43 C
Bhubaneswar
Tuesday, April 16, 2024
Homeଅପରାଧଅପହରଣ କରି ମୁଣ୍ଡ ଜାମିନ୍ : ଅପହୃତ ଉଦ୍ଧାର, ୩ ଅଭିଯୁକ୍ତ ଗିରଫ

ଅପହରଣ କରି ମୁଣ୍ଡ ଜାମିନ୍ : ଅପହୃତ ଉଦ୍ଧାର, ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଜମିବିକ୍ରି ଟଙ୍କା ଫେରିପାଇବା ଆଶାରେ ୩ଜଣ ଯୁବକ ଜଣେ ଯୁବକଙ୍କୁ ଅପହରଣ କରି ନିସ୍ତୁକ ମାଡ଼ ମାରିଥିଲେ । ଏହି ଘଟଣାର ତଦନ୍ତ କରି ବଡ଼ଗଡ ଥାନା ପୁଲିସ ୩ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିବା ସହ ଅପର୍ହୃତ ଯୁବକଙ୍କୁ ଉଦ୍ଧାର କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବାଲିଅନ୍ତା ଥାନା ଅଞ୍ଚଳର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ କୁମାର ଦାସ(୩୨) ତାଙ୍କ ବନ୍ଧୁ ପାହାଳ ଥାନା ଅଞ୍ଚଳର ବିଶ୍ୱନାଥ ଦାସ(୨୬) ଓ କେନ୍ଦ୍ରାପଡ଼ା ଜିଲା ଟାଉନ ଥାନା ଅଞ୍ଚଳର ରାକେଶ କୁମାର ସାହୁ । ତେବେ ପୁଲିସ ଉଦ୍ଧାର କରିଥିବା ଯୁବକ ଜଣକ ହେଲେ ବଡ଼ଗଡ ଥାନା ଅନ୍ତର୍ଗତ ଲକ୍ଷ୍ମୀବିହାର ଫେଜ-୨ରେ ରହୁଥିବା ଜଗବନ୍ଧୁ ନାୟକ ।

ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ଅପହରଣରେ ବ୍ୟବହୃତ ଏକ ଟାଭେରା କାର, ଗୋଟିଏ ବନ୍ଧୁକ ସହ ଲାଇସେନ୍ସ, ୧୦ଟି ଗୁଳି, ଆଧାରକାର୍ଡ ଆଦି ଜବତ କରାଯାଇଛି । ଅଭିଯୁକ୍ତଙ୍କ ନାମରେ ଆର୍ମ୍ସ ଆକ୍ଟ ସହ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇ ଭୁବନେଶ୍ୱର ଏସ୍‌ଡିଜିଏମ୍ କୋର୍ଟକୁ ବୁଧବାର ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତେବେ ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ବ୍ୟାଙ୍କରେ କାମ କରୁଥିବାରୁ ତାଙ୍କ ପାଖରେ ଲାଇସେନ୍ସପ୍ରାପ୍ତ ବନ୍ଧୁକ ଥିଲା ବୋଲି ପୁଲିସ କହିଛି ।

ସୂଚନା ଅନୁଯାୟୀ, ବାଲିକୁଦା ଥାନା ଅଞ୍ଚଳର ଜଣେ ମହିଳା ଅପର୍ହୃତ ଜଗବନ୍ଧୁଙ୍କ ଧରମ ଭଉଣୀ ଅଟନ୍ତି । ସମ୍ପୃକ୍ତ ମହିଳା ତାଙ୍କ ଅଞ୍ଚଳରେ ଥିବା ଏକ ଜମିବିକ୍ରି କରେଇ ଦେବାକୁ କହିଥିଲେ । ୭ମାସ ତଳେ ଅଭିଯୁକ୍ତ ପ୍ରଦୀପଙ୍କୁ ଜମି କିଣିବା ପାଇଁ ଜଗବନ୍ଧୁ ଠିକ୍ କରିଥିଲେ । ପ୍ରଦୀପ ଜମି କଣିବା ପାଇଁ ଜଗତସିଂହପୁର ତହସିଲ ଅଫିସରେ ଏଗ୍ରିମେଣ୍ଟ କରିବା ସହ ଜଗବନ୍ଧୁଙ୍କୁ ଅଗ୍ରୀମ ୧ଲକ୍ଷ ୨୦ ହଜାର ଟଙ୍କା ଦେଇଥିଲେ । ହେଲେ ସମ୍ପୃକ୍ତ ମହିଳାଙ୍କ ଉକ୍ତ ଜମି ପୈତୃକ ସମ୍ପତ୍ତି ଥିବାରୁ ଜମି ବିକ୍ରି ପାଇଁ ସମସ୍ୟା ଉପୁଜିଥିଲା । ଏଥିପାଇଁ ସମୟ ଗଡ଼ି ଚାଲିଥିଲା । ତେଣୁ ପ୍ରଦୀପ ଜମି ପାଇଁ ଦେଇଥିବା ଟଙ୍କା ଜଗବନ୍ଧୁଙ୍କୁ ଫେରାଇ ଦେବାକୁ କହିଥିଲେ । ହେଲେ ଜଗବନ୍ଧୁ ଉକ୍ତ ଟଙ୍କା ତାଙ୍କ ଧରମ ଭଉଣୀଙ୍କୁ ପଠାଇ ଦେଇଥିବାରୁ ସେ ଆଉ କିଛି ଦିନ ଅପେକ୍ଷା କରିବାକୁ ପ୍ରଦୀପକୁ କହିଥିଲେ । ସେପଟେ ପ୍ରଦୀପ କିନ୍ତୁ ଟଙ୍କା ଆଦାୟ କରିବାକୁ ଉପାୟ ଖୋଜୁଥିଲେ ।

ଜମି ବିକ୍ରୟ ପାଇଁ ଆଉ ୫ହଜାର ଟଙ୍କା ସହ ଅଧିକ କଥା ହେବାକୁ ଜଗବନ୍ଧୁଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ପ୍ରଦୀପ ପଳାଶୁଣୀ ନିକଟକୁ ଡାକିଥିଲେ । ଜଗବନ୍ଧୁ ସେଠାରେ ପହଞ୍ଚିବା ପରେ ପ୍ରଦୀପ ତାଙ୍କ ଦୁଇବନ୍ଧୁଙ୍କ ସହ ମିଶି ତାଙ୍କୁ କାର୍‌ରେ ଅପହରଣ କରି ନେଇଯାଇଥିଲେ। ପ୍ରଥମେ ସତ୍ୟବିହାରସ୍ଥିତ ବନ୍ଧୁ ବିଶ୍ୱନାଥଙ୍କ ଘରକୁ ତାଙ୍କୁ ନେଇ ଲୁହାଛଡ଼ରେ ମାଡ଼ ମାରିବା ସହ ମା’ ମୀନାଙ୍କୁ ଫୋନ କରି ସୂଧମୂଳ ସହ ୧ଲକ୍ଷ ୭୦ ହଜାର ଟଙ୍କା ପଠାଇବାକୁ କହିଥିଲେ ।

ଏନେଇ ମୀନା ଥାନାରେ ରାତିରେ ଅଭିଯୋଗ କରିବା ପରେ ପୁଲିସ ଖୋଜାଖୋଜି କରିଥିଲା । ପରେ ଅଭିଯୁକ୍ତମାନେ ଜଗବନ୍ଧୁଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ହତ୍ୟା ଧମକ ଦେଇଥିଲେ । ଏମିତିକି ପୁଲିସ ହାତରେ ଧରାପଡ଼ିବା ଭୟରେ ରାତି ସାରା ଜଗବନ୍ଧୁଙ୍କୁ ଧରି ରାଜଧାନୀ ବୁଲାଇଥିଲେ । ବୁଧବାର ସକାଳୁ ପୁଣି ଥରେ ଅଭିଯୁକ୍ତମାନେ ତାଙ୍କ ମା’ଙ୍କୁ ଫୋନ କରି ମଞ୍ଚେଶ୍ୱର ଥାନା ନିକଟ ଆହାରକେନ୍ଦ୍ର ସାମ୍ନାକୁ ୧ଲକ୍ଷ ଟଙ୍କା ଧରି ଆସିବାକୁ କହିଥିଲେ । ଏସମ୍ପର୍କରେ ପୁଲିସକୁ ଜଗବନ୍ଧୁଙ୍କ ମା’ ଜଣାଇଥିଲେ । ପୁଲିସ ଟିମ୍ ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସେଠାରେ ପହଞ୍ଚି ଅଭିଯୁକ୍ତମାନଙ୍କୁ କାବୁ କରିବା ସହ ଜଗବନ୍ଧୁଙ୍କୁ ଉଦ୍ଧାର କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking