31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶକର୍ଣ୍ଣାଟକ ବିଜେପିକୁ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ତାଗିଦ୍‌; ବିବାଦୀୟ ‘ପୋଷ୍ଟ’ ହଟାଇବାକୁ ଏକ୍ସ’କୁ ନିର୍ଦ୍ଦେଶ

କର୍ଣ୍ଣାଟକ ବିଜେପିକୁ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ତାଗିଦ୍‌; ବିବାଦୀୟ ‘ପୋଷ୍ଟ’ ହଟାଇବାକୁ ଏକ୍ସ’କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶରେ ଏବେ ନିର୍ବାଚନୀ ମାହୋଲ ରହିଥିବା ବେଳେ କର୍ଣ୍ଣାଟକ ବିଜେପି ପକ୍ଷରୁ କଂଗ୍ରେସ ସମ୍ପର୍କରେ ଏକ ଆପତ୍ତିଜନକ ପୋଷ୍ଟ କରାଯିବା ଘଟଣାରେ ଭାରତୀୟ ନିର୍ବାଚନ ଆୟୋଗ (ସିଇସି) ଆଜି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ପ୍ରଦେଶ ବିଜେପିକୁ ଏପ୍ରକାର ଆଭିମୁଖ୍ୟ ତଥା ଆଚରଣରୁ ଦୂରେଇ ରହିବାକୁ ନିର୍ବାଚନ ଆୟୋଗ ତାଗିଦ୍ କରିଛନ୍ତି । ଏଥିସହ ପ୍ରଦେଶ ବିଜେପି ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଉକ୍ତ ବିବାଦୀୟ କଣ୍ଟେଣ୍ଟ୍‌କୁ ହଟାଇବାକୁ ମଧ୍ୟ ଏକ୍ସ’କୁୂ ନିର୍ଦ୍ଦେଶ ଦେଇଛନ୍ତି ସିଇସି ।
ରିପୋର୍ଟ ଅନୁସାରେ କଂଗ୍ରେସକୁ କଟାକ୍ଷ କରିବା ଭଳି ଏକ ଆନିମେଟେଡ୍ ଭିଡିଓକୁ କର୍ଣ୍ଣାଟକ ବିଜେପି ପକ୍ଷରୁ ନିଜ ଅଫିସିଆଲ ଏକ୍ସ ଆକାଉଣ୍ଟରେ ଗତ ୪ ତାରିଖରେ ଅପଲୋଡ୍ କରାଯାଇଥିଲା । ତେବେ ଏହି ଭିଡିଓରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଆନିମେସନ୍ ସାଙ୍ଗକୁ ଏସ୍‌ସି, ଏସ୍‌ଟି ଓ ଓବିସି ସଂପ୍ରଦାୟର ଲୋକଙ୍କୁ ଗୋଟିଏ ବସାରେ ଅଣ୍ଡା ଭାବେ ଚିତ୍ରିତ କରାଯାଇଥିବାର ଦେଖିବାକୁ ମିଳିଛି । ଉକ୍ତ ବସାରେ ରାହୁଲ ଗାନ୍ଧୀ, ମୁସଲିମ୍ ଲେଖାଯାଇଥିବା ଗୋଟିଏ ବଡ଼ ଅଣ୍ଡାକୁ ରଖୁଥିବା ବେଳେ ଏହି ଅଣ୍ଡାରୁ ବାହାରିଥିବା ପକ୍ଷୀଙ୍କୁ ରାହୁଲ୍ ଫଣ୍ଡ୍ ଖୁଆଉଥିବା ବେଳେ ଅନ୍ୟ ସଂପ୍ରଦାୟର ଲୋକ କେବଳ ଭକୁଆ ଭଳି ଚାହିଁ ରହିଥିବାର ଦେଖିବାକୁ ମିଳିଛି । ଶେଷରେ ମୁସିଲମ୍ ଅଣ୍ଡାରୁ ଫୁଟିଥିବା ଛୁଆ ପରେ ଅନ୍ୟ ଏସ୍‌ସି, ଏସ୍‌ଟି ଓ ଓବିସି ସଂପ୍ରଦାୟର ଲୋକଙ୍କୁ ଗୋଇଠା ମାରି ବସାରୁ ବିଦା କରି ଦେଉଥିବା ଭିଡିଓରେ ଦୃଶ୍ୟାୟିତ ହୋଇଥିବା ଦେଖିବାକୁ ମିଳୁଛି ।
କର୍ଣ୍ଣାଟକ ବିଜେପି, ଉଦ୍ଦେଶ୍ୟମୂଳକ ଭାବେ ଏପ୍ରକାର ଭିଡିଓ ପ୍ରସ୍ତୁତ କରିବା ସହ ସୋସିଆଲ ମିଡିଆରେ ପୋଷ୍ଟ କରିବା ପୂର୍ବକ ସମାଜରେ ବିଦ୍ୱେଷ ଓ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରିଥିବା କଂଗ୍ରେସ କର୍ଣ୍ଣାଟକ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲା । ଏଥିସହ ମଧ୍ୟ କଂଗ୍ରେସ ପକ୍ଷରୁ ଏହି ଘଟଣାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କର୍ଣ୍ଣାଟକ ବିଜେପି ମୁଖ୍ୟ ବିୱାଇ ବିଜୟେନ୍ଦ୍ର ଏବଂ ସୋସିଆଲ ମିଡିଆ ମୁଖ୍ୟ ଅମିତ୍ ମାଲବ୍ୟଙ୍କ ବିରୋଧରେ ଏଫଆଇଆର୍ ମଧ୍ୟ ରୁଜୁ କରାଯାଇଛି । ରାଜ୍ୟ ପୁଲିସ୍ ମଧ୍ୟ ଏହି ଘଟଣାରେ ଜନପ୍ରତିନିଧି ଆଇନ୍ ଓ ଆଇପିସି ଧାରା ୫୦୫(୨) ଅନୁଯାୟୀ ଏକ ମାମଲା ରୁଜୁ କରିଛି, ଯେଉଁଥିରେ ବିଜେପିର ଏହି ୩ ନେତାଙ୍କୁ ପକ୍ଷଭୁକ୍ତ କରାଯାଇଛି । ଏମାନେ ଜାଣିଶୁଣି ନିର୍ବାଚନ ସମୟରେ ନିର୍ଦ୍ଦିଷ୍ଟ ବର୍ଗର ଭୋଟରମାନଙ୍କୁୂ କଂଗ୍ରେସ ପ୍ରତି ବିମୁଖ କରିବା ଉଦ୍ଦେଶ୍ୟରେ ହୀନ ରାଜନୀତି କରିଥିବା କଂଗ୍ରେସ ଅଭିଯୋଗ କରିଛି । ସୂଚନାଯୋଗ୍ୟ, ଭାରତୀୟ ନିର୍ବାଚନ ଆୟୋଗ ଆଜି ଏକ୍ସ’କୁ ନିର୍ଦ୍ଦେଶ ଦେବା ପୂର୍ବରୁ ବିଜେପି ପକ୍ଷରୁ ପୋଷ୍ଟ କରାଯାଇଥିବା ଏହି ଭିଡିଓକୁ ଏକ୍ସରୁ ହଟାଇବା ପାଇଁ କର୍ଣ୍ଣାଟକ ନିର୍ବାଚନ ଅଧିକାରୀ ମଧ୍ୟ ବିଜେପିକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ପ୍ରଦେଶ ବିଜେପି ଏହାକୁ ଖାତିର କରି ନଥିଲା । ତେଣୁ ଆଜି ଭାରତୀୟ ନିର୍ବାଚନ କମିଶନ ବାଧ୍ୟହୋଇ ଏହି ଘଟଣାରେ ହସ୍ତକ୍ଷେପ କରିଛନ୍ତି । ଏକ୍ସ’କୁ ସିଧାସଳଖ ବିଜେପିର ଏହି ବିବାଦୀୟ ପୋଷ୍ଟକୁ ହଟାଇବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking