35.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଗୁରୁଦ୍ୱାର ଭିତରେ ମାନସିକ ଭିନ୍ନକ୍ଷମ ଯୁବକଙ୍କୁ ପିଟିପିଟି ହତ୍ୟା

ଗୁରୁଦ୍ୱାର ଭିତରେ ମାନସିକ ଭିନ୍ନକ୍ଷମ ଯୁବକଙ୍କୁ ପିଟିପିଟି ହତ୍ୟା

ଚଣ୍ଡିଗଡ: ପଞ୍ଜାବର ଫିରୋଜପୁରର ଏକ ଗୁରୁଦ୍ୱାରରେ ଶିଖ ଧର୍ମଗ୍ରନ୍ଥକୁ ଅପମାନିତ କରିବା ଅଭିଯୋଗରେ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ଉତ୍ୟକ୍ତ ଲୋକେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟାର ଶିକାର ହୋଇଥିବା ୧୯ ବର୍ଷୀୟ ଯୁବକ ବକ୍ସିଶ ସିଂ ଭାବେ ଚିହ୍ନଟ ହୋଇଛନ୍ତି । ସେ ଗତକାଲି ଗୁରୁଦ୍ୱାର ପରିସରରେ ଧର୍ମଗ୍ରନ୍ଥକୁ ଅପମାନିତ କରିବା ଅଭିଯୋଗ ହେବା ପରେ ସେଠାରେ ଥିବା ଲୋକେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ସୂଚନା ପାଇ ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଡିଏସପି ସୁଖବିନ୍ଦର ସିଂ କହିଛନ୍ତି ଯେ, ଦୁଇଟି ପୃଥକ ମାମଲା ରୁଜୁ ହୋଇଛି । ଧର୍ମଗ୍ରନ୍ଥକୁ ଅପମାନିତ କରିବା ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିବା ବେଳେ ହତ୍ୟାର ଶିକାର ଯୁବକଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ମଧ୍ୟ ହତ୍ୟା ମାମଲା ରୁଜୁ ହୋଇଛି । ଅନ୍ୟପଟେ ମୃତ ଯୁବକଙ୍କ ବାପା ଲଖବିନ୍ଦର ସିଂ ସଙ୍ଗୀନ ଅଭିଯୋଗ କରିଛନ୍ତି ।

ତାଙ୍କ ପୁଅ ଜଣେ ମାନସିକ ଭିନ୍ନକ୍ଷମ ଓ ସେ ଗତ ୨ବର୍ଷ ଧରି ଚିକିତ୍ସାଧୀନ ଥିଲେ । ସେ ପୂର୍ବରୁ କେବେ ମଧ୍ୟ ଏହି ଗୁରୁଦ୍ୱାର ଆସିନଥିଲେ । ତାଙ୍କ ଭିନ୍ନକ୍ଷମ ପୁଅକୁ ଉତ୍ୟକ୍ତ ଲୋକେ ନିର୍ମମ ଭାବେ ପିଟିପିଟି ହତ୍ୟା କରିଛନ୍ତି । ଭିଡ ହିଂସାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଖୋଜାଖୋଜି ଜାରି ରଖିଛି । ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ସେମାନେ ପୂର୍ବରୁ ମଧ୍ୟ କେବେ ଏହି ଯବକଙ୍କୁ ଏହି ଗୁରୁଦ୍ୱାରରେ ଦେଖିନଥିଲେ । ଗତକାଲି ଏହି ଯୁବକ ଜଣକ ଧର୍ମଗ୍ରନ୍ଥକୁ ଅପମାନିତ କରି ଖସି ପଳାଇବାକୁ ଉଦ୍ୟମ କରୁଥିବା ସୂଚନା ପ୍ରଘଟ ହେବା ପରେ କିଛି ଲୋକ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୂର୍ବରୁ ମଧ୍ୟ ପଞ୍ଜାବର ଅନ୍ୟ ଏକ ଗୁରୁଦ୍ୱାରରେ ସମାନ ଭିଡ ହତ୍ୟାକାଣ୍ଡ ଘଟିବାର ନଜିର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking