39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶସ୍ୱାମୀର କାନ୍ଧରେ ଚାଲିଗଲା ସ୍ତ୍ରୀର ଜୀବନ

ସ୍ୱାମୀର କାନ୍ଧରେ ଚାଲିଗଲା ସ୍ତ୍ରୀର ଜୀବନ

ମୁମ୍ବାଇ : ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ବିତି ଗଲାଣି, ହେଲେ ଆଜି ବି ଭାରତର କେତେକ ଅଞ୍ଚଳ ଏତେ ପଛୁଆ ରହିଛି ଯେ ଏଠାରେ ଆବଶ୍ୟକ ସୁବିଧା ସୁଦ୍ଧା ଲୋକଙ୍କ ପାଖରେ ପହଞ୍ଚିପାରି ନାହିଁ । ଏମିତି ହିଁ ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନନ୍ଦୁରବାର ଅଞ୍ଚଳରେ । ଏଠାରେ ରାସ୍ତା ଖରାପ ଥିବା କାରଣରୁ ସ୍ୱାମୀ ନିଜ ବେମାର ସ୍ତ୍ରୀକୁ କାନ୍ଧରେ ପକାଇ ଡାକ୍ତରଖାନା ନେଇଯାଉଥିଲେ । କିନ୍ତୁ ଠିକ୍ ସମୟରେ ପହଞ୍ଚି ନ ପାରିବାରୁ ରାସ୍ତାରେ ହିଁ ସ୍ତ୍ରୀ ଆଖି ବୁଜି ଦେଇଥିଲେ । ଘଟଣା ଘଟିଛି ୯ ସେପ୍େଟମ୍ବରରେ । ସୂଚନା ଅନୁଯାୟୀ, ନନ୍ଦୁରବାର ଜିଲ୍ଲା ତଲୋଦାର ଚାନ୍ଦସ୍‌ୱାଲି ଆଦିବାସୀ ଗାଁରେ ରହୁଥିବା ସିଦଲିବାଈଙ୍କ ପେଟରେ ହଠାତ୍ ଯନ୍ତ୍ରଣା ହେବାକୁ ଲାଗିଥିଲା । ଗାଁ ଲୋକେ ତାଙ୍କୁ ବଡ଼ ହସ୍ପିଟାଲ ନେଇଯିବାକୁ ପରାମର୍ଶ ଦେଇଥିଲେ । ହସ୍ପିଟାଲ ଗାଁ’ଠାରୁ ପାଖାପାଖି ୩୦ କିଲୋମିଟର ଦୂରରେ ଥିଲା । ଖରାପ ପାଗ ସାଙ୍ଗକୁ ରାସ୍ତା ବି ଖରାପ ଥିବାରୁ ଆମ୍ବୁଲାନ୍ସ ଗାଁ’କୁ ଆସି ପାରି ନ ଥିଲା । ଏଭଳି ସ୍ଥିତିରେ ସ୍ୱାମୀ ସ୍କୁଟରରେ ହିଁ ସ୍ତ୍ରୀକୁ ନେଇଯିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ କିଛି ବାଟ ଯିବା ପରେ ପାହାଡ଼ରୁ ଭୂସ୍ଖଳନ ଯୋଗୁ ଖଣ୍ଡବିଖଣ୍ଡିତ ପଥରରେ ରାସ୍ତା ଜାମ୍ ହୋଇଯାଇଥିଲା । ତେଣୁ ସ୍କୁଟରରେ ଡାକ୍ତରଖାନା ଯିବା ସମ୍ଭବ ନ ଥିଲା । ଏମିତିରେ ସ୍ୱାମୀ ନିଜ କାନ୍ଧରେ ସ୍ତ୍ରୀକୁ ଡାକ୍ତରଖାନା ବୁହାଇ ନେଇଯିବାକୁ ନିଷ୍ପତ୍ତି ନେଇଥିଲେ । ସ୍ୱାମୀ ଜାନ ସିଂ କାନ୍ଧରେ ସ୍ତ୍ରୀକୁ ଲଦି ମାତ୍ର କିଛି ଦୂର ଚାଲିପାରିଥିଲେ । ଏପଟେ ସ୍ତ୍ରୀ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଆଉ ଏହାରି ଭିତରେ ତାଙ୍କ ପ୍ରାଣବାୟୁ ଚାଲିଯାଇଥିଲା । ଏହି ହୃଦୟବିଦାରକ ଦୃଶ୍ୟକୁ କିଛି ଲୋକ ନିଜ ମୋବାଇଲରେ କଏଦ କରି ନେଇଥିଲେ । ଜାନ ସିଂ ଶତଚେଷ୍ଟା ସତ୍ତ୍ୱେ ସ୍ତ୍ରୀ ସିଦଲିବାଈଙ୍କୁ ବଞ୍ଚାଇ ପାରି ନ ଥିଲେ । ସେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ହିଁ ଆଖି ବୁଜି ଦେଇଥିଲେ । ଏମିତି ସ୍ଥିତିରେ ଅସହାୟ ସ୍ୱାମୀ ସେହି ରାସ୍ତା ଉପରେ ହିଁ ସ୍ତ୍ରୀର ମୃତଦେହକୁ ରଖି ଜୋରରେ କାନ୍ଦିବାକୁ ଲାଗିଥିଲେ । ଏହି ଦୃଶ୍ୟ ସେଠାରେ ଉପସ୍ଥିତ କିଛି ଲୋକଙ୍କ ଆଖିରେ ବି ଲୁହ ଆଣି ଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking