ଦେବଗଡ଼ : ଏକ ଅଭାବନୀୟ ଘଟଣା କ୍ରମରେ ପ୍ରସବ ପାଇଁ ଡାକ୍ତରଖାନା କୁ ଆସିଥିବା ଜଣେ ପ୍ରସୂତି ଙ୍କୁ କରୋନା ପରୀକ୍ଷା ପାଇଁ ଷ୍ଟାଡିୟମ କୁ ନିଆଯିବା ପରେ ସେଠାରେ ମହିଳା ଜଣକ ଏକ ଶିଶୁ କନ୍ୟା ପ୍ରସବ କରିଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ରିଆମାଳ ଥାନା ଅନ୍ତର୍ଗତ ଗୁଣ୍ଡିଆପାଲି ଗ୍ରାମର ଲୋକନାଥ ମହାକୁଳଙ୍କ ସ୍ତ୍ରୀ ଭାରତୀ (28)ଙ୍କ ଆଜି ସକାଳୁ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ନିକଟସ୍ଥ ରେଙ୍ଗାଲବେଡା ଗ୍ରାମର ଆଶା ଦିଦି ସୁଷମା ସାହୁ ଙ୍କ ସହାୟତା ରେ ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ ଯୋଗେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ l ତେବେ ଡାକ୍ତରଖାନା ର ଅନ୍ତଃବିଭାଗ ରେ ଭର୍ତ୍ତି ପାଇଁ କୋଭିଡ ଟେଷ୍ଟ ଆବଶ୍ୟକ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଅଳ୍ପ ଦୂରରେ ଥିବା ଇଣ୍ଡୋର ଷ୍ଟାଡିୟମକୁ ଭାରତୀଙ୍କୁ ନିଆଯାଇଥିଲା l
ସେଠାରେ ଭାରତୀଙ୍କ କରୋନା ପରୀକ୍ଷା ପାଇଁ ସ୍ୱାସ୍ଥ୍ୟ ବିଭାଗ କର୍ମଚାରି ମାନେ ପ୍ରସ୍ତୁତ ହେଉଥିବା ବେଳେ ପରୀକ୍ଷା ପୂର୍ବରୁ ସେଠାରେ ଭାରତୀ ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ l ଏହି ଘଟଣା ପରେ ଆଶା ଦିଦି ତୁରନ୍ତ ଉଭୟ ମା ଓ ଶିଶୁ କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆଣି ଭର୍ତ୍ତି କରିଥିଲେ l ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଦୂରଦୁରାନ୍ତ ରୁ ଆସୁଥିବା ପ୍ରସୂତି ମହିଳା ହୁଅନ୍ତୁ କିମ୍ବା ଗୁରୁତର ରୋଗୀ କରୋନା ପରୀକ୍ଷା ପାଈଁ ଅନ୍ୟତ୍ର ଯିବାକୁ ପଡୁଥିବାରୁ କରୋନା ପରୀକ୍ଷା ରିପୋର୍ଟ ଆସିବା ପୂର୍ବରୁ କାହାର ମୃତ୍ୟୁ ହେଉଥିବା ବେଳେ କାହାର ପ୍ରସବ ହୋଇଯାଉଥିବା ଦେଖିବାକୁ ମିଳିଛି l ତେଣୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ପ୍ରସୂତି ଓ ଗୁରୁତର ରୋଗୀ ଙ୍କ କୋଭିଡ ପରୀକ୍ଷା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରେ କରିବାକୁ ବହୁ ଜନସାଧାରଣ ମତ ପ୍ରକାଶ କରିଛନ୍ତି l