36.1 C
Bhubaneswar
Monday, May 20, 2024
Homeଖେଳକୋହଲି, ପାଟିଦାରଙ୍କ ଅର୍ଦ୍ଧଶତକ: ୬୦ ରନ୍‌ରେ ହାରିଲା ପଞ୍ଜାବ

କୋହଲି, ପାଟିଦାରଙ୍କ ଅର୍ଦ୍ଧଶତକ: ୬୦ ରନ୍‌ରେ ହାରିଲା ପଞ୍ଜାବ

ଧର୍ମଶାଳା: ଚଳିତ ଆଇପିଏଲ୍‌ର ୫୮ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସକୁ ୬୦ ରନ୍‌ରେ ହରାଇ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ଲେଅଫ୍ ଆଶା ଉଜ୍ଜୀବିତ କରିଛି । ଗୁରୁବାର ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ଟସ୍ ହାରି ବେଙ୍ଗାଲୁରୁ ପ୍ରଥମେ ୭ ୱିକେଟ୍ ହରାଇ ୨୪୧ ରନ୍ କରିଥିଲା । ଜବାବରେ ପଞ୍ଜାବ ୧୭ ଓଭର୍‌ରେ ୧୮୧ ରନ୍ କରି ଅଲ୍‌ଆଉଟ୍ ହୋଇଥିଲା । ଅନ୍ୟପକ୍ଷରେ ୧୨ ମ୍ୟାଚ୍‌ରୁ ଅଷ୍ଟମ ପରାଜୟ ସହ ପଞ୍ଜାବର ପ୍ଲେଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି । ୨୪୨ ରନ୍‌ର ଲକ୍ଷ୍ୟକୁ ପିଛା କରୁଥିବା ପଞ୍ଜାବକୁ ପ୍ରଥମ ଓଭର୍‌ରେ ହିଁ ୱିକେଟ୍ ହରାଇଥିଲା । ସ୍ୱପ୍ନିଲ୍ ସିଂହ ଓଭର୍‌ର ଚତୁର୍ଥ ବଲ୍‌ରେ ପ୍ରଭସିମ୍‌ରନ୍ ସିଂହ (୬)ଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ୍ କରିଥିଲେ । ଏହାପରେ ଜନ୍ନି ବେୟାର୍‌ଷ୍ଟୋ ଓ ରିଲି ରୁସୋଙ୍କ ମଧ୍ୟରେ ୬୫ ରନ୍‌ର ଭାଗୀଦାରି ହୋଇଥିଲା । ବେୟାର୍‌ଷ୍ଟୋ (୨୭)ଙ୍କୁ ଡୁପ୍ଲେସିସ୍‌ଙ୍କ ହାତରେ କ୍ୟାଚ୍ କରାଇ ଲକି ଫର୍ଗୁସନ୍ ଏହି ଯୋଡ଼ି ଭାଙ୍ଗିଥିଲେ । ଏହାପରେ କର୍ଣ୍ଣ ଶର୍ମା ନବମ ଓଭର୍‌ର ଶେଷ ବଲ୍‌ରେ ରୁସୋଙ୍କୁ ପ୍ୟାଭିଲିୟନ୍ ଫେରାଇଥିଲେ ।

୨୧ ବଲ୍‌ରେ ସିଜନ୍‌ର ପ୍ରଥମ ଅର୍ଦ୍ଧଶତକ ପୂରଣ କରିଥିବା ରୁସୋ ୨୭ ବଲ୍‌ରେ ୬୧ ରନ୍ କରିଥିଲେ । ଜିତେଶ ଶର୍ମା (୫) କର୍ଣ୍ଣ ଶର୍ମାଙ୍କ ଦ୍ୱିତୀୟ ଶିକାର ହୋଇଥିବା ବେଳେ ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍ ଖାତା ଖୋଲିବା ପୂର୍ବରୁ ସ୍ୱପ୍ନିଲ୍ ସିଂହଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍ ଫେରିଥିଲେ । ଶଶାଙ୍କ ସିଂହ ୧୯ ବଲ୍‌ରେ ୪ ଚୌକା ଦୁଇ ଛକା ସହାୟତାରେ ୩୭ ରନ୍ କରିଥିବା ବେଳେ କୋହଲିଙ୍କ ଦ୍ୱାରା ରନ୍‌ଆଉଟ୍ ହୋଇଥିଲେ । ଆଶୁତୋଷ ଶର୍ମା ୮ ରନ୍ କରିଥିବା ବେଳେ ସିରାଜ୍ ତାଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ୍ କରିଥିଲେ । ପର ଓଭର୍‌ରେ ସାମ୍ କରନ୍ (୨୨)ଙ୍କୁ କ୍ଲିନ୍ ବୋଲ୍ଡ କରି ଲକି ଫର୍ଗୁସନ୍ ପଞ୍ଜାବର ଆଶା ଧୂଳିସାତ୍ କରିଥିଲେ । ହର୍ଷଲ୍ ପଟେଲ୍ ଖାତା ଖୋଲିପାରି ନଥିବା ବେଳେ ଅର୍ଶଦୀପ୍ ୪ ରନ୍‌ରେ ସିରାଜ୍‌ଙ୍କ ତୃତୀୟ ଶିକାର ହୋଇଥିଲେ । ବେଙ୍ଗାଲୁରୁ ପକ୍ଷରୁ ମହମ୍ମଦ ସିରାଜ୍ ୩ଟି ୱିକେଟ୍ ନେଇଥିବା ବେଳେ ସ୍ୱପ୍ନିଲ୍ ସିଂହ, ଲକି ଫର୍ଗୁସନ୍ ଓ କର୍ଣ୍ଣ ସିଂହଙ୍କୁ ଦୁଇଟି ଲେଖାଏଁ ସଫଳତା ମିଳିଥିଲା ।

ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଆର୍‌ସିବି ୪୩ ରନ୍‌ରେ ୨ଟି ୱିକେଟ୍ ହରାଇଥିଲା । କ୍ୟାପ୍‌ଟେନ୍ ଫାପ୍ ଡୁପ୍ଲେସିସ୍ ୯ ରନ୍‌ରେ ବିଧ୍ୱତ କାଭେରପ୍ପାଙ୍କ ବଲ୍‌ରେ ଶଶାଙ୍କ ସିଂହଙ୍କୁ କ୍ୟାଚ୍ ଦେଇ ଫେରିଥିଲେ । ୱିଲ୍ ଜ୍ୟାକ୍ସ ୧୨ ରନ୍ କରିଥିବା ବେଳେ ବିଧ୍ୱତଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ଦୁଇ ୱିକେଟ୍ ହରାଇବା ପରେ ବିରାଟ କୋହଲି ଓ ରଜତ ପାଟିଦାର ଦ୍ରୁତ ରନ୍ ସଂଗ୍ରହ କରି ୧୦ ଓଭର୍‌ରେ ଟିମ୍‌ର ସ୍କୋର୍ ୧୧୯ ରନ୍‌ରେ ପହଞ୍ଚାଇଥିଲେ । ଉଭୟଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ୬୬ ରନ୍‌ର ଅର୍ଦ୍ଧଶତକୀୟ ଭାଗୀଦାରି ହୋଇଥିଲା । ତେବେ ପାଟିଦାରଙ୍କୁ ବେୟାରଷ୍ଟୋଙ୍କ ହାତରେ କ୍ୟାଚ୍ କରାଇ ପଞ୍ଜାବ କ୍ୟାପ୍‌ଟେନ୍ ସାମ୍ କରନ୍ ଏହି ଭାଗୀଦାରିରେ ବ୍ରେକ୍ ଲଗାଇଥିଲେ । ୨୧ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିବା ପାଟିଦାର ୨୩ ବଲ୍‌ରେ ୩ ଚୌକା ଓ ୬ ଛକା ସହାୟତାରେ ୫୫ ରନ୍ କରି ଫେରିଥିଲେ । ଦଶମ ଓଭର୍ ଶେଷ ପରେ ଜୋର୍‌ରେ ବର୍ଷା ହେବା ସହ କୁଆପଥର ପଡ଼ିବାରୁ ମ୍ୟାଚ୍ କିଛି ସମୟ ବନ୍ଦ ରହିଥିଲା । ତେବେ ୮ଟା ୫୫ରେ ମ୍ୟାଚ୍ ପୁଣିଥରେ ଆରମ୍ଭ ହେବା ପରେ କୋହଲିଙ୍କ ବ୍ୟାଟ୍ ଗର୍ଜିଥିଲା ଏବଂ ୧୨ଶ ଓଭର୍‌ରେ ୩୨ ବଲ୍‌ରେ ଚଳିତ ସିଜନ୍‌ର ପଞ୍ଚମ ଅର୍ଦ୍ଧଶତକ ହାସଲ କରିଥିଲେ ।

ଏହା ସହିତ ଚଳିତ ସିଜନ୍‌ରେ ତାଙ୍କର ୬୦୦ ରନ୍ ମଧ୍ୟ ପୂରଣ ହୋଇଥିଲା । କୋହଲି ୪୭ ବଲ୍‌ରୁ ୭ ଚୌକା ଓ ୬ ଛକା ସହାୟତାରେ ୯୨ ରନ୍ କରିଥିବା ବେଳେ ୧୮ତମ ଓଭର୍‌ରେ ଅର୍ଶଦୀପ୍ ସିଂହଙ୍କ ବଲ୍‌ରେ ରିଲି ରୁସୋଙ୍କୁ କ୍ୟାଚ୍ ଦେଇ ଫେରିଥିଲେ । ଇତିମଧ୍ୟରେ ସେ ଗ୍ରୀନ୍‌ଙ୍କ ସହ ୯୨ ରନ୍‌ର ଭାଗୀଦାରି କରି ଟିମ୍‌ର ସ୍କୋର୍ ୨୦୦ ରନ୍ ପାର୍ କରାଇଥିଲେ । ଶେଷ ଆଡ଼କୁ ୱିକେଟ୍‌କିପର୍ ଦିନେଶ କାର୍ତ୍ତିକ ବିସ୍ଫୋରକ ବ୍ୟାଟିଂ କରି ୭ ବଲ୍‌ରେ ଗୋଟିଏ ଚୌକା ଓ ଦୁଇଟି ଛକା ସହାୟତାରେ ୧୮ ରନ୍‌ର ଯୋଗଦାନ କରିଥିଲେ । କାର୍ତ୍ତିକ ଓ ଗ୍ରୀନ୍‌ଙ୍କ ମଧ୍ୟରେ ୯ ବଲ୍‌ରେ ୨୭ ରନ୍‌ର ଭାଗୀଦାରି ହୋଇଥିଲା । ଉଭୟ ରାହୁଲ ଚହରଙ୍କ ଓଭର୍ (୧୯ତମ)ରୁ ୨୧ ରନ୍ ଉଠାଇଥିଲେ । ଶେଷ ଓଭର୍‌ରେ ହର୍ଷଲ୍ ପଟେଲ୍ ମାତ୍ର ୩ ରନ୍ ବ୍ୟୟକରି ତିନିଟି ୱିକେଟ୍ ଅକ୍ତିଆର କରିଥିଲେ । ସେ ଦିନେଶ କାର୍ତ୍ତିକ (୧୮ ରନ୍‌), ମହିପାଲ୍ ଲୋମରୋର୍ (୦) ଏବଂ କାମେରନ୍ ଗ୍ରୀନ୍ (୪୬ ରନ୍‌)ଙ୍କୁ ଆଉଟ୍ କରିଥିଲେ । ହର୍ଷଲ୍‌ଙ୍କ ବ୍ୟତୀତ ବିଧ୍ୱତ କାଭେରପ୍ପା ୨ଟି, ଅର୍ଶଦୀପ୍ ଓ ସାମ୍ କରନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking