28.1 C
Bhubaneswar
Saturday, April 27, 2024
Homeଖେଳଆଇସିସି ଅଣ୍ଡର-୧୯ ବିଶ୍ୱକପ୍‌ : ୱେଷ୍ଟଇଣ୍ଡିଜ୍‌, ପାକିସ୍ତାନ ବିଜୟୀ, ଅଷ୍ଟ୍ରେଲିଆକୁ ଧୂଳି ଚଟେଇଲା ଶ୍ରୀଲଙ୍କା

ଆଇସିସି ଅଣ୍ଡର-୧୯ ବିଶ୍ୱକପ୍‌ : ୱେଷ୍ଟଇଣ୍ଡିଜ୍‌, ପାକିସ୍ତାନ ବିଜୟୀ, ଅଷ୍ଟ୍ରେଲିଆକୁ ଧୂଳି ଚଟେଇଲା ଶ୍ରୀଲଙ୍କା

ସେଣ୍ଟ୍ କିଟ୍ସ: କ୍ୟାପ୍‌ଟେନ୍ ଦୁନିଥ୍ ୱେଲ୍ଲାଲାଗେଙ୍କ ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ ବଳରେ ଶ୍ରୀଲଙ୍କା ଆଇସିସି ଅଣ୍ଡର-୧୯ ବିଶ୍ୱକପ୍ ଗ୍ରୁପ୍‌-ଡି’ର ଏକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୪ ୱିକେଟ୍‌ରେ ପରାସ୍ତ କରିଛି । ପ୍ରଥମେ ୱେଲ୍ଲାଲାଗେ ୨୮ ରନ୍ ଦେଇ ୫ଟି ୱିକେଟ୍ ନେବା ଫଳରେ ଅଷ୍ଟ୍ରେଲିଆ ଇନିଂସ୍ ୧୭୫ ରନ୍‌ରେ ସୀମିତ ହୋଇଯାଇଥିଲା । ତାଙ୍କ ବ୍ୟତୀତ ଟ୍ରେଭିନ୍ ମାଥ୍ୟୁ ଓ ମଥିସା ପଥିରାନା ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ । ସହଜ ଲକ୍ଷ୍ୟର ପିଛା କରୁଥିବା ଶ୍ରୀଲଙ୍କା ଗୋଟିଏ ସମୟରେ ୪୯ ରନ୍‌ରେ ୪ଟି ୱିକେଟ୍ ହରାଇ ବିପଦରେ ପଡ଼ିଥିଲା । ତେବେ ଏହାପରେ ୱେଲ୍ଲାଲାଗେଙ୍କ ୭୧ ବଲ୍‌ରେ ୫୨ ରନ୍‌ର ଇନିଂସ୍ ଟିମ୍‌କୁ ସଂକଟରୁ ବଞ୍ଚାଇଥିଲା । ସେ ୱିକେଟ୍‌କିପର୍ ଅଞ୍ଜାଲା ବଣ୍ଡାରା (୩୩) ଓ ରାନୁଦା ସମରରତ୍ନେ (୩୨³)ଙ୍କ ସହ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପାର୍ଟନର୍‌ଶିପ୍ କରିଥିଲେ ।

ଗ୍ରୁପ୍‌-ଡି’ରେ ଶ୍ରୀଲଙ୍କା ଦୁଇଟି ବିଜୟରୁ ୪ ପଏଣ୍ଟ ନେଇ ଶୀର୍ଷରେ ଥିବାବେଳେ ଅଷ୍ଟ୍ରେଲିଆ ଗୋଟିଏ ବିଜୟ ସହ ତୃତୀୟ ସ୍ଥାନରେ ରହିଛି । ଅନ୍ୟ ଏକ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ୭ ୱିକେଟ୍‌ରେ ସ୍କଟ୍‌ଲ୍ୟାଣ୍ଡକୁ ହରାଇ ପ୍ରଥମ ବିଜୟ ହାସଲ କରିଛି । ଟସ୍ ଜିତି ଫିଲ୍ଡିଂ ନେଇଥିବା ୱେଷ୍ଟଇଣ୍ଡିଜ୍ ୩୫.୪ ଓଭର୍‌ରେ ସ୍କଟ୍‌ଲ୍ୟାଣ୍ଡ୍‌କୁ ମାତ୍ର ୯୫ ରନ୍‌ରେ ସୀମିତ କରିଦେବା ପରେ ମାତ୍ର ୧୯.୧ ଓଭର୍‌ରେ ୩ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଥିଲା । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଡାହାଣହାତୀ ଫାଷ୍ଟ ବୋଲର୍ ଶିବ ଶଙ୍କର ୩ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଅଫ୍ ସ୍ପିନର୍ ଓନାଜେ ଏମୋରୀ ଓ ବାମହାତୀ ସ୍ପିନର୍ ଆଣ୍ଡର୍‌ସନ୍ ମହାସେଙ୍କୁ ଦୁଇଟି ଲେଖାଏଁ ସଫଳତା ମିଳିଥିଲା । ଉନ୍ନତ ରନ୍ ରେଟ୍ କାରଣରୁ ୱେଷ୍ଟଇଣ୍ଡିଜ୍ ଗ୍ରୁପ୍‌-ଡି’ର ଦ୍ୱିତୀୟ ସ୍ଥାନ ହାସଲ କରିଛି ।

ଗ୍ରୁପ୍‌-ସି’ରେ ଜିମ୍ବାୱେ ବିପକ୍ଷରେ ପାକିସ୍ତାନ ସହଜ ବିଜୟ ସହ ଟୁର୍ଣ୍ଣାମେଣ୍ଟ୍‌ରେ ଅଭିଯାନ ଆରମ୍ଭ କରିଛି । ଓପ୍ନର୍ ବ୍ୟାଟ୍ସମ୍ୟାନ୍ ହସିବୁଲ୍ଲା ଖାନ୍‌ଙ୍କ ଶତକ ସହାୟତାରେ ପାକିସ୍ତାନ ୧୧୫ ରନ୍‌ରେ ଜିମ୍ବାୱେକୁ ହରାଇ ଦେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପାକିସ୍ତାନ ୱିକେଟ୍‌କିପର୍ ହସିବୁଲ୍ଲାଙ୍କ ୧୫୫ ବଲ୍‌ରେ ୧୩୫ ରନ୍ ଓ ଇର୍ଫାନ୍ ଖାନ୍‌ଙ୍କ ୭୩ ବଲ୍‌ରେ ୭୫ ରନ୍‌ର ଆକର୍ଷଣୀୟ ଇନିଂସ୍ ସହାୟତାରେ ୯ ୱିକେଟ୍ ବିନିମୟରେ ୩୧୫ ରନ୍‌ର ବଡ଼ ସ୍କୋର୍ ଛିଡ଼ା କରିଥିଲା । ଉଭୟଙ୍କ ମଧ୍ୟରେ ତୃତୀୟ ୱାକେଟ୍ ପାଇଁ ୧୯୨ ରନ୍‌ର ପାର୍ଟନରଶିପ୍ ହୋଇଥିଲା । ହସିବୁଲ୍ଲାଙ୍କ ୧୩୫ ରନ୍ ଚଳିତ ଟୁର୍ଣ୍ଣାମେଣ୍ଟ୍‌ର ସର୍ବାଧିକ ସ୍କୋର୍ ହୋଇଛି । ଜିମ୍ବାୱେ ପକ୍ଷରୁ ଫାଷ୍ଟ ବୋଲର୍ ଆଲେକ୍ସ ଫେଲାଓ ୫୮ ରନ୍ ଦେଇ ୫ଟି ୱିକେଟ୍ ଅକ୍ତିଆର କରିଥିଲେ । ଜବାବରେ ବ୍ରାଏନ୍ ବେନେଟ୍‌ଙ୍କ ୮୩ ରନ୍ ସତ୍ତ୍ୱେ ଜିମ୍ବାୱେ ଟିମ୍ ୪୨.୨ ଓଭର୍‌ରେ ୨୦୦ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking