28.1 C
Bhubaneswar
Saturday, May 11, 2024
Homeକରୋନା ଓଡିଶାକରୋନା କବଳରେ ଡଙ୍ଗରିଆ, ସରପଞ୍ଚଙ୍କ ସମେତ ସଂକ୍ରମିତ ହେଲେଣି ୨୦

କରୋନା କବଳରେ ଡଙ୍ଗରିଆ, ସରପଞ୍ଚଙ୍କ ସମେତ ସଂକ୍ରମିତ ହେଲେଣି ୨୦

ରାୟଗଡ଼ା : କରୋନାର ପ୍ରଥମ ଲହରୀରେ ଗ୍ରୀନ ଜୋନ୍‌ରେ ଥିବା ନିୟମଗିରି ଏବେ ରେଡ୍‌ଜୋନ୍‌ରେ ପରିଣତ ହେବାକୁ ଯାଉଛି । ଏହି ବିରଳ ଜନଜାତିର ଡଙ୍ଗରିଆ ସଂପ୍ରଦାୟ କରୋନା କବଳରୁ ବର୍ତ୍ତିପାରିନାହାନ୍ତି । ପୂର୍ବ ଘାଟ ପର୍ବତମାଳାର ନିୟମଗିରିରେ ବାସ କରୁଥିବା ୪ଟି ଡଙ୍ଗରିଆ ଗାଁକୁ ଇତି ମଧ୍ୟରେ କରୋନା ବ୍ୟାପିଛି । ପାର୍ସାଲି ସରପଞ୍ଚଙ୍କ ସମେତ ଫାକେରୀ, ବୁଡୁଣି, ଟେବାପଡା, ନିର୍ଗୁଣ୍ଡି ଗ୍ରାମର ୨୦ ଜଣ ଡଙ୍ଗରିଆ ଆଜି ସୁଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଡଙ୍ଗରିଆଙ୍କୁ କରୋନା ଛୁଇଁବା ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ଚିନ୍ତାରେ ପଡ଼ିଛି ଜିଲ୍ଲା ପ୍ରଶାସନ । କଲ୍ୟାଣସିଂହପୁର ବିଡ଼ିଓ କାଳୁ ଚରଣ ନାୟକଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଫାକେରୀ ଗାଁରେ ପହଞ୍ଚି ସ୍ୱାବ ଟେଷ୍ଟିଂ ପାଇଁ ଡଙ୍ଗରିଆଙ୍କୁ ମନାଇଥିଲେ ମଧ୍ୟ ଭୟରେ ଅଧିକାଂଶ ଡଙ୍ଗରିଆ ଟେଷ୍ଟିଂ ପାଇଁ ଆସିନଥିଲେ । ମାତ୍ର ୧୬ ଜଣଙ୍କର ସ୍ୱାବ ଟେଷ୍ଟିଂ କରିବାରେ ସ୍ୱାସ୍ଥ୍ୟ ବିଭାଗ ସକ୍ଷମ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି । କରୋନା ସଂକ୍ରମଣକୁ ନେଇ ରାୟଗଡା ଜିଲ୍ଲାର ନିୟମଗିରି ପାହାଡରେ ଆତଙ୍କ ଖେଳି ଯାଇଛି । ଆଜି ସୁଦ୍ଧା ଫାକେରୀ, ନିର୍ଗୁଣ୍ଡି, ବୁଡୁଣି ଓ ଟେବାପଡ଼ା ଗାଁରୁ ୨୦ ଜଣ ଚିହ୍ନଟ ହୋଇଛନ୍ତି । ଆଜି ଏହି ସବୁ ଗାଁର ଲୋକଙ୍କୁ ସ୍ୱାବ ପରୀକ୍ଷା ପାଇଁ ପାରସାଲି ୁ ଡକାଯାଇଥିଲା । ହେଲେ ଅନ୍ଧବିଶ୍ୱାସ ଓ ନିରକ୍ଷରତା ଯୋଗୁଁ ଆଦିମ ଜନଜାତି ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଲୋକେ ପାରସାଲି ଆସିଥିଲେ ହେଁ ସ୍ୱାବ ପରୀକ୍ଷା ପାଇଁ ରାଜି ହୋଇନଥିଲେ । ଯେଉଁମାନଙ୍କର ପଜିଟିଭ୍ ଆସୁଛି ସେମାନେ ଔଷଧ ଖାଉନାହାନ୍ତି । ଏ ନେଇ ଚିନ୍ତାରେ ପଡ଼ିଛି ଜିଲ୍ଲା ପ୍ରଶାସନ । ବର୍ତ୍ତମାନଠାରୁ ପ୍ରତିକାର କରା ନଗଲେ ଭବିଷ୍ୟତରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କାକୁ ଏଡାଇ ହେବନି । କଲ୍ୟାଣସିଂହପୁର ବ୍ଲକର ୩୬ଟି ଗାଁରେ ୩ ହଜାରରୁ ଊର୍ଦ୍ଧ୍ୱ ଡଙ୍ଗରିଆ ବସବାସ କରୁଛନ୍ତି । ଦୈନିକ ବଜାର, ହାଟରେ ଉତ୍ପାଦିତ ଫସଲକୁ ବିକ୍ରି କରି ଡଙ୍ଗରିଆ ଜୀବିକା ନିର୍ବାହ କରୁଛନ୍ତି । କରୋନା ସଂକ୍ରମଣ ବଢ଼ିବା ପରେ ପ୍ରଶାସନ ପକ୍ଷରୁ କଲ୍ୟାଣସିଂହପୁର ବ୍ଲକର ମାଝୀଗୁଡ଼ା, କଲ୍ୟାଣସିଂହପୁରକୁ ସାପ୍ତାହିକ ହାଟକୁ ବନ୍ଦ କରି ଦିଆଯାଇଛି । ଫଳରେ କଲ୍ୟାଣସିଂହପୁର ଦୈନିକ ବଜାରକୁ ଆସି ଡଙ୍ଗରିଆ ଉତ୍ପାଦିତ ଫସଲକୁ ବିକ୍ରି କରି ଘରକୁ ଫେରିଥାନ୍ତି । ଦୈନିକ ବଜାରରେ କିଣାବିକା କରିବା ସମୟରେ ହିଁ ଡଙ୍ଗରିଆ କରୋନାରେ ଆକ୍ରାନ୍ତ ହୋଇଥିବା ପ୍ରଶାସନ ଅନୁମାନ କରିଛି । ସଚେତନତାର ଅଭାବ ସାଙ୍ଗକୁ ଏହି ସଂପ୍ରଦାୟର ଲୋକେ ଗୋଷ୍ଠୀଗତ ଭାବେ ଛୋଟ ଛୋଟ ଘରେ ରହୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । କରୋନାର ପ୍ରଥମ ଲହରୀରେ କୌଣସି ଡଙ୍ଗରିଆ ଆକ୍ରାନ୍ତ ହୋଇନଥିଲେ । ଦ୍ୱିତୀୟ ଲହରୀରେ କିନ୍ତୁ ଏବେ ସୁଦ୍ଧା ୨୦ ଡଙ୍ଗରିଆ କରୋନାରେ ଆକ୍ରାନ୍ତ ହେଲେଣି । ଦ୍ୱିତୀୟ ଲହରୀରେ ଫାକେରୀ ଗାଁରୁ ଜଣେ, ବୁଡୁଣିରୁ ଜଣେ, ଟେବାପଡାରୁ ୩ ଏବଂ ନିର୍ଗୁଣ୍ଡି ଗ୍ରାମରୁ ଜଣେ ଡଙ୍ଗରିଆ ମୋଟ ୬ ଆକ୍ରାନ୍ତ ହେବା ପରେ ଏବେ ବ୍ୟାପିବାରେ ଲାଗିଛି । ପାର୍ସାଲି ସରପଞ୍ଚ କରୋନାରେ ଆକ୍ରାନ୍ତ ହେବା ପରେ ପ୍ରଶାସନ ଆଜି ଫାକେରୀ ଗାଁରେ ପହଞ୍ଚି ଡଙ୍ଗରିଆଙ୍କ ସ୍ୱାବ ଟେଷ୍ଟିଂ ପାଇଁ ପଦକ୍ଷେପ ନେଇଛି । ବିଡିଓ କାଳୁ ଚରଣ ନାୟକ, ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ପରିଚାଳକ ସଞ୍ଜୟ କୁମାର ସ୍ୱାଇଁ, ସ୍ୱାସ୍ଥ୍ୟ କର୍ମୀ ଶ୍ୟାମ ସୁନ୍ଦର ମାଝୀ, ଆଶା କର୍ମୀ ଘର ଘର ବୁଲି ଡଙ୍ଗରିଆଙ୍କୁ ସ୍ୱାବ ଟେଷ୍ଟିଂ ପାଇଁ ବୁଝାଶୁଝା କରିଥିଲେ ମଧ୍ୟ କେହି ଆସିନଥିଲେ । ଗାଁ ମୁଖିଆଙ୍କୁ ବୁଝାଇବା ପରେ ମାତ୍ର ୧୬ ଜଣ ସ୍ୱାବ ଟେଷ୍ଟିଂ କରିଥିଲେ । ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କର ପଜିଟିଭ୍ ବାହାରିଛି । ଏହି ସମୟରେ ଗ୍ରାମରୁ କିଏ ମଧ୍ୟ ବାହାରକୁ ନ ଯିବାକୁ ପ୍ରଶାସନ ବୁଝାଉଥିଲେ ମଧ୍ୟ ଡଙ୍ଗରିୟା ବୁଝିବାକୁ ନାରାଜ । ଡଙ୍ଗରିଆ କନ୍ଧଙ୍କ ଘର ଛୋଟିଆ ହୋଇଥିବାରୁ ପଜିଟିଭ୍ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଗୋଟିଏ ଘରେ କିପରି ସଙ୍ଗରୋଧରେ ରହିବେ ବୋଲି ପ୍ରଶ୍ନ ଉଠିଛି । ପଜିଟିଭ୍ ହୋଇଥିବା ଡଙ୍ଗରିଆଙ୍କୁ ପାର୍ସାଲି ଟିଏମ୍‌ସିକୁ ସ୍ଥାନାନ୍ତର କରିବାକୁ ପ୍ରଶାସନ ପ୍ରସ୍ତୁତି ଚଳାଇଛି । ଏଥି ସହିତ ଉତ୍ପାଦିତ ସାମଗ୍ରୀ ବିକ୍ରି କରିବାକୁ ବଜାରକୁ ନ ଆସିବା ପାଇଁ ଡଙ୍ଗରିଆଙ୍କୁ ସଚେତନ କରିବାକୁ ବ୍ଲକ୍ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ବିଡ଼ିଓ କହିଛନ୍ତି । ଗତ କିଛି ଦିନ ତଳେ ଡଙ୍ଗରିଆ ସଂପ୍ରଦାୟର ଜଣେ ଗର୍ଭବତୀ ରାୟଗଡ଼ା ମେଡ଼ିକାଲରେ ପ୍ରସବ କରିବା ପରେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେଠାରୁ ତାଙ୍କୁ ତାଡ଼ମା କୋଭିଡ୍ କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ କୋଭିଡ୍ କେୟାର ସେଣ୍ଟରରେ ନ ରହି ଗୃହ ସଙ୍ଗରୋଧରେ ରହିବାକୁ କହି ରାତାରାତି ଲୁଚି ପଳାଇ ଆସିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking