38.1 C
Bhubaneswar
Friday, April 26, 2024
Homeଓଡିଶାପୃଥିବୀ ସହ ଗ୍ରହାଣୁପୁଞ୍ଜ ଧକ୍କା ହେବନି’ : ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ

ପୃଥିବୀ ସହ ଗ୍ରହାଣୁପୁଞ୍ଜ ଧକ୍କା ହେବନି’ : ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ

ଭୁବନେଶ୍ୱର: ଗ୍ରହାଣୁପୁଞ୍ଜ ‘୨୦୦୮ ଜିଓ-୨୦’ ନିକଟକୁ ଆସୁଥିଲେ ମଧ୍ୟ ଏହା ପୃଥିବୀ ସହ ଧକ୍କା ହେବାର କୌଣସି ସମ୍ଭାବନା ନାହିଁ ବୋଲି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି । ଆସନ୍ତା ଜୁଲାଇ ୨୫ ତାରିଖରେ ଏକ ଗହାଣୁପୁଞ୍ଜ ପୃଥିବୀ ସହ ଧକ୍କା ହେବା ସମ୍ପର୍କିତ ଚର୍ଚ୍ଚା ଏବେ କିଛି ଗଣମାଧ୍ୟମ ତଥା ସାମାଜିକ ଗଣମାଧ୍ୟମରେ ଜୋର୍ ଧରିଛି । ପ୍ରକୃତରେ ଉକ୍ତ ଗ୍ରହାଣୁପୁଞ୍ଜର ନାମ “୨୦୦୮ ଜିଓ ୨୦’ ଯାହାକୁ ୨୦୦୮ ମସିହାରେ ଆବିଷ୍କାର କରାଯାଇଥିଲା । ଆସନ୍ତା ଜୁଲାଇ ୨୫ ତାରିଖ ଭାରତୀୟ ସମୟ ପ୍ରାୟ ରାତି ୧୧.୨୧ ମିନିଟ୍ ସମୟରେ ଏହା ପୃଥିବୀର ସବୁଠାରୁ ନିକଟତର ହେବ । ସେତେବେଳେ ପୃଥିବୀରୁ ଏହାର ଦୂରତା ପ୍ରାୟ ୪୫ ଲକ୍ଷ କିଲୋମିଟର ଅର୍ଥାତ୍ ପୃଥିବୀ-ଚନ୍ଦ୍ର ଦୂରତାର ପ୍ରାୟ ୧୧ ରୁ ୧୨ ଗୁଣ ଦୂରତାରେ ରହିବ । ଏହାର ହାରାହାରି ବେଗ ଘଣ୍ଟା ପ୍ରତି ୨,୯୦୦ କିମି ବା ସେକେଣ୍ଡ୍ ପ୍ରତି ୮ କିମି ରହିଛି । ଆକଳନ ଅନୁଯାୟୀ ଏହା ମାତ୍ର ୯୭ ମିଟର ଚଉଡ଼ା ଏବଂ ୨୩୦ ମିଟର ଲମ୍ବା ଅଟେ । ଗତ ୨୦୦୮ ମସିହା ଜୁନ୍ ୨୦ ତାରିଖରେ ଏହା ପୃଥିବୀର ନିକଟତର ହୋଇଥିଲା ଓ ଆସନ୍ତା ୨୦୩୪ ମସିହା ଜୁଲାଇ ୨୪ ତାରିଖରେ ପୃଥିବୀର ନିକଟତର ହେବ । ଏହି ଗ୍ରହାଣୁପୁଞ୍ଜ ଏଥର ପୃଥିବୀର ୪୫ ଲକ୍ଷ କିଲୋମିଟର ଦୂରତାରେ ଯିବ ଯାହା ପୂର୍ବରୁ ୧୯୩୫ ମସିହାରେ ୧୮ ଲକ୍ଷ କିମି ଓ ୧୯୭୭ ମସିହାରେ ୨୯ ଲକ୍ଷ କିମି ତୁଳନାରେ ବହୁତ ଅଧିକ । ତେଣୁ ଗ୍ରହାଣୁପୁଞ୍ଜ ‘୨୦୦୮ ଜିଓ-୨୦ ନିକଟକୁ ଆସୁଥିଲେ ମଧ୍ୟ ଏହା ପୃଥିବୀ ସହ ଧକ୍କା ହେବାର କୌଣସି ସମ୍ଭାବନା ନାହିଁ ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି । ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ବୈଜ୍ଞାନିକମାନେ ୨୩, ୪୨୮ରୁ ଅଧିକ ବଡ଼ ଆକାରର ଗ୍ରହାଣୁପୁଞ୍ଜ ଯାହା ପୃଥିବୀ ନିକଟରେ ରହିଛି ତାହାର ତାଲିକା ପ୍ରସ୍ତୁତ କରିଛନ୍ତି ଓ ସେମାନଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି । ଏଗୁଡ଼ିକ ମଧ୍ୟରୁ ସମ୍ଭାବ୍ୟ ବିପଜ୍ଜନକ ଗ୍ରହାଣୁପୁଞ୍ଜ ଭାବରେ ମାତ୍ର ୧,୦୭୫ଟି ଗ୍ରହାଣୁକୁ ଶ୍ରେଣୀଭୁକ୍ତ କରାଯାଇଛି । ପୃଥିବୀ ନିକଟକୁ ଆସୁଥିବା ଏପରି ବସ୍ତୁଉପରେ ଅନେକ ସଂସ୍ଥା ନଜର ରଖିଛନ୍ତି । ଏଭଳି ଏକ ମହା ବିପଦରୁ କିପରି ପୃଥିବୀକୁ ସୁରକ୍ଷିତ ରଖାଯାଇପାରିବ ସେ ବିଷୟରେ ଜ୍ୟୋତିର୍ବିଜ୍ଞାନୀ ଓ ବୈଜ୍ଞାନିକମାନେ ଅନବରତ ପ୍ରୟାସ ଜାରି ରଖିଛନ୍ତି । ସର୍ବଶେଷ ଗଣନା ଅନୁଯାୟୀ ୨୦୬୮ ମସିହା ପର୍ଯ୍ୟନ୍ତ କୌଣସି ବଡ଼ ବସ୍ତୁ ବା ପିଣ୍ଡ ପୃଥିବୀକୁ ଧକ୍କା ଦେବାର ବିପଦ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking