37.1 C
Bhubaneswar
Monday, May 20, 2024
Homeଓଡିଶା୬୭ଜଣଙ୍କୁ ପଦ୍ମ ସମ୍ମାନ; ଓଡ଼ିଶାର ଭାଗବତ ପ୍ରଧାନ, ବିନୋଦ ମହାରଣାଙ୍କୁ ପଦ୍ମଶ୍ରୀ

୬୭ଜଣଙ୍କୁ ପଦ୍ମ ସମ୍ମାନ; ଓଡ଼ିଶାର ଭାଗବତ ପ୍ରଧାନ, ବିନୋଦ ମହାରଣାଙ୍କୁ ପଦ୍ମଶ୍ରୀ

ନୂଆଦିଲ୍ଲୀ: ଗୁରୁବାର ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ‘ପଦ୍ମ’ ସମ୍ମାନ ସମାରୋହ ଭବ୍ୟ ପରିବେଶ ମଧ୍ୟରେ ଆୟୋଜିତ ହୋଇଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ୬୭ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଆଜି ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ଏମାନଙ୍କ ମଧ୍ୟରୁ ବିଶିଷ୍ଟ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ଡ.ବୈଜୟନ୍ତୀମାଲା ବାଲି ଏବଂ ଅଭିନେତା ଚିରଞ୍ଜୀବୀଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ୯ଜଣ ବିଶିଷ୍ଟ ବ୍ୟକ୍ତିବୃନ୍ଦଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି ।

ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ଏହି ୯ଜଣଙ୍କ ମଧ୍ୟରେ ଦିବଂଗତ ସୁପ୍ରିମକୋର୍ଟର ପୂର୍ବତନ ମହିଳା ବିଚାରପତି ଜଷ୍ଟିସ୍ ଫାତିମା ବିବି, ଦିବଂଗତ ସତ୍ୟବ୍ରତ ମୁଖାର୍ଜୀ, ଦିବଂଗତ ତୋଗଡନ୍ ରିନ୍‌ପୋଛେ, ଦିବଂଗତ କ୍ୟାପ୍‌ଟେନ୍ ବିଜୟକାନ୍ତଙ୍କ ଭଳି ବିଶିଷ୍ଟ ବ୍ୟକ୍ତିବିଶେଷ ରହିଥିବା ବେଳେ ଏମାନଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ପ୍ରଦାନ କରାଯାଇଛି । ପରିବାର ଲୋକେ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନ ଗ୍ରହଣ କରିଛନ୍ତି । ସେହିପରି ବାକି ୫୬ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ରିପୋର୍ଟ ଅନୁସାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଓଡ଼ିଶାର ମଧ୍ୟ ୨ ବରପୁତ୍ର ସାମିଲ ଅଛନ୍ତି । ଲୋକକଳା ‘ଶଦ୍ଦ ନୃତ୍ୟ’ର ବିଶିଷ୍ଟ କଳାକାର ଭାଗବତ ପ୍ରଧାନ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି । ବରଗଡ଼ ଜିଲ୍ଲାର ୮୫ ବର୍ଷୀୟ ଭାଗବତ ପ୍ରଧାନ ଦୀର୍ଘ ୫ ଦଶନ୍ଧି ଧରି ଏହି କଳାର ପ୍ରଦର୍ଶନ କରିବା ସହ ପ୍ରଚାର ଓ ପ୍ରସାର ପାଇଁ ନିଜକୁ ସମର୍ପି ଦେଇଛନ୍ତି । ସେହିପରି ଖୋର୍ଦ୍ଧାର ପଟ୍ଟଚିତ୍ର କଳାକାର ବିନୋଦ ମହାରଣା ମଧ୍ୟ ଆଜି ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି । ଏହି ଦୁଇଜଣଙ୍କ ବ୍ୟତୀତ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ୭ କ୍ରୀଡାବିତ୍ ସାମିଲ ରହିଛନ୍ତି । ଏମାନେ ହେଲେ ରୋହନ ବୋପନ୍ନା, ଜ୍ୟୋତ୍ସ୍ନା ଚିନ୍ନାପା, ଉଦୟ ବିଶ୍ୱନାଥ ଦେଶପାଣ୍ଡେ, ହରବିନ୍ଦର ସିଂହ, ସତ୍ୟେନ୍ଦ୍ର ସିଂହ ଲୋହିଆ, ପୂର୍ଣ୍ଣିମା ମହତୋ ଏବଂ ଗୌରବ ଖନ୍ନା ପ୍ରମୁଖ ।

ପ୍ରକାଶ, ପ୍ରତ୍ୟେକ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତ ସରକାର ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରୁ ଅନ୍ୟତମ ସମ୍ମାନ ଭାବେ ବିବେଚିତ ହେଉଥିବା ‘ପଦ୍ମ’ ପୁରସ୍କାର ପ୍ରଦାନ କରିଥାନ୍ତି । ଏହା ମୁଖ୍ୟତଃ ୩ଟି ବର୍ଗରେ ପ୍ରଦାନ କରାଯାଇଆସୁଛି । ସେଗୁଡ଼ିକ ହେଲା ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ । କଳା, ସାମାଜିକ କାର୍ଯ୍ୟ, ବିଜ୍ଞାନ ଏବଂ ଯାନ୍ତ୍ରିକ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ, ଶିକ୍ଷା, କ୍ରୀଡ଼ା, ପ୍ରଶାସନିକ ସେବା ଆଦି କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଏ । ତେବେ ଗତମାସରେ ରାଷ୍ଟ୍ରପତି ୩ଟି ପଦ୍ମ ବିଭୂଷଣ, ୮ଟି ପଦ୍ମଭୂଷଣ ଏବଂ ୫୫ଟି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking