31.1 C
Bhubaneswar
Tuesday, May 21, 2024
Homeଖେଳଗିଲ୍ ଓ ସୁଦର୍ଶନଙ୍କ ଶତକ, ମୋହିତ ଶର୍ମାଙ୍କୁ ୩ ୱିକେଟ୍‌: ୩୫ ରନ୍‌ରେ ହାରିଲା ସିଏସ୍‌କେ

ଗିଲ୍ ଓ ସୁଦର୍ଶନଙ୍କ ଶତକ, ମୋହିତ ଶର୍ମାଙ୍କୁ ୩ ୱିକେଟ୍‌: ୩୫ ରନ୍‌ରେ ହାରିଲା ସିଏସ୍‌କେ

ଅହମ୍ମଦାବାଦ: କ୍ୟାପ୍‌ଟେନ୍ ଶୁବମନ୍ ଗିଲ୍ ଓ ସାଇ ସୁଦର୍ଶନଙ୍କ ଶତକୀୟ ଇନିଂସ୍ ବଳରେ ଗୁଜରାଟ ଜାଏଣ୍ଟ୍‌ସ ଚଳିତ ଆଇପିଏଲ୍ ସିଜନ୍‌ର ୫୯ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର୍ କିଙ୍ଗ୍‌ସ (ସିଏସ୍‌କେ)କୁ ୩୫ ରନ୍‌ରେ ହରାଇ ଦେଇଛି । ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଟସ୍ ହାରି ଗୁଜରାଟ ୩ ୱିକେଟ୍ ବିନିମୟରେ ୨୩୧ ରନ୍ କରିଥିଲା । ଜବାବରେ ସିଏସ୍‌କେ ୮ ୱିକେଟ୍ ହରାଇ ୧୯୬ ରନ୍ କରିବାକୁ ସମର୍ଥ ହୋଇଥିଲା । ଏହି ପରାଜୟ ସତ୍ତ୍ୱେ ସିଏସ୍‌କେ ଚତୁର୍ଥ ସ୍ଥାନରେ କାଏମ ରହି ପ୍ଲେଅଫ୍ ଦୌରେ ସାମିଲ ଅଛି ।

୨୩୨ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରୁଥିବା ସିଏସ୍‌କେ ୧୦ ରନ୍ ମଧ୍ୟରେ ତିନିଜଣ ଶୀର୍ଷକ୍ରମ ବ୍ୟାଟର୍‌ଙ୍କୁ ହରାଇଥିଲା । ସନ୍ଦୀପ୍ ୱାରିୟର୍ ପ୍ରଥମ ବଲ୍‌ରେ ରଚିନ୍ ରବୀନ୍ଦ୍ର (୧)ଙ୍କୁ ଆଉଟ୍ କରିଥିବା ବେଳେ ଦ୍ୱିତୀୟ ବଲ୍‌ରେ ଆଜିଙ୍କ୍ୟ ରାହାଣେ (୧) ରନ୍‌ଆଉଟ୍ ହୋଇଥିଲେ । ଏହାପରେ ଉମେଶ ଯାଦବ ଖାତା ଖୋଲିବା ପୂର୍ବରୁ କ୍ୟାପ୍‌ଟେନ୍ ଋତୁରାଜ ଗାଏକ୍‌ୱାଡ୍‌ଙ୍କୁ ରଶିଦ୍ ଖାନ୍‌ଙ୍କ ହାତରେ କ୍ୟାଚ୍ କରାଇ ଫେରାଇଥିଲେ । ତେବେ ଏହାପରେ ଡାରିଲ୍ ମିଚେଲ୍ ଓ ମୋଇନ ଖାନ୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଇନିଂସ୍ ବଳରେ ସିଏସ୍‌କେ ମ୍ୟାଚ୍‌କୁ ଫେରିଥିଲା । ଉଭୟ ୫୭ ବଲ୍‌ରେ ୧୦୯ ରନ୍‌ର ଭାଗୀଦାରି କରିଥିଲେ । ତେବେ ଡାରିଲ୍ ମିଚେଲ୍ ଓ ମୋଇନ୍ ଅଲୀଙ୍କୁ ଆଉଟ୍ କରି ମୋହିତ ଶର୍ମା ସିଏସ୍‌କେ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ । ମିଚେଲ୍ ୩୪ ବଲ୍‌ରୁ ୭ ଚୌକା ୩ ଛକା ସହାୟତାରେ ୬୪ ରନ୍ ଏବଂ ମୋଇନ୍ ଅଲୀ ୩୬ ବଲ୍‌ରୁ ଚାରିଟି ଲେଖାଏଁ ଚୌକା ଓ ଛକା ସହାୟତାରେ ୫୬ ରନ୍ କରିଥିଲେ । ଏହା ପରେ ଶିଭମ୍ ଦୁବେ ୨୧ ଓ ରବୀନ୍ଦ୍ର ଜାଡ଼େଜା ୧୮ ରନ୍ କରି ବିଦାୟ ନେଇଥିଲେ । ମିଚେଲ୍ ସାଣ୍ଟନର୍ ଖାତା ଖୋଲିବା ପୂର୍ବରୁ ରଶିଦ୍ ଖାନ୍‌ଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ । ଏମ୍‌ଏସ୍ ଧୋନି ୧୧ ବଲ୍‌ରୁ ୩ ଛକା ସହାୟତାରେ ୨୬ ଏବଂ ଶାର୍ଦ୍ଦୁଳ ଠାକୁର ୩ ରନ୍‌ରେ ଅପରାଜିତ ରହିଥିଲେ । ଗୁଜରାଟ ପକ୍ଷରୁ ମୋହିତ ଶର୍ମା ୩ଟି, ରଶିଦ୍ କାନ୍ ୨ଟି ଏବଂ ଉମେଶ ଯାଦବ ଓ ସନ୍ଦୀପ ୱାରିୟର୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଗୁଜରାଟ ଜାଏଣ୍ଟ୍‌ସ ୩ ୱିକେଟ୍ ବିନିମୟରେ ୨୩୧ ରନ୍ କରିଥିଲା । ଗୁଜରାଟ ପକ୍ଷରୁ କ୍ୟାପ୍‌ଟେନ୍ ଶୁବମନ ଗିଲ୍ ଓ ସାଇ ସୁଦର୍ଶନ ଶତକୀୟ ଇନିଂସ୍ ଖେଳିଥିଲେ । ଉଭୟଙ୍କ ମଧ୍ୟରେ ପ୍ରଥମ ୱିକେଟ୍ ପାଇଁ ୨୧୦ ରନ୍‌ର ଭାଗୀଦାରି ହୋଇଥିଲା । ଏହା ଆଇପିଏଲ୍ ଇତିହାସରେ ଯୁଗ୍ମ ଭାବେ ସର୍ବଶ୍ରେଷ୍ଠ ଓପ୍ନିଂ ଭାଗୀଦାରି ହୋଇଛି । ଏହା ପୂର୍ବରୁ ୨୦୨୨ରେ କ୍ୱିଣ୍ଟନ୍ ଡି କପ୍ ଓ କେଏଲ୍ ରାହୁଲ କୋଲ୍‌କାତା ନାଇଟ୍ ରାଇଡର୍ସ ବିପକ୍ଷରେ ପ୍ରଥମ ୱିକେଟ୍ ପାଇଁ ୨୧୦ ରନ୍ କରିଥିଲେ । ସାଇ ସୁଦର୍ଶନଙ୍କୁ ଆଉଟ୍ କରି ତୁଷାର ଦେଶପାଣ୍ଡେ ଏହି ଭାଗୀଦାରିରେ ବ୍ରେକ୍ ଲଗାଇଥିଲେ । ସୁଦର୍ଶନ ୫୧ ବଲ୍‌ରେ ୫ ଚୌକା ଓ ୭ ଛକା ସହାୟତାରେ ୧୦୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ସେହି ଓଭର୍‌ର ଶେଷ ବଲ୍‌ରେ ଦେଶପାଣ୍ଡେ ଗିଲ୍‌ଙ୍କୁ ମଧ୍ୟ ଆଉଟ୍ କରିଥିଲେ । ଗିଲ୍ ୫୫ ବଲ୍‌ରେ ୯ ଚୌକା ଓ ୬ ଛକା ସହାୟତାରେ ୧୦୪ ରନ୍ କରି ରବୀନ୍ଦ୍ର ଜାଡ଼େଜାଙ୍କୁ କ୍ୟାଚ୍ ଦେଇ ଫେରିଥିଲେ । ଏହା ଗିଲ୍‌ଙ୍କ ଆଇପିଏଲ୍ କ୍ୟାରିୟର୍‌ର ୬ଷ୍ଠ ଶତକ ହୋଇଥିବା ବେଳେ ସାଇ ସୁଦର୍ଶନଙ୍କ ପ୍ରଥମ ଆଇପିଏଲ୍ ଶତକ । ପୂର୍ବରୁ ସାଇ ସୁଦର୍ଶନଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ ୯୫ ରନ୍ ଥିଲା । ୨୧୩ରେ ଦୁଇଟି ୱିକେଟ୍‌ର ପତନ ପରେ ଶାହରୁଖ୍ ଖାନ୍ ୨ ରନ୍ କରି ରନ୍‌ଆଉଟ୍ ହୋଇଥିଲେ । ଡେଭିଡ୍ ମିଲର୍ ୧୧ ବଲ୍‌ରେ ଗୋଟିଏ ଚୌକା ବଳରେ ୧୬ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଚେନ୍ନାଇ ପକ୍ଷରୁ ଦୁଇଟି ଯାକ ୱିକେଟ୍ ତୁଷାର ଦେଶପାଣ୍ଡେଙ୍କୁ ମିଳିଥିଲା ।

ଏହି ମ୍ୟାଚ୍ ପାଇଁ ଦୁଇ ଟିମ୍‌ରେ କେତେକ ପରିବର୍ତ୍ତନ କରାଯାଇଥିଲା । ଫାଷ୍ଟ୍ ବୋଲର୍ ରିଚାର୍ଡ ଗ୍ଲିସନ୍‌ଙ୍କ ସ୍ଥାନରେ ସିଏସ୍‌କେ ଓପ୍ନର୍ ରଚିନ୍ ରବୀନ୍ଦ୍ରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିଥିଲେ । ଅନ୍ୟପକ୍ଷରେ ଗୁଜରାଟ ଟାଇଟନ୍ସ ଆହତ ଋଦ୍ଧିମାନ ସାହାଙ୍କ ସ୍ଥାନରେ ୱିକେଟ୍‌କିପର୍ ବ୍ୟାଟର୍ ଭାବେ ମାଥ୍ୟୁ ୱେଡ୍‌ଙ୍କୁ ସୁଯୋଗ ଦେଇଥିଲା । ଉମେଶ ଯାଦବଙ୍କ ଏହି ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ ଘଟିଥିବା ବେଳେ ଫାଷ୍ଟ୍ ବୋଲର୍ କାର୍ତ୍ତିକ ତ୍ୟାଗୀ ସିଜନ୍‌ରେ ପ୍ରଥମ ଥର ଖେଳିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking