32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶ୧୯ ଦେଶରେ ୧୩୧ ମଙ୍କିପକ୍ସ ରୋଗୀ

୧୯ ଦେଶରେ ୧୩୧ ମଙ୍କିପକ୍ସ ରୋଗୀ

ଜେନେଭା : ମଙ୍କିପକ୍ସ ଭୂତାଣୁ ସଂକ୍ରମଣ ମାମଲା ୧୯ ଦେଶକୁ ବ୍ୟାପିଛି । ମୋଟ ୧୩୧ ମାମଲା ଚିହ୍ନଟ ହୋଇଛି । ସେହିଭଳି ଆଉ ୧୦୬ରୁ ଅଧିକ ଲୋକ ସଂକ୍ରମିତ ଥିବା ସନ୍ଦେହ କରାଯାଉଛି । ସେମାନଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି । ଡବ୍ଲ୍ୟୁଏଚ୍‌ଓ କହିଛି ଯେ ମଙ୍କିପକ୍ସ ଅସ୍ୱାଭାବିକ ଭାବେ ବ୍ୟାପୁଥିଲେ ବି ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ । ୟୁରୋପୀୟ ରାଷ୍ଟ୍ରଗୁଡ଼ିକୁ ସହାୟତା ଯୋଗାଇବା ଏବଂ ସଂକ୍ରମଣର ମୁକାବିଲା ପାଇଁ ପରାମର୍ଶ ଦେବା ଲାଗି ଅଧିକ ବୈଠକ ଆହ୍ୱାନ କରାଯିବ । ଏ ବାବଦରେ ବ୍ୟାପକ ଭାବେ ଆଲୋଚନା କରାଯାଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ହେବ । ଶୁକ୍ରବାର ସୁଦ୍ଧା ୮୦ଟି ମଙ୍କିପକ୍ସ ମାମଲା ରହିଥିଲା । ୧୧ଟି ଦେଶରେ ଆଉ ୫୦ଟି ସନ୍ଦିଗ୍ଧ ମାମଲା ନେଇ ନମୁନା ଯାଞ୍ଚ କରାଯାଇଥିଲା ।

କେନ୍ଦ୍ରୀୟ ୟୁରୋପୀୟ ଦେଶ ସ୍ଲୋଭେନିଆ ଆଜି ଏହାର ପ୍ରଥମ ମଙ୍କିପକ୍ସ ମାମଲା ନେଇ ରିପୋର୍ଟ ଦେଇଛି । ସ୍ପେନର କ୍ୟାନାରି ଦ୍ୱୀପରୁ ଫେରିଥିବା ଜଣେ ବ୍ୟକ୍ତି ମଙ୍କିପକ୍ସ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ସେ ଭୂତାଣୁର ଏକ ହାଲୁକା ଭର୍ସନ ଦ୍ୱାରା ସଂକ୍ରମିତ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ଆବଶ୍ୟକ ପଡ଼ିନାହିଁ । ବ୍ରିଟେନ୍‌ରେ ଆଉ ୩୬ ନୂଆ ମାମଲା ଚିହ୍ନଟ ହେବା ପରେ ମୋଟ ମାମଲା ଏଠାରେ ୫୬ରେ ପହଞ୍ଚିଛି ।

ଆଫ୍ରିକା ବାହାରେ ଦେଖାଦେଇଥିବା ମଙ୍କିପକ୍ସ ସଂକ୍ରମଣ ପାଇଁ ଏତେଶୀଘ୍ର ଗଣ ଟିକାକରଣର ଆବଶ୍ୟକତା ନାହିଁ ବୋଲି ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କହିଛି । ଡବ୍ଲ୍ୟୁଏଚ୍‌ଓର ଭୂତାଣୁ ଟିମ୍‌ ମୁଖ୍ୟ ରିଚାର୍ଡ ପେବଡି କହିଛନ୍ତି, ପରିଷ୍କାର ଓ ପରିଚ୍ଛନ୍ନତା ଏବଂ ନିରାପଦ ଯୌନ ସମ୍ପର୍କ ଏହି ସଂକ୍ରମଣର ନିୟନ୍ତ୍ରଣରେ ସହାୟକ ହେବ । ବର୍ତ୍ତମାନ ଅଧିକ ଟିକା ଓ ଆଣ୍ଟିଭାଇରାଲ୍‌ ଯୋଗାଇ ଦିଆଯାଇ ପାରିବ ନାହିଁ । ଉଲ୍ଲେଖଯୋଗ୍ୟ, ମଙ୍କିପକ୍ସ ସଂକ୍ରମଣ ମାମଲାରେ ବ୍ୟବହାର ପାଇଁ ଆମେରିକାର ସେଣ୍ଟର୍ସ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍‌ସନ୍‌ (ସିଡିସି) କିଛି ଜାଇନିଓଅସ୍‌ ଟିକା ଛାଡ଼ିବା ପ୍ରକ୍ରିୟାରେ ରହିଥିବା କହିଥିଲା । ଏହାପରେ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ଏଭଳି ଆଶ୍ୱସ୍ତି ପ୍ରକାଶ ପାଇଛି । ରିଚାର୍ଡ କହିଛନ୍ତି, ଆମେ ବର୍ତ୍ତମାନ ଏତେ ଖରାପ ସ୍ଥିତିରେ ନାହୁଁ, ଯେଉଁଥିପାଇଁ ଗଣ ଟିକାକରଣର ଆବଶ୍ୟକ ହେବ । ସେପଟେ ଆଗୁଆ ସତର୍କତା ପଦକ୍ଷେପ ସ୍ୱରୂପ ଜର୍ମାନୀ ସରକାର ୪୦,୦୦୦ ଡୋଜ୍‌ ବାଭାରିଆନ୍‌ ନର୍ଡିକ୍‌ (ବିଏଭିଏ.ସିଓ) ଟିକା ପାଇଁ ଅର୍ଡର ଦେଇଛନ୍ତି । ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଏହି ଡୋଜ୍‌ ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking