ଲକ୍ଷ୍ନୌ: ଭାରତରେ ୨୦୨୪ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଆଉ ମାତ୍ର ଅଳ୍ପ ସମୟ ବାକି ରହିଲା । ତେବେ ଏହି ସମୟରେ ଭାରତରେ କିଛି ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କିମ୍ବା ସାମ୍ପ୍ରଦାୟିକ ଦଙ୍ଗା ଆଦି କରିବା ପାଇଁ ଆତଙ୍କବାଦୀ ସଂଗଠନଙ୍କ ପକ୍ଷରୁ ମଧ୍ୟ ଜୋରସୋରରେ ପ୍ରସ୍ତୁତି ଜାରି ରହିଛି । ତେବେ ସବୁଥର ଭଳି ଏଥର ମଧ୍ୟ ଦେଶର ବୃହତ୍ ରାଜ୍ୟ ଭାବେ ଉତ୍ତରପ୍ରଦେଶ ଉପରେ ଆତଙ୍କବାଦୀଙ୍କ ନଜର ରହିଥିବା ଗୁଇନ୍ଦା ସୂତ୍ରରୁ ଜଣାପଡିଛି । ଏହିକ୍ରମେ ଉତ୍ତରପ୍ରଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ମଧ୍ୟ କରିଦିଆଯାଇଛି । ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ବିବୃତି ଏହି ସମୟରେ ସାମ୍ନାକୁ ଆସିଛି । ରାଜ୍ୟର କୈରାନା ପ୍ରାନ୍ତରେ ଆୟୋଜିତ ଏକ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବା ଅବସରରେ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଉତ୍ତରପ୍ରଦେଶରେ କିଛି ବି ଖରାପ କରିବାକୁ ଯଦି ସାମାନ୍ୟତମ ଚେଷ୍ଟା ହୁଏ, କିମ୍ବା ଦଙ୍ଗା ବା ଆତଙ୍କବାଦ ଭଳି କାର୍ଯ୍ୟକଳାପ ସଂଘଠିତ ହୁଏ ତେବେ ଅଭିଯୁକ୍ତଙ୍କୁ ଓଲଟା ଲଟକାଇ ଲଙ୍କା ଧୂଆଁ ଦିଆଯିବ । ରାଜ୍ୟରେ ଶାନ୍ତି ଶୃଙ୍ଖଳା ସ୍ଥାପନା କରାଯିବା ପାଇଁ ପ୍ରୟାସ କରାଯାଉଛି । କୌଣସି ପ୍ରକାର ଅପରାଧକୁ ବରଦାସ୍ତ କରାଯିବ ନାହିଁ । ସୁତରାଂ ରାଜ୍ୟରେ ନିର୍ବାଚନ ସମୟରେ କିମ୍ବା ନିର୍ବାଚନ ପରେ କୌଣସି ପ୍ରକାର କାଣ୍ଡ ଘଟାଇବା ପାଇଁ ଚାହୁଁଥିବା ମାଫିଆମାନେ ଏବେ ଠୁ ସୁଧୁରଯାଆନ୍ତୁ ଏବଂ ନିଜ ଯୋଜନାକୁ ନିଜ ପାଖରେ ହିଁ ରହିବାକୁ ଦିଅନ୍ତୁ ।