36.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶପୁଞ୍ଚ୍ ଆତଙ୍କୀ ହମ୍‌ଲାରେ ଯବାନ୍ ସହିଦ୍‌

ପୁଞ୍ଚ୍ ଆତଙ୍କୀ ହମ୍‌ଲାରେ ଯବାନ୍ ସହିଦ୍‌

ଶ୍ରୀନଗର: ଶନିବାର ସନ୍ଧ୍ୟା ପ୍ରାୟ ୬ଟା ୧୫ ମିନିଟ୍ ସମୟରେ ଜମ୍ମୁ-କାଶ୍ମୀରର ପୁଞ୍ଚ୍ ଜିଲା ସୁରାନକୋଟ ଅଞ୍ଚଳରେ ଆତଙ୍କବାଦୀମାନେ ବାୟୁସେନା କର୍ମଚାରୀଙ୍କ ଉପରେ ଆକ୍ରମଣ କରିବା ଘଟଣାରେ ଜଣେ ଯବାନ୍ ସହିଦ୍ ହୋଇଛନ୍ତି । ସହିଦ୍ ଯବାନ୍‌ଙ୍କ ନାମ ବିକ୍କି ପହାଡେ (୩୩) ଏବଂ ସେ ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲାର ସ୍ଥାୟୀ ନିବାସୀ । ୨୦୧୧ରେ ସେ ଭାରତୀୟ ବାୟୁସେନାରେ ଯୋଗଦେଇଥିଲେ । ପଦୋନ୍ନତି ସହ ସେ ଏବେ ବାୟୁସେନାରେ କର୍ପୋରାଲ୍ ର‌୍ୟାଙ୍କ୍‌ରେ ନିଯୁକ୍ତ ଥିଲେ । ତାଙ୍କ ପରିବାରରେ ତାଙ୍କ ପତ୍ନୀ, ୫ବର୍ଷର ପୁଅ ଏବଂ ୨ ଅବିବାହିତ ଭଉଣୀ ଅଛନ୍ତି । ୭ ମେ’ରେ ତାଙ୍କ ପୁଅର ଜନ୍ମଦିନ ଥିଲା ବେଳେ ସେ ଘରକୁ ଆସିଥାନ୍ତେ । ଏଥିପାଇଁ ସେ ଛୁଟି ଆବେଦନ କରିଥିବା ବେଳେ ତାଙ୍କୁ ଛୁଟି ମଧ୍ୟ ମଞ୍ଜୁର ହୋଇସାରିଥିଲା । କିନ୍ତୁ ଏବେ ତାଙ୍କ ପାର୍ଥିବ ଶରୀର ତାଙ୍କ ଘରକୁ ଯିବ । ଏହାକୁ ନେଇ ତାଙ୍କ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ତେବେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ପାର୍ଥିବ ଶରୀରର ଅନ୍ତିମ ସଂସ୍କାର କରାଯିବ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି । ପ୍ରକାଶ, ଗତ ଏପ୍ରିଲ୍ ମାସରେ ବିକ୍କି ପହାଡେ, ନିଜର ଅନ୍ୟତମ ଭଉଣୀ (୩ୟ ଭଉଣୀ)ର ବାହାଘର ସାରିଥିଲେ ଏବଂ ୧୮ ଏପ୍ରିଲ୍‌ରେ ଡ୍ୟୁଟିରେ ଆସି ଯୋଗଦେଇଥିଲେ।

ସନାଇର ବକେରବାଲ ଅଞ୍ଚଳରେ ଜରୌଲିରୁ ଶାଷ୍ଟାର ଅଭିମୁଖେ ବାୟୁସେନାର କର୍ମଚାରୀମାନେ ଯାଉଥିବା ସମୟରେ ୪ ଆତଙ୍କବାଦୀ ଯବାନ୍‌ଙ୍କ ଗାଡ଼ି ଉପରକୁ ଷ୍ଟିଲ୍ ନିର୍ମିତ ଗୁଳି ଚଳାଇଥିଲେ । ଏହି ଘଟଣାରେ ୫ ଯବାନ୍ ଆହତ ହୋଇଥିବା ନେଇ ପ୍ରାଥମିକ ରିପୋର୍ଟ ହସ୍ତଗତ ହୋଇଥିଲା । ଏସମସ୍ତ ଯବାନ୍‌ଙ୍କୁ ଏୟାରଲିଫ୍ଟ କରାଯାଇ ଉଦ୍ଧମପୁର ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ବିଳମ୍ବିତ ରାତିରେ ବିକ୍କି ପହାଡେ ନାମକ ଜଣେ ବାୟୁସେନା ଯବାନ ଶେଷନିଶ୍ୱାସ ତ୍ୟାଗ କରିଥିବା ନେଇ ସେନା ଅଧିକାରୀଙ୍କ ତରଫରୁ ରିପୋର୍ଟ ମିଳିଥିଲା । ସେହିପରି ଅନ୍ୟ ୪ ଯବାନଙ୍କ ଅବସ୍ଥା ମଧ୍ୟ ବେଶ୍ ସଂକଟାପନ୍ନ ରହିଥିବା କୁହାଯାଇଛି ।

ଆକାଶ, ପାତାଳ ଖୋଜୁଛି ସେନା: ସର୍ଚ୍ଚ ଅପରେସନ ଜୋରଦାର
ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ଘଟଣାସ୍ଥଳରୁ ଜଙ୍ଗଲ ଦେଇ ଫେରାର ହୋଇଯାଇଥିଲେ । ତେବେ ବାୟୁସେନା, ସ୍ଥଳସେନା ଏବଂ ଜମ୍ମୁ କାଶ୍ମୀର ପୁଲିସ୍ ପକ୍ଷରୁ ଏବେ ଏହି ଅଞ୍ଚଳରେ ମିଳିତ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଏୟାରଫୋର୍ସର ସ୍ପେଶାଲ ଗରୁଡ ଫୋର୍ସ ପୁରା ଜଙ୍ଗଲ ପଇଁତରା ମାରୁଛି । ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖର୍ଗେଙ୍କ ଭଳି ଦେଶର ପ୍ରାୟ ସମସ୍ତ ବରିଷ୍ଠ ନେତାଙ୍କ ସହ ତିନି ସେନାବାହିନୀ ମୁଖ୍ୟ ଏହି ଘଟଣାରେ ଗଭୀର ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗକୁ ଶାନ୍ତ୍ୱନା ପ୍ରଦାନ କରିଛନ୍ତି ।

ଲସ୍କର କମଣ୍ଡର ସାଜିଦ୍ ଜୁଟ୍ ଦେଇଛି ଟ୍ରେନିଂ: ଇଣ୍ଟେଲ୍ ରିପୋର୍ଟ
ଏସବୁ ମଧ୍ୟରେ ଗୁଇନ୍ଦା ବିଭାଗକୁ ଏକ ବଡ଼ ସୂଚନା ମିଳିଛି । ପୁଞ୍ଚ୍‌ରେ ଏୟାରଫୋର୍ସ ଯବାନ୍‌ଙ୍କ ଉପରେ ହୋଇଥିବା ଏହି ଆତଙ୍କବାଦୀ ହମ୍‌ଲା ଘଟଣାରେ ସମ୍ପୃକ୍ତ ଥିବା ଆତଙ୍କବାଦୀମାନଙ୍କୁୂ କୁଖ୍ୟାତ ପାକିସ୍ତାନୀ ଆତଙ୍କବାଦୀ କମାଣ୍ଡର ସାଜିଦ୍ ଜୁଟ୍ ଟ୍ରେନିଂ ଦେଇଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି । ଯେଉଁ ୪ ଆତଙ୍କବାଦୀ ଆକ୍ରମଣ କରିଥିଲେ ସେମାନେ ସମସ୍ତେ ଲସ୍କର ଏ ତୋଇବା (ଏଲ୍‌ଇଟି)ର ଆତଙ୍କୀ ବୋଲି ଇଣ୍ଟେଲ୍ ରିପୋର୍ଟରୁ ଜଣାପଡିଛି । ପ୍ରକାଶ, ସାଜିଦ୍ ଜୁଟ୍ ଦ୍ୱାରା ତାଲିମ୍‌ପ୍ରାପ୍ତ ପ୍ରାୟ ୧୭ ଆତଙ୍କୀ ଏବେ ଏହି ଅଞ୍ଚଳରେ ବେଶ୍ ସକ୍ରିୟ ରହିଛନ୍ତି । ଏମାନଙ୍କୁ ସାଜିଦ୍ ଜୁଟ୍ ଗ୍ରୂୁପ୍ ବୋଲି ମଧ୍ୟ କୁହାଯାଉଛି । ସାଜିଦ୍ ଜୁଟ୍ ଗ୍ରୁପ୍‌କୁ ଏଲ୍‌ଇଟି ପକ୍ଷରୁ ଆର୍ଥିକ ତଥା ଅନ୍ୟାନ୍ୟ ସମର୍ଥନ ଓ ସହାୟତା ମିଳୁଛି । ପ୍ରକାଶ, ଚଳିତ ବର୍ଷ ଏହି ଅଞ୍ଚଳରେ ସଶସ୍ତ୍ର ବାହିନୀ ଉପରେ ଏହା ହେଉଛି ପ୍ରଥମ ଆକ୍ରମଣ, ଯେତେବେଳେ କି ଗତ ବର୍ଷ ସେନା ଉପରେ ଅନେକ ଥର ଆତଙ୍କବାଦୀ ଆକ୍ରମଣର ଦେଖିବାକୁ ମିଳିଥିଲା । ୬ଷ୍ଠ ପର୍ଯ୍ୟାୟ ଅର୍ଥାତ୍ ମେ ୨୫ରେ ପୁଞ୍ଚ୍ ଜିଲ୍ଲାରେ ନିର୍ବାଚନ ପ୍ର୍ରକ୍ରିୟା ଅନୁଷ୍ଠିତ ହେବା ପୂର୍ବରୁ ଏପ୍ରକାର ଆତଙ୍କବାଦୀ ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଭୟଭୀତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking