31.1 C
Bhubaneswar
Wednesday, May 29, 2024
Homeଖେଳଦିଲ୍ଲୀ କ୍ୟାପିଟାଲ୍ସ ୨୦ ରନ୍‌ରେ ବିଜୟୀ

ଦିଲ୍ଲୀ କ୍ୟାପିଟାଲ୍ସ ୨୦ ରନ୍‌ରେ ବିଜୟୀ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ଆଇପିଏଲ୍‌ର ୫୬ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୨୦ ରନ୍‌ରେ ପରାଜିତ କରିଛି । ଏହା ସହିତ ଟିମ୍ ପୂର୍ବ ପରାଜୟର ହିସାବ ବରାବର କରିଛି । କେବଳ ଏତିକି ନୁହେଁ ୧୬ ପଏଣ୍ଟ୍ ସହ ଟେବଲ୍‌ର ଦ୍ୱିତୀୟ ସ୍ଥାନରେ କାଏମ ଥିବା ରାଜସ୍ଥାନ ରୟାଲ୍ସର ପ୍ଲେଅଫ୍ ପ୍ରବେଶକୁ ମଧ୍ୟ ବିଳମ୍ବିତ କରିଛି । ରାଜସ୍ଥାନକୁ ପ୍ଲେଅଫ୍‌ରେ ପ୍ରବେଶ ପାଇଁ ଏବେ ବି ଆଉ ଏକ ବିଜୟର ଆବଶ୍ୟକତା ରହିଛି । ଘରୋଇ ଅରୁଣ ଜେଟଲି ଷ୍ଟାଡିୟମ୍‌ରେ ଟସ୍ ହାରି ଦିଲ୍ଲୀ ପ୍ରଥମେ ୮ ୱିକେଟ୍ ହରାଇ ୨୨୧ ରନ୍ କରିଥିଲା । ଜବାବରେ ରାଜସ୍ଥାନ ୨୦ ଓଭର୍‌ରେ ୮ ୱିକେଟ୍ ହରାଇ ୨୦୧ ରନ୍ କରିପାରିଥିଲା । ଚଳିତ ସିଜନ୍‌ରେ ୧୩ ଥର ପାଇଁ ଗୋଟିଏ ମ୍ୟାଚ୍‌ର ଉଭୟ ଇନିଂସ୍‌ରେ ୨୦୦ରୁ ଊର୍ଦ୍ଧ୍ୱ ରନ୍ ହୋଇଛି ।

୨୨୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ରୟାଲ୍ସକୁ ପ୍ରଥମ ଓଭର୍‌ରେ ବଡ଼ ଝଟ୍‌କା ଲାଗିଥିଲା । ଓପ୍ନର୍ ଯଶସ୍ୱୀ ଜୟସ୍ୱାଲ୍ (୪)ଙ୍କୁ ଅକ୍ଷର ପଟେଲ୍‌ଙ୍କ ହାତରେ କ୍ୟାଚ୍ କରାଇ ଖଲିଲ୍ ଅହମଦ୍ ଦିଲ୍ଲୀକୁ ପ୍ରଥମ ସଫଳତା ଦେଇଥିଲେ । ଏହାପରେ କ୍ୟାପ୍‌ଟେନ୍ ସଞ୍ଜୁ ସାମ୍‌ସନ୍ ଇନିଂସ୍ ସମ୍ଭାଳି ଟିମ୍‌ର ସ୍କୋର୍ ୧୦୦ ରନ୍ ପାର୍ କରାଇଥିଲେ । ସେ ଇମ୍ପାକ୍ଟ ପ୍ଲେୟର୍ ଜୋସ୍ ବଟ୍‌ଲର୍‌ଙ୍କ ସହ ୬୩, ରିୟାନ୍ ପରାଗଙ୍କ ସହ ୩୬ ଏବଂ ଶୁଭମ୍ ଦୁବେଙ୍କ ସହ ୫୯ ରନ୍‌ର ଭାଗୀଦାରି କରିଥିଲେ । ତେବେ ୪୬ ବଲ୍‌ରେ ୮ ଚୌକା ଓ ୬ ଛକା ସହାୟତାରେ ୮୬ ରନ୍ କରିଥିବା ବେଳେ ମୁକେଶ କୁମାରଙ୍କ ବଲ୍‌ରେ ସାଇ ହୋପ୍‌ଙ୍କୁ କ୍ୟାଚ୍ ଦେଇ ସାମ୍‌ସନ୍ ପ୍ୟାଭିଲିୟନ୍ ଫେରିଥିଲେ ।

ଏହା ପୂର୍ବରୁ ୧୨ଶ ଓଭର୍‌ରେ କୁଲଦୀପ୍ ଯାଦବଙ୍କ ଦ୍ୱିତୀୟ ବଲ୍‌ରେ ଛକା ମାରି ସାମ୍‌ସନ୍ ଚଳିତ ଆଇପିଏଲ୍‌ର ପଞ୍ଚମ ଅର୍ଦ୍ଧଶତକ ପୂରଣ କରିଥିଲେ । ଜୋସ୍ ବଟ୍‌ଲର୍ ୧୯ ରନ୍ କରିଥିବା ବେଳେ ଅକ୍ଷର ପଟେଲ୍‌ଙ୍କ ବଲ୍‌ରେ ବୋଲ୍ଡ ହୋଇଥିଲେ । ରିୟାନ୍ ପରାଗ ୨୨ ବଲ୍‌ରେ ୨୭ ରନ୍ କରି ରସିଖ୍ ସଲାମ୍‌ଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ । ଶୁଭମ୍ ଦୁବେ ଜୋର୍‌ଦାର ବ୍ୟାଟିଂ କରି ୧୨ ବଲ୍‌ରେ ଦୁଇଟି ଲେଖାଏଁ ଚୌକା ଓ ଛକା ସହାୟତାରେ ୨୫ ରନ୍ କରିଥିବା ବେଳେ ଖଲିଲ୍ ଅହମଦଙ୍କ ବଲ୍‌ରେ ଷ୍ଟବ୍ସଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ । କୁଲଦୀପ୍ ଯାଦବ ୧୮ତମ ଓଭର୍‌ର ପ୍ରଥମ ବଲ୍‌ରେ ଡୋନୋଭାନ୍ ଫେରେରା (୧) ଓ ଅନ୍ତିମ ବଲ୍‌ରେ ଅଶ୍ୱିନ (୨)ଙ୍କୁ ଆଉଟ୍ କରିବା ଫଳରେ ରାଜସ୍ଥାନ ୨୦୧ ରନ୍‌ରେ ଅଟକି ଯାଇଥିଲା । ଶେଷ ବେଳକୁ ଟେଣ୍ଟ୍ ବୋଲ୍ଟ ୨ ରନ୍ ଓ ଆଭେସ୍ ଖାନ୍ ୭ ରନ୍‌ରେ ଅପରାଜିତ ରହିଥିଲେ । ଦିଲ୍ଲୀ ପକ୍ଷରୁ ଖଲିଲ୍ ଅହମଦ୍‌, ମୁକେଶ କୁମାର ଏବଂ କୁଲଦୀପ ଯାଦବ ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଅକ୍ଷର ପଟେଲ୍ ଓ ରସିଖ୍ ଦର୍ ସଲାମ୍‌ଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦିଲ୍ଲୀ କ୍ୟାପିଟାଲ୍ସର ଓପ୍ନର୍ ଜ୍ୟାକ୍ ଫ୍ରେଜର-ମ୍ୟାକ୍‌ଗର୍କ ବିସ୍ଫୋରକ ପ୍ରଦର୍ଶନ କରିଥିଲେ । ଚତୁର୍ଥ ଓଭର୍‌ରେ ଆଭେସ୍ ଖାନ୍‌ଙ୍କୁ ଲଗାତାର ବାଉଣ୍ଡାରୀ ମାରିବା ସହ ୨୮ ରନ୍ ଉଠାଇଥିଲେ । ଏହା ମଧ୍ୟରେ ଦୁଇଟି ଛକା ଓ ଚାରିଟି ଚୌକା ସାମିଲ ଥିଲା । ଏହି ଓଭର୍‌ରେ ମ୍ୟାକଗର୍କ ୧୯ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିବା ସହିତ ଅଭିଷେକ ପୋରେଲ୍‌ଙ୍କ ସହ ଅର୍ଦ୍ଧଶତକୀୟ ଭାଗୀଦାରି କରିଥିଲେ । ତେବେ ପରବର୍ତ୍ତୀ ଓଭର୍‌ରେ ଆର୍ ଅଶ୍ୱିନ ତାଙ୍କୁ ପ୍ୟାଭିଲିୟନ୍ ଫେରାଇଥିଲେ । ମ୍ୟାକ୍‌ଗର୍କ ୨୦ ବଲ୍‌ରୁ ୭ ଚୌକା ଓ ୩ ଛକା ସହାୟତାରେ ୫୦ ରନ୍ କରିଥିଲେ । ତାଙ୍କ ଆଉଟ୍ ପରେ ବ୍ୟାଟିଂ ପାଇଁ ଆସିଥିବା ଶାଇ ହୋପ୍ (୧) ରନ୍‌ଆଉଟ୍ ହୋଇଥିଲେ । ଅକ୍ଷର ପଟେଲ୍ ୧୫ ରନ୍ କରିଥିବା ବେଳେ ଅଶ୍ୱିନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ ।

ଇତିମଧ୍ୟରେ ସେ ପୋରେଲ୍‌ଙ୍କ ସହ ୪୨ ରନ୍‌ର ଭାଗୀଦାରି କରିଥିଲେ । ପରେ ପୋରେଲ୍‌ଙ୍କୁ ଅଶ୍ୱିନ ନିଜର ତୃତୀୟ ଶିକାର ବନାଇଥିଲେ । ୩୬ ବଲ୍‌ରେ ୭ ଚୌକା ଓ ୩ ଛକା ସହାୟତାରେ ୬୫ ରନ୍ କରିଥିବା ପୋରେଲ୍ କ୍ୟାଚ୍ ଆଉଟ୍ ହୋଇଥିଲେ । ସ୍କୋର୍‌ରେ ଆଉ ମାତ୍ର ୬ ରନ୍ ଯୋଗହେବା ପରେ କ୍ୟାପ୍‌ଟେନ୍ ଋଷଭ ପନ୍ତ୍ ୧୩ ବଲ୍‌ରେ ୧୫ ରନ୍ କରି ୟୁଜବେନ୍ଦ୍ର ଚହଲ୍‌ଙ୍କ ବଲ୍‌ରେ ବୋଲ୍ଟଙ୍କୁ କ୍ୟାଚ୍ ଦେଇ ଫେରିଥିଲେ । ୧୫୦ ରନ୍‌ରେ ୫ ୱିକେଟ୍‌ର ପତନ ପରେ ଟ୍ରିଷ୍ଟାନ୍ ଷ୍ଟବ୍ସ ଓ ଗୁଲ୍‌ବଦିନ୍ ନାଏବ୍ ଇନିଂସ୍ ସମ୍ଭାଳି ୪୫ ରନ୍‌ର ଭାଗୀଦାରୀ କରିବା ପରେ ୧୯ ରନ୍‌ରେ ବିଦାୟ ନେଇଥିଲେ । ବୋଲ୍ଟ ତାଙ୍କୁ ଅଶ୍ୱିନଙ୍କ ହାତରେ କ୍ୟାଚ୍ କରାଇଥିଲେ । ଦିଲ୍ଲୀ ସ୍କୋର୍ ୨୧୫ ରନ୍ ବେଳେ ଷ୍ଟବ୍ସଙ୍କୁ ସନ୍ଦୀପ ଶର୍ମା ଏଲ୍‌ବିଡବ୍ଲ୍ୟୁ ଆଉଟ୍ କରିଥିଲେ । ଷ୍ଟବ୍ସ ୨୦ ବଲ୍‌ରୁ ୩ଟି ଲେଖାଏଁ ଚୌକା ଓ ଛକା ସହାୟତାରେ ୪୧ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଥିଲେ । ରସିଖ୍ ସଲାମ୍ ୯ ରନ୍‌ରେ ରନ୍‌ଆଉଟ୍ ହୋଇଥିବା ବେଳେ କୁଲଦୀପ ଯାଦବ ୫ ରନ୍‌ରେ ଅପରାଜିତ ରହିଥିଲେ । ରାଜସ୍ଥାନ ରୟାଲ୍ସ ପକ୍ଷରୁ ଅଶ୍ୱିନ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଟ୍ରେଣ୍ଟ୍ ବୋଲ୍ଟ, ସନ୍ଦୀପ ଶର୍ମା ଓ ୟୁଜବେନ୍ଦ୍ର ଚହଲ୍‌ଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking