36.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶବ୍ରାଜିଲରେ ଭୟଙ୍କର ବନ୍ୟା; ୬୦ ମୃତ, ୭୦ହଜାର ବିସ୍ଥାପିତ

ବ୍ରାଜିଲରେ ଭୟଙ୍କର ବନ୍ୟା; ୬୦ ମୃତ, ୭୦ହଜାର ବିସ୍ଥାପିତ

ବ୍ରାସିଲିଆ: ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ବ୍ରାଜିଲ୍‌ରେ ପ୍ରକୃତିର ଭୟଙ୍କର ବିପର୍ଯ୍ୟୟ ଦେଖିବାକୁ ମିଳିଛି । କିଛି ଦିନ ଧରି ଅବିଶ୍ରାନ୍ତ ବର୍ଷା କାରଣରୁ ବ୍ରାଜିଲ୍‌ର ଅଧିକାଂଶ ନଦୀରେ ପ୍ରଳୟଙ୍କରୀ ବନ୍ୟା ସୃଷ୍ଟି ହୋଇଛି । ବ୍ରାଜିଲ୍ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ଗତ ୪୮ଘଣ୍ଟା ମଧ୍ୟରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୬୦ ଛୁଇଁଥିବା ବେଳେ ୭୦ହଜାରରୁ ଅଧିକ ଲୋକ ବାସହରା ହୋଇପଡିଛନ୍ତି । ସେହିପରି ୭୪ ଜଣ ଆହତ ହୋଇଥିବା ବେଳେ ଅନ୍ୟ ୬୭ ଜଣ ନିଖୋଜ ଅଛନ୍ତି । ଉଦ୍ଧାରକାରୀ ଦଳ ଅନବରତ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ ବର୍ଷା ଏବଂ ସ୍ଥାନେ ସ୍ଥାନେ ଭୂସ୍ଖଳନ ଯୋଗୁ ଅଧିକାଂଶ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିବାରୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି । ଏସବୁ ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଏବଂ ଲୋକଙ୍କ ପାଖରେ ରିଲିଫ୍ ପହଞ୍ଚାଇବା କାମ ଜାରି ରହିଛି ।

ଜଳବନ୍ଦୀ ଅବସ୍ଥାରେ ଥିବା ଘର, ରାସ୍ତାଘାଟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରକାଶ, ବନ୍ୟା ଯୋଗୁ ବ୍ରାଜିଲର ଦକ୍ଷିଣୋତ୍ତର ରାଜ୍ୟ ରିଓ ଗ୍ରାଣ୍ଡେ ଡୋ ସୁଲ୍ ଏବଂ ପୋର୍ଟ ଏଲେଗ୍ରେ ସହର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋର୍ଟୋ ଆଲେଗ୍ରେ ଅନ୍ତର୍ଜାତୀୟ ବିମାନବନ୍ଦର ସମସ୍ତ ବିମାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ବସ୍‌, ଟ୍ରକ୍ ସମେତ ଅନ୍ୟ ଯାନବାହାନ ଚଳାଚଳକୁ ବନ୍ଦ କରାଯାଇଛି । ରାଜ୍ୟପାଳ ଅଡୁଆର୍ଡୋ ଲିଟ୍ ବନ୍ୟା ପୀଡିତ ଅଞ୍ଚଳଗୁଡିକରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ତାଙ୍କ କହିବାନୁସାରେ ଇତିହାସରେ ପ୍ରଥମଥର ସବୁଠାରୁ ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ସେ ଆଶଙ୍କା କରିଛନ୍ତି । ଏସବୁ ମଧ୍ୟରେ ‘ଆଗକୁ ଆଉ କିଛି ଦିନ ଏପ୍ରକାର ଅବିଶ୍ରାନ୍ତ ବର୍ଷା ଜାରି ରହିବ’ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ ସ୍ଥାନୀୟ ଲୋକଙ୍କ ଚିନ୍ତାକୁ ଆହୁରି ବଢାଇଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking