30.1 C
Bhubaneswar
Sunday, April 28, 2024
Homeଓଡିଶାଗ୍ରାମାଞ୍ଚଳରେ ପାନୀୟଜଳ ସମସ୍ୟା, ୧ କି.ମି ଦୂର କୂଅରୁ ପାଣି ଆଣୁଛନ୍ତି ଗ୍ରାମବାସୀ

ଗ୍ରାମାଞ୍ଚଳରେ ପାନୀୟଜଳ ସମସ୍ୟା, ୧ କି.ମି ଦୂର କୂଅରୁ ପାଣି ଆଣୁଛନ୍ତି ଗ୍ରାମବାସୀ

ବୌଦ୍ଧ : ଗୋଟିଏ ପଟେ କରୋନା ମହାମାରୀ ଯୋଗୁଁ ସାରା ଜିଲ୍ଲା ତାଲାବନ୍ଦରେ ଥିବାବେଳେ ଅନ୍ୟପଟେ ବୌଦ୍ଧ ଜିଲ୍ଲାର ଗ୍ରାମାଞ୍ଚଳରେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖାଦେଇଛି । ଭୂତଳ ଜଳଉତ୍ସ କମି ଚାଲିଥିବାରୁ ଅନେକ ନଳକୂପ ଅଚଳ ହୋଇପଡ଼ିଛି । ଆଉକିଛି ଗ୍ରାମ ରେ ନଳକୂପ ଥିଲେ ମଧ୍ୟ କ୍ଷାର ପାଣି ଯୋଗୁଁ ତାହା ଲୋକଙ୍କ କୌଣସି କାର୍ଯ୍ୟରେ ଲାଗିପାରୁନାହିଁ ।
ହରଭଙ୍ଗା ଓ ବୌଦ୍ଧ ବ୍ଲକର ଅନେକ ଗ୍ରାମରେ ପାଣି ସଙ୍କଟରୁ ଦୂଷିତ ନଳକୁପ ପାଣି ବ୍ୟବହାର କରି ଅନେକ ଲୋକ କିଡ୍‌ନୀ ଭଳି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଜିଲ୍ଲାରେ ଜଳସଙ୍କଟର ସମାଧାନ ପାଇଁ ଗ୍ରୀଷ୍ମଋତୁ ପୂର୍ବରୁ କୌଣସି ଯୋଜନା କରାଯାଉନି । ବୌଦ୍ଧ ବ୍ଲକ ଅନ୍ତର୍ଗତ ଦନ୍ତାପାଲି ଗ୍ରାମର ମହିଳାମାନେ ଏକ କିଲୋମିଟର ଦୂର ଏକ କୂଅରୁ ପାନୀୟଜଳ ସଂଗ୍ରହ ପାଇଁ ଲମ୍ବାଧାଡ଼ିରେ ଛିଡ଼ା ହେଉଥିବା ଦେଖାଯାଇଛି । ଗ୍ରାମରେ ତିନୋଟି ନଳକୂପ ଓ ସୌରଚାଳିତ ନଳକୂପ ଥିଲେ ମଧ୍ୟ ଗତ ଛଅ ମାସ ହେଲା ଏସବୁ ଅଚଳ ହୋଇପଡିଛି । ଏ ସମ୍ପର୍କରେ ଅଭିଯୋଗ କଲେ କେହି ଶୁଣିବାକୁ ନାହାନ୍ତି । ସରକାର ଗ୍ରାମର ଜଳକଷ୍ଟ ଦୂର ପାଇଁ ପଞ୍ଚାୟତକୁ ଅନୁଦାନ ଯୋଗାଇଥିବାବେଳେ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଦୁର୍ନୀତିଖୋର ମନୋଭାବ ଯୋଗୁଁ ଗ୍ରାମାଞ୍ଚଳରେ ଜଳସଙ୍କଟର ସମାଧାନ ହୋଇପାରୁନି । ପ୍ରତ୍ୟେକ ପଞ୍ଚାୟତରେ ନଳକୂପ ମରାମତି ପାଇଁ ତାଲିମପ୍ରାପ୍ତ ଲୋକ ରହିଥିଲେ ମଧ୍ୟ ଆବଶ୍ୟକ ସମୟରେ ପଞ୍ଚାୟତ କର୍ତ୍ତୃପକ୍ଷ ସେମାନଙ୍କୁ ଉପଯୋଗ ନକରି ନିଜ ମୁଣ୍ଡରୁ ଦୋଷ ଛଡାଇବା ନୀତି ଆପଣାଉଛନ୍ତି । ତେଣୁ ଗ୍ରାମାଞ୍ଚଳରେ ପାନୀୟ ଜଳ ସଙ୍କଟ ପାଇଁ ପ୍ରଶାସନ ଯେତିକି ଦାୟୀ ସମ୍ପୃକ୍ତ ପଞ୍ଚାୟତର ନିର୍ବାଚିତ କର୍ମକର୍ତ୍ତା ତାହାଠାରୁ ଅଧିକ ଭାବରେ ଦାୟୀ ବୋଲି ଜନୈକ ଅଧିକାରୀ ପ୍ରକାଶ କରିଛନ୍ତି । ତେଣୁ ଅଭିଯୋଗ ଆସୁଥିବା ଗ୍ରାମଗୁଡ଼ିକରେ ଜଳସଙ୍କଟ ଦୂର ପାଇଁ ସମ୍ପୃକ୍ତ ପଞ୍ଚାୟତ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ମତପ୍ରକାଶ ପାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking