30.1 C
Bhubaneswar
Friday, April 26, 2024
Homeଓଡିଶାଆସନ୍ତୁ ଜାଣିବା କେତୋଟି ସହଜ ଯୋଗାସନ ବିଷୟରେ

ଆସନ୍ତୁ ଜାଣିବା କେତୋଟି ସହଜ ଯୋଗାସନ ବିଷୟରେ

ଭୁବନେଶ୍ୱର :୨୧ ଜୁନକୁ ସମଗ୍ର ବିଶ୍ୱରେ ପାଳନ କରାଯାଏ ଅନ୍ତର୍ଜାତୀୟ ଯୋଗ ଦିବସ । ବର୍ଷ ୨୦୧୪ ସେପ୍ଟେମ୍ବର ୨୭ ତାରିଖରେ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଜୁନ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ । ୧୯୩ ସଦସ୍ୟ ବିଶିଷ୍ଟ ସଂଯୁକ୍ତ ରାଷ୍ଟ୍ର ମହାସଭାକୁ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରସ୍ତାବ ପସନ୍ଦ ଆସିଥିଲା । ମାତ୍ର ୯୦ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହି ପ୍ରସ୍ତାବ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଗୃହୀତ ହୋଇଥିଲା । ତାପରେ ୨୧ ଜୁନ ୨୦୧୫କୁ ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା । ଏହା ମଧ୍ୟ ଏପରି ଏକ ଆୟୋଜନ ଅଟେ ।
ଆସନ୍ତା ୨୧ ତାରିଖରେ ସମଗ୍ର ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ । ୨୦୧୫ ମସିହାରୁ ଲଗାତର ଷଷ୍ଠ ବର୍ଷ ଭାବେ ଏବର୍ଷ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ । ଏବର୍ଷ କରୋନା ଭୂତାଣୁ ମହାମାରୀକୁ ଦୃଷ୍ଟିରେ ରଖି କୌଣସି ସମାରୋହ କରାଯିବ ନାହିଁ । “ୟୋଗା ଏଟ୍ ହୋମ”ଜରିଆରେ ଦେଶର ସମସ୍ତ ଜନସାଧାରଣ ଘରେ ରହି ନିଜ ପରିବାର ସହ ଯୋଗ କରିପାରିବେ । ଆଜି ଆମେ ଆପଣଙ୍କୁ ଯୋଗ କରିବା ପାଇଁ କେତୋଟି ସହଜ ଆସନ ବିଷୟରେ ଜଣାଇବୁ । ଏଥିସହ କେଉଁ ଆସନ କରିବା ଦ୍ୱାରା ଶରୀରକୁ କେଉଁ ପ୍ରକାର ଲାଭ ମିଳିପାରିବ ସେ ବିଷୟରେ ମଧ୍ୟ ଆଲୋଚନା କରିବା ।

୧. ଅଧୋମୁଖଶ୍ୱାନାସନ ଯୋଗ : ଏହି ଯୋଗାସନଟି ସବୁଠାରୁ ସହଜ ଅଟେ । ଏହାକୁ ପ୍ରତ୍ୟେକ ଲୋକ କରିପାରିବେ । ପ୍ରଥମେ ସିଧା ଭାବରେ ଠିଆ ହୋଇ ଦୁଇ ଗୋଡ଼ ଭିତରେ କିଛି ଦୂରତା ରଖିବା । ଏହାପରେ ଧୀରେ ଧୀରେ ଭୁମିକୁ ମୁହଁ କରିବା , ଯେପରିକି ଇଂରାଜୀ ଅକ୍ଷର ‘ଭି’ ପରି ଦେଖାଯିବ । ପ୍ରଶ୍ୱାସ ନେବା ସମୟରେ ନିଜ ଗୋଡ଼ର ଆଙ୍ଗୁଠି ସହାୟତାରେ ଅଣ୍ଟାକୁ ପଛଆଡ଼କୁ ଟାଣିବା । ଯେପରିକି ହାତ କିମ୍ବା ଗୋଡ଼ ବଙ୍କା ନହେବ । କିଛି ସମୟ ଶ୍ୱାସକ୍ରିୟାକୁ ଅଟକାଇ ସେହି ଆସନରେ ରହିବା ।ଏପରି କରିବା ଦ୍ୱାରା ଶରୀରର ପଛ ଭାଗ , ହାତ ଏବଂ ଗୋଡ଼ ରିଲାକ୍ସ ହେବ । ଏହି ଆସନ କରିବା ଦ୍ୱାରା ମାଂସପେଶୀ ମଜ୍‌ଭୁତ ହେବ । ସାଇନଓ ସମସ୍ୟା ଥିଲେ ତାହା ଦୂରେଇ ଯିବ । ରକ୍ତ ସଞ୍ଚାଳନ ଭଲ ଭାବରେ ହେବ ।

୨. ତାଡ଼ାସନ ଯୋଗ : ପ୍ରଥମେ ସିଧା ଭାବରେ ଠିଆ ହୁଅନ୍ତୁ । ଦୁଇ ଗୋଡ଼ ମଧ୍ୟରେ ଅଳ୍ପ ଦୂରତା ରକ୍ଷା କରନ୍ତୁ । ଏହାପରେ ଏକ ଲମ୍ବା ପ୍ରଶ୍ୱାସ ନେଇ ନିଜ ଗୋଡ଼ ଆଙ୍ଗୁଠି ସହାୟତାରେ ନିଜ ଶରୀରକୁ ଟିକେ ଉପରକୁ ଉଠାନ୍ତୁ । ଏହାପରେ ନିଜର ଗୋଟିଏ ହାତର ଆଙ୍ଗୁଠିକୁ ଅନ୍ୟ ହାତର ଆଙ୍ଗୁଠି ସହ ଯୋଡ଼ିବା । ୧୫ରୁ ୩୦ ସେକେଣ୍ଡ ଏହି ଆସନରେ ରହି ଭଦୀରେ ଧୀରେ ହାତ ତଳକୁ କରିବା । ଲମ୍ବା ନିଶ୍ୱାସ ଛାଡ଼ି ରିଲାକ୍ସ ହେବା । ଏହି ଆସନକୁ ନିୟମିତ କରିବା ଦ୍ୱାରା ଉଚ୍ଚତା ବଢିଥାଏ ।

୩. ସୁଖାସନ ଯୋଗ : ଏହି ଆସନକୁ ଛୋଟ ପିଲା ମଧ୍ୟ କିଛି ସମୟ ମଧ୍ୟରେ ଶିଖି କରିପାରିବେ । ପ୍ରଥମେ ଗୋଟିଏ ଆସନ ପକାଇ ଦୁଇ ଗୋଡ଼କୁ ଭାଙ୍ଗି ଚକାସନରେ ବସିବା । ଏହାପରେ ସିଧା ବସିବା । ଏହା ପରେ ନିଜର ଦୁଇ ହାତର ପାପୁଲିକୁ ଆଣଣ୍ଠୁ ଉପରେ ରଖି ଜ୍ଞାନ ମୁଦ୍ରାରେ ବସିବା । ଧୀରେ ଧୀରେ ଲମ୍ବା ପ୍ରଶ୍ୱାସ ନେବା ଏବଂ ଛାଡ଼ିବା । ଏହା କରିବା ଦ୍ୱାରା ମାନସିକ ଅଶାନ୍ତି କମିଥାଏ । ମେରୁଦଣ୍ଡ ହାଡ଼ ସିଧା ହୋଇଥାଏ ।

୪ . ଶବାସନ ଯୋଗ : ଏହି ଯୋଗ ମୁଦ୍ରା ସବୁଠାରୁ ସହଜ ଅଟେ । ଏହାଦ୍ୱାରା ଶରୀରକୁ ଆରାମ ମିଳିଥାଏ । ଧ୍ୟାନ ଓ ଏକାଗ୍ରତା ମଧ୍ୟ ବୃଦ୍ଧି ପାଇଥାଏ । ଏହି ଆସନ କରିବା ପାଇଁ ପ୍ରଥମେ ତଳେ ଗୋଟିଏ ପାଲ ବା ଆସନ ପକାଇବା । ତାପରେ ଉପରଆଡ଼କୁ ମୁହଁ କରି ତଳେ ଶୋଇଯିବା । ଦୁଇ ଗୋଡ଼ ମଧ୍ୟରେ ଅଳ୍ପ ଦୂରତା ରଖିବା । ଏହାପରେ ଅଳ୍ପ କିଛି ମିନିଟ ପାଇଁ ଧୀରେ ଧୀରେ ନିଶ୍ୱାସ ପ୍ରଶ୍ୱାସ ଛାଡ଼ିବା ଏବଂ ନେବା ।

୫. ତ୍ରିକୋଣାସନ ଯୋଗ : ପ୍ରଥମେ ସିଧା ଭାବେ ଠିଆ ହୋଇ ନିଜର ଦୁଇ ଗୋଡ଼ ଭିତରେ ଅଳ୍ପ ଦୂରତା ରଖିବା । ଏହା ପରେ ଗୋଟିଏ ଗୋଡ଼କୁ ୯୦ଡ଼ିଗ୍ରୀରେ ରଖିବା । ଏହାପରେ ଶରୀରକୁ ସାମାନ୍ୟ ଡ଼ାହାଣକୁ କରି ନିଜର ଡ଼ାହାଣ ହାତ ସାହାଯ୍ୟରେ ଡ଼ାହାଣ ଗୋଡ଼କୁ ଧରିବାକୁ ଚେଷ୍ଟା କରିବା । ଏହି ମୁଦ୍ରାରେ ଆମେ ୧-୨ ମିନିଟ ପର୍ଯ୍ୟନ୍ତ ରହିପାରିବା । ଏହି ଆସନ କରିବା ଦ୍ୱାରା ରକ୍ତ ସଞ୍ଚାଳନ ଭଲଭାବରେ ହେବା ସହ କିଡ଼ନୀ ସୁସ୍ଥ ରହିଥାଏ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking