36.1 C
Bhubaneswar
Monday, May 20, 2024
Homeଓଡିଶାମୋଦି ଶାସନରେ ‘ବେଟି ବଚାଓ’ ନାରା ‘ବଳାତ୍କାରୀ ବଚାଓ’ରେ ପରିଣତ ହୋଇଛି : କଂଗ୍ରେସ

ମୋଦି ଶାସନରେ ‘ବେଟି ବଚାଓ’ ନାରା ‘ବଳାତ୍କାରୀ ବଚାଓ’ରେ ପରିଣତ ହୋଇଛି : କଂଗ୍ରେସ

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ୧୦ବର୍ଷର ଶାସନକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

-ଉଭୟ ବିଜେପି ଓ ବିଜେଡି ଶାସନରେ ମହିଳା ସବୁଠୁ ଅଧିକ ଅସୁରକ୍ଷିତ
-ବଳାତ୍କାର ଓ ହତ୍ୟା ଅଭିଯୁକ୍ତଙ୍କୁ ନିର୍ବାଚନ ଲଢ଼ିବାକୁ ଦିଆଯାଉଛି ଟିକଟ
-କଂଗ୍ରେସ ଇସ୍ତାହାରରେ ମହିଳାଙ୍କୁ ଦିଆଯାଇଛି ବିଶେଷ ଗୁରୁତ୍ୱ
ଭୁବନେଶ୍ୱର,: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତ ୧୦ବର୍ଷର ଶାସନରେ ସମଗ୍ର ଭାରତବର୍ଷରେ ମହିଳାଙ୍କ ପ୍ରତି ବଳାତ୍କାର, ହତ୍ୟା, ଅପହରଣ ଓ ନିର୍ଯାତନା ବହୁ ମାତ୍ରାରେ ବୃଦ୍ଧି ପାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୋଦି ସରକାରଙ୍କ ଘନିଷ୍ଠ ରାଜନୈତିକ ସହଯୋଗୀ, ନେତା ଓ ମନ୍ତ୍ରୀମାନେ ଏସବୁ କାର୍ଯ୍ୟରେ ସମ୍ପୃକ୍ତ । ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରିବର୍ତେ ସରକାର ସେମାନଙ୍କୁ ଘଂଟ ଘୋଡ଼ାଉଛନ୍ତି । ଏପରିକି ବଳାତ୍କାର ଓ ହତ୍ୟା ମାମଲାରେ ସମ୍ପୃକ୍ତ ନେତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଦଳୀୟ ଟିକଟ ମଧ୍ୟ ଦିଆଯାଉଛି । ଫଳରେ ସମଗ୍ର ଦେଶରେ ମହିଳାମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି । ମୋଦି ସରକାରଙ୍କ ‘ବେଟି ବଚାଓ’ର ନାରା ଆଜି ‘ବଳାତ୍କାରୀ ବଚାଓ’ରେ ପରିଣତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଗତ ୧୦ବର୍ଷର ଶାସନକୁ ନେଇ ତାଙ୍କୁ ଏପରି ସମାଲୋଚନା କରିଛନ୍ତି ଅଖିଳ ଭାରତ କଂଗ୍ରେସ କମିଟି ପ୍ରବକ୍ତା ଡ. ଶ୍ୟାମା ମହମ୍ମଦ ।
ଗୁରୁବାର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ. ଶ୍ୟାମା ମହମ୍ମଦ କହିଲେ ଯେ ଉନାଓ ବଳାତ୍କାର ଓ ହତ୍ୟା ମାମଲା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ଜଣେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା କରାଗଲା । ପରେ ତାଙ୍କ ବାପାଙ୍କୁ ପୋଲିସ କଷ୍ଟୋଡିରେ ହତ୍ୟା କରାଯିବା ସହ ଦାଦାଙ୍କୁ ଟ୍ରକ୍ ଚଢ଼ାଇ ହତ୍ୟା କରାଗଲା । ଘଟଣାରେ ସମ୍ପୃକ୍ତ ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂହ ସେନଗରଙ୍କୁ ସେତେବେଳେ ଘଂଟ ଘୋଡ଼ାଇବାକୁ ଉଦ୍ୟମ କରାଯାଇଥିଲା । ମାତ୍ର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଘଟଣାସ୍ଥଳକୁ ଯାଇ ତୀବ୍ର ବିରୋଧ କରିବା ପରେ ଏହାର ସିବିଆଇ ତଦନ୍ତ ହୋଇଥିଲା । ସେହିପରି ସ୍ୱାମୀ ଚିନ୍ମୟାନନ୍ଦ, ରାମ ରହିମ ଆଦି ବଳାତ୍କାର ଅଭିଯୁକ୍ତଙ୍କୁ ମୋଦି ସରକାରଙ୍କ ସମର୍ଥନ କରିଆସିଛନ୍ତି । ବିକିସ ବାନୋ ବଳାତ୍କାର ଓ ହତ୍ୟା ମାମଲା ମଧ୍ୟ ଦେଶର ଅନ୍ୟତମ ଚର୍ଚ୍ଚିତ ଅପରାଧ ଥିଲା । ପରିବାର ଲୋକଙ୍କ ଆଗରେ ବିକିସ୍ ବାନୋଙ୍କୁ ବଳାତ୍କାର ଓ ହତ୍ୟା କରାଯିବା ସହ ତାଙ୍କ ୨ବର୍ଷର ଝିଅକୁ ହତ୍ୟା କରାଯାଇଥିଲା । ସେହିପରି ମହିଳା କୁସ୍ତି କ୍ରୀଡ଼ାବିତ୍ ଯେଉଁମାନେ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଆଣି ଆମ ଦେଶକୁ ଗୌରବାନ୍ୱିତ କରିଛନ୍ତି ସେମାନଙ୍କୁ ବିଜେପି ନେତା ବ୍ରିଜ ଭୁଷଣ ଶରଣ ସିଂ ଯୌନ ଶୋଷଣ କରିବା ଘଟଣା ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ନିନ୍ଦିତ କରିଛି । ମହିଳା କ୍ରୀଡ଼ାବିତ୍‌ମାନେ ବ୍ରିଜ ଭୁଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣା ଦେବାବେଳେ ପୁଲିସ ସେମାନଙ୍କୁ ଆକ୍ରମଣ କଲା । ଆଶ୍ଚର୍ଯ୍ୟର କଥା ଏସବୁ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୌନ ବ୍ରତ ଧାରଣ କରିଥିଲେ । ସେହିପରି ମଣିପୁର ମହିଳା ହିଂସା ଘଟଣାରେ ମଧ୍ୟ ପ୍ରଧାନମନ୍ତ୍ରୀ ନୀରବ ରହିଲେ ଓ ଘଟଣାସ୍ଥଳକୁ ଥରଟିଏ ମଧ୍ୟ ଗଲେନି । ମାତ୍ର ରାହୁଲ ଗାନ୍ଧି ମହିଳାମାନଙ୍କୁ ନ୍ୟାୟ ଦେବା ପାଇଁ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ସେହିଠାରୁ ହିଁ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ କଲେ । ବର୍ତମାନ ପ୍ରଜ୍ୱଳ ରେବନ୍ନା ମାମଲା ମଧ୍ୟ ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି । ଜଣେ ରାଜନେତା ୪୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ବଳାତ୍କାର କରିବା ସହ ୩୦୦୦ରୁ ଊର୍ଦ୍ଧ୍ୱ ଭିଡ଼ିଓ ଉତୋଳନ କରିଛି । ଘଟଣା ଧରାପଡ଼ିବା ପରେ ସେ ଦେଶ ଛାଡ଼ି ପଳାଇଥିବାବେଳେ ମୋଦି ସରକାର ହାତ ବାନ୍ଧି ବସିଛନ୍ତି । ଅଭିଯୁକ୍ତ ପ୍ରଜ୍ୱଳ ରେବନ୍ନା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ମୋଦି ସରକାର ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଲାଗିଛନ୍ତି । ତେଣୁ ଏ ସମସ୍ତ ଘଟଣାରେ ମୋଦି ସରକାରଙ୍କ ଶାସନରେ ମହିଳାମାନେ କେତେ ସୁରକ୍ଷିତ ତାହା ସ୍ପଷ୍ଟ ହେଉଛି ।
ସେହିପରି ଓଡ଼ିଶାରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳୁଛି ବୋଲି ଡ. ଶ୍ୟାମା ମହମ୍ମଦ କହିଛନ୍ତି । ସେ କହିଛନ୍ତି ଯେ ମମିତା ମେହେର ବଳାତ୍କାର ଓ ହତ୍ୟା ମାମଲାରେ ବିଜେଡି ନେତା କ୍ୟାପ୍‌ଟେନ୍ ଦିବ୍ୟ ଶଙ୍କର ମିଶ୍ର ଅଭିଯୁକ୍ତ ଥିଲେ ମଧ୍ୟ ପୁଲିସ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ । ନବୀନ ପଟ୍ଟନାୟକ ଦିବ୍ୟଶଙ୍କରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ତାଙ୍କୁ ପୁନର୍ବାର ନିର୍ବାଚନ ଲଢ଼ିବା ପାଇଁ ଟିକଟ ଦେଇଛନ୍ତିି । ସେହିପରି ବିଜେଡି ନେତା ଶ୍ରୀକାନ୍ତ ସାହୁ, ଅରୁଣ ସାହୁ୍‌ଙ୍କୁ ମଧ୍ୟ ଏଥର ଟିକଟ ମିଳିଛି । ତେଣୁ ଏଥିରୁ ସ୍ପଷ୍ଟ ଯେ ଉଭୟ ବିଜେପି ଓ ବିଜେଡି ସରକାର ମହିଳାମାନଙ୍କ ସୁରକ୍ଷା ଓ ସମ୍ମାନ ପ୍ରତି ଗୁରୁତ୍ୱ ଦେଉନାହାନ୍ତି । ମାତ୍ର କଂଗ୍ରେସ ସବୁବେଳେ ମହିଳାମାନଙ୍କ ସୁରକ୍ଷା ଓ ସମ୍ମାନକୁ ଗୁରୁତ୍ୱ ଦେଇଆସିଛି । ନିର୍ବାଚନୀ ଇସ୍ତାହାରରେ ମଧ୍ୟ କଂଗ୍ରେସ ମହିଳା ସଶକ୍ତୀକରଣ ନିମନ୍ତେ ଧ୍ୟାନ ଦେଇଛି । ମହାଲକ୍ଷ୍ମୀ ଯୋଜନାରେ ପ୍ରତି ଗରିବ ପରିବାରର ଜଣେ ମହିଳାଙ୍କୁ ବାର୍ଷିକ ୧ଲକ୍ଷ ଟଙ୍କା ସହାୟତା ପ୍ରଦାନ, କେନ୍ଦ୍ର ସରକାରଙ୍କ ବିଭିନ୍ନ ଚାକିରିରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ, ଆଶା, ଅଙ୍ଗନବାଡ଼ି କର୍ମୀ ଓ ମଧ୍ୟାହ୍ନଭୋଜନ କର୍ମଚାରୀଙ୍କ ଦରମା ଦୁଇଗଣ କରିବା ପାଇଁ କଂଗ୍ରେସ ଇସ୍ତାହାରରେ ଘୋଷଣା କରିଛି ବୋଲି ଡ. ଶ୍ୟାମା ମହମ୍ମଦ କହିଛନ୍ତି ।
ସେହିପରି ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ମୁଖ୍ୟ ଡ. ବିଶ୍ୱରଞ୍ଜନ ମହାନ୍ତି କହିଲେ ଯେ ଓଡ଼ିଶାରେ ମଧ୍ୟ ମହିଳାମାନଙ୍କ ବିକାଶ ପାଇଁ କଂଗ୍ରେସ ସ୍ୱତନ୍ତ୍ର ଇସ୍ତାହାର ପ୍ରସ୍ତୁତ କରିଛି । କଂଗ୍ରେସ କ୍ଷମତାକୁ ଆସିଲେ ଏସ୍‌ଏଚ୍‌ଜି ମହିଳାଙ୍କ ଋଣ ଛାଡ଼, ପରିବାରର ମୁଖ୍ୟ ମହିଳାଙ୍କୁ ମାସିକ ୨୦୦୦ ଟଙ୍କା, ଦଳିତ ଓ ଆଦିବାସୀ ମହିଳାଙ୍କୁ ମାସିକ ୩୦୦୦ ଟଙ୍କା ପ୍ରଦାନ ସହ ୫୦୦ ଟଙ୍କାରେ ରନ୍ଧନ ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥୀ, ମନିଷା ଦାସ ପଟ୍ଟନାୟକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking