29.1 C
Bhubaneswar
Sunday, April 28, 2024
Homeଓଡିଶାଆକ୍ସନ ମୁଡୁରେ ଜେନାପୁର ପୋଲିସ

ଆକ୍ସନ ମୁଡୁରେ ଜେନାପୁର ପୋଲିସ

ଯାଜପୁର : କଳାପଥର ଚୋରୀ ମାମଲାରେ ଛନ୍ଦିବାକୁ ପଦକ୍ଷେପ ଆରମ୍ଭ କଲା ଜେନାପୁର ପୋଲିସ୍ । ଡଙ୍କାରୀ ଅଞ୍ଚଳରୁ କଳାପଥର ଚୋରୀ ପଥରେ ନିରବଚ୍ଛିନ୍ନ ଭାବେ କଣ୍ଟା ବିଛାଇ ଆସିଥିବା ସୂଚନା ଅଧିକାର କର୍ମୀ ତଥା ଧର୍ମଶାଳାର ବରିଷ୍ଠ ବିଜେପି ନେତା ସର୍ବେଶ୍ଵର ଵେହୁରାଙ୍କୁ ରାସ୍ତାରୁ ହଟାଇବା ପାଇଁ ଗତ ମାର୍ଚ୍ଚ ୨୭ ତାରିଖ ରାତିରେ ତାଙ୍କ ଉପରକୁ ବୋମାମାଡ଼ ହୋଇଥିଲା ! ସୌଭାଗ୍ୟ ବଶତଃ ସେ ଆହତ ହୋଇଥିଲେ ମଧ୍ୟ ଏହି ମରଣାନ୍ତକ ଆକ୍ରମଣରୁ ତାଙ୍କ ଜୀବନ ବର୍ତ୍ତି ଯାଇଥିଲା । ଡଙ୍କାରୀ ଅଞ୍ଚଳରେ କଳାପଥର ଚୋରୀକୁ ସଂଯୋଜିତ କରି ଆସୁଥିବା ଜେନାପୁର ଥାନା ଅନ୍ତର୍ଗତ ଡଙ୍କାରୀ ଗ୍ରାମର ନବଘନ ଦାସଙ୍କ ପୁଅ ରବିନ୍ଦ୍ର ଦାସଙ୍କୁ ଏହି ବୋମାମାଡ଼ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଦର୍ଶାଇ ଧର୍ମଶାଳା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିବା ପରଠାରୁ ସେ ଗତ ମାସ ୨୩ ତାରିଖଠାରୁ ରଗଡ଼ି ଜେଲରେ ରହି ଆସିଛି ।

ଇତିମଧ୍ୟରେ ତାଠାରୁ ଅଧିକ କିଛି ତଥ୍ୟ ହାସଲ କରିବା ପାଇଁ ପୋଲିସ୍ ବି ତାକୁ ଦୁଇ ଦିନିଆ ରିମାଣ୍ଡରେ ନେଇ ପଚରା ଉଚୁରା କରିଥିଲେ ମଧ୍ୟ ତାଠାରୁ ଅଧିକ କଣ ସଫଳତା ହାସଲ କରିଛି ତାହା ଅଦ୍ୟାବଧି କେବଳ ସେହି ପୋଲିସ୍ ମଧ୍ୟରେ ସୀମିତ ହୋଇ ରହି ଆସିଛି । ଅନ୍ୟପକ୍ଷରେ ଆଉ ଏକ କଳା ପଥର ଚୋରୀ ମାମଲାରେ ରବିର ସମ୍ପୃକ୍ତି ରହିଥିବା ଦର୍ଶାଇ କୋର୍ଟ ମାଧ୍ୟମରେ ଜେନାପୁର ପୋଲିସ୍ ଆଜି ସେଥିରେ ତାକୁ ଛନ୍ଦିଛି । ଜେନାପୁର ଥାନା କେଶ ନମ୍ବର ୧୦୯/୨୦୨୧ରେ ପୂର୍ବରୁ ଡଙ୍କାରୀ ଗ୍ରାମର ଅନନ୍ତ ଦାସ, ଜଗନ୍ ସାମଲ ଓ ଗୋକୁଳାନନ୍ଦ ସାହୁଙ୍କୁ ଗତମାସ ୧୪ ତାରିଖରେ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେହି ତିନି ଅଭିଯୁକ୍ତ ୧୫ ଦିନ ଜେଲରେ ରହିବା ପରେ ଅପ୍ରେଲ ୨୯ ତାରିଖ ଦିନ ଜାମିନରେ ଜେଲରୁ ମୁକୁଳିଥିବା ବେଳେ ତଦନ୍ତ କାଳରେ ସେହି ମାମଲାରେ ରବିର ସମ୍ପୃକ୍ତି ରହିଥିବା ଜଣାପଡିବାରୁ ତଦନ୍ତକାରୀ ଅଧିକାରୀ ମନୋରଞ୍ଜନ ଦାସ ତାକୁ ସେଥିରେ ଛନ୍ଦିବା ପାଇଁ ଚଣ୍ଡିଖୋଲ ଜେଏମଏଫସି କୋର୍ଟରେ ଏକ ଦରଖାସ୍ତ କରିଥିଲେ । କୋର୍ଟ ସେହି ଦରଖାସ୍ତକୁ ଗ୍ରହଣ କରି ରବିକୁ ଜେଲରୁ ଆଣି କୋର୍ଟରେ ହାଜର କରାଇବା ପାଇଁ ଆଦେଶ ଦେଇଥିଲେ ।

ସେହି ଆଦେଶ ବଳରେ ତଦନ୍ତକାରୀ ଅଧିକାରୀ ତାକୁ ଆଜି ଆଣି କୋର୍ଟରେ ହାଜର କରାଇବା ପରେ ଏହି ମାମଲାରେ ଆଇପିସିର ଧାରା ୩୭୯ ଓ ୩୪ ଏବଂ ଏମାଏମାଡିଆର୍ ଆକ୍ଟର ଧାରା ୨୧ ବଳରେ ତା’ ନାମ ଯୋଡ଼ାଗଲା ବୋଲି କୋର୍ଟ ତାକୁ ଅବଗତ କରାଇଥିଲେ । ଏହା ପରେ ନିଜ ଓକିଲଙ୍କ ମାଧ୍ୟମରେ ସେ ଜାମିନ୍ ଦରଖାସ୍ତ କରିଥିଲା ଏବଂ ଶୁଣାଣି ପରେ ଏହି ମାମଲାରେ ବି ତାକୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇ ଜାମିନ୍ ଦରଖାସ୍ତର ବିଚାର ନିମନ୍ତେ ଆସନ୍ତା ୨୧ ତାରିଖକୁ ଦିନ ଧାର୍ଯ୍ୟ କରି ରବି ବିରୁଦ୍ଧରେ ଥିବା ଅଧିକ କିଛି ପ୍ରମାଣର କେଶ୍ ଡ଼ାଇରୀ ଦାଖଲ କରିବାକୁ ପୋଲିସକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଆଉ ଏକ କଳା ପଥର ଚୋରୀ ମାମଲାରେ ରବି ସହ ଅନ୍ୟ ଦୁଇ ଜଣଙ୍କ ନାମରେ ଗତ ଜାନୁୟାରୀ ମାସରୁ ଆଇପିସିର ଧାରା ୩୭୯ ଓ ୩୪ ଏବଂ ଏମଏମଡିଆର୍ ଆକ୍ଟର ଧାରା ୨୧ ବଳରେ ଜେନାପୁର ଥାନା କେଶ୍ ନମ୍ବର ୧୧/୨୦୨୧ ରୁଜ୍ଜୁ ହୋଇଥିଲେ ମଧ୍ୟ ପୋଲିସ୍ ତଦନ୍ତ ଧିମା ଗତିରେ ଚାଲିଥିଲା । ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ଏଯାଏଁ ଗିରଫ କରି ନ ଥିଲେ ମଧ୍ୟ ରବିକୁ ଏହି ମାମଲାରେ ଆଜି କୋର୍ଟ ମାଧ୍ୟମରେ ଛନ୍ଦିବାକୁ ଦରଖାସ୍ତ କରା ଯାଇଥିଲା ।

ମାତ୍ର କୋର୍ଟଙ୍କ ଆଗରେ କେବଳ ଏତଲା ବ୍ୟତୀତ ଅନ୍ୟ କୌଣସି ଦସ୍ତାବିଜ୍ ପୋଲିସ୍ ଉପସ୍ଥାପନ କରିପାରି ନ ଥିବାରୁ ଅଦ୍ୟାବଧି ରବି ବିରୁଦ୍ଧରେ ପୋଲିସ୍ କି ପ୍ରମାଣ ସଂଗ୍ରହ କରିଛି ତାହାର କେଶ୍ ଡ଼ାଇରୀ ଦାଖଲ କରିବା ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ତାହାର ଯାଞ୍ଚ୍ ପରେ ହିଁ ଯାଇ ଏହି ମାମଲାରେ ରବିକୁ କୋର୍ଟ ସମ୍ପୃକ୍ତ କରିବାର ମଧ୍ୟ ସମ୍ଭାବନା ରହିଛି । ତେବେ ଉପରୋକ୍ତ ମାମଲା ଗୁଡ଼ିକୁ ଦେଖିଲେ ରବି ଯେ ଡଙ୍କାରୀ ଅଞ୍ଚଳର ଏକ ପେଶାଦାର କଳାପଥର ଚୋର ରହିଥିଲା ପୋଲିସ୍ ଧୀରେ ଧୀରେ ତାହା ସ୍ପଷ୍ଟ କରିବାକୁ ଯାଉଛି । ଅନ୍ୟପକ୍ଷରେ ପୋଲିସ ଯେ ରବି ଦ୍ବାରା ଚାଲି ଆସିଥିବା କଳା ପଥର ଚୋରୀକୁ ଘଣ୍ଟ ଘୋଡାଇ ଆସିଥିଲା ତାହା ମଧ୍ୟ ପୋଲିସର ଏହି ସବୁ ପଦକ୍ଷେପରୁ ବୁଝା ପଡିଯାଉଛି !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking