27.1 C
Bhubaneswar
Friday, May 10, 2024
Homeଖେଳସାମ୍‌ସନ୍ ଓ ଅର୍ଦ୍ଧଶତକ: ୭ ୱିକେଟ୍‌ରେ ହାରିଲା ଲକ୍ଷ୍ନୌ

ସାମ୍‌ସନ୍ ଓ ଅର୍ଦ୍ଧଶତକ: ୭ ୱିକେଟ୍‌ରେ ହାରିଲା ଲକ୍ଷ୍ନୌ

ଲକ୍ଷ୍ନୌ : ଆଇପିଏଲ୍ ୨୦୨୪ରେ ସଞ୍ଜୁ ସାମ୍‌ସନ୍‌ଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ ନିଜର ବିଜୟ ଧାରା ବଜାୟ ରଖିଛି । ଶନିବାର ଲକ୍ଷ୍ନୌର ଏକାନା ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଚଳିତ ସିଜନ୍‌ର ୪୪ତମ ମ୍ୟାଚ୍‌ରେ ଟିମ୍ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସକୁ ୭ ୱିକେଟ୍‌ରେ ହରାଇ ଦେଇଛି । ବ୍ୟାଟିଂ ଆମନ୍ତ୍ରଣ ପାଇ ଲକ୍ଷ୍ନୌ ପ୍ରଥମେ ୫ ୱିକେଟ୍ ବିନିମୟରେ ୧୯୬ ରନ୍ କରିଥିବା ବେଳେ ରାଜସ୍ଥାନ ୧୯ ଓଭର୍‌ରେ ୧୯୯ ରନ୍ କରି ବିଜୟୀ ହୋଇଛି । ଏହା ଚଳିତ ସିଜନ୍‌ରେ ରାଜସ୍ଥାନର ୯ ମ୍ୟାଚ୍‌ରୁ ଅଷ୍ଟମ ବିଜୟ ହୋଇଥିବା ବେଳେ ଟିମ୍ ୧୬ ପଏଣ୍ଟ୍ ସହ ଶୀର୍ଷରେ ବଳବତ୍ତର ରହିଛି । ଅନ୍ୟପକ୍ଷରେ ଲକ୍ଷ୍ନୌର ଏହା ୯ଟି ମ୍ୟାଚ୍‌ରେ ଚତୁର୍ଥ ପରାଜୟ ।

୧୯୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ରୟାଲ୍ସ ଓପ୍ନର୍ ଯଶସ୍ୱୀ ଜୟସ୍ୱାଲ୍ (୨୪) ଓ ଜୋସ୍ ବଟ୍‌ଲର୍ (୩୪) ୬୦ ରନ୍‌ର ଭାଗୀଦାରି କରିଥିଲେ । ତେବେ ଦୁହେଁ ଦୁଇଟି ବଲ୍ ବ୍ୟବଧାନରେ ଆଉଟ୍ ହୋଇଥିଲେ । ରିୟାନ୍ ପରାଗ ମାତ୍ର ୧୪ ରନ୍ କରି ପ୍ୟାଲିୟନ୍ ଫେରିବା ପରେ କ୍ୟାପ୍‌ଟେନ୍ ସଞ୍ଜୁ ସାମ୍‌ସନ୍ ଓ ଧ୍ରୁବ ଜୁରେଲ୍ ଇନିଂସ୍ ସମ୍ଭାଳିଥିଲେ । ଉଭୟ ଅବିଭାଜିତ ଚତୁର୍ଥ ୱିକେଟ୍ ପାଇଁ ୧୨୧ ରନ୍‌ର ଭାଗୀଦାରି କରି ୧୯ ଓଭର୍‌ରେ ଟିମ୍‌କୁ ବିଜୟୀ କରାଇଥିଲେ । ୟଶ୍ ଠାକୁରଙ୍କ ବଲ୍‌ରେ ସାମ୍‌ସନ୍ ବିଜୟୀ ଛକା ମାରିଥିଲେ । ସଞ୍ଜୁ ସାମ୍‌ସନ୍ ୩୩ ବଲ୍‌ରେ ୭ ଚୌକା ଓ ୪ ଛକା ସହାୟତାରେ ୭୧ ଏବଂ ଧ୍ରୁବ ଜୁରେଲ୍ ୩୪ ବଲ୍‌ରେ ୫ ଚୌକା ଓ ଛକା ସହାୟତାରେ ୫୨ ରନ୍ କରି ଅପରାଜିତ ରହିଥିଲେ । ଲକ୍ଷ୍ନୌ ପକ୍ଷରୁ ୟଶ୍ ଠାକୁର, ମାର୍କସ୍ ଷ୍ଟୋଇନିସ୍ ଓ ଅମିତ ମିଶ୍ରାଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌କୁ ଦ୍ୱିତୀୟ ଓଭର୍‌ରେ ଦୁଇଟି ଝଟ୍‌କା ଲାଗିଥିଲା । କ୍ୱିଣ୍ଟନ୍ ଡିକ୍ ୮ ରନ୍ ଏବଂ ମାର୍କସ୍ ଷ୍ଟୋଇନିସ୍ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ । ଏହାପରେ କ୍ୟାପ୍‌ଟେନ୍ କେଏଲ୍ ରାହୁଲ ଓ ଦୀପକ ହୁଡ୍ଡା ଇନିଂସ୍ ସମ୍ଭାଳି ୧୧୮ ରନ୍‌ର ଭାଗୀଦାରି କରିଥିଲେ । ହୁଡ୍ଡା ୩୦ ବଲ୍‌ରେ ୭ ଚୌକା ସହାୟତାରେ (୫୦) ରନ୍ କରିଥିବା ବେଳେ ଆର୍ ଅଶ୍ୱିନ୍‌ଙ୍କ ବଲ୍‌ରେ ବଡ଼ ଶଟ୍ ଖେଳିବାକୁ ଯାଇ ରୋଭମାନ୍ ପାୱେଲ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ । ଏହା ୨୨ ଇନିଂସ୍ ପରେ ତାଙ୍କର ପ୍ରଥମ ଅର୍ଦ୍ଧଶତକ ଥିଲା । ଏହା ପୂର୍ବରୁ ୟଜୁବେନ୍ଦ୍ର ଚହଲ୍‌ଙ୍କ ବଲ୍‌ରେ ମିଡ୍ ୱିକେଟ୍‌ରେ ଚୌକା ମାରି ୩୧ ବଲ୍‌ରେ ଆଇପିଏଲ୍ କ୍ୟାରିୟର୍‌ର ୩୫ତମ ଅର୍ଦ୍ଧଶତକ ହାସଲ କରିଥିବା ରାହୁଲ ସର୍ବାଧିକ ୭୬ ରନ୍ କରିଥିଲେ । ତାଙ୍କ ୪୮ ବଲ୍‌ର ଇନିଂସ୍‌ରେ ୮ ଚୌକା ଓ ଦୁଇଟି ଛକା ସାମିଲ ଥିଲା । ନିକୋଲାସ୍ ପୂରନ୍ ୧୧ ରନ୍ କରିଥିବା ବେଳେ ଆୟୁଷ ବଦୋନି ୧୮ ଓ କୃଣାଳ ପାଣ୍ଡ୍ୟା ୧୫ ରନ୍‌ରେ ଅପରାଜିତ ରହିଥିଲେ । ରାଜସ୍ଥାନ ପକ୍ଷରୁ ସନ୍ଦୀପ ଶର୍ମା ୨ଟି ୱିକେଟ୍ ନେଇଥିବା ବେଳେ ଟ୍ରେଣ୍ଟ୍ ବୋଲ୍ଟ, ଆଭେସ୍ ଖାନ୍ ଓ ଅଶ୍ୱିନଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking