29.1 C
Bhubaneswar
Saturday, April 27, 2024
Homeଓଡିଶାବେସାହାରା ହୋଇ ୨୫ବର୍ଷ ହେଲା ଘୁରି ବୁଲୁଛି ମହିଳା

ବେସାହାରା ହୋଇ ୨୫ବର୍ଷ ହେଲା ଘୁରି ବୁଲୁଛି ମହିଳା

ଗଞ୍ଜାମ : ଦିଗପହଣ୍ଡି ତହସିଲ୍ କାର୍ଯ୍ୟାଳୟ ଆଗରେ ବସିଥିଲେ ଜଣେ ବୟସ୍କ ମହିଳା । ଭୋକରେ ଆଉଟୁ ପାଉଟୁ ହେଉଥିଲେ । ଏହି ରାସ୍ତା ଦେଇ ଅନେକ ସରକାରୀ କର୍ମଚାରୀ ଚଳପ୍ରଚଳ ହେଉଥିଲେ ମଧ୍ୟ କାହାର ନଜର ପଡୁନଥିଲା ଏହି ମହିଳାଙ୍କ ଉପରେ । ଏଭଳି ଅବସ୍ଥାରେ ଜଣେ ମହିଳା ହୋମଗାର୍ଡ ଓ ଜଣେ ଲୋକ ପ୍ରତିନିଧିଙ୍କ ନଜର ପଡ଼ିଲା ଏହି ନିରୀହ ମହିଳାଙ୍କ ଉପରେ । ମହିଳା ହୋମଗାର୍ଡ ନର୍ମଦା ପଣ୍ଡା ଖାଦ୍ୟ ସଂଗ୍ରହ କରି ଏହି ମହିଳାଙ୍କୁ ଦେଇଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ଗଦାଧର ସ୍ୱାଇଁ ପିନ୍ଧିବା ପାଇଁ ବସ୍ତ୍ର ପ୍ରଦାନ କରିଥିଲେ । ମହିଳା ଜଣକ ହେଲେ କାଳି ମହାରଣା । ବ୍ଲକ୍ ଅନ୍ତର୍ଗତ ବମକେଇ ଗ୍ରାମର ମିଶ୍ର ସାହିରେ ତାଙ୍କର ଘର । ଦୀର୍ଘ ୨୫ ବର୍ଷ ହେଲା ଏଭଳି ବେସାହାରା ହୋଇ ଏଣେ ତେଣେ ବୁଲୁଛି ବୋଲି ତାହା ସହିତ ଆଲୋଚନା ବେଳେ ଏକଥା ଜଣାପଡ଼ିଛି । ଅନ୍ୟମାନଙ୍କ ଭଳି ତାହାର ମଧ୍ୟ ଏକ ପରିବାର ସଂସାର ଥିଲା । ସ୍ୱାମୀ ପୁଅ ଝିଅ ସମସ୍ତେ ଥିଲେ । କାଳର କରାଳ ଚକ୍ରରେ ସମସ୍ତେ ମରି ହଜିଯିବାରୁ ସେ ନିରୁପାୟ ହୋଇ ପଡ଼ିଥିଲେ । ମାନସିକ ସ୍ଥିତି ଠିକ୍ ହୋଇ ରହିଲା ନାହିଁ । ଏଭଳି ଦୀର୍ଘ ୨୫ ବର୍ଷ ହେଲା ନିଜର ସମସ୍ତ ପରିବାରକୁ ହରାଇ ଏଭଳି ପାଗଳ ପ୍ରାୟ ହୋଇ ବୁଲୁଛି । ତାର ଘର ଦ୍ୱାର କିଛି ନାହିଁ । ତାର ସ୍ୱାମୀ ଓ ପୁଅ ମରିଯିବା ପରେ ତାର ମାନିସକ ସ୍ଥିତି ଠିକ୍ ରହିଲାନାହିଁ । ଏଭଳି ସ୍ଥିତିରେ ଦିଗପହଣ୍ଡି ବିଡିଓଙ୍କ ସହିତ ସମ୍ପୃକ୍ତ ମହିଳାଙ୍କ ବିଷୟରେ ବମକେଇ ଗ୍ରାମର ଯୁବନେତା ବାପି ପ୍ରଧାନଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ବିଡିଓ ଏଥିପ୍ରତି ଅଣଦେଖା କରିଥିଲେ । ଏବେ ମଧ୍ୟ ସେ ଗାଁର ଅନେକ ଲୋକଙ୍କୁ ଠିକ୍ ଭାବରେ ଚିହ୍ନି ପାରୁଛି । ଯଦି ଏ ଦିଗରେ ପ୍ରଶାସନ ଓ ବଦାନ୍ୟ ବ୍ୟକ୍ତିମାନେ ସାହାଯ୍ୟ ସହଯୋଗର ହାତ ବଢ଼ାଇଥାନ୍ତେ ତାହାହେଲେ କାଳି ମହାରଣା ବାକି ଜୀବନକୁ ସୁଖରେ ବିତେଇ ପାରିଥାନ୍ତେ ବୋଲି ମତ ପ୍ରକାଶ ପାଉଛି । ମାନବିକତା ଦୃଷ୍ଟି କୋଣରୁ ବୃଦ୍ଧାଙ୍କୁ ଖାଦ୍ୟ ବସ୍ତ୍ର ଯୋଗାଇବା ସମସ୍ତଙ୍କର ଧର୍ମ ବୋଲି ମହିଳା ହୋମଗାର୍ଡ ନର୍ମଦା ଓ ଜିଲ୍ଲା ପରିଷଦ ସଭ୍ୟ ଗଦାଧର ସ୍ୱାଇଁ ତାଙ୍କ ପତିକ୍ରୀୟାରେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking