29.1 C
Bhubaneswar
Saturday, April 27, 2024
Homeଅପରାଧନକିଲି ସୁନା ବିକ୍ରି କରି ୩ ଗିରଫ

ନକିଲି ସୁନା ବିକ୍ରି କରି ୩ ଗିରଫ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୁଲିସ ନକଲି ସୁନା ବିକ୍ରି କରୁଥିବା ଏକ ଗ୍ୟାଙ୍ଗକୁ ସୋମବାର ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ନାଗପୁରର ମନିଲାଲ ପରମାର(୪୫), ଛତିଶଗଡ଼ର ନାରାୟଣ ରାଠୋର(୩୩), ଭୋପାଲର ଅମରି ବାଇ(୫୦) ବୋଲି ଜଣାପଡ଼ିଛି । ଅଭିଯୁକ୍ତଙ୍କଠାରୁ ପୁଲିସ ୧୮ ଛୋଟ ଅସଲି ସୁନା ବଲ, ୧୦ଟି ଅସଲି ରୁପା ମୁଦ୍ରା, ୮ଟି ମୋବାଇଲ, ୨୦ ହଜାର ଟଙ୍କା, ୪ଟି ନକଲି ସୁନା ମାଳି, ୩୦ଟି ନକଲି ସୁନା ମୁଦ୍ରା, ୬ଟି ସିମ, ମାଳି ତିଆରି ଯନ୍ତ୍ର ଜବତ କରିଛି ।
ସୂଚନା ଅନୁଯାୟୀ, ଗତ ରବିବାର ବେଲପାହାଡ଼ ଷ୍ଟେସନ ନିକଟରେ କେତେଜଣ ଅଜଣା ବ୍ୟକ୍ତି ସୁନା ବିକ୍ରି କରୁଥିବା ପୁଲିସ ସୂଚନା ପାଇଥିଲା । ଖବର ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରି ବେଶ ତନାଘନା ପରେ ଦେବଗଡ଼ରୁ ଏହି ଗ୍ୟାଙ୍ଗକୁ ସୋମବାର ଧରିବାରେ ସକ୍ଷମ ହୋଇଥିଲା । ଏନେଇ ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧିକାରୀ ଅଶ୍ୱିନୀ କୁାମାର ମହାନ୍ତି କହିଛନ୍ତି ନକଲି ସୁନା ବିକ୍ରି କରି ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କା ଠକୁଥିବା ଗ୍ୟାଙ୍ଗକୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଠକମାନେ ଘରେ ବିଭିନ୍ନ ଅସୁବିଧାଥିବାରୁ ସେମାନେ ସୁନା ବିକ୍ରି କରିବାପାଇଁ ବାଧ୍ୟ ହେଉଥିବା ଲୋକଙ୍କୁ କହୁଥିଲେ । ଏହାସହ ପ୍ରଥମେ କିଛି ଅସଲି ସୁନା ଦେଇ ପରୀକ୍ଷା କରିବାପରେ ଟଙ୍କା ଦିଅନ୍ତୁ ବୋଲି କହୁଥିଲେ । ଲୋକମାନେ ବିଭିନ୍ନ ଜ୍ୱେଲେରୀରୁ ସୁନା ପରୀକ୍ଷା କରାଇ ସାରିଲା ପରେ କିଣିବା ପାଇଁ ରାଜି ହେଉଥିଲେ । ତେବେ ସେହି ସମୟରେ ଅଭିଯୁକ୍ତମାନେ କୌଶଳକ୍ରମେ ନକଲି ସୁନା ଦେଇ ଲୋକଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ଠକି ଫେରାର ହୋଇଯାଉଥିଲେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ବେଲପାହାଡ଼ ଥାନା ଅନ୍ତର୍ଗତ ଅଶୋକ ଚୌଧୁରୀ କିଛି ଅଜଣା ବ୍ୟକ୍ତିଙ୍କ ଠାରୁ ସୁନା କିଣି ୧ ଲକ୍ଷ ଟଙ୍କା ଠକେଇ ହୋଇଥିବା ୨୦୧୯ ମସିହା ଡିସେମ୍ବର ୧୪ ତାରିଖରେ ଅଭିଯୋଗ କରିଥିଲେ । ସେ ଅଭିଯୋଗ କରିଥିଲେ ଯେ କିଛି ଅଜଣା ବ୍ୟକ୍ତି ତାଙ୍କ ପାଖକୁ ଆସି ସୁନା ରଖି କିଛି ଟଙ୍କା ଧାର ଦେବାପାଇଁ କହିଥିଲେ । ସେ ସୁନା ଦୋକାନରେ ଉକ୍ତ ସୁନାକୁ ପରୀକ୍ଷା କରାଇବା ପରେ ଅସଲି ସୁନା ହୋଇଥିବାରୁ ଟଙ୍କା ଦେବାପାଇଁ ରାଜି ହୋଇଥିଲେ । କିଛି ଦିନ ପରେ ପୁଣି ଅଭିଯୁକ୍ତମାନେ ତାଙ୍କ ପାଖକୁ ଆସି ବାପାଙ୍କ ଅସ୍ତ୍ରୋପ୍ରଚାର ଅଛି ପୁଣି କିଛି ସୁନା ମାଳି ରଖି ୧ ଲକ୍ଷ ଟଙ୍କା ଧାର ଦିଅନ୍ତୁ ବୋଲି କହିଥିଲେ । ପୂର୍ବରୁ ଅସଲି ସୁନାମାଳି ପାଇଥିବାରୁ ଅଶୋକ ପରୀକ୍ଷା ନକରି ସୁନା ମାଳି ରଖି ୧ ଲକ୍ଷ ଟଙ୍କା ସେମାନଙ୍କୁ ଦେଇଥିଲେ । ହେଲେ ମାଳି ଦେବାପରେ ଅଭିଯୁକ୍ତମାନେ ଅଶୋକଙ୍କୁ ଅନେକ ଦିନ ଧରି ଯୋଗାଯୋଗ ନକରିବାରୁ ସେ ସୁନା ମାଳିକୁ ଯାଞ୍ଚ କରିବାପାଇଁ ଜ୍ୱେଲର୍ସ ପାଖକୁ ନେଇଥିଲେ ।
ଜ୍ୱେଲର୍ସ ମାଳିଗୁଡ଼ିକ ନକଲି ଅଟେ କହିବାପରେ ଠକାମିର ଶିକାର ହୋଇଥିବା ଜାଣିପାରି ସେ ବେଲପାହାଡ଼ ଥାନାରେ ଅଭିଯୋଗ କରିଥିଲେ । ଅଶୋକଙ୍କ ଅଭିଯୋଗକୁ ଭିତ୍ତିକରି ଜିଲ୍ଲା ଆରକ୍ଷୀ ଅଧିକାରୀ ଅଶ୍ୱିନୀ କୁମାର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଡିପିଓ ବ୍ରଜରାଜନଗରଙ୍କ ତତ୍ତ୍ୱାବଧାନରେ ବେଲପାହାଡ଼ ଥାନା ଅଧିକାରୀ ରଶ୍ମିତା ବେହେରା, ବ୍ରଜରାଜନଗର ଥାନା ଅଧିକାରୀ, ଏସଆଇ ପିକେ ସ୍ୱାଇଁ ଓ ଏକ ସ୍ୱତନ୍ତ୍ର ଦଳ ଗଠନ କରି ଏହି ଠକ ଗ୍ୟାଙ୍ଗକୁ ଧରିଥିଲେ । ତେବେ ୨୦୧୮ ମସିହାରେ ଝାରସୁଗୁଡ଼ାର ଏକ କଣ୍ଟ୍ରାକ୍ଟରଙ୍କଠାରୁ ମଧ୍ୟ ଏହି ଗ୍ୟାଙ୍ଗ ନକଲି ସୁନା ଦେଇ ୧ ଲକ୍ଷ ୨୫ ହଜାର ଟଙ୍କା ଠକିଥିବା ପୁଲିସ ପକ୍ଷରୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking