29.1 C
Bhubaneswar
Saturday, April 27, 2024
Homeଓଡିଶା+୨ ଦ୍ୱିତୀୟ ବର୍ଷ ପରୀକ୍ଷା ପୂର୍ବରୁ ହେବ ପ୍ରି-ଏକ୍‌ଜାମ୍‌: ୬ମାସ ପୂର୍ବରୁ ୩୦୦ ମାର୍କର ପରୀକ୍ଷା

+୨ ଦ୍ୱିତୀୟ ବର୍ଷ ପରୀକ୍ଷା ପୂର୍ବରୁ ହେବ ପ୍ରି-ଏକ୍‌ଜାମ୍‌: ୬ମାସ ପୂର୍ବରୁ ୩୦୦ ମାର୍କର ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଦଶମ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଯେପରି ପ୍ରସ୍ତୁତ କରିବାକୁ ଯୋଜନା କରାଯାଉଛି; ସେହିପରି ଦ୍ୱାଦଶ ବା +୨ ପରୀକ୍ଷା ପୂର୍ବରୁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହେବ ଅଭିନବ ପ୍ରୟାସ । ଆସନ୍ତା ଶିକ୍ଷାବର୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ୬ମାସ ପୂର୍ବରୁ ଏକ ପ୍ରି-ଏକ୍‌ଜାମ୍ କରାଯିବ । ଯେଉଁଥିରେ ୪ଟି ବିଷୟ ଯଥା, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଏବଂ ବାୟୋଲୋଜି ପରୀକ୍ଷା କରାଯିବ । ଏହି ୪ଟି ବିଷୟରେ ୩୦୦ମାର୍କର ପରୀକ୍ଷା ହେବ । ଯେଉଁଥିରେ +୨ ପରିଷଦ ପକ୍ଷରୁ ଆୟୋଜିତ ପରୀକ୍ଷାର ଢାଞ୍ଚା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପ୍ରାକ୍ ପ୍ରଶିକ୍ଷଣ ପ୍ରଦାନ କରାଯିବ ।

ଫଳରେ ଛାତ୍ରଛାତ୍ରୀ +୨ ପରୀକ୍ଷା ଦେବା ପୂର୍ବରୁ ପରୀକ୍ଷା ସମ୍ପର୍କରେ ଠିକ୍ ଭାବେ ଅବଗତ ହେବା ସହ ପୂର୍ବରୁ ଯେପରି ବିଚଳିତ ହେଉଥିଲେ ସେହି ଭୟ ସେମାନଙ୍କ ପାଖରେ ରହିବ ନାହିଁ । ବିଶେଷକରି ପରୀକ୍ଷା ପାଟର୍ଣ୍ଣ ସମ୍ପର୍କରେ ପୂର୍ବରୁ ପିଲାଙ୍କର ଅଭିଜ୍ଞତା ସୃଷ୍ଟି ହୋଇଥିବାରୁ ଏହି ପରୀକ୍ଷାରେ ପିଲାଙ୍କର ପାସ୍‌ହାର ବୃଦ୍ଧି ହୋଇପାରିବ । ତେବେ ଏହି ବ୍ୟବସ୍ଥାକୁ ସବୁ ସ୍ତରରେ ସ୍ୱାଗତ କରାଯାଉଛି ।
ପୂର୍ବରୁ ଓଡ଼ିଆ ମାଧ୍ୟମ ପିଲାମାନେ +୨ ବା ଦ୍ୱାଦଶଶ୍ରେଣୀରେ ନାମଲେଖାଇବା ପରେ ଶ୍ରେଣୀରେ ଶିକ୍ଷାଦାନ ଏବଂ ପରୀକ୍ଷାରେ ଲେଖିବାର ମାଧ୍ୟମ କେବଳ ଇଂରାଜୀ ଭାଷା ଥିବାରୁ ଅନେକ ଛାତ୍ରଛାତ୍ରୀ ଦ୍ୱାଦଶ ପରୀକ୍ଷା ପୂର୍ବରୁ ନର୍ଭସ ହୋଇପଡ଼ିଥାନ୍ତି । ବିଶେଷକରି ସାଇନ୍ସ ଛାତ୍ରଛାତ୍ରୀମାନେ ଅଧିକ ଭୟ ଏବଂ ଚିନ୍ତିତ ହୋଇପଡ଼ିଥାନ୍ତି ।

ଏପରି ସମସ୍ୟାର ସମାଧାନ ଲାଗି ଦ୍ୱାଦଶ ପରୀକ୍ଷା ୬ମାସ ପୂର୍ବରୁ ଏକ ପ୍ରି ପରୀକ୍ଷା ହେବ । ଯେଉଁଥିରେ ୩୦୦ମାର୍କର ପରୀକ୍ଷା କରାଯିବ । ଉଭୟ ସଂକ୍ଷିପ୍ତ ଏବଂ ଦୀର୍ଘ ପ୍ରଶ୍ନୋତ୍ତର ସମ୍ପର୍କରେ ପିଲାଙ୍କୁ ଅବଗତ କରାଯିବା ସହ ନିର୍ଦ୍ଧାରିତ ସମୟରେ ଛାତ୍ରଛାତ୍ରୀମାନେ ଯେପରି ସବୁ ପ୍ରଶ୍ନର ଉତ୍ତର ଦେବା ଲାଗି ସକ୍ଷମ ହୋଇପାରିବେ, ସେନେଇ ପିଲାଙ୍କୁ ପ୍ରସ୍ତୁତ କରାଯିବ । ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଓଡ଼ିଆ ମାଧ୍ୟମ ସରକାରୀ ସ୍କୁଲରେ ପଢ଼ୁଥିବା ପିଲାମାନେ ଦ୍ୱାଦଶ ଶ୍ରେଣୀରେ ଇଂରାଜୀରେ ଶିକ୍ଷାଗ୍ରହଣ ଏବଂ ପରୀକ୍ଷା ଦେବା ବାଧ୍ୟତାମୂଳକ ଥିବାରୁ ଏହାର ପ୍ରଭାବ ପାସ୍‌ହାର ଉପରେ ପଡ଼ୁଛି । ବିଶେଷକରି ବିଜ୍ଞାନରେ ଓଡ଼ିଆ ମାଧ୍ୟମ ପିଲାଙ୍କ ମଧ୍ୟରୁ ୩୫% ପିଲା ଫେଲ୍ ହେଉଥିବାବେଳେ ଦଶମ ଶ୍ରେଣୀରେ ୫୦%ରୁ ଅଧିକ ମାର୍କ ରଖିଥିବା ପିଲାଙ୍କ ମଧ୍ୟରୁ ୬୫% ଛାତ୍ରଛାତ୍ରୀ ୪୫% ତଳକୁ ମାର୍କ ରଖୁଛନ୍ତି । ବିଶେଷକରି ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନରେ ୪୦% ଛାତ୍ରଛାତ୍ରୀ ଫେଲ ହେଉଥିବା ବେଳେ ଗଣିତରେ ୫୫% ଏବଂ ବାୟୋଲୋଜିରେ ୩୫% ଛାତ୍ରଛାତ୍ରୀ ଫେଲ୍ ହେଉଛନ୍ତି ।

କଳା, ବାଣିଜ୍ୟରେ ୯୦%ରୁ ଅଧିକ ମାର୍କ ରଖୁଥିବା ପିଲାଙ୍କ ସଂଖ୍ୟା ପ୍ରାୟ ୨% ଥିବାବେଳେ ବିଜ୍ଞାନରେ ୯୦%ରୁ ଅଧିକ ମାର୍କ ରଖୁଥିବା ପିଲାଙ୍କ ସଂଖ୍ୟା ୦.୦୦୮% ରହୁଛି । ଗତ ୫ବର୍ଷ ହେବ ପାସ୍‌ହାର କ୍ରମାଗତ ଭାବେ ହ୍ରାସ ପାଇଥିବାବେଳେ ୯୦%ରୁ ଅଧିକ ମାର୍କ ରଖୁଥିବା ପିଲାଙ୍କ ସଂଖ୍ୟା ମଧ୍ୟ ହ୍ରାସଘଟୁଛି । ଏପରି ସମସ୍ୟାର ସମାଧାନ ଲାଗି ପିଲାଙ୍କୁ ପରୀକ୍ଷା ପୂର୍ବରୁ ପ୍ରସ୍ତୁତ କରିବାକୁ ପ୍ରୟାସ କରାଯାଉଛି । ଏହାବ୍ୟତୀତ ସିବିଏସ୍‌ଇ ଏବଂ ଆଇସିଏସଇ ଛାତ୍ରଛାତ୍ରୀମାନେ ଦ୍ୱାଦଶ ପରୀକ୍ଷାରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ବାୟୋଲୋଜି ପରୀକ୍ଷାରେ ଭଲ ପ୍ରଦର୍ଶନ କରୁଥିବାବେଳେ ଗଣିତରେ ୩୫% ପିଲା ଖରାପ ପ୍ରଦର୍ଶନ କରୁଛନ୍ତି । ବିଶେଷକରି ସିବିଏସ୍‌ଇ ପାଟର୍ଣ୍ଣରେ ଦ୍ୱାଦଶ ପରୀକ୍ଷା ହେଉଥିବାରୁ ସିବିଏସ୍‌ଇ ଏବଂ ଆଇସିଏସ୍‌ଇ ପିଲାଙ୍କ ଲାଗି କୌଣସି ସମସ୍ୟା ହୋଇନଥାଏ । ମାତ୍ର ଓଡ଼ିଆ ମାଧ୍ୟମ ପିଲାଙ୍କ ଲାଗି ସମସ୍ୟା ସୃଷ୍ଟି ହେଉଛି ।

ତେଣୁ ପ୍ରତିବର୍ଷ ନଭେମ୍ବର ୧୫ ପୂର୍ବରୁ ପ୍ରି-ଏକ୍‌ଜାମ ହେବ । ଏହାବ୍ୟତୀତ ପରୀକ୍ଷାରେ ସଂକ୍ଷିପ୍ତପ୍ରଶ୍ନ ଥିବାରୁ ପିଲାମାନେ କିପରି ନିର୍ଦ୍ଧାରିତ ସମୟରେ ସବୁ ପ୍ରଶ୍ନର ଉତ୍ତର ଦେବାରେ ସକ୍ଷମ ହେବେ ସେ ସମ୍ପର୍କରେ ପିଲାଙ୍କୁ ପ୍ରଶିକ୍ଷଣ ଦିଆଯିବ । +୨ ପରିଷଦର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ବ୍ୟବସ୍ଥା ପରିବର୍ତ୍ତନ ଆଣିବାରେ ସହାୟକ ହେବ । ବିଶେଷକରି ପୂର୍ବରୁ ସ୍କୁଲସ୍ତରରେ ପିଲାଙ୍କ ବିକାଶ ଲାଗି ବିଭାଗ ପକ୍ଷରୁ ଅନେକ ବ୍ୟବସ୍ଥା ଲାଗୁ କରାଯାଉଥିବା ବେଳେ ପ୍ରଥମଥର ଲାଗି ଦ୍ୱାଦଶରେ ଏହି ବ୍ୟବସ୍ଥା ଲାଗୁ ହେବାକୁ ନିଷ୍ପତ୍ତି ହୋଇଛି । ୨୦୨୧ରୁ ଏହାକୁ ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ କୋଭିଡ ଲାଗି ଏହା କାର୍ଯ୍ୟକାରୀ ହୋଇପାରି ନଥିଲା । ତେବେ ଆସନ୍ତା ଶିକ୍ଷାବର୍ଷରୁ ଏହା କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking