26.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଆମେରିକାକୁ ଭାରତର କଡା ଜବାବ; ପକ୍ଷପାତିତାପୂର୍ଣ୍ଣ ରିପୋର୍ଟକୁ ଭାରତ ଗୁରୁତ୍ୱ ଦିଏନି

ଆମେରିକାକୁ ଭାରତର କଡା ଜବାବ; ପକ୍ଷପାତିତାପୂର୍ଣ୍ଣ ରିପୋର୍ଟକୁ ଭାରତ ଗୁରୁତ୍ୱ ଦିଏନି

ନୂଆଦିଲ୍ଲୀ : ବାରମ୍ବାର ପ୍ରତିବାଦ ତଥା ବିରୋଧ ସତ୍ତ୍ୱେ ଆମେରିକା, ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ମୁଣ୍ଡ ପୁରାଇବାର ନିଜ ଅଭ୍ୟାସକୁ ପରିବର୍ତ୍ତନ କରୁନାହିଁ । ନିକଟରେ ଆମେରିକା ପକ୍ଷରୁ ଭାରତୀୟ ରାଜ୍ୟ ମଣିପୁରରେ ଘଟିଥିବା ବ୍ୟାପକ ହିଂସାକାଣ୍ଡ ସମ୍ପର୍କୀତ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ‘୨୦୨୩ କଣ୍ଟ୍ରି ରିପୋର୍ଟସ୍ ଅନ୍ ହ୍ୟୁମାନ୍ ରାଇଟ୍‌ସ ପ୍ରାକ୍ଟିସେସ୍‌: ଇଣ୍ଡିଆ’ ନାମରେ ଏକ ସନ୍ଦର୍ଭ ଭିତ୍ତିକ ଏହି ରିପୋର୍ଟରେ ମଣିପୁରରେ ଦୁଇ ପାରମ୍ପରିକ ଗୋଷ୍ଠୀ ମୈଇତି ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ପ୍ରବଳ ହିଂସାକାଣ୍ଡ (ଆଦିବାସୀ ଓ ଅଣଆଦିବାସୀ ସଂଘର୍ଷ) ଘଟିବା ସମୟରେ ମାତ୍ରାଧିକ ମାନବାଧିକାର ଉଲ୍ଲଙ୍ଘନ ଘଟିଥିବା ଦେଖିବାକୁ ମିଳିଥିଲା ବୋଲି ଆମେରିକା ଦର୍ଶାଇଛି । ଏଠାରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ବିଚ୍ ରାସ୍ତାରେ ଚଲାଇ ଚଲାଇ ନିଆଯାଇଥିଲା । ଏହି ଘଟଣାକୁ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଲଜ୍ଜାଜନକ ବୋଲି କହିଥିବା ଏବଂ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିବା ଆମେରିକା ଏହି ରିପୋର୍ଟରେ ଦର୍ଶାଇଛି । ତେବେ ଆମେରିକାର ଏପ୍ରକାର ଭ୍ରାନ୍ତପୂର୍ଣ୍ଣ ରିପୋର୍ଟକୁ ନେଇ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଆମେରିକା ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟକୁ ଭାରତ ସରକାର ପ୍ରତ୍ୟାଖ୍ୟାନ କରିବା ସହ ଏହାକୁ ସମ୍ପୂର୍ଣ୍ଣ ଭାବେ ଏକତରଫା ଓ ଭାରତ ବିଷୟରେ ଆମେରିକୀୟ ମାନବାଧିକାର ସଂଗଠନକୁ ସଠିକ୍ ଜ୍ଞାନ ନଥିବା ଏଥିରୁ ସ୍ପଷ୍ଟ ହୋଇଛି ବୋଲି ଭାରତ ସରକାର କହିଛନ୍ତି । ଭାରତ ସମ୍ପର୍କରେ ସେମାନଙ୍କ ଜ୍ଞାନ ଦୁର୍ବଳ ଶ୍ରେଣୀର ବୋଲି ଭାରତ ସରକାର ଦର୍ଶାଇଛନ୍ତି । ତେବେ ଆମେରିକାର ଏପ୍ରକାର ରିପୋର୍ଟ ସମ୍ପର୍କରେ ପଚରା ଯାଇଥିବା ଏକ ପ୍ରଶ୍ନରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ କହିଛନ୍ତି, “ଏହି ରିପୋର୍ଟ ଗଭୀର ଭାବେ ପକ୍ଷପାତିତା ପୂର୍ଣ୍ଣ । ଭାରତ ସମ୍ପର୍କରେ କୌଣସି କଥା ନ ଜାଣି ରିପୋର୍ଟ ପ୍ରକାଶ କରାଯାଇଛି । ଆମେ ଏହାକୁ ଆଦୌ ଗୁରୁତ୍ୱ ଦେଉନାହୁଁ । ଆଶା କରୁଛୁ ଯେ ଆପଣମାନେ ମଧ୍ୟ ସମାନ ପଦକ୍ଷେପ ନେବେ ।”
ସୂଚନାଯୋଗ୍ୟ, ଆମେରିକାର ଏହି ରିପୋର୍ଟରେ ଭାରତୀୟ ଆୟକର ବିଭାଗ ପକ୍ଷରୁ ଟିକସ ଫାଙ୍କି ଅଭିଯୋଗ ଆଧାରରେ ଦିଲ୍ଲୀ ଏବଂ ମୁମ୍ବାଇରେ ଥିବା ବିବିସି କାର୍ଯ୍ୟାଳୟ ଉପରେ ଦୀର୍ଘ ୬୦ ଘଣ୍ଟା ଧରି ଚଢ଼ଉ କରାଯାଇଥିବା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପ୍ରସ୍ତୁତ ଏକ ଡକ୍ୟୁମେଣ୍ଟାରୀକୁ ବିବିସି ପକ୍ଷରୁ ପ୍ରସାରିତ କରାଯିବା ପରେ ପରେ ଏପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ବୋଲି ଆମେରିକାର ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏତଦ୍‌ବ୍ୟତୀତ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ମୋଦୀଙ୍କ ଉପନାମକୁ ନେଇ ଦିଆଯାଇଥିବା ବିବୃତି ଆଧାରରେ ମାମଲା ରୁଜୁ କରାଯିବା ଏବଂ ତାଙ୍କ ବିରୋଧରେ ସାଂସଦ ପଦ ରଦ୍ଦ କରାଯିବା ଭଳି ଦଣ୍ଡାଦେଶ ଘୋଷଣା କରାଯିବା ନେଇ ସମ୍ପର୍କରେ ମଧ୍ୟ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ପ୍ରକାଶ, ସୁପ୍ରିମକୋର୍ଟ ଏହି ମାମଲାରେ ରାହୁଲଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିଥିଲେ ଯାହାଦ୍ୱାରା ତାଙ୍କ ସାଂସଦ ପଦ ବଜାୟ ରହିଥିଲା । ତେବେ ଆମେରିକାର ଏହି ରିପୋର୍ଟରେ କେତେକ ଭାରତ ପକ୍ଷରୁ ଗ୍ରହଣ କରାଯାଇଥିବା କେତେକ ଭଲ ବିଷୟବସ୍ତୁ ତଥା କାର୍ଯ୍ୟକ୍ରମକୁ ମଧ୍ୟ ସାମିଲ କରାଯାଇଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking