30.1 C
Bhubaneswar
Wednesday, May 22, 2024
Homeଖେଳଷ୍ଟୋଇନିସ୍‌ଙ୍କ ଅର୍ଦ୍ଧଶତକ: ୪ ୱିକେଟ୍‌ରେ ଜିତିଲା ଲକ୍ଷ୍ନୌ; ମୁମ୍ବାଇର ଲଗାତାର ତୃତୀୟ ପରାଜୟ

ଷ୍ଟୋଇନିସ୍‌ଙ୍କ ଅର୍ଦ୍ଧଶତକ: ୪ ୱିକେଟ୍‌ରେ ଜିତିଲା ଲକ୍ଷ୍ନୌ; ମୁମ୍ବାଇର ଲଗାତାର ତୃତୀୟ ପରାଜୟ

ଲକ୍ଷ୍ନୌ: ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ଏକ ଲୋ-ସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ୱିକେଟ୍‌ରେ ହରାଇ ଦେଇଛି । ମଙ୍ଗଳବାର ସ୍ଥାନୀୟ ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଅକାନା ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଚଳିତ ଆଇପିଏଲ୍ ସିଜନ୍‌ର ୪୭ତମ ମ୍ୟାଚ୍‌ରେ ବ୍ୟାଟିଂ ଆମନ୍ତ୍ରଣ ପାଇ ମୁମ୍ବାଇ ଇଣ୍ଡିଆନ୍ସ ୭ ୱିକେଟ୍ ବିନିମୟରେ ୧୪୪ ରନ୍ କରିଥିଲା । ଜବାବରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ୧୯.୨ ଓଭର୍‌ରେ ୬ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଛି । ଏହା ଲକ୍ଷ୍ନୌର ଷଷ୍ଠ ବିଜୟ ହୋଇଥିବା ବେଳେ ଟିମ୍ ପଏଣ୍ଟ୍ ଟେବଲ୍‌ର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଅନ୍ୟପକ୍ଷରେ ୧୦ଟି ମ୍ୟାଚ୍‌ରୁ ୭ ପରାଜୟ ସହ ମୁମ୍ବାଇ ପୂର୍ବପରି ନବମ ସ୍ଥାନରେ ରହିଛି ।

୧୪୫ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସକୁ ନୁୱନ୍ ତୁଷାରା ପ୍ରଥମ ଓଭର୍‌ରେ ଝଟ୍‌କା ଦେଇଥିଲେ । ଖାତା ଖୋଲିବା ପୂର୍ବରୁ ସେ ଆର୍ଶିନ୍ କୁଲକର୍ଣ୍ଣିଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ୍ କରିଥିଲେ । ଏହାପରେ କ୍ୟାପ୍‌ଟେନ୍ କେଏଲ୍ ରାହୁଲ ଓ ମାର୍କସ୍ ଷ୍ଟୋଇନିସ୍ ଇନିଂସ୍ ସମ୍ଭାଳି ଦ୍ୱିତୀୟ ୱିକେଟ୍ ପାଇଁ ୫୮ ରନ୍‌ର ଅର୍ଦ୍ଧଶତକୀୟ ଭାଗୀଦାରି କରିଥିଲେ । ତେବେ ନବୀଙ୍କ ହାତରେ ରାହୁଲ୍‌ଙ୍କୁ କ୍ୟାଚ୍ କରାଇ ହାର୍ଦ୍ଦିକ ପାଣ୍ଡ୍ୟା ଏହି ଯୋଡ଼ି ଭାଙ୍ଗିଥିଲେ । ଷ୍ଟୋଇନିସ୍‌ଙ୍କ ସହ ଦୀପକ ହୁଡ୍ଡା ୪୦ ରନ୍‌ର ଭାଗୀଦାରି କରିବା ପରେ ୧୮ ରନ୍‌ରେ ପାଣ୍ଡ୍ୟାଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ହୁଡ୍ଡାଙ୍କ ଆଉଟ୍ ପରେ ୪୫ ବଲ୍‌ରେ ୭ ଚୌକା ଓ ଦୁଇଟି ଛକା ସହାୟତାରେ ୬ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିବା ଷ୍ଟୋଇନିସ୍ ମଧ୍ୟ ୧୫ଶ ଓଭର୍‌ରେ ମହମ୍ମଦ ନବୀଙ୍କ ବଲ୍‌ରେ ତିଳକ ବର୍ମାଙ୍କୁ କ୍ୟାଚ୍ ଦେଇ ଫେରିଥିଲେ । ଷ୍ଟୋଇନିସ୍‌ଙ୍କ ଆଉଟ୍ ବେଳକୁ ଲକ୍ଷ୍ନୌ ୪ ୱିକେଟ୍ ବିନିମୟରେ ୧୧୫ ରନ୍ କରିଥିଲା । ଆଷ୍ଟନ୍ ଟର୍ନର୍ (୫)ଙ୍କୁ ଜେରାଲ୍ଡ କୋଏଟ୍‌ଜି ବୋଲ୍ଡ କରିବା ପରେ ଆୟୁଷ ବଦୋନି (୬) ରନ୍‌ଆଉଟ୍ ହୋଇଥିଲେ । ପରେ ନିକୋଲାସ୍ ପୂରନ୍ ଓ କୃଣାଳ ପାଣ୍ଡ୍ୟା ଟିମ୍‌କୁ ୧୯.୨ ଓଭର୍‌ରେ ବିଜୟୀ କରାଇଥିଲେ ।

ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱିତୀୟ ଓଭର୍‌ରେ ଓପ୍ନର୍ ରୋହିତ ଶର୍ମା (୪)ଙ୍କ ୱିକେଟ୍ ହରାଇଥିଲା । ଏହାପରେ ତୃତୀୟ ଓଭର୍‌ରେ ସୂର୍ଯ୍ୟକୁମାର ଯାଦବ (୧୦) ମାର୍କସ୍ ଷ୍ଟୋଇନିସ୍‌ଙ୍କ ବଲ୍‌ରେ ୱିକେଟ୍ ପଛରେ କେଏଲ୍ ରାହୁଲ୍‌ଙ୍କୁ କ୍ୟାଚ୍ ଦେଇ ଫେରିଥିଲେ । ପଞ୍ଚମ ଓଭର୍‌ର ପ୍ରଥମ ବଲ୍‌ରେ ତିଳକ ବର୍ମା (୭) ରନ୍‌ଆଉଟ୍ ହେବାପରେ ଦ୍ୱିତୀୟ ବଲ୍‌ରେ ନବୀନ୍ ଉଲ୍‌-ହକ୍ ଖାତା ଖୋଲିବା ପୂର୍ବରୁ କ୍ୟାପ୍‌ଟେନ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ୟାଭିଲିୟନ୍ ରାସ୍ତା ଦେଖାଇଥିଲେ । ୨୭ ରନ୍‌ରେ ଟିମ୍ ୪ ୱିକେଟ୍ ହରାଇବା ପରେ ଓପ୍ନର୍ ଈଶାନ୍ କିଶନ୍‌ଙ୍କ ସହ ନେହାଲ୍ ୱାଧେରା ୫୩ ରନ୍‌ର ଭାଗୀଦାରି କରିଥିଲେ । ତେବେ ଈଶାନ୍ କିଶନ୍‌ଙ୍କୁ ଆଉଟ୍ କରି ରବି ବିଷ୍ଣୋଇ ଏହି ଭାଗୀଦାରିରେ ବ୍ରେକ୍ ଲଗାଇଥିଲେ । କିଶନ୍ ୩୬ ବଲ୍‌ରେ ୩ ଚୌକା ବଳରେ ୩୨ ରନ୍ କରିଥିଲେ । ୪୧ ବଲ୍‌ରେ ୪ ଚୌକା ଓ ଦୁଇ ଛକା ସହାୟତାରେ ୪୬ ରନ୍ କରିଥିବା ୱାଧେରାଙ୍କୁ ମୋହସିନ୍ ଖାନ୍ କ୍ଲିନ୍ ବୋଲ୍ଡ କରିଥିଲେ । ମହମ୍ମଦ ନବୀ (୧) ରନ୍ କରି ମୟଙ୍କ ଯାଦଙ୍କ ଶିକାର ହୋଇଥିଲେ । ଟିମ୍ ଡେଭିଡ୍ ୧୮ ବଲ୍‌ରେ ୩ ଚୌକା ଓ ଗୋଟିଏ ଛକା ସହାୟତାରେ ୩୫ ରନ୍ କରି ଅପରାଜିତ ରହିଥିଲେ । ଲକ୍ଷ୍ନୌ ପକ୍ଷରୁ ମୋହସିନ୍ ଖାନ୍ ଦୁଇଟି ୱିକେଟ୍ ନେଇଥିବା ବେଳେ ଷ୍ଟୋଇନିସ୍‌, ନବୀନ ଉଲ୍‌-ହକ୍‌, ମୟଙ୍କ ଯାଦବ, ରବି ବିଷ୍ଣୋଇଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking