32.1 C
Bhubaneswar
Friday, April 26, 2024
Homeଓଡିଶାବିଜେପି ପ୍ରତି କଠୋର ହେଉଛି ବିଜେଡି

ବିଜେପି ପ୍ରତି କଠୋର ହେଉଛି ବିଜେଡି

ଭୁବନେଶ୍ୱର (ଓଏନଏ): ବିଜେପି-ବିଜେଡି ରାଜନୀତିରେ ନୂଆ ମୋଡ଼ ନେଇଛି । ବିଜେଡି କ୍ରମେ ବିଜେପି ପ୍ରତି ତାର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଥିବା ଦେଖାଯାଇଛି । ଆଉ ବିଜେପି ପ୍ରତି ସେଇ କୋହଳ ମନୋଭାବ ନ ଥିବା ଦଳର ରାଜନୈତିକ ଆଭିମୁଖ୍ୟରୁ ସୂଚନା ମିଳୁଛି । ରାଜ୍ୟସ୍ତରରେ ଯଦିଓ ଉଭୟ ଦଳଙ୍କ ମଧ୍ୟରେ ତୁତୁ ମେମେ ଚାଲିଥିଲା ଜାତୀୟସ୍ତରରେ ପରସ୍ପର ମଧ୍ୟରେ ସମ୍ପର୍କର ନୀବିଡ଼ତା ବାରି ହୋଇ ପଡୁଥିଲା । ଏବେ ଦେଖାଯାଉଛି ଏଥିରେ ବିଜେଡି ତାର ମନୋଭାବ ବଦଳାଇଛି । ରାଜ୍ୟସଭା ନିର୍ବାଚନରେ ସହାୟତା ଏଥର ଆଉ ବିଜେଡି କଲାନାହିଁ । ଏଥିସହ ପାର୍ଲାମେଣ୍ଟରେ ମଧ୍ୟ ସହଯୋଗର ହାତ ବଢ଼ାଇଲା ନାହିଁ । ବିରୋଧୀ ଦଳର ଭୂମିକା ଗ୍ରହଣ କଲା । ବିଜେପି ପ୍ରତି ବିଜେଡି ସାଂସଦମାନେ କଠୋର ଆଭିମୁଖ୍ୟ ଗ୍ରହଣକଲେ । କୁହାଯାଉଛି ବିଜେଡି-ବିଜେପିର ସମ୍ପର୍କକୁ ନେଇ ଯେଉଁ ସନ୍ଦେହ କରାଯାଉଛି ତାକୁ ଦୂର କରିବା ଏବଂ ନିଜ ଦଳର ସୁରକ୍ଷା ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ପଦକ୍ଷେପ ନେଇଛନ୍ତି ।
ସିଏଏକୁ ସମର୍ଥନ ବିଜେଡି ଦେବା ପରେ ତାକୁ ନେଇ ବହୁ ସମାଲୋଚନା ଅନ୍ୟ ବିରୋଧୀ ଦଳମାନେ କରିଥିଲେ । ଓଡ଼ିଶାରେ ଥିବା ମୁସଲିମ ସମ୍ପ୍ରଦାୟର ବିଜେଡି ସୁପ୍ରିମୋଙ୍କୁ ଭେଟି ସେମାନଙ୍କ ଆପତ୍ତି ଜଣାଇଥିଲେ । ନବୀନ ସେତେବେଳେ ସେମାନଙ୍କୁ କିଛି କ୍ଷତି ହେଲା ଭଳି କାର୍ଯ୍ୟ କରାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏବେ ଦେଖାଯାଉଛି ଯଦିଓ ସିଏଏ (ନାଗରିକ ସଂଶୋଧନ ଆକ୍ଟ)କୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେଡି କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଇଥିଲା । ହେଲେ ବର୍ତ୍ତମାନ ପରିସ୍ଥିତିରେ ଆଉ ବିଜେଡି ସମର୍ଥନ ଦେବା ସ୍ଥିତିରେ ନାହିଁ । ନିକଟରେ ଦିଲ୍ଲୀରେ ସିଏଏକୁ ନେଇ ଯେଉଁ ଦଙ୍ଗା ସୃଷ୍ଟି ହେଲା ସେଥିରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କଲେ । ଏହି ଘଟଣାକୁ ନେଇ ପାର୍ଲାମେଣ୍ଟର ଉଭୟ ଗୃହରେ ଆଲୋଚନା ବେଳେ ବିଜେଡି ଆଉ ବିଜେପିର ସହାୟତା କଲାନାହିଁ । ଦିଲ୍ଲୀ ଦଙ୍ଗା ଘଟଣା ପାଇଁ ବିଜେଡି ସିଧାସଳଖ କେନ୍ଦ୍ର ସରକାରଙ୍କୁ ଦାୟୀ କଲା ।
ଲୋକସଭାରେ ବିଜେଡି ସଂସଦୀୟ ଦଳର ନେତା ପିନାକୀ ମିଶ୍ର ତାଙ୍କ ବକ୍ତବ୍ୟ ରଖିଲା ବେଳେ ସିଧା ସଳଖ କହିଥିଲେ ଦିଲ୍ଲୀ ଦଙ୍ଗା ଘଟଣାରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଛବି କ୍ଷୁର୍ଣ୍ଣ କରିଛି । ଅନ୍ତର୍ଜାତୀୟ ଗଣମାଧ୍ୟମରେ ଯେଉଁଭଳି ଭାବେ ଏହି ଦଙ୍ଗାକୁ ରୂପ ଦିଆଯାଉଛି ସେଥିରେ ଦେଶରେ ଛବି କ୍ଷୁର୍ଣ୍ଣ ହୋଇଛି । କେନ୍ଦ୍ର ସରକାର ରାଜନୈତିକ ଦଳ ଓ ରାଜନୀତିକୁ ଏହି ଦଙ୍ଗାଠାରୁ ଅଲଗା ରଖିବା ଦରକାର । ନିରପକ୍ଷ ତଦନ୍ତ ହେଲେ ଏହି ଦଙ୍ଗା ପଛର କାରଣ କଣ ଜଣାପଡ଼ିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ସବ୍‌କା ସାଥ୍ ସବ୍‌କା ବିଶ୍ୱାସ” ଓ ସବ୍‌କା ବିଶ୍ୱାସର ଯେଉଁ ନାରା ଦେଇଥିଲେ ତାହା କହିଛି ମାତ୍ରାରେ ମଳିନ ହୋଇଛି । ସ୍ୱରାଷ୍ଟ୍ରମନ୍ତ୍ରୀ ଜଣେ ଦକ୍ଷ ପ୍ରଶାସକ ବୋଲି ଯେଉଁ ଛବି ଥିଲା ତାହା ମଧ୍ୟ କିଛି ମାତ୍ରାରେ କ୍ଷୁର୍ଣ୍ଣ ହୋଇଛି । ନାଗରିକତା ସଂଶୋଧନ ଆଇନ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ମନରେ ଯେଉଁ ଭ୍ରାନ୍ତି ରହିଛି ତାକୁ ଦୂର କରିବାକୁ ପଦକ୍ଷେପ ନେବା ଦରକାର ବୋଲି ପିନାକି କହିଥିଲେ ।
ସେହିପରି ରାଜ୍ୟସଭାରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଦିଲ୍ଲୀ ଦଙ୍ଗା ପଛରେ ଷଡ଼ଯନ୍ତ୍ର ରହିଛି ବୋଲି କେନ୍ଦ୍ର ସରକାର କହୁଛନ୍ତି । ହେଲା ଏହା କିପରି ଆଗୁଆ ଜଣାପଡ଼ିଲା ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ । ଏହା କେନ୍ଦ୍ର ସରକାରଙ୍କ ଏକ ବିଫଳତା ବୋଲି କୁହାଯାଇ ପାରିବ । କେନ୍ଦ୍ର ସରକାରଙ୍କ ଗୁଇନ୍ଦା ବିଭାଗ, ପୁଲିସ ବିଭାଗ ଏଭଳି ଷଡ଼ଯନ୍ତ୍ରକୁ କିଭଳି ଜାଣିପାରିଲେ ନାହିଁ ବୋଲି ସେ ପ୍ରଶ୍ନ କରିବା ସହ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏହାଉପରେ ସ୍ପଷ୍ଟୀକରଣ ଦେବାକୁ ସେ ଦାବି କରିଥିଲେ । ଯେଉଁ ଭ୍ରାନ୍ତ ଧାରଣା ରହିଛି ତାହାକୁ ଦୂର କରାଯିବା ଦରକାର । କେନ୍ଦ୍ର ସରକାର ଏଥିରୁ ଉଚିତ ଶିକ୍ଷା ହାସଲ କରି ଭବିଷ୍ୟତରେ ଯେଉଁଭଳି ଏପରି ଘଟଣାର ପୁନରାବୃତ୍ତି ନ ହୁଏ ସେ ନେଇ ସଜାଗ ରହିବାକୁ ସେ ଚେତାଇ ଦେଇଥିଲେ ।
କେବଳ ଏହି ପାର୍ଲାମେଣ୍ଟ ଘଟଣା ନୁହେଁ । ଏବେ ନିକଟରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ମଧ୍ୟ ବିଜେପିକୁ ସହାୟତା କଲେନାହିଁ ନବୀନ । ଗତ ନିର୍ବଚାନରେ ଆବଶ୍ୟକ ସଂଖ୍ୟା ନ ଥିଲେ ବି ବିଜେପିକୁ ଗୋଟିଏ ଆସନ ନବୀନ ଟେକି ଦେଇଥିଲେ । ଏଥର ଆଉ ତାହା କଲେନାହିଁ । ବିଜେପି ନେତାଙ୍କ ଅନୁରୋଧକୁ ନବୀନ ଶୁଣିଲେନାହିଁ । ବିଜେପି-ବିଜେଡି ଭିତରେ ସମ୍ପର୍କ ବଢ଼ୁଛି ଏ ନେଇ ଯେଉଁ ଧାରଣା ସାଧାରଣରେ କ୍ରମେ ଗୋଟିଏ ପରୋ ଗୋଟିଏ ଘଟଣାକୁ ଆଧାର କରି ସୃଷ୍ଟି ହେବାକୁ ଲାଗିଲା ସେଥିରେ ଦଳ ପାଇଁ ଆଗକୁ କ୍ଷତି ହେବ ଭାବି ଏବେଠାରୁ ନବୀନ ବାଟକାଟିବା ଆରମ୍ଭ କରିଛନ୍ତି ବୋଲି କୁହାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking