ଅହମ୍ମଦାବାଦ: ଶ୍ରେୟସ୍ ଆୟର୍ଙ୍କ ନେତୃତ୍ୱାଧୀନ କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍) ଧମାକାଦାର ପ୍ରଦର୍ଶନ କରି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ୨୦୨୪ ସିଜନ୍ର ଫାଇନାଲ୍ରେ ପ୍ରବେଶ କରିଛି । ଏହା ଆଇପିଏଲ୍ ଇତିହାସରେ କେକେଆର୍ର ଚତୁର୍ଥ ଫାଇନାଲ୍ । ମଙ୍ଗଳବାର ଟିମ୍ କ୍ୱାଲିଫାୟର୍-୧ରେ ପ୍ୟାଟ୍ କମିନ୍ସଙ୍କ ନେତୃତ୍ୱାଧୀନ ସନ୍ରାଇଜର୍ସ ହାଇଦ୍ରାବାଦ (ଏସ୍ଆର୍ଏଜ୍)କୁ ୮ ୱିକେଟ୍ରେ ଶୋଚନୀୟ ଭାବେ ହରାଇ ଦେଇଛି । ଏହି ପରାଜୟ ସତ୍ତ୍ୱେ ଏସ୍ଆର୍ଏଚ୍କୁ ଫାଇନାଲ୍ ପାଇଁ ଆଉ ଏକ ସୁଯୋଗ ମିଳିବ ଏବଂ ଟିମ୍ ୨୪ ତାରିଖରେ ଚେନ୍ନାଇରେ କ୍ୱାଲିଫାୟର୍-୨ ଖେଳିବ । ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ୧୯.୩ ଓଭର୍ରେ ୧୫୯ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ଜବାବରେ କୋଲ୍କାତା ୧୩.୪ ଓଭର୍ରେ ୨ ୱିକେଟ୍ ହରାଇ ୧୬୪ ରନ୍ କରି ବିଜୟୀ ହେବା ସହ ଫାଇନାଲ୍ରେ ପ୍ରବେଶ କରିଛି ।
ଲକ୍ଷ୍ୟର ପିଛା କରୁଥିବା ୪୪ ରନ୍ର ସ୍କୋର୍ରେ ରହମତୁଲ୍ଲାହ ଗୁରବାଜ୍ (୨୩)ଙ୍କ ୱିକେଟ୍ ହରାଇଥିଲା । ଗୁରବାଜ୍ଙ୍କ ୧୪ ବଲ୍ର ଇନିଂସ୍ରେ ଦୁଇଟି ଲେଖାଏଁ ଛକା ଓ ଚୌକା ସାମିଲ ଥିଲା । ଏହାପରେ ସୁନୀଲ୍ ନାରିନ୍ ୧୬ ବଲ୍ରେ ୪ ଚୌକା ସହାୟତାରେ ୨୧ ରନ୍ କରି କମିନ୍ସଙ୍କ ବଲ୍ର ଶିକାର ହୋଇଥିଲା । ୬୭ ରନ୍ରେ ଦୁଇ ୱିକେଟ୍ ହରାଇବା ପରେ ଭେଙ୍କଟେଶ ଆୟରଙ୍କ ସହ ଇନିଂସ୍ ସମ୍ଭାଳି କ୍ୟାପ୍ଟେନ୍ ଶ୍ରେୟସ୍ ଆୟର୍ ଟିମ୍କୁ ଫାଇନାଲ୍ରେ ପହଞ୍ଚାଇଥିଲେ । ଭେଙ୍କଟେଶ ୨୮ ବଲ୍ରୁ ୫ ଚୌକା ଓ ୪ ଛକା ସହାୟତାରେ ୫୧ ଏବଂ ଶ୍ରେୟସ୍ ୨୪ ବଲ୍ରୁ ୫ ଚୌକା ଓ ୪ ଛକା ସହାୟତାରେ ୬୪ ରନ୍ କରି ଅପରାଜିତ ରହିଥିଲେ । ଉଭୟଙ୍କ ମଧ୍ୟରେ ଅବିଭାଜିତ ତୃତୀୟ ୱିକେଟ୍ ପାଇଁ ୯୭ ରନ୍ର ଭାଗୀଦାରି ହୋଇଥିଲା । ହେଡ୍ଙ୍କ ବଲ୍ରେ ଲଗାତାର ଦୁଇଟି ଛକା ମାରି ଶ୍ରେୟସ୍ ଆୟର୍ ଟିମ୍କୁ ବିଜୟୀ କରାଇଥିଲେ । ପ୍ଲେଅଫ୍ରେ ଏହା କୌଣସି ଟିମ୍ର ଦ୍ୱିତୀୟ ସର୍ବାଧିକ ଭାଗୀଦାରି ।
ପୂର୍ବରୁ ଟସ୍ ଜିତି ବ୍ୟାଟିଂ ନେଇଥିବା ସନ୍ରାଇଜର୍ସ ହାଇଦ୍ରାବାଦର ଆରମ୍ଭ ବହୁ ଖରାପ ଥିଲା । ୩୯ ରନ୍ରେ ଟିମ୍ ଜାରିିଜଣ ଶୀର୍ଷ ବ୍ୟାଟର୍ ଟ୍ରାଭିସ୍ ହେଡ୍ (୦), ଅଭିଷେକ ଶର୍ମା (୩), ନୀତୀଶ ରେଡ୍ଡି (୯) ଏବଂ ଶାହବାଜ୍ ଅହମଦ (୦)ଙ୍କ ୱିକେଟ୍ ହରାଇଥିଲା । ଏହାପରେ ରାହୁଲ ତ୍ରିପାଠୀ ଇନିଂସ୍ ସମ୍ଭାଳି ୩୫ ବଲ୍ରେ ୫୫ ଏବଂ ହେନ୍ରିକ୍ କ୍ଲାସେନ୍ ୨୧ ବଲ୍ରେ ୩୨ ରନ୍ କରି ଟିମ୍କୁ ୧୫୯ ରନ୍ର ସମ୍ମାନଜକ ସ୍କୋର୍ରେ ପହଞ୍ଚାଇଥିଲେ । ତ୍ରିପାଠୀ ଓ କ୍ଲାସେନ୍ଙ୍କ ମଧ୍ୟରେ ପଞ୍ଚମ ୱିକେଟ୍ ପାଇଁ ୩୭ ବଲ୍ରେ ୬୨ ରନ୍ର ଭାଗୀଦାରି ହୋଇଥିଲା । ୭ ଚୌକା ଓ ଗୋଟିଏ ଛକା ସହ ଅର୍ଦ୍ଧଶକୀୟ ଇନିଂସ୍ ଖେଳିଥିବା ତ୍ରିପାଠୀ ଦୁର୍ଭାଗ୍ୟଜନକ ଭାବେ ରନ୍ଆଉଟ୍ ହୋଇଥିଲେ । କ୍ଲାସେନ୍ଙ୍କ ଇନିଂସ୍ରେ ୩ ଚୌକା ଓ ଗୋଟିଏ ଛକା ସାମିଲ ଥିଲା । ଶେଷ ଆଡ଼କୁ କ୍ୟାପ୍ଟେନ୍ ପ୍ୟାଟ୍ କମିନ୍ସ ୨୪ ବଲ୍ରେ ଦୁଇଟି ଲେଖାଏଁ ଛକା ଓ ଚୌକା ସହାୟତାରେ ଗୁରୁତ୍ୱପୂର୍ଣ୍ଣ ୩୦ ରନ୍ ଯୋଗ କରିଥିଲେ । ଅବ୍ଦୁଲ୍ ସମଦ ୧୬ ରନ୍ କରିଥିବା ବେଳେ ଅନ୍ୟ କୌଣସି ଖେଳାଳି ଦୁଇଅଙ୍କ ମଧ୍ୟ ଛୁଇଁପାରି ନଥିଲେ । ଚାରିଜଣ ଖାତା ଖୋଲିବାକୁ ମଧ୍ୟ ସଫଳ ହୋଇନଥିଲେ । କୋଲ୍କାତା ପକ୍ଷରୁ ମିଚେଲ୍ ଷ୍ଟାର୍କ ୩ ଏବଂ ବରୁଣ ଚକ୍ରବର୍ତ୍ତୀ ୨ଟି ୱିକେଟ୍ ନେଇଥିଲେ । ବୈଭବ ଆରୋରା, ହର୍ଷିତ ରାଣା, ସୁନୀଲ୍ ନାରିନ୍ ଏବଂ ଆନ୍ଦ୍ରେ ରସେଲ୍ଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।