27.1 C
Bhubaneswar
Wednesday, May 8, 2024
Homeଓଡିଶାଚିନ୍ତାରେ ଆରପାରିକୁ ଚାଲିଗଲେ ମାଆ : ୨୦ ବର୍ଷ ପରେ ଗାଁକୁ ଫେରିଲେ ହେମନ୍ତ

ଚିନ୍ତାରେ ଆରପାରିକୁ ଚାଲିଗଲେ ମାଆ : ୨୦ ବର୍ଷ ପରେ ଗାଁକୁ ଫେରିଲେ ହେମନ୍ତ

ବଲାଙ୍ଗିର: ବର୍ଷେ କି ଦୁଇ ବର୍ଷ ନୁହେଁ ୨୦ ବର୍ଷ ପରେ ଗାଁକୁ ଫେରିଛନ୍ତି ମାନସିକ ଅନଗ୍ରସର ଯୁବକ ହେମନ୍ତ । ୨୦ ବର୍ଷ ଧରି ବାହାର ରାଜ୍ୟରେ ନିଖୋଜ ହୋଯାଇଥିଲେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ବଙ୍ଗୋମୁଣ୍ଡା ପଞ୍ଚାୟତର ଗୋହିରାପଦର ଗାଁର ଈଶ୍ୱର ମାଝୀଙ୍କ ପୁଅ ହେମନ୍ତ ମାଝୀ (୪୩) । ପୋଲିସଠାରୁ ଖବର ପାଇଁ ପରିବାର ଲୋକେ ରାଜସ୍ଥାନର ଏକ ଆଶ୍ରମରୁ ତାଙ୍କୁ ଉଦ୍ଧାର କରିଛନ୍ତି । ଗାଁ ରେ ହେମନ୍ତ ପହଞ୍ଚିବା ପରେ ଖୁସିର ଲହରି ଖେଳି ଯାଇଛି । ହେମନ୍ତ ଗାଁ ରେ ଏକ କପଡ଼ା ବ୍ୟବସାୟୀଙ୍କ ନିକଟରେ ରହି କପଡ଼ା ବୁଣିବା ସହ ହସଖୁସିରେ ପରିବାର ସହ ଜୀବନ ବିତାଉଥିଲେ ।

ଗତ ୨୦୦୧ ମସିହାରେ ବଙ୍ଗୋମୁଣ୍ଡାରୁ କେଉଁଆଡ଼େ ଚାଲିଯାଇଥିଲେ । ପରିବାର ଲୋକେ ବହୁତ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କ ପତ୍ତା ମିଳିନଥିଲା । ପୁଅ ନିଖୋଜ ହେବା ପରେ ମାଆର ଦୁଃଖ କହିଲେ ନସରେ । ପୁଅ କଥା ଚିନ୍ତା କରି କରି ଶେଷରେ ଆର ପାରିକୁ ଚାଲିଗଲେ ମାଆ ଉଷା ମାଝୀ । ହେମନ୍ତ ଗାଁ ରେ ଥିବା ଏକ କପଡ଼ା ବ୍ୟବସାୟୀଙ୍କ ଘରେ କାମ କରୁଥିବା ବେଳେ ତାଙ୍କ ମୁଣ୍ଡ ଦୋଷ ରହୁଥିଲା । ସେ ଗତ ୨୦୦୧ରେ କେଉଁଆଡ଼େ ନିଖୋଜ ହୋଇଯାଇଥିବା ପରିବାର ଲୋକେ ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ପୁଅକୁ ଖୋଜିବାରେ ବିଭିନ୍ନ ସମୟରେ ବିଭିନ୍ନ ରାଜ୍ୟକୁ ଖୋଜାଖୋଜି କରିବା ପରେ ମଧ୍ୟ ନିରାଶ ହୋଇଯାଇଥିଲେ ପରିବାର । ସେତେବେଳେ ହେମନ୍ତଙ୍କର ଗୋଟିଏ ଝିଅ ଥିଲା ।

ପରେ ଦୀର୍ଘ ବର୍ଷ ହେବ ସେ ନ ଆସିବାରୁ ତାଙ୍କ ସ୍ତ୍ରୀକୁ ତାଙ୍କ ସାନ ଭାଇ ପତ୍ନୀ ରୂପେ ଗ୍ରହଣ କରିଥିଲେ । ତେବେ ରାଜସ୍ଥାନ ରାଜ୍ୟର କୋଟା ସହରର ଏକ ଆଶ୍ରମରେ ଆଶ୍ରୟ ନେଉଥିବା ବେଳେ ସେଠାକାର ପୋଲିସ ବଙ୍ଗୋମୁଣ୍ଡା ପୋଲିସକୁ ଯୋଗାଯୋଗ କରି ତାଙ୍କର ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ପରେ ପରିବାର ଲୋକେ ବଙ୍ଗୋମୁଣ୍ଡା ପୋଲିସର ସହଯୋଗରେ ରାଜସ୍ଥାନକୁ ଯାଇ ସେଠାରୁ ତାଙ୍କୁ ଉଦ୍ଧାର କରିଥିଲେ । ପରେ ଗାଁ କୁ ପହଞ୍ଚିବା ପରେ ଗ୍ରାମବାସୀ ସହ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଦୀର୍ଘ ୨୦ ବର୍ଷ ଧରି ନିିଖୋଜ ହୋଇଯାଇଥିବା ବେଳେ ହେମନ୍ତ ମାଝୀ ଘରକୁ ଫେରିବେ କି ନାହିଁ ଚିନ୍ତାରେ ପଡିଯାଇଥିଲେ ପରିବାର । ତାଙ୍କ ନିକଟରେ ଏକ ଭୋଟ ପରିଚୟପତ୍ର ଥିବାବେଳେ ଅନ୍ୟ କୌଣସି କାଗଜ ପତ୍ର ନାହିଁ ।

ସେ ବର୍ତ୍ତମାନ ଗାଁରେ ଅଛନ୍ତି ମାତ୍ର ସେ ମାନସିକ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଛି । କିଛି କିଛି କଥା କହୁଥିବା ବେଳେ ଲୋକ ମାନଙ୍କୁ ଚିହ୍ନଟ ମଧ୍ୟ କରୁଛି । ଏ ସମ୍ପର୍କରେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନାଙ୍କୁ ଯୋଗାଯୋଗ କରିବାରୁ ତଦନ୍ତ କରାଯାଇ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତାଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଭତ୍ତା, ଘର, ରାସନକାର୍ଡ ଯୋଗାଇ ଦେଲେ ସେ ଉପକୃତ ହୋଇ ପାରିବା ସହ ମାନସିକ ବିକାରଗ୍ରସ୍ତ ଡାକ୍ତରଖାନାରେ ମଧ୍ୟ ଚିକିତ୍ସା କରିବା ପାଇଁ ସ୍ଥାନୀୟ ଲୋକେ କହିଛନ୍ତି । ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିକିତ୍ସା ସୁବିଧା ଯୋଗାଇ ଦେଲେ ସେ ପୂର୍ବାବସ୍ଥାକୁ ଆସି ପାରନ୍ତେ ବୋଲି ଆଶା କରାଯାଉଛି । ତୁରନ୍ତ ଜିଲ୍ଲା ଓ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking