ ଗୋଟିଏ ଫ୍ଲୋଟିଂ ରେସ୍ତୋଁରା ବୋଟ ପ୍ରସ୍ତୁତ କରାଯାଉଛି । ସେହିପରି ‘ସିଲଭର ସିଟି ବୋଟ୍ କ୍ଲବ’ରେ ମହାନଦୀ ମଧ୍ୟରେ ବୁଲିବା ଏବଂ ରାତ୍ରୀଭୋଜନ ବ୍ୟବସ୍ଥା ରହିଛି । ଏନେଇ ୭ଟି ଅତ୍ୟାଧୁନିକ ବୋଟ୍ ପ୍ରସ୍ତୁତ କରାଯାଇଥିବା ବେଳେ ୩୦ ସିଟ୍ ବିଶିଷ୍ଟ ଫ୍ଲୋଟିଂ ରେସ୍ତୋଁରା ଏବଂ ୫୦ସିଟ୍ ବିଶିଷ୍ଟ କାଟାମାରନ୍ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ହୀରାକୁଦ ବୋଟ୍ କ୍ଲବରେ ପର୍ଯ୍ୟଟକଙ୍କ ଲାଗି ନଦୀରେ ବୋଟ୍‌ରେ ବୁଲିବା ସହ ରାତ୍ରୀରହଣୀ, ବୋଟ୍‌ରେ ରେସ୍ତୋଁରା ବ୍ୟବସ୍ଥା ସହ ବର୍ଷତମାମ ଯେପରି ହୀରାକୁଦରେ ଏହି ବ୍ୟବସ୍ଥା ପର୍ଯ୍ୟଟକଙ୍କ ଲାଗି କରାଯାଇ ପାରିବ ସେଥିଲାଗି ସ୍ୱତନ୍ତ୍ର ବ୍ୟାରେଜ ବ୍ୟବସ୍ଥା କରିବାକୁ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ସେହିପରି ଭିତରକନିକାରେ କେବଳ ପର୍ଯ୍ୟଟକମାନେ ବସି ବୁଲିପାରିବା ଭଳି ୪ଟି ବୋଟ୍ (କାଟାମାରନ) ରହିଥିଲା ।

ମାତ୍ର ରାତ୍ରି ରହଣି କିମ୍ବା ଖାଇବା ବ୍ୟବସ୍ଥା ନଥିଲା । ତେବେ ଭିତରକନିକାକୁ ଆସିଥିବା ପର୍ଯ୍ୟଟକମାନେ ଅଧିକ ସମୟ ବଲାବୁଲି କରିପାରୁନଥିବା ବେଳେ ସବୁ ଯାଗା ଦେଖିପାରୁ ନଥିଲେ । ତେଣୁ ପର୍ଯ୍ୟଟକଙ୍କ ସୁବିଧା ଲାଗି ୪ଟିରୁ ୨ଟି କାଟାମାରନରେ ରହିବା ଲାଗି ସ୍ୱତନ୍ତ୍ର ରୁମ୍ ବ୍ୟବସ୍ଥା କରାଯିବ । ଫଳରେ ପର୍ଯ୍ୟଟକମାନେ ରାତ୍ରୀରେ ପାଣିରେ ବୋଟ୍‌ରେ ରହିବା ସହ ରାତ୍ରୀଭୋଜନ କରିପାରିବେ ।
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଚିଲିକା, ଭିତରକନିକା, ହୀରାକୁଦ, ଚନ୍ଦ୍ରଭାଗା, ସାତକୋଶିଆରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଉଛି । ରିଭରକ୍ରୁଜ ଲାଗି ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା ତଥା ସହାୟତା ଯୋଗାଇ ଦିଆଯାଉଛି ।

ନଦୀ ତଥା ହ୍ରଦଗୁଡିକରେ ପାଣିରେ ପର୍ଯ୍ୟଟକ ବୁଲିକା ସହ ରେସ୍ତୁରାଣ୍ଟରେ ରହିବା, ରାତ୍ରୀ ରହଣୀ ବ୍ୟବସ୍ଥା ହେଲେ ରିଭରକ୍ରୁଜ ପ୍ରତି ପର୍ଯ୍ୟଟକଙ୍କ ଆଗ୍ରହ ବଢ଼ିବ । ଏହବ୍ୟତୀତ ମହାନଦୀରେ ସ୍ୱତନ୍ତ୍ର ଭିତ୍ତିଭୂମି ପ୍ରସ୍ତୁତ କଲେ ବର୍ଷତମାମ ପର୍ଯ୍ୟଟକମାନେ ଯେପରି ରିଭରକ୍ରୁଜ୍‌ରେ ବୁଲିବାର ସୁବିଧା ପାଇବେ ସେଥିଲାଗି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । ତେବେ ଯେଉଁ ରିଭରକ୍ରୁଜ ପ୍ରକଳ୍ପ ଆରମ୍ଭ ହୋଇଛି ସେସବୁ ଆସନ୍ତା ଅକ୍ଟୋବର ଶେଷ ସୁଦ୍ଧା ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking